ଅନିଶ୍ଚିତତା ରେ ୫୦୦୦ କୋଟି ପୁଞ୍ଜି ନିବେଶ, ଅଟକିଛି
୩୦୦୦ ନିଯୁକ୍ତି ସୁଯୋଗ

ଯାଜପୁର,୧୫/୫(ବ୍ୟୁରୋ):
ରାଜ୍ୟରେ ଶିଳ୍ପାୟନ ହେଲେ ପୁଞ୍ଜିନିବେଶ ବଢିବ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି କରିବ। ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଦେଶ, ବିଦେଶ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଥିପାଇଁ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ଏକାଧିକ ଶିଳ୍ପ ସଂସ୍ଥାକୁ ଏଯାଏଁ ଜମି ହସ୍ତାନ୍ତର କରାଯାଇନାହିଁ। ଏଠି ସାରା ଓଡ଼ିଶା କଥା କୁହାଯାଉନାହିଁ। ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର କଳିଙ୍ଗନଗର କଥା କୁହାଯାଉଛି। ପ୍ରାୟ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶର ସ୍ଥିତି ବିଳମ୍ବିତ ହେବା ସହ ଏକ ପ୍ରକାର ଅନିଶ୍ଚିତତା ଆଡକୁ ଗତି କରୁଛି।
ଏହି ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତ୍ୟକ୍ଷ ଭାବେ ପ୍ରାୟ ୩୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବହୁଳ ଭାବେ ପରୋକ୍ଷ ରୋଜଗାରର ମଧ୍ୟ ରାସ୍ତା ପ୍ରଶସ୍ତ କରିବ। ମାତ୍ର ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗ ନଗର ଇଣ୍ଡଷ୍ଟ୍ରିଆଲ୍ କ୍ଲଷ୍ଟରରେ ପ୍ରାୟ ଅଧ ଡର୍ଜନରୁ ଅଧିକ ଶିଳ୍ପ ସଂସ୍ଥାକୁ ପ୍ରାୟ୬୦୦ ଏକର ଜମି ଆବଣ୍ଟନ କରାଯାଇଥିବା ବେଳେ, ସେମାନଙ୍କୁ ହସ୍ତାନ୍ତରଣ ହୋଇ ପରିନାହିଁ । ଶିଳ୍ପସଂସ୍ଥା ଗୁଡିକୁ ଚୁକ୍ତି ମୁତାବକ ଜମି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଇଡକୋ ଭଳି ଏକକ ସଂସ୍ଥା କାର୍ଯ୍ୟ କରୁଛି। ଏପରି ସ୍ଥିତି ଇଡକୋର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜମି ହସ୍ତାନ୍ତରଣ କରିବାରେ ଇଡକୋ ଏବଂ ସ୍ଥାନୀୟ ପ୍ରଶାସନର ବିଫଳତା ଯୋଗୁଁ ଜଟିଆ ଷ୍ଟିଲ, ବିକେ ଷ୍ଟିଲ, ଇମ୍ପା, ୟୁସିଆଇ କେମିକଲ, ସାନଭି କେମିକଲ, ଏମଏସଏମଇ ପାର୍କ ଭଳି କମ୍ପାନୀ ଗୁଡିକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ।
ସାରା ରାଜ୍ୟରେ ଏମଏସଏମଇ ଶିଳ୍ପକୁ ନେଇ ରାଜ୍ୟ ସରକାର ବୃହତ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି। ପ୍ରସ୍ତାବିତ ଅଞ୍ଚଳରେ ପ୍ରାୟ ୩୦ଟି ଏମଏସଏମଇ ପ୍ରକଳ୍ପ ହେବାର ଯୋଜନା ରହିଛି। ଯାହା ଅଦ୍ୟାବଧି ଅନିଶ୍ଚିତ ଅବସ୍ଥାରେ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କଳିଙ୍ଗ ନଗର ଅଞ୍ଚଳର କୁଡୁମୀସାହିର ୧୦ ଏକର, କଚେରୀଗାଁର ୮ ଏକର, ଅରାସାହିର ୮ ଏକର, ଟାଙ୍ଗରସାହିର ୮ ଏକର, ବରପାଲର ୧୫ ଏକର ଏବଂ ମହୁଆପଡ଼ାର ୬ ଏକର ସମ୍ପୂର୍ଣ୍ଣ ରୂପେ ହସ୍ତାନ୍ତର ହେବାକୁ ରହିଛି। ପ୍ରସ୍ତାବିତ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ନେଇ ଥିବା ପ୍ରଶାସନିକ ବାଧା ଦୂର କରିବାରେ ଇଡକୋ, ଇପିକଲ୍, ଯାଜପୁର ଜିଲ୍ଲା ପ୍ରଶାସନ, କଳିଙ୍ଗ ନଗର ଏଡିଏମ୍ ଙ୍କ ଦପ୍ତର ଏତେଟା ଆଗ୍ରହ ପ୍ରକାଶ କରୁ ନ ଥିବା ପରିଲଖିତ ହେଉଛି।
ଶିଳ୍ପ ସଂସ୍ଥା ଗୁଡିକ ସମ୍ପୂର୍ଣ୍ଣ ଅର୍ଥ ଇଡକୋକୁ ପୈଠ କରି ଲିଜ୍ ଏଗ୍ରିମେଣ୍ଟ ମଧ୍ୟ କରି ସାରିକି ହାତ ଟେକି ବସିଛନ୍ତି Iଜବରଦଖଲରେ ଥିବା ବସ୍ତି ଗୁଡିକୁଇଡକୋସେମାନଙ୍କର ଯାହା ପ୍ରାପ୍ୟ ଦେବା କଥା ,ତୁରନ୍ତ ପ୍ରଦାନ କରି ସେହି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଶିଳ୍ପସଂସ୍ଥା ଗୁଡିକୁ ଜମି ହସ୍ତାନ୍ତର କଲେ ,ଶିଳ୍ପ ପ୍ରତିଷ୍ଠା କରିବାରେ ଅସୁବିଧା ରହନ୍ତା ନାହିଁ I ଉପରୋକ୍ତ ଜମି ଗୁଡ଼ିକ ଟାଟା କିମ୍ବା ଜିନ୍ଦଲ ଭଳି ବଡ ବଡ କମ୍ପାନୀକୁ ଆବଣ୍ଟିତ ହୋଇନାହିଁ। ତେଣୁ ସ୍ଥାନୀୟ ପ୍ରଶାସନ, ଜନପ୍ରତିନିଧିଏବଂ ଇଡକୋ ଏତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।
କରୋନା ପରେ ରାଜ୍ୟ ସରକାର ଦେଶ, ବିଦେଶରୁ ପୁଞ୍ଜିନିବେଶ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରୁଛି। ଖୋଦ୍ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ପ୍ରମୁଖ ଦୁବାଇ ଠାରୁ ଆରମ୍ଭ କରି ଜାପାନ ଗସ୍ତ କରୁଛନ୍ତି। ଦେଶର ପ୍ରାୟ ପ୍ରତିଟି ଶିଳ୍ପ ସମୃଦ୍ଧ ରାଜ୍ୟର ରାଜଧାନୀ ରାଜ୍ୟ ସରକାର ନିବେଶ ଆମନ୍ତ୍ରଣ କାର୍ଯ୍ୟକ୍ରମ କରିଛନ୍ତି। ସେଠାରେ ନିବେଶ ପାଇଁ ମନୋନିବେଶ କରିଥିବା ସଂସ୍ଥା ଗୁଡ଼ିକୁ ସମସ୍ତ ପ୍ରକାଶ ସହଯୋଗ କରିବା ପାଇଁ ରାଜ୍ୟର ଶୀର୍ଷ ପ୍ରଶାସନ ପ୍ରତିଶ୍ରୁତି ଦେଉଛି। ଅପରପକ୍ଷରେ ଜିଲ୍ଲା ସ୍ତରରେଶିଳ୍ପସଂସ୍ଥା ଗୁଡ଼ିକୁ ନାନା ପ୍ରକାରବାଧା ଦୂର କରି ଜମି ଯୋଗାଇ ପାରୁନାହିଁ।ଇଡକୋ ଏବଂ ଜିଲ୍ଲା ପ୍ରଶାସନଏପରିକି ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ଏ ସଂକ୍ରାନ୍ତରେ ସମୀକ୍ଷା ବୈଠକ ପରେ ବି ସ୍ଥାନୀୟ ଏଡିଏମ୍ ଏବଂ ଯାଜପୁର ପ୍ରଶାସନ ତତ୍ପରତା ପ୍ରକାଶ ନ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।