ଲଘୁଚାପ ବର୍ଷା ପରେ ସ୍ଥିର ହେବ ଡ୍ୟାମର ଜଳ ନିଷ୍କାସନ ନିଷ୍ପତି

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓ ଉତ୍ତର ଓଡ଼ିଶା ଉପକୂଳରେ ଏବେ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଯାହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଆଜିର ସ୍ଥିତି ଅନୁସାରେ, ବିଭିନ୍ନ ନଦୀର ଜଳସ୍ତର ସତର୍କ ସୀମାରେଖାରୁ ନିମ୍ନରେ ରହିଛି । ଲଘୁଚାପରେ ବର୍ଷାଜଳର ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ଦେଖିବାକୁ ହେବ। ଏହା ସହିତ ସୁବର୍ଣ୍ଣରେଖାରେ ଯେଉଁ ବର୍ଷା ହେବ, ତାହା ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ନିଷ୍କାସନକୁ ନେଇ ଆକଳନ କରିବାକୁ ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି ।