ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ;’ଓଡ଼ିଆ ଭାଷାର ଉଦ୍‌ଭବ ଓ ବିକାଶ’ ଆଲୋଚନା ସଭା

ଆମେ ସମସ୍ତେ ଇଂରାଜୀ ଭାଷାକୁ ଅନୁସରଣ କରି ଆଜି ଓଡ଼ିଆ ଭାଷା-ସାହିତ୍ୟରୁ ଦୂରେଇ ଯାଉଛେ, ଯାହା ଆଦୌ ଗ୍ରହଣୀୟ ନୁହେଁ । ଆଞ୍ଚଳିକ ଭାଷା ଓ ମାତୃଭାଷାର ମହତ୍ଵ ବୁଝିବା ଉଚିତ୍ । ଓଡ଼ିଆ ପରି ଏକ ଶାସ୍ତ୍ରୀୟ ଭାଷାର ବ୍ୟବହାରକୁ ବ୍ୟାପକ କରିବା ଦିଗରେ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିବସରେ ଆୟୋଜିତ ‘ଓଡ଼ିଆ ଭାଷାର ଉଦ୍‌ଭବ ଓ ବିକାଶ’, ‘ଜଗନ୍ନାଥ ଚେତନା’ ଏବଂ ‘ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ’ ଆଦି ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି ।

‘ଓଡ଼ିଆ ଭାଷାର ଉଦ୍‌ଭବ ଓ ବିକାଶ’ ପ୍ରସଙ୍ଗକୁ ନେଇ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଆଲୋଚନା ସଭାରେ ଅତିଥିମାନେ ଓଡ଼ିଆ ଭାଷାର ପ୍ରାଚୀନତା ଓ ବିକାଶକୁ ନେଇ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । ସଭାଧ୍ଯକ୍ଷ ଡ. ପଟ୍ଟନାୟକ ଓଡ଼ିଆ ଭାଷା ପ୍ରତି ସାଧାରଣ ଜନତାଙ୍କ ଦୃଷ୍ଟିକୋଣ ପରିବର୍ତ୍ତନ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି ।

ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ଡ. ସବିତା ପ୍ରଧାନ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ୨୦୦୦ ବର୍ଷର ପ୍ରାଚୀନ ଇତିହାସ ଆଲୋଚନା କରି କହିଛନ୍ତି ଯେ, ଓଡ଼ିଆ ସହିତ ପ୍ରାକୃତ, ପାଲି ଓ ଉଡୁଲିପିର ସାମଞ୍ଜସ୍ୟ ରହିଛି । ଏହା ସହିତ ଓଡ଼ିଆ ଭାଷାରେ ପାର୍ସି, ଯାବନିକ ଓ ଇଂରାଜୀ ଭାଷାର ଅପ୍ରଚଳିତ ପ୍ରବାହ ହୋଇଥିବାବେଳେ ଶବ୍ଦ ବ୍ୟବହାରରେ ଲେଖକମାନେ ସଚେତନ ହେବାର ଆବଶ୍ୟକ‌ତା ରହିଛି । ପ୍ରଚଳିତ ଶବ୍ଦ ଓ ପ୍ରତ୍ୟୟର ସମଷ୍ଟିରେ ନୂତନ ଶବ୍ଦ ନିର୍ମିତ ହେଉଥିବାବେଳେ ଓଡ଼ିଆ ଭାଷାରେ ଅନୁବାଦ ଓ ସାହିତ୍ୟ ସୃଷ୍ଟି ଅଧିକ ପରିପୁଷ୍ଟ ହେବା ଆବଶ୍ୟକ ।

ଏହାସହ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଜଗନ୍ନାଥ ଚେତନା ସଂପର୍କିତ ଆଲୋଚନା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁରେନ୍ଦ୍ରନାଥ ଦାସ ‘ବିଶ୍ଵ ଚେତନାରେ ଶ୍ରୀଜଗନ୍ନାଥ’ ଶୀର୍ଷକ ପ୍ରସଙ୍ଗରେ କହିଛନ୍ତି ଯେ ଶ୍ରୀଜଗନ୍ନାଥ କେବଳ ଓଡ଼ିଶା କି ଭାରତର ଦେବତା ନୁହଁନ୍ତି, ବରଂ ସମଗ୍ର ବିଶ୍ଵର ରହସ୍ୟମୟ ଦେବତା । ସେ ଦାରୁ ଦେବତା ନୁହଁନ୍ତି, ବରଂ ଚଳନ୍ତି ବିଷ୍ଣୁ ପ୍ରତିମା । ସ୍ତମ୍ଭକାର ତଥା ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି କହିଛନ୍ତି ଯେ ଶ୍ରୀମନ୍ଦିରରେ ପ୍ରଚଳିତ ଦୁଇଟି ଯାତ୍ରା-ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ବିଜେ ହୋଇଥାନ୍ତି । କିନ୍ତୁ ଅବଶିଷ୍ଟ ଯାତ୍ରାଗୁଡ଼ିକରେ ଉତ୍ସବ ସମୟରେ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ଅନ୍ୟତମ ଆଲୋଚକ ତଥା ସଂସ୍କୃତି ଗବେଷକ-ଲେଖକ ଡ. ଭାସ୍କର ମିଶ୍ର ମହାପ୍ରଭୁଙ୍କ ଦିବ୍ୟଶ୍ରୀ ମହାପ୍ରସାଦର ମହାତ୍ମ୍ୟ ଏବଂ ଏହାର ଅନନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସଂପର୍କରେ ଆଲୋଚନା କରିଥିଲେ ।

ଏହାବ୍ୟତୀତ ଆୟୋଜିତ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଯୋଗ ଦେଇ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ସୁଦୀର୍ଘ ଇତିହାସ, ବୈଶିଷ୍ଟ୍ୟକୁ ନେଇ ଆଲୋଚନା କରିଥିଲେ । ଦିଶିଷ୍ଟ ପ୍ରାବନ୍ଧିକ ଡ. ବାବାଜୀ ଚରଣ ପଟ୍ଟନାୟକ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ପରମ୍ପରା ସଂପର୍କରେ ଆଲୋଚନା କରି ଓଡ଼ିଆ କାବ୍ୟ ସାହିତ୍ୟକୁ କୋଣାର୍କ ସହିତ ତୁଳନା କରିଛନ୍ତି । ମଧ୍ୟଯୁଗୀୟ କାବ୍ୟ-ସାହିତ୍ୟ ତତ୍‌କାଳୀନ କଳା, ସଂସ୍କୃତି ଓ ପ୍ରକୃତିକୁ ନିଖୁଣ ଭାବେ ବର୍ଣ୍ଣନା କରିବା ସହିତ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ଜଗନ୍ନାଥ ସଂସ୍କୃତି ସଂପର୍କରେ ମଧ୍ୟଯୁଗୀୟ ସାହିତ୍ୟରେ ରହିଥ‌ିବା ବର୍ଣ୍ଣନା ଓଡ଼ିଆଙ୍କ ସ୍ନେହ, ପ୍ରେମ ଓ ଭଲ ପାଇବାର ପରିଚୟ ଅଟେ ।

ବିଶିଷ୍ଟ ଗବେଷକ ଡ. ପ୍ରଦୀପ୍ତ କୁମାର ପଣ୍ଡା ଓଡ଼ିଆ ସନ୍ଥ ସାହିତ୍ୟ ଉପରେ ଆଲୋଚନା କରି କହିଛନ୍ତି ଯେ ସମାଜର କଲ୍ୟାଣ ଓ ଆତ୍ମଜ୍ଞାନର ବିକାଶ ଦିଗରେ ଓଡ଼ିଆ ସନ୍ଥସାହିତ୍ୟର ବ୍ୟାପକ ଭୂମିକା ରହିଛି । ଅନ୍ୟତମ ବକ୍ତା ପ୍ରଫେସର ନଟବର ଶତପଥୀ ପୁରାଣ ସାହିତ୍ୟ ଉପରେ ମତ ଦେଇ କହିଛନ୍ତି ଯେ ଏଗୁଡ଼ିକ ଆମ ସାମାଜିକ ଜୀବନରେ ପଥପ୍ରଦର୍ଶକ ସାଜିଛନ୍ତି । ସେହିପରି ସାରଳା ଦାସ ତାଙ୍କ ରଚନାରେ ଗ୍ରାମୀଣ କନ୍ତ ଭାଷା ଓ ଲୋକଗୀତକୁ ପ୍ରାଥମିକତା ଦେଇ ଓଡ଼ିଆ ପ୍ରାଣକୁ ବିଗ୍‌ଦର୍ଶନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *