ନରେନ୍ଦ୍ର-ନବୀନଙ୍କ ଏହି ପ୍ରସଙ୍ଗରେ ଏକାଠି , ନାହିଁ ନିୟମିତ ପରିସଂଖ୍ୟନ, କରିଚାଲିଛନ୍ତି ଯୋଜନା….
ଭୁବନେଶ୍ୱର : ଦେଶ ତଥା ରାଜ୍ୟର ପ୍ରସ୍ତୁତ ହେଉଥିବା ସମସ୍ତ ନୀତି ନିର୍ଦ୍ଦିଷ୍ଟ ପରିସଂଖ୍ୟନ ଉପରେ ପର୍ଯ୍ୟବେସିତ। ଏହି ପରିସଂଖ୍ୟନ ନିୟମିତ ଭାବେ ବଦଳୁ ଥାଏ। ତେଣୁ ଭବିଷ୍ୟତର ଯୋଜନା ପ୍ରଣୟନ ଓ ରୂପାୟନ ପାଇଁ ପରିସଂଖ୍ୟନର ସାମ୍ପ୍ରତିକ ସ୍ଥିତି ଜାଣିବା ଦରକାର । ମାତ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ଅଣଦେଖା କରୁଥିବା ଲକ୍ଷ୍ୟ କରାଯାଉଛି। କରୋନା ମହାମାରୀ କାରଣରୁ ଜନଗଣନା- ୨୦୨୧ ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଏବଂ ଆମ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହା ହେବା କଥା। ମାତ୍ର ଜନଗଣନା ପ୍ରକ୍ରିୟା କେବେ ଆରମ୍ଭ ହେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
୧୮୮୧ ମସିହାରୁ ଦେଶରେ ଜନଗଣନା ପ୍ରତି ୧୦ବର୍ଷରେ ହୋଇ ଆସୁଛି। ଶେଷଥର ପାଇଁ ୨୦୧୧ ମସିହାରେ ଜନଗଣନା ହୋଇଥିଲା । ୨୦୨୧ର ଜନଗଣନା ପାଇଁ ୨୦୧୯ ମାର୍ଚ୍ଚ ଓ ଜୁଲାଇ ମାସରେ କେନ୍ଦ୍ର ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର କରୋନାରେ ପ୍ରତି ଘରକୁ ଘର ବୁଲି ଜନଗଣନା ତଥ୍ୟ ସଂଗ୍ରହ କରିବା ଅସମ୍ଭବପର ଥିବାରୁ ତାହାକୁ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ ଏନପିଆର ତଥା ଜାତୀୟ ଜନଗଣନା ତାଲିକାରେ ଥିବା ପୁରୁଣା ତଥ୍ୟ ସଂଶୋଧିତ ହୋଇପାରୁନାହିଁ। ସାଧାରଣ ନିର୍ବାଚନ- ୨୦୨୪ ପରେ ଜନଗଣନା କରିବାକୁ କେନ୍ଦ୍ର ସରକାର ମସୁଧା କରୁଥିବା ବିରୋଧି ଅଭିଯୋଗ କରିଛନ୍ତି। ଜନସଂଖ୍ୟା ଆଧାରରେ ଆମ ଦେଶରେ ସରକାରୀ ଚାକିରି ଓ ଅନ୍ୟାନ୍ୟ ପ୍ରତିନିଧିମୂଳକ ସଂସ୍ଥାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୨୨.୫ % ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ୨୭%ରେ ସୀମିତ ରହିଛି ।
ଅପରପକ୍ଷରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ଜନସଂଖ୍ୟା ଅନୁପାତରେ ୩୮.୭୫ % ଆସନ ସଂରକ୍ଷିତ ରହିଛି । ତେବେ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣି ପଛୁଆବର୍ଗଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଅମର ଛାଟୋଇ ମାମଲାରେ ଆଇନ ଅଦାଲତଙ୍କ ପ୍ରତିକୂଳ ରାୟ ଯୋଗୁ ଏହି ଆଇନ ଅକାମୀ ହୋଇ ପଡିବାରୁ ରାଜ୍ୟ ସରକାର ପୁଣି ଏସ୍ଇବିସି ବର୍ଗଙ୍କ ପାଇଁ ସଂରକ୍ଷଣ ହାର ୧୧.୨୫ ପ୍ରତିଶତ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି । ବିଶେଷ ପରିସ୍ଥିତିରେ ପଛୁଆବର୍ଗଙ୍କ ସଂଖ୍ୟା ଅଧିକ ଥିଲେ ସୁପ୍ରିମକୋର୍ଟ ହସ୍ତକ୍ଷେପରେ ତାମିଲନାଡୁ ପରି ସଂରକ୍ଷଣ ଆବଣ୍ଟନ କରାଯାଇପାରିବ। ମାତ୍ର ରାଜ୍ୟ ସରକାର ତାହା ମଧ୍ୟ କରୁନାହାନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ଉଭୟ ଜନଗଣନା ଓ ସର୍ଭେକ୍ଷଣରୁ ନିଜକୁ ଦୂରେଇ ରଖୁଛନ୍ତି।
ଏଠାରେ ଉଲ୍ଲେଖନୀୟ ଯେ, ୧୯୩୧ ମସିହାରେ ଭାରତରେ ଶେଷ ଜାତି ଭିତ୍ତିକ ଜନଗଣନା କରାଯାଇଥିଲା । ୨୦୨୧ର ଜନଗଣନାକୁ ଜାତିଭିତ୍ତିକ କରି ଓବିସିଙ୍କ ସଂଖ୍ୟା ନିରୁପଣ ସହ ଜନସଂଖ୍ୟା ଅନୁପାତରେ ସେମାନଙ୍କ ଲାଗି ସ୍ଥାନ ସଂରକ୍ଷଣ କରିବାକୁ ଦାବି ହେଉଛି। ବିହାର ସରକାର ତାଙ୍କର ନିଜସ୍ୱ ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହା ବିରୁଦ୍ଧରେ ଆଇନ ଅଦାଲତରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସରକାର ବି ପଛୁଆବର୍ଗଙ୍କ ଗଣନା ଏହି ଜନଗଣନାରେ କରିବା ପାଇଁ ଦାବି କରିଆସୁଛନ୍ତି ।୨୦୨୧ରର ଜନଗଣନା ପାଇଁ ଭାରତ ସରକାର ୮୭୫୪କୋଟି ୨୩ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ କୋଭିଡ୍ ସମୟରୁ ଜନଗଣନା କାର୍ଯ୍ୟ ସ୍ଥଗିତ ରହିଛି । ସାଧାରଣତଃ ଜନଗଣନା କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରାଯାଇଥାଏ । ଗତ ଗ୍ରୀଷ୍ମବକାଶରେ ବିଦ୍ୟାଳୟ ଛୁଟି ରହୁଥିବାରୁ ଜନଗଣନା କାର୍ଯ୍ୟ ହୋଇପାରେ ବୋଲି ଆଶା କରାଯାଉଥିଲା । ମାତ୍ର ଏଯାବତ୍ ଏ ସଂକ୍ରାନ୍ତରେ କୌଣସି ନୂଆ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଜନଗଣନା କେବେ, ହେବ ସେ ନେଇ ସନ୍ଦେହ ବଢିବାରେ ଲାଗିଛି।