ଉତ୍କଳ ବିଶ୍ବବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍ ବନ୍ଧୁମିଳନ ବିଶ୍ବବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ସହଯୋଗ କରିବାକୁ ଆହ୍ୱାନ

ଭୁବନେଶ୍ଵର: ଉତ୍କଳ ବିଶ୍ଵବିଦ୍ୟାଳୟ ୨୦୦୮-୧୦ ବ୍ୟାଚ୍ ଛାତ୍ରଚାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକସ୍ଥିତ ମା’ ସରସ୍ବତୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ୨୦୦୮-୧୦ ବ୍ୟାଚ୍‌ର ଛାତ୍ର ସଂସଦ ସଭାପତି ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ସାହୁ ବିଶ୍ବବିଦ୍ୟାଳୟ ପରିସରକୁ ଅଧୂକ ସବୁଜ ଓ ସୁନ୍ଦର କରିବା ଉପରେ ଗୁରୁତ୍ବ ଦେଇଥିଲେ । ପୁରାତନ ଛାତ୍ର ତଥା ପ୍ରତିଷ୍ଠିତ ଧାର୍ମିକ ବ୍ୟକ୍ତିତ୍ୱ ବାବା ଅମୃତାନନ୍ଦଦାସ ମହାରାଜଜୀ ଜୀବନ ଦର୍ଶନ ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ପ୍ରକାଶ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର ସଂସଦ ପୂର୍ବତନ ସଭାପତି ଡ. ତନ୍ମୟ ସ୍ଵାଇଁ ଏହି ବ୍ୟାଚ୍‌କୁ ଏକ ସମାଜସେବା ଅନୁଷ୍ଠାନର ରୂପ ଦେବା ଓ ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଅବଦାନ ରଖୁବା ପ୍ରସ୍ତାବ ରଖିଥିଲେ । ତାହାକୁ ସମସ୍ତେ ଏକ ସ୍ବରରେ ସମର୍ଥନ କରିଥିଲେ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମୀ କେଶରୀ ପାତ୍ର ପରସ୍ପରର ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇବାକୁ ଗୁରୁତ୍ବ ଦେଇଥିଲେ । ସମସ୍ତ ରାଜନୈତିକ ମତଭେଦ ଓ ଶତ୍ରୁତାକୁ ଭୁଲି ବନ୍ଧୁତ୍ବର ଏକତାର ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାୟ ୨୦୦ ରୁ ଉର୍ଦୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଅତୀତ ସ୍ମୃତିକୁ ମନେ ପକାଇଥିଲେ । ଭବିଷ୍ୟତରେ ବନ୍ଧୁମାନଙ୍କ ଲେଖା ସଂକଳନ କରି ଏକ ସ୍ମରଣିକା ପ୍ରକାଶ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବ ପାରିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତଙ୍କ ସ୍ମୃତିଚିହ୍ନ ଉପହାର ଦିଆଯାଇଥିଲା। ଇନ୍ଦ୍ରବାଦଲ୍ ମହାନ୍ତି, ଦିନବନ୍ଧୁ ସାହୁ, ଗୌରାଙ୍ଗ ପାଢ଼ୀ, ଦିଲ୍ଲୀପ ପାଣିଗ୍ରାହୀ, ଜୟବ୍ରତ ଦାସ, ଉପେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *