ଟ୍ରମ୍ପଙ୍କ ନୀତି ଦେଖି ମନେ ପଡିଲେ ବିଜୁ ବାବୁ ଓ ତାଙ୍କ ସ୍ବପ୍ନ

ଭୁବନେଶ୍ୱର : (ବିଜୟ ସାହୁ )- ସେଦିନ ବିଜୁ ବାବୁ ଦ୍ଵିତୀୟ ପାରିରେ ବିଶାଳ ବିଧାୟକଙ୍କୁ ଜିତେଇ ମୁଖ୍ୟମନ୍ତ୍ରୀ ହେଇଥାନ୍ତି । ପ୍ରଥମେ ନିଜେ କେବଳ ଶପଥ ନେଇ ମୁଖ୍ୟମନ୍ତ୍ରୀ ଚେମ୍ବର ରେ ବସିଥାନ୍ତି । ଖୁବ ଚିନ୍ତିତ ଥାଆନ୍ତି । ମୁଁ ଓ ଏସ ୟୁ ସି ଆଇର ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାୟକ ତାଙ୍କ ଚେମ୍ବରକୁ ଗଲୁ, ଏକ ବିଶେଷ ଦରଖାସ୍ତ ନେଇ ।
ଦରଖାସ୍ତକୁ APPROVED କରି ପ୍ରାଇଭେଟ ସେକ୍ରେଟାରୀ ଙ୍କୁ ପଠେଇ ଦେଇ ପୁଣି ନୀରବ ହେଇଗଲେ ।କାହିଁକି ଚିନ୍ତିତ ଥିଲେ ଆମେ ଜାଣି ପାରିଲୁ ନାହିଁ । ବୋଧେ ମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ଚିନ୍ତିତ ଥାଇ ପାରନ୍ତି ।
ଆମେ ଫେରି ଆସିବା କଥା । କିନ୍ତୁ କିଛି ସମୟ ବସିବାକୁ କହିଲେ । ସମ୍ଭୁବାବୁଙ୍କୁ ସେଇ ନିର୍ବାଚନରେ ହାରିବା କାରଣ ଇତ୍ୟାଦି ପଚାରିଲେ ।
ମୁଁ ଦେଖିଲି ଆଲୋଚନା ଜମୁନି ।
ତେଣୁ ପଚାରି ଦେଲି ଦ୍ଵିତୀୟ ଇସ୍ପାତ କାରଖାନା ଏଥର କେବେ କରିବେ ।
ବିଜୁ ବାବୁ କହିଲେ, ସରକାରୀ ସ୍ତରରେ ଦ୍ଵିତୀୟ ଇସ୍ପାତ କାରଖାନା ସମ୍ଭାବନା ଆଉ ନାହିଁ । ତଥାପି ଘରୋଇ ଭାବରେ କିଛି ଚେଷ୍ଟା କରିବି । ମୁଁ ବିଜୁବାବୁଙ୍କ ଦୁଃଖ ବୁଝି ପାରିଲି । ଦିନେ ଆମ ଛାତ୍ର ଅବସ୍ଥାରେ ଦ୍ଵିତୀୟ ଇସ୍ପାତ କାରଖାନା ଓ ତାଳଚେର ବିମଳା ଗଡ଼ ରେଳ ସଂଯୋଗ ଦାବୀରେ ଓଡ଼ିଶା ଉଠିଥିଲା ପଡିଥିଲା । ବିଜୁ ବାବୁ କହିଥିଲେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହେବି ଓଡ଼ିଶାରେ ନିଶ୍ଚୟ ଦ୍ଵିତୀୟ ଇସ୍ପାତ କାରଖାନା ହେବ ।
ବିଜୁବାବୁ ଭୁଲି ଯାଇଥିଲେ 1990 ନେହେରୁଙ୍କ ଷାଠିଏ ଦଶକର ପବ୍ଲିକ ସେକ୍ଟର ଯୁଗ ନୁହେଁ । ନିଜେ ଜଣେ ଶିଳ୍ପ ପତି ହେଇଥିବାରୁ ପବ୍ଲିକ ସେକ୍ଟର ଶିଳ୍ପ ଯୁଗର ସମ୍ଭାବନା ସମ୍ପର୍କରେ ଭଲ ବୁଝି ଥିଲେ । ତେଣୁ କହିଥିଲେ, ସମ୍ଭାବନା ନାହିଁ । ମୁଁ ଏଇଠି କଥା ଟି ରଖି 1977 ମସିହା ଜରୁରୀ ପରିସ୍ଥିତି ପରବର୍ତ୍ତୀ ଜନତା ପାର୍ଟି ସରକାର ସମୟକୁ ଟିକିଏ ଆଖି ପକେଇବି । ବିଜୁ ବାବୁ କେନ୍ଦ୍ରରେ ଇସ୍ପାତ ଓ ଖଣି ମନ୍ତ୍ରୀ । ସେତେବେଳେ ତାଙ୍କୁ KING MAKER ଓ KING BREAKER ନେତା କୁହା ଯାଉଥିଲା । ସେୟା ବି ଥିଲେ ।
ମନ୍ତ୍ରୀ ହେବା ପରେ ଜାମସେଦପୁର ଠାରେ ଏକ ସମ୍ମିଳନୀରେ ଯୋଗ ଦେଲେ । ଏଥିରେ ସବୁ ପବ୍ଲିକ ସେକ୍ଟର ଇସ୍ପାତ ଶିଳ୍ପ ମାଲିକ / ପ୍ରତିନିଧି ଓ ଟାଟା ଇସ୍ପାତର ଚେୟାରମ୍ୟାନ ଋଷି ମୋଦୀ ସମେତ ଅନେକ ପ୍ରତିନିଧି ଯୋଗ ଦେଇଥିଲେ ।
ଋଷି ମୋଦୀ ଜାଣିଥିଲେ, ବିଜୁବାବୁ ଓଡ଼ିଶାରେ ଦ୍ୱିତୀୟ ଇସ୍ପାତ କାରଖାନା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ,ଯେହେତୁ ପୂର୍ବରୁ ସେ ପ୍ରତିଶ୍ରୁତିବଦ୍ଧ ।
ତେଣୁ ମୋଦୀ ଯେତେବେଳେ ସ୍ୱାଗତ ଭାଷଣ ଦେଲେ ସେତେବେଳେ ବିଜୁବାବୁଙ୍କ ସମ୍ମୁଖରେ ଭାରତରେ ଇସ୍ପାତ ଶିଳ୍ପର ସଙ୍କଟ ଓ ସେତେବେଳେ ମହଜୁଦ ଥିବା ଇସ୍ପାତ ପ୍ରଡକ୍ଟର ସବିଶେଷ ତଥ୍ୟ ଦେଲେ । ଏବଂ ଆଶା କଲେ, ବିଜୁବାବୁ କେନ୍ଦ୍ର ଉପରେ ପ୍ରଭାବ ପକେଇ ବର୍ତ୍ତମାନ ଥିବା ଇସ୍ପାତ କାରଖାନାଗୁଡିକୁ କିପରି ପୂର୍ଣ କାର୍ଯ୍ୟକ୍ଷମ କରାଯିବ ସେ ସମୟରେ ବେଶି ଚିନ୍ତା କରନ୍ତୁ । ଆଉ ଇସ୍ପାତ କାରଖାନା ନିର୍ମାଣ କରିବା ପଛରେ ବୃଥା ପ୍ରୟାସ କରନ୍ତୁ ନାହିଁ ।
ବିଜୁବାବୁ କଥାଟି ବୁଝି ପାରିଲେ । ଋଷି ମୋଦୀ ତାଙ୍କୁ ମହଜୁଦ ଥିବା ଉତ୍ପାଦକୁ କିପରି ବିଦେଶରେ ବିକ୍ରି କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ପରୋକ୍ଷରେ ଦାବୀ କଲେ ।
ବିଜୁବାବୁଙ୍କ ସେଇଠି ହିଁ ଦ୍ୱିତୀୟ ଇସ୍ପାତ କାରଖାନା ସ୍ୱପ୍ନ ଭାଙ୍ଗି ଯାଇଥିଲା । ତେଣୁ 1990 ମୁଖ୍ୟମନ୍ତ୍ରୀ ବେଳେ ଆମ ଆଗରେ ସେଇ ଟିପ୍ପଣୀ କରିଥିଲେ । କିନ୍ତୁ ଟାଟା ଉପରେ ତାଙ୍କର କ୍ରୋଧ ବୃଦ୍ଧି ପାଇଥିଲା । ଓଡ଼ିଶାରୁ ଟାଟାକୁ ହଟେଇବା ଇଚ୍ଛା ଜାଗ୍ରତ ହେଇଥିଲା । କିନ୍ତୁ ସେଇ ଇଚ୍ଛା ମଧ୍ୟ ପରେ ବ୍ରାହ୍ମଣୀପାଳ ଚାର୍ଜ କ୍ରୋମ ଇସ୍ୟୁରେ ରଫା ଦଫା ହେଇ ଯାଇଥିଲା । ଏହି ବିଷୟଟି ବିସ୍ତ୍ରୁତ ଭାବରେ ଜାଣିବାକୁ ଇଛୁକ ଥିବା ବନ୍ଧୁ ଓଡ଼ିଶା ହାଇକୋର୍ଟରେ ସେତେବେଳେ
ଏସୟୁସିଆଇ ଶ୍ରମିକ ନେତା ମାୟାଧର ନାୟକଙ୍କ ଦ୍ଵାରା ହେଇଥିବା ମୋକଦମା ଖୋଜି ପଢ଼ି ପାରିବେ । ଏହି ବିଷୟଟିକୁ ମୁଁ ଓଡ଼ିଆରେ ” କାଠଗଡାରେ ବିଜୁ ଓ ଟାଟା ” ଶୀର୍ଷକ ପୁସ୍ତିକାରେ ଲେଖିଥିଲି । ଅବଶ୍ୟ ମାୟାଧର ନାୟକଙ୍କ ନାଁ ରେ ପ୍ରକାଶ ହେଇଥିଲା ।
ଛାଡ଼ ସେ କଥା । ଇତିମଧ୍ୟରେ ବୈତରଣୀରେ ବହୁତ ଜଳ ପ୍ରବାହିତ ହେଇ ସାରିଲାଣି । ବହୁ ପଟ୍ଟ ପରିବର୍ତ୍ତନ ଘଟି ଗଲାଣି ।

ଆସୁଛି ଟ୍ରମ୍ପଙ୍କ କଥାକୁ । ଆଜି ଆମେରିକା ପ୍ରେସିଡେଣ୍ଟ ଡୋନାଲଡ଼ ଟ୍ରମ୍ପ ଇସ୍ପାତ ଓ ଆଲୁମିନିୟମ ଉପରେ 25% ରପ୍ତାନୀ ଶୁଳ୍କ ବୃଦ୍ଧି କରିଛନ୍ତି । ଏହାର ପ୍ରଭାବ ଭାରତର $1 ବିଲିୟନ ରପ୍ତାନୀ ଉପରେ ପ୍ରଭାବ ପକେଇବ । ତେଣୁ ମୋଦୀ ଙ୍କ ଉପରେ ବଡ଼ ଦାୟିତ୍ବ । ସେ ଟ୍ରମ୍ପ ଙ୍କୁ କୌଣସି ପ୍ରକାର ତୁଷ୍ଟି କରି ଭାରତୀୟ ଇସ୍ପାତ ଓ ଆଲୁମିନିୟମ ଶିଳ୍ପକୁ ରକ୍ଷା କରନ୍ତୁ । ଅନ୍ୟଥା ଆହୁରି ଶ୍ରମିକ ଛଟେଇ, ଆହୁରି କଟନୀ ଛଟନୀ ହେବାକୁ ବାଧ୍ୟ ।ଡଲାର ମଧ୍ୟ ହ୍ରାସ ହେବ । ସୁନା ଦର ବଢିବ । ଦେଖୁଥିଲି ଆଜି କୁଆଡେ ସୁନା ଦର (22 କ୍ୟାରେଟ ) 80 ହଜାର ହେଲାଣି । ଏମିତି ହେଲେ 100 ଟପିବ ବୋଲି କହୁଛନ୍ତି ।
ଇସ୍ପାତ ଦର କମିବ କି ନାହିଁ ଆମେ କହି ପାରିବା ନାହିଁ । କାରଣ ଉତ୍ପାଦନ ସଙ୍କୁଚିତ କରି ହୁଏତ ମୁନାଫା ପାଇଁ ମୂଲ୍ୟକୁ ସ୍ଥିର ରଖିବେ । ଏମିତି ବି ହେଇପାରେ ଭାରତର ଶିଳ୍ପପତିମାନେ ଆମେରିକାରେ ଯାଇ ନିଜର ଶିଳ୍ପ ପ୍ରତିଷ୍ଠା କରିବେ । ମାର୍ଚ୍ଚ ପରେ ଜଣା ପଡିବ । କାରଣ ଟ୍ରମ୍ପ ଏହାକୁ ମାର୍ଚ୍ଚ ରୁ ଲାଗୁ କରିବେ ।
କଥା ଏତିକି ।।

Leave a Reply

Your email address will not be published. Required fields are marked *