ମନ୍ତ୍ରୀ-ସଚିବଙ୍କୁ ମହଙ୍ଗା ପଡ଼ିଲା କି ୩୫ କୋଟି ଟଙ୍କାର କାରବାର, ସବୁ ଜାଣିବା ପରେ ପଦକ୍ଷେପ ନେଲା କି ତୃତୀୟ ମହଲା…..

ଭୁବନେଶ୍ୱର :  ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସେଲ୍ଫ ଫିନାନ୍ସିଂ ପାଠ୍ୟକ୍ରମର ପ୍ରଚଳନ ସୁନିଶ୍ଚିତ କରିବାକୁ ୩୫ କୋଟି ଟଙ୍କାର କାରବାର ହୋଇଥିଲା। ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ କାର୍ଯ୍ୟନିର୍ବାହୀ ଏବଂ ବିଧାନପାଳିକାଙ୍କ ମେଣ୍ଟ ପରଖି ନେଲା ତୃତୀୟ ମହଲା। କଥା ଦାଣ୍ଡରେ ପଡ଼ି ହାଟରେ ଗଡିବା ଆଗରୁ ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ନିଜ ଦାୟିତ୍ୱରୁ ଅପସାରଣ କରିଦେଲେ ରାଜ୍ୟ ସରକାର। ସେହିପରି ସାରା ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ  ଅଧ୍ୟାପକ ବଦଳିରେ ଅନିୟମିତତାକୁ ଦୂର କରିବା ସହ ସେମାନଙ୍କ ସହ ସକରାତ୍ମକ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଉଭୟ ମନ୍ତ୍ରୀ ଓ ସଚିବ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି।

ସେହିପରି ସେଲ୍ଫ ଫିନାନ୍ସିଂ କୋର୍ସକୁ ଅହେତୁକ ଅନୁକମ୍ପା ଦେଖାଇବା କଥା କୁଳାଧିପତି ରାଜ୍ୟଭବନ ସଚିବାଳୟରେ ପହଞ୍ଚିଥିଲା। ଏହାକୁ ନେଇ ରାଜଭବନ ପକ୍ଷରୁ ଖୋଳତାଳ ଆରମ୍ଭ ହେବା ସହ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ତଲବ କରାଗଲା। ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରୀଙ୍କ ପ୍ରତିନିଧି ରାଜ୍ୟପାଳଙ୍କ ଏହି ରିପୋର୍ଟ ତଲବ ଆଗକୁ ଅକଳ ପରିସ୍ଥିତି ସୃଷ୍ଟି ବୋଲି ରାଜ୍ୟ ସରକାର ଅନୁଭବ କରିଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିର୍ଦ୍ଦିଷ୍ଟ ସମୟରେ ଅନୁମୋଦନ ପାଇପାରୁ ନ ଥିଲା। କିଛି ଦିନ ତଳେ ସେଲ୍‌ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲିବା ଲାଗି ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଓ ଏକ ସଂସ୍ଥା ମଧ୍ୟରେ ଡିଲ୍‌ ହେଉଥିବା ଫୋନ୍‌ କଲ୍‌ ଭାଇରାଲ ହୋଇଥିଲା। ମାତ୍ର ଘଟଣା ପଦାକୁ ଆସିବା କ୍ଷଣି ବିଭାଗୀୟ ଅଧିକାରୀମାନେ ଧମକ ଦେଇ ତାହାକୁ ଚାପିବାରେ ସକ୍ଷମ ହୋଇଥିଲେ। ମନ୍ତ୍ରୀଙ୍କୁ ବିଦା କରାଯିବା ପଛରେ ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ମାତ୍ର ତିନି ଦିନ  ତଳେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁଧାକର ନାଏକ ଓ ଓଏସ୍‌ଡି ପି କେ ରାଉଳଙ୍କୁ ପ୍ରତ୍ୟାହାର କରିନିଆଯାଇଥିଲା। ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗର ଅନ୍ୟତମ ପ୍ରଭାବଶାଳୀ ବାବୁ ବିରେନ୍ଦ୍ର କେରକେରାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *