ବଙ୍ଗଳା ଦେଶ କୋଟା ବ୍ୟବସ୍ଥା VS ଆମ ଦେଶର ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: (ବିଜୟ ସାହୁ)-ଏପର୍ଯ୍ୟନ୍ତ ବଙ୍ଗଳା ଦେଶରେ ଛାତ୍ରଛାତ୍ରୀ ମାନେ ସରକାରୀ ଚାକିରୀରେ କୋଟା ବିରୁଦ୍ଧରେ କେଉଁ ଆନ୍ଦୋଳନ କରୁଛନ୍ତି ସେ ସମ୍ପର୍କରେ ଭାରତରେ ଛାତ୍ର / ଯୁବ ସମାଜ ଏପରି କି ମଧ୍ୟବିତ୍ତ ଶ୍ରେଣୀର ବୁଦ୍ଧିଜୀବୀ ମଧ୍ୟ ଦ୍ବନ୍ଦ୍ୱରେ ଅଛନ୍ତି ।
ଆମେ ସ୍ପଷ୍ଟ ଭାବରେ ନ ବୁଝିଲେ ଦ୍ବନ୍ଦ୍ୱ ରେ ରହିବା ସ୍ୱାଭାବିକ ।
ମୁଁ ଏହି ପୋଷ୍ଟରେ ଶେଖ ହାସିନା ଙ୍କ କ୍ଷମତା ଚ୍ୟୁତ ବିଷୟ ଆଲୋଚନା କରୁ ନାହିଁ । କାରଣ ପୂର୍ବରୁ ବିସ୍ତୃତ ଭାବରେ ଆଲୋଚନା କରି ସାରିଛି ।
ବର୍ତ୍ତମାନ କେବଳ କୋଟା ସମ୍ପର୍କରେ ଆଲୋଚନା କରୁଛି ।
୧୯୭୧ ମସିହାରେ ଯେତେବେଳେ ବଙ୍ଗଳା ଦେଶ ପାକିସ୍ତାନ ଠାରୁ ସ୍ୱତନ୍ତ୍ର ହେଲା
ମୁଜିବୁର ରହମାନଙ୍କ ଆୱାମୀ ଲିଗ ସରକାର ସରକାରୀ ଚାକିରୀରେ ୩୦% ଚାକିରୀ ମୁକ୍ତି ଯୁଦ୍ଧ ରେ ପ୍ରାଣ ହରାଇ ଥିବା ପରିବାର ପାଇଁ ସଂରକ୍ଷଣ କରିଥିଲେ । ଏହାକୁ “ମୁକ୍ତି ଯୋଦ୍ଧା କୋଟା ” କୁହା ଯାଉଥିଲା । ୧୦% କୋଟା ମୁକ୍ତି ଯୁଦ୍ଧରେ ପୀଡ଼ିତ ମହିଳା , ବିଧବା ପାଇଁ , ୪୦% କୋଟା ବିଭିନ୍ନ ଜିଲ୍ଲା ପାଇଁ ଓ କେବଳ ୨୦% ଚାକିରୀ ସମସ୍ତେ ମେରିଟ ଭିତ୍ତିରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଥିଲା ।
ଏହି ନିୟମ ୧୯୭୨ ରେ ପ୍ରଣୟନ ହେଇଥିଲା ।
୧୯୭୨ ରୁ ୨୦୧୮ ପର୍ଯ୍ୟନ୍ତ କୋଟାରେ ବିଭିନ୍ନ ସଂଶୋଧନ ହେଇ ୫୬% କୋଟା Specific Entitled Class ପାଇଁ ଥିଲା । ୩୦% ମୁକ୍ତିଯୋଦ୍ଧା ପରିବାରର ସନ୍ତାନ ( ପୁତ୍ର, କନ୍ୟା, ନାତି , ନାତୁଣୀ ), ୧୦ ଜନସଂଖ୍ୟା ଭିତ୍ତିକ ଜିଲ୍ଲା ଗୁଡିକ ପାଇଁ, ୧୦% ମହିଳାମାନଙ୍କ ପାଇଁ, ୫%
ଏଥନିକ ସଂଖ୍ୟାଲଘୁ ମାନଙ୍କ ପାଇଁ ଓ ୧% ଶାରୀରିକ ବିକଳାଙ୍ଗ ଙ୍କ ପାଇଁ ଥିଲା ।
ଏହି କୋଟା ବ୍ୟବସ୍ଥାର ସଂଶୋଧନ ଦାବୀ କରି ଛାତ୍ରମାନେ ୨୦୦୯, ୨୦୧୩ ରେ ମଧ୍ୟ ଆନ୍ଦୋଳନ କରିଥିଲେ ।
୨୦୧୮ ଅକ୍ଟୋବର ୩ ରେ ବଙ୍ଗଳା ଦେଶ ସରକାର ଗୋଟିଏ ସରକ୍ୟୁଲାର ମାଧ୍ୟମରେ ୯ ରୁ ୧୩ ଗ୍ରେଡ ପର୍ଯ୍ୟନ୍ତ ଚାକିରୀରେ ସଂରକ୍ଷଣକୁ ପ୍ରତ୍ୟାହାର କରି ନେଲେ । ଜୁଲାଇ ୩୦,୨୦୧୯ରେ ସରକାର ବିବୃତି ଦେଲେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଚାକିରୀ ଅର୍ଥାତ ୯ରୁ ୧୩ ଗ୍ରେଡ ପର୍ଯ୍ୟନ୍ତ ସଂରକ୍ଷଣ ନାହିଁ । ୧୪ ରୁ ୨୦ ଗ୍ରେଡ ପର୍ଯ୍ୟନ୍ତ ( ଚତୁର୍ଥ ଓ ତୃତୀୟ ଶ୍ରେଣୀ ଚାକିରୀ ) ବର୍ତ୍ତମାନ ସଂରକ୍ଷଣ ବଳବତ୍ତର ରହିବ । କିନ୍ତୁ ଏହି ଗ୍ରେଡ ଗୁଡିକରେ ଯୋଗ୍ୟ ପ୍ରାର୍ଥୀ ନ ମିଳିଲେ ସେଇ ଶୁନ୍ୟ ସ୍ଥାନ ଗୁଡିକରେ ମଧ୍ୟ ସାଧାରଣ ବର୍ଗର ପ୍ରାର୍ଥୀ ମେଧା ତାଲିକା ରୁ ଚୟନ ହେଇ ଚାକିରୀ ପାଇବେ । ଏହା ସାଙ୍ଗକୁ ୮ ଓ ଉପର ଗ୍ରେଡରେ ସିଧାସଳଖ ଚୟନ ହେଉଥିବା ପଦବୀଗୁଡିକୁ ବାତିଲ କରାଯିବ ।
୨୦୧୮ଜୁଲାଇ ରେ ବଙ୍ଗଳା ଦେଶ ବିଶ୍ୱବିଦ୍ୟାଳୟ ଗୁଡିକରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଶୋଭାଯାତ୍ରା ଆରମ୍ଭ ହେଲା । ବିଶେଷ କରି ରାଜସାହି ବିଶ୍ୱବିଦ୍ୟାଳୟରେ ଏହା ତୀବ୍ର ହେଲା । ଏହାକୁ ଦମନ କରିବା ପାଇଁ ଆୱାମୀ ଲିଗ ଛାତ୍ର ସଙ୍ଘ ଓ ଯୁବସଙ୍ଘ ହିଂସାତ୍ମକ ବିରୋଧ କଲା ।
ଶେଖ ହାସିନା ଭାବିଲେ ଏହି ଛାତ୍ରମାନେ ଖାଲିଦା ଜିଆ ଓ ଜାମାତ ଇସଲାମ ଛାତ୍ର ଗୋଷ୍ଠୀ ଦ୍ଵାରା ଅଶାନ୍ତି ସୃଷ୍ଟି କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ରାଜ ସାହି ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସଲେର ଏମ ଅବଦୁସ ଶୋଭାନ ଏକ ବିବୃତ୍ତି ରେ କହିଲେ Reservation Reform Movement is an anti government movement as to carry out Sabotage .
ତାଙ୍କର ବିବୃତ୍ତି ପରିସ୍ଥିତିକୁ ଆହୁରି ଜଟିଳ କଲା । No Discrimination Movement ରେ ଯଦିଓ ଖାଲିଦା ଜିଆ ଓ ଜାମାତ ଇସଲାମ ଗୋଷ୍ଠୀର ଛାତ୍ର ଥିଲେ, କିନ୍ତୁ ଆନ୍ଦୋଳନକୁ ନେତୃତ୍ୱ ଦେଉଥିଲେ ସାଧାରଣ ଛାତ୍ର , ଶିକ୍ଷକ ଓ ଏମାନଙ୍କର Co Ordinators ସାମ୍ପ୍ରଦୟିକତା ବିରୋଧୀ ଧର୍ମ ନିରପେକ୍ଷ ମୋର୍ଚ୍ଚା କରିଥିଲେ ।
ଶେଖ ହାସିନା ତାଙ୍କର ପରାମର୍ଶ ଦାତାଙ୍କ କଥା କୁ ବିଶ୍ୱାସ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଦେବେ ଭାବି ଥିଲେ । କିନ୍ତୁ ଯେତେବେଳେ ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଚାଲିଗଲା ଓ ଏକ ଗଣ ଆନ୍ଦୋଳନ ର ରୂପ ନେଲା ସେତେବେଳେ ଶେଖ ହାସିନା କ୍ରୋଧ ପ୍ରକାଶ କରି ପାର୍ଲିଆମେଣ୍ଟ ରେ ଏକ ବୟାନ ଦେଲେ, ସମସ୍ତ ପ୍ରକାର କୋଟା ପ୍ରତ୍ୟାହାର ହେଲା । ଏଣିକି ସେମାନେ Bangladesh Civil Service Exam ଦେଇ ମେଧା ତାଲିକା ଅନୁଯାୟୀ ନିଯୁକ୍ତି ପାଇବେ ।
ତାଙ୍କର ଏହି ବୟାନ ସମ୍ପର୍କରେ ଆଲୋଚନା କରିବା ପାଇଁ ଆନ୍ଦୋଳନକାରୀ ଛାତ୍ର ଚାହିଁଲେ । କିନ୍ତୁ ହାସିନା ମନା କରିଦେଲେ ।
ଶେଖ ହାସିନାଙ୍କ ସମସ୍ତ ପ୍ରକାର କୋଟା ଉଚ୍ଛେଦ ଘୋଷଣା ପରେ ଆୱାମୀ ଲିଗ ର ଦୁଇଜଣ ସିଭିଲ ସର୍ଭାଣ୍ଟ ହାଇକୋର୍ଟରେ ଏହାକୁ ଚାଲେଞ୍ଜ କଲେ । ହାଇକୋର୍ଟ ହାସିନାଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବାକୁ ସ୍ଥଗିତାଦେଶ ଦେଲେ । ଛାତ୍ରମାନେ ସବୁ ପ୍ରକାର କୋଟା ଉଚ୍ଛେଦ ଦାବୀ କରୁ ନଥିଲେ । ସେମାନଙ୍କ ମୁଖ୍ୟ ଦାବୀ ଥିଲା ମୁକ୍ତିଯୋଦ୍ଧା କୋଟାକୁ କେବଳ ପ୍ରଥମ ପିଢ଼ି ପରେ ରଦ୍ଦ କରାଯାଉ ଓ ଶେଖ ହାସିନାଙ୍କ ସମୟରେ ହୋଇଥିବା ବଙ୍ଗଳାଦେଶ ପବ୍ଲିକ ସର୍ଭିସ କମିଶନ ଫଳାଫଳ ଗୁଡିକୁ ସମୀକ୍ଷା କରାଯାଉ ।
ଏବଂ ମହିଳା , ସଂଖ୍ୟାଲଘୁ , ଶାରୀରିକ ଅକ୍ଷମ, ଜନଜାତି କୋଟା ବୃଦ୍ଧି କରାଯାଉ । କିନ୍ତୁ ସୁପ୍ରିମକୋର୍ଟ ୯୩% କୋଟାକୁ ସାଧାରଣ ବର୍ଗ ପାଇଁ ଘୋଷଣା କରିଦେଲେ ।
ଶେଖ ହାସିନା ପୁଣି ସୁପ୍ରିମକୋର୍ଟକୁ ଲେଖିଲେ ସମ୍ପୂର୍ଣ୍ଣ କୋଟା ବନ୍ଦ ନିଷ୍ପତ୍ତି ପୁନଃ ବିଚାର କର । ଏହି ଘୋଷଣା ଜୁଲାଇ ୧ ତାରିଖରେ ।
ଶେଖ ହାସିନାଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟ କହିଲେ ଚାରି ସପ୍ତାହ ପରେ ମୋକଦ୍ଦମା ର ପୁନଃ ବିଚାର ହେବ ।
୫ ତାରିଖରେ March To Dhaka ଆହ୍ୱାନ ପରେ ସାମରିକ ଅଫିସରଙ୍କ ସହ ଆଲୋଚନା କରି ହାସିନା ଇସ୍ତଫା ଦେଇ ଭାରତ ପଳାୟନ କଲେ ।
ସଂକ୍ଷିପ୍ତରେ ଏହା ହେଲା ବଙ୍ଗଳାଦେଶର
କୋଟା ସଂରକ୍ଷଣ ବ୍ୟବସ୍ଥା । ୧୯୭୨ ରୁ ୨୦୧୮ ମଧ୍ୟରେ ଆୱାମୀ ଲିଗ ଲୋକ ସରକାରୀ ଚାକିରୀ, ପ୍ରଶାସନିକ ସେବା, ବିଚାର ବିଭାଗ , ବିଶ୍ୱବିଦ୍ୟାଳୟ ଉଚ୍ଚ ପଦବୀରେ ନିଯୁକ୍ତି ହେଇ ଆସୁଥିଲେ । କେବଳ କିଛି ନିମ୍ନ ପଦବୀରେ ସାଧାରଣ ଛାତ୍ର ସୁଯୋଗ ପାଇଥିଲେ । ବଙ୍ଗଳା ଦେଶର ଛାତ୍ରଛାତ୍ରୀ ଏହାର ସମୀକ୍ଷା ଦାବୀ କରୁଥିଲେ । ସେମାନଙ୍କ ଦାବୀ ଥିଲା – NO DISCRIMINATION .
ଭାରତର ସଂରକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ଏସି/ଏସ ଟି / ପଛୁଆ ବର୍ଗ ପାଇଁ କେବଳ ସଂରକ୍ଷଣ ରହିଛି । ସ୍ୱାଧୀନତା ସଂଗ୍ରାମୀ ଙ୍କ ପାଇଁ କୌଣସି କୋଟା ନାହିଁ । ସାମରିକ କର୍ମଚାରୀ ଙ୍କ ପରିବାର ପାଇଁ କିଛି କୋଟା ନାହିଁ । ଏହି
ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା କରି କେତେ ଦୂର ଏହା ୫୦ ଦଶକରୁ କାର୍ଯ୍ୟ କାରୀ ହେଉଛି ତାର ଦାବୀ ହେଉଛି । କାରଣ ବିଭିନ୍ନ ସରକାରୀ ତଥ୍ୟ କହୁଛି କେବଳ ନିର୍ଦ୍ଦିଷ୍ଟ କେତେକ ଉଚ୍ଚ ଜାତିର ଲୋକ ସମସ୍ତ ଉଚ୍ଚ ପଦବୀ, ବିଚାର ବିଭାଗ, ବୈଦେଶିକ ସେବା, ମିଡ଼ିଆ ହାଉସ କୁ ମାଡି ବସିଛନ୍ତି ।।