ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍
ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ ଚମକରେ ସ୍କୁଲ ଡ୍ରପ ଆଉଟ ସଜ ମାଛରେ ପୋକ ସଦୃଶ ହୋଇପାରେ। ଅପରପକ୍ଷରେ ପ୍ରାଥମିକ ସ୍ତରରେ ଯେତିକି ପିଲା ଓଡିଶାର ବିଦ୍ୟାଳୟରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ କେହି ଅଧାରୁ ପାଠ ଛାଡୁଥିବା ସରକାରୀ ରେକର୍ଡରେ ନାହିଁ ।
ଏଠାରେ ଉଲ୍ଲେଖ ଥାଉକି, ମାଟ୍ରିକ ପରୀକ୍ଷା ସମୟରେ ପ୍ରାୟ ୧୩ ହଜାର ପିଲା ପରୀକ୍ଷା ଦେଇ ନ ଥିଲେ। ଏମାନଙ୍କ ଅନୁପସ୍ଥିତ ସଂକ୍ରାନ୍ତରେ ସେଭଳି କିଛି ଠୋସ ସୂଚନା ମିଳିଲା ନାହିଁ । ତେବେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡିବା କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି। ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷା ବିଭାଗର ଏକ ରିପୋର୍ଟରୁ ଜଣାପଡିଛି ଯେ, ୨୦୨୧-୨୨ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ୨୭.୩ ପ୍ରତିଶତ ପିଲା ଅଧାରୁ ପାଠ ଛାଡି ଦେଇଛନ୍ତି । ଏହି ସଂଖ୍ୟା ଦେଶରେ ସର୍ବାଧିକ । କେବଳ ଦେଶରେ ସର୍ବାଧିକ ନୁହେଁ ଲଗାତାର ଦୁଇବର୍ଷ ଧରି ଏହି ହାର ବଢି ବଢି ଚାଲିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ପ୍ରାୟ ୧୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଗୋଟିଏ ବର୍ଷରେ ତାହା ୧୧ ପ୍ରତିଶତ ବୃଦ୍ଧି ପାଇଛି । ଅଧାରୁ ପାଠ ଛାଡିବା ତାଲିକାର ଶୀର୍ଷରେ ଥିବା ଆସାମ ଗୋଟିଏ ବର୍ଷରେ ୩୦.୩ ପ୍ରତିଶତରୁ ୨୦.୩ ପ୍ରତିଶତକୁ ଖସିଥିବାବେଳେ ଓଡିଶା କିନ୍ତୁ ଏହି ସମୟରେ ୧୦ ପ୍ରତିଶତ ବଢି ଦେଶର ଏକ ନମ୍ବର ସ୍ଥାନରେ ପହଞ୍ଚିବା ଆମର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନୁରୂପ ଭାବେ ୨୦୨୧-୨୨ ବର୍ଷରେ ହାଇସ୍କୁଲ ସ୍ତରରେ ମୋଟ୍ ୨୭.୩ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଏମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ସର୍ବାଧିକ ୨୯.୨ ପ୍ରତିଶତ ଥିବାବେଳେ ଝିଅଙ୍କ ସଂଖ୍ୟା ୨୫.୨ ପ୍ରତିଶତ ରହିଛି । ତେବେ ରାଜ୍ୟରେ ଏହିବର୍ଷ ଉଚ୍ଚ ପ୍ରାଥମିକ ସ୍ତରରେ ୭.୩ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ସର୍ବାଧିକ ୮ ପ୍ରତିଶତ ରହିଛି। ।
ତେବେ ରାଜ୍ୟର ଛାତ୍ରଛାତ୍ରୀମାନେ ଯେତେ ଯେତେ ଶ୍ରେଣୀ ଉପରକୁ ଉଠୁଛନ୍ତି ସେତେ ଅଧିକ ପରିମାଣରେ ଅଧାରୁ ପାଠ ଛାଡି ଦେଉଛନ୍ତି । ଜାତୀୟ ସ୍ତରରେ ୧୨.୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବାବେଳେ ଆମ ରାଜ୍ୟରେ ଏହା ଦୁଇ ଗୁଣରୁ ଅଧିକ ରହିଛି । ସେହିଭଳି ହାଇସ୍କୁଲରେ ପଢୁଥିବା ପିଲାଙ୍କ ମଧ୍ୟରେ ୧୩ ପ୍ରତିଶତ ପୁଅ ଓ ୧୨.୩ ପ୍ରତିଶତ ଝିଅ ଅଧାରୁ ପାଠ ଛାଡୁଥିବା ଜଣାଯାଇଛି ।