ଆମ ସାହିତ୍ୟ ଆମ ସିନେ ଶିଳ୍ପକୁ ଶହେ ବର୍ଷ ଆଗକୁ ନେଇ ପାରିବ

ଭୁବନେଶ୍ୱର : (ଜୟନ୍ତ ସେଠ)-ସିନେମାର ପ୍ରକୃତ ଈଶ୍ୱର ଦର୍ଶକ, ସମୀକ୍ଷକ ନୁହନ୍ତି ।ଦର୍ଶକଙ୍କୁ ଯଦି ସିନେମା ଭଲ ଲାଗିଲା, ତିନିଘଣ୍ଟା ବସେଇ ରଖିଲା, ତାହେଲେ ସିନେମା ସଫଳ। ଆଉ ଚିତ୍ରନାଟ୍ୟରେ ଅମୁକ ଦୁର୍ବଳତା ରହିଛି, ଏଡିଟିଂରେ ସମୁକ ସମସ୍ୟା ଅଛି, ଭିଏଫଏକସ ଭଲ ହେଇନି ଇତ୍ୟାଦି। ଏସବୁ ତର୍ଜମା ଦର୍ଶକ ବାପୁଡ଼ା ପାଇଁ କୌଣସି ଗୁରୁତ୍ୱ ରଖେନା । ଆଜିର ସମୟରେ ଯେତେବେଳେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକ ଆସୁନାହାନ୍ତି, ସେଭଳି ପରିସ୍ଥିତିରେ ନିର୍ଦ୍ଦେଶକ ମାନେ ବହୁତ ପରୀକ୍ଷା ନିରୀକ୍ଷା କରିଛନ୍ତି । ସେସବୁ ସ୍ୱାଗତ ଯୋଗ୍ୟ । କିନ୍ତୁ ଅଧିକାଂଶ ସିନେମା ନିରାଶ କରିଛି । କାହିଁକିନା ସାଧାରଣ ମଣିଷକୁ ବସେଇ ରଖିବା ପାଇଁ ସେଥିରେ କୌଣସି ଉପାଦାନ ନଥାଏ । ସାଧାରଣ ଲୋକର ମାନସିକତାକୁ ବୁଝି ସିନେମାଟିଏ ତିଆରି କରିବା ହିଁ ପ୍ରକୃତ ସୃଜନଶୀଳ ନିର୍ଦେଶକର ବାହାଦୁରି । ସବ୍ୟସାଚୀ ମହାପାତ୍ର ହେଉଛନ୍ତି ଏଇ କ୍ୟାଟାଗୋରିର ନିର୍ଦେଶକ l ତାଙ୍କ ସିନେମାରେ ସାଧାରଣ ମଣିଷର ଭାବନା ଓ ଚଳଣି ପରିସ୍ପୁଟିତ ହୋଇଥାଏ । ବହୁତ ବଡ଼ ରିସ୍କ ନେଇ ସିଏ ତିଆରି କଲେ ‘ଅନନ୍ତା’ । ବ୍ୟାସକବିଙ୍କ ଲେଖା ଉପରେ ସିନେମା କରିବାର ଆସ୍ପର୍ଦ୍ଧା ଯୋଗୁ ବହୁତ କିଛି ମୂଲ୍ୟ ଦେବାକୁ ପଡିଛି, ଆଉ ରିଲିଜ ହେବା ପରେ ଵି ବହୁତ କଥା ଶୁଣିବାକୁ ପଡୁଛି । କିନ୍ତୁ ଏ ସବୁ ସତ୍ବେ ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ ବିଜୟୀ ବୋଲି ଭାବୁଛି । କାରଣ ସିନେମାରେ ସାହିତ୍ୟ, ପୁଣି ତା ଭିତରେ ଲୋକସଂଗୀତ ଓ ଲୋକନୃତ୍ୟ, ପୁଣି ଗାଁ ଗହଳିର ଭାଷା, ଢଗଢ଼ମାଳି ଏସବୁକୁ ନେଇ ଗୋଟେ ଅଦ୍ଭୁତ, ଚିତ୍ତାକର୍ଷକ ଓ ଅନନ୍ୟ ବାଟଣ ପ୍ରସ୍ତୁତ ହେଇଛି, ଯାହା ଗତ ଦଶ ବର୍ଷ ଭିତରେ ମୁଁ ଓଡ଼ିଆ ସିନେମାରେ ଦେଖିନି । ଉନବିଂଶ ଶତାବ୍ଧିର ଶେଷ ଭାଗରେ କେମିତି ଦେଖା ଯାଉଥିବ ଓଡ଼ିଶାର ଗାଁ, ତାହା ପ୍ରଥମ ଥର ପାଇଁ ଅନୁଭବ କଲି ଅନନ୍ତା ସିନେମାରେ। କେତକ ପ୍ରାଚୀନ ଓଡ଼ିଆ ଶବ୍ଦ ତ ବ୍ୟାସ କବିଙ୍କ ଲେଖାର ବିଶେଷତ୍ୱ । ଓଡ଼ିଆ ଭାଷାରେ ଲୋପ ପାଉଥିବା ଏମିତି କିଛି ଶବ୍ଦ ଯେମିତିକି ‘ନିତ୍ୟାନୀ’ କେବଳ ପଢ଼ିଥିଲି, କିନ୍ତୁ ଏବେ ସିନେମାରେ ଦେଖିଲି। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଉପକୂଳବର୍ତ୍ତୀ ଅଞ୍ଚଳର ନାଚଗୀତକୁ ଵି ଆଶ୍ଚର୍ଯ୍ୟଜନକ ଭାବେ ବ୍ଲେଣ୍ଡ କରାଯାଇଛି, ଯାହାକୁ ମୋ ଭଳି ହଲ ରେ ବସିଥିବା ସବୁ ଦର୍ଶକ ଉପଭୋଗ କରୁଥିଲେ ।
‘ଅନନ୍ତା ‘( ରାଣ୍ଡି ପୁଅ ଅନନ୍ତା ) କାହାଣୀରେ ସେମିତି କିଛି ଟୁଇଷ୍ଟ ନାହିଁ, ଫିଲ୍ମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ କିଛି ଘଟଣାର ଚିତ୍ରଣ । କିନ୍ତୁ ଦେଢଶହ ବର୍ଷ ତଳର ଦୃଶ୍ୟକୁ ପ୍ରସ୍ତୁତ କରିବା ପାଇଁ ନିଶ୍ଚିତ ଭାବେ ଅନେକ ରାତି ଉଜାଗର ରହିଥିବେ ନିର୍ଦେଶକ ବାପ ପୁଅ ଯୋଡ଼ି l ହାସ୍ୟରସ, ସାମାଜିକ ବିଲକ୍ଷଣକୁ ନେଇ ସିନେମା ଭଳି ଏକ ମନୋରଞ୍ଜନଧର୍ମୀ ମାଧ୍ୟମରେ ଥୋଇବା ସବୁଠୁ ବଡ଼ ସାହସିକ କାର୍ଯ୍ୟ ଯାହାକୁ ସବ୍ୟସାଚି ମହାପାତ୍ର ସଫଳତାର ସହିତ ତୁଲାଇଛନ୍ତି । ମନକୁ ମୋହିଲାଭଳି ଗୀତ ନାଚ, ସଂଳାପ ପାଇଁ ରଜନୀ ରଞ୍ଜନ ଓ ଅଭିଜିତ ମଜୁମଦାରଙ୍କୁ ଅଜସ୍ର ଶୁଭେଚ୍ଛା । କ୍ୟାମେରା ପରିଚାଳନା ଵି ଚମତ୍କାର । ହଁ ସିନେମାର ଆବହ ସଂଗୀତ ବିଷୟରେ ପଦେ ନକହିଲେ ଭୁଲ ହେବ । ଓଡ଼ିଆ ସିନେମାରେ ଏଭଳି ପାରମ୍ପରିକ ବିଜିଏମ ବ୍ୟବହାର କରିବା ବିରଳ ।
ଅନନ୍ତା ହେଉଛି ନିର୍ଦେଶକଙ୍କ ସିନେମା, ତେଣୁ ନିର୍ଦେଶକ ଦ୍ବୟ କଳାକାରଙ୍କୁ ଯେମିତି ନଚେଇଛନ୍ତି, ଧୂରୀଣ କଳାକାରମାନେ ସେମିତି ନାଚିଛନ୍ତି । କିନ୍ତୁ ସବୁଠୁ ବେଶୀ ମନକୁ ଛୁଇଁଲେ ଅନନ୍ତାର ମାଆ ସିଂହାଣି ଭୂମିକାରେ ଅଭିନୟ କରିଥିବା ଜ୍ୟୋତିର୍ମୟୀ ପଣ୍ଡା । ତାଙ୍କୁ ସବ୍ୟସାଚି ମହାପାତ୍ର କୋଉଠୁ ପାଇଲେ କେଜାଣି? ଗୁଣ ଚି଼ନ୍ନହେ ଗୁଣିଆ ଭଳି ତାଙ୍କୁ ଘଷି ମାଜି ପରଦାରେ ଏମିତି ଥୋଇଛନ୍ତି, ଯେ ମୂଳରୁ ଶେଷ ପର୍ଯ୍ୟନ୍ତ ସିଏ ହିଁ ବେଶୀ ଚକ ଚକ ଦେଖା ଯାଉଛନ୍ତି l ତେବେ ସବୁ କଳାକାର ମନକୁ ଛୁଇଁଲାଭଳି ଅଭିନୟ କରିଛନ୍ତି ।
ଆଉ ସିନେମାରେ ଖରା ପାଗରେ ବର୍ଷା ହେବା, ପାହାଡି ଇଲାକରେ ବନ୍ୟା ହେବା, ଭିଏଫଏକସର ସମସ୍ୟା, ଏସବୁକୁ କାହିଁକି ଅଣଦେଖା ନକରିବା, ଯଦି ପରଦାଟି ଶେଷ ପର୍ଯ୍ୟନ୍ତ ଭରପୁର ଲାଗୁଛି । ସେମିତି ରେ ନାଟକ ମଞ୍ଚରେ ପ୍ରତୀକାତ୍ମକ ଭାବେ ଅନେକ କାମ କରାଯାଏ । ଯଦି ବିଷୟରେ ଦମ ଥାଏ, ତାହେଲେ ଏସବୁ ଛୋଟ ଛୋଟ ଦୁର୍ବଳତା ଗୁରୁତ୍ୱ ରଖେନା ।
‘ଅନନ୍ତା’ କୁ ପରିବାର ସହ ସମସ୍ତେ ଦେଖିବା ଉଚିତ । ଆଜିର ଜେନ ଜେଡ କୁ କିଭଳି ଥିଲା ଦେଢଶହବର୍ଷ ତଳଓ ଓଡି଼ଶାର ଗାଁ, ଓଡ଼ିଆ ଭାଷା, ଲୋକ ଚରିତ୍ର ଏସବୁକୁ ଜଣାଇବା ପାଇଁ ‘ଅନନ୍ତା’ ଭଳି ସିନେମା ନିଶ୍ଚୟ ସାହାଯ୍ୟ କରିବ । ନିଜ ପିଲାମାନଙ୍କୁ ଏଭଳି ସିନେମା ଦେଖିବା ପାଇଁ ଏଇଥି ପାଇଁ ଉତ୍ସାହିତ କରିବା ଉଚିତ ଯେ ଅତି କମ ରେ ସେମାନେ ଓଡି଼ଶାର ଗ୍ରାମ୍ୟ ଜୀବନ କିପରି ଥିଲା ଅନୁଭବ କରିପାରିବେ। ଆଉ ଯଦି ଆମେ ‘ଅନନ୍ତା’ ର ଦୋଷ ତ୍ରୁଟି ଦେଖାଇ ସେମାନଙ୍କ ଆଗରେ ଓଡ଼ିଆ ସିନେମାକୁ ନୀଚ ପ୍ରମାଣିତ କରିବାକୁ ଚେଷ୍ଟା କରିବା, ଏଥିରେ ଆମ ସିନେମାର ଭବିଷ୍ୟତ କେଉଁ ଆଡ଼କୁ ଯିବ ତାହା ଅନୁମାନ କରି ପାରୁଥିବେ ? ସମାଲୋଚନା କରିବା ସହଜ, କିନ୍ତୁ ଥରେ ଭାବନ୍ତୁ, ଓଡ଼ିଆ କ୍ଳାସିକ ସାହିତ୍ୟକୁ ନେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ କରି ସିନେମା ତିଆରି କରିବା ପାଇଁ କେଡ଼େବଡ଼ ସ୍ୱପ୍ନ ଦେଖିଥିବେ ମହାପାତ୍ର ପରିବାର । କ୍ଳାସିକ କାହାଣୀକୁ ନେଇ ଓଡ଼ିଆ ସିନେମା କରିବାର ଧାରା କେବେଠୁ ବନ୍ଦ ହେଇ ଗଲାଣି । ସୁତରାଂ ତାଙ୍କର ଉଦ୍ୟମ କଣ କେବଳ ବ୍ୟାବସାୟିକ ବୋଲି ଆପଣ କହିବେ?
ଦ୍ୱିତୀୟ ସମୀକ୍ଷା 🙁 ସୁଜାତା ମହାପାତ୍ର):- #ଓଡ଼ିଆସିନେମା
ଶେଷରେ ଏ ସିନେମାଟି ଦେଖିବାର ସୁଯୋଗ ପାଇଲି । #ରକ୍ତତୀର୍ଥ ର ଗାଁ’ମାନଙ୍କରୁ ବାହାରି ଭୁବନେଶ୍ୱର ପହଁଚିବା ଯାଏଁ ସିନେମାଟି ହଲ୍ ରୁ ବାହୁଡ଼ି ଯିବନି ତ ବୋଲି ଖୁବ ଗୋଟେ ଆଶଙ୍କା ମନରେ ଥିଲା । ତେଣୁ ଏଠି ପହଞ୍ଚିବା କ୍ଷଣି ପ୍ରଥମେ ଟିକେଟ୍ ବୁକ୍ କରିନେଲି ।
ସିନେମାର କଳାତ୍ମକତା ଆରମ୍ଭରୁ ମୋର ଉତ୍କଣ୍ଠାରେ ଭଟ୍ଟା ପଡ଼ିବାକୁ ଦେଇ ନ ଥିଲା । ସ୍କ୍ରିନ ଖୋଲୁ ଖୋଲୁ ଆସିଥିବା କାର୍ଟୁନମାନଙ୍କୁ ଯଦି ମୁଁ ସିନେମା ଆରମ୍ଭରେ ଆସୁଥିବା ନାଁ ସବୁ ବୋଲି ଧରିନିଏ ତେବେ ଗାଁ ଦୃଶ୍ୟର ଆରମ୍ଭରୁ ହିଁ ମୋତେ ବାନ୍ଧି ରଖିଲା ଏ ସିନେମା । ଗାଁ, ଠିକ ମୋ ଉପନ୍ୟାସ ପାଇଁ ରହଣୀର ଗାଁ ଭଳି ହିଁ ଥିଲା । ଏପରିକି ଗାଁର ଖରା, ଛାଇ, ବରଗଛ, ଗାଁ ଦାଣ୍ଡ, କୀର୍ତ୍ତନ, ପୋଖରୀ ସବୁକିଛି ଯେମିତି ସେମିତି । କୋଉଠି ବି ଲାଗିଲାନି ଯେ ମୁଁ ସିନେମାରେ ଏସବୁ ଦେଖୁଛି ।
ଅନନ୍ତା ଚରିତ୍ରକୁ ବୋଧହୁଏ ସବ୍ୟସାଚୀଙ୍କ ବ୍ୟତୀତ ଆଉ କେହି ବି ଏଭଳି ଜୀବନ୍ତ କରି ନିଭେଇ ପାରି ନ ଥାନ୍ତେ । ହେଲେ ସାରାଟା ସିନେମାରେ ମୁଁ ତାଙ୍କୁ କୋଉଠିବି ପାଇଲିନି । କେବଳ ଗୋଟିଏ ରୋମାଣ୍ଟିକ ଗୀତ ବ୍ୟତୀତ ଆରମ୍ଭରୁ ଶେଷ ଯାଏଁ ମୋ ସାମନାରେ ଯିଏ ଥିଲେ ସେ ସେହି ବ୍ୟାସକବିଙ୍କ ସୃଷ୍ଟ ଅନନ୍ତା ହିଁ ।
ସିଙ୍ଘାଣୀ ନିଶ୍ଚିତ ରୂପେ ଗଳ୍ପର ଓ ଏ ସିନେମାର ବଳିଷ୍ଠତମ ଚରିତ୍ର । ତାଙ୍କ ଅଭିନୟର ଜବାବ ନାହିଁ । ବୋଧହୁଏ ଆଜି ପର୍ଯ୍ୟନ୍ତ ମୁଁ ଦେଖିଥିବା ସମସ୍ତ ନାରୀ ଚରିତ୍ରର ସର୍ବଶ୍ରେଷ୍ଠ ଅଭିନେତ୍ରୀ । ତାଙ୍କ ଅଭିନୟ ପାଇଁ ସଲାମ୍ । ଯେଉଁ ସ୍ଥିରତା, ଗାମ୍ଭୀର୍ଯ୍ୟ ଓ ଶୌର୍ଯ୍ୟ ସେ ଏହି ଚରିତ୍ରରେ ଫୁଟାଇଛନ୍ତି ତାହା ବିରଳ । ନିର୍ଦେଶକଙ୍କୁ ଅଶେଷ ଧନ୍ୟବାଦ ଏ ଚରିତ୍ର ପାଇଁ ।
ବ୍ୟାସକବିଙ୍କ ଲିଖିତ ଏକ କାଳଜୟୀ କାହାଣୀକୁ ନେଇ ବର୍ତ୍ତମାନର ସମୟରେ ବ୍ୟବସାୟିକ ଚଳଚିତ୍ର ନିର୍ମାଣ କରିବା ଯେତିକି ପ୍ରସିଦ୍ଧି ସେତିକି ବିପଦପୂର୍ଣ୍ଣ ଥିଲା । ହେଲେ ନିର୍ଦେଶକ ଓ ସିନେମାର ସମ୍ପୂର୍ଣ୍ଣ ଟିମ୍ ଏ ରିସ୍କକୁ ଏକ ଆହ୍ୱାନ ରୂପେ ନେଇ ପାରୁ ପର୍ଯ୍ୟନ୍ତ ନିଭେଇ ପାରିଛନ୍ତି, ଏହା ଖୁବ ସନ୍ତୋଷର କଥା ।
ସିନେମାର ଗୀତ ସବୁ ଯେତିକି ସୃତିମଧୁର ସେତିକି ଅର୍ଥପୂର୍ଣ୍ଣ । ଓଡ଼ିଶାର ପାରମ୍ପରିକ ଲୋକ କଳା, ଲୋକ ଗୀତ, ବାଦ୍ୟ ଓ ପୋଷାକମାନଙ୍କ ମାଧ୍ୟମରେ ଗୀତମାନଙ୍କର ଉପସ୍ଥାପନ ସବ୍ୟସାଚୀ ମହାପାତ୍ରଙ୍କର ସ୍ବାକ୍ଷର ବହନ କରୁଛି ।
ସିନେମାର କ୍ଳାଇମାକ୍ସ ସ୍ତବ୍ଧ କରିଦେଲା ଭଳି । ଅବଧାନେ ଓ ଦେବକୀ ମଧ୍ୟରେ କିଛି ଘଡିର ନିଶବ୍ଦତା ଥରାଇ ଦେଲା ଭଳି । ଘାଇ ଭାଙ୍ଗିବା, ଗାଁ ଲୋକଙ୍କ ମାଟି ପକାଇବା ବେଳେ ଅନୁଭବ ହେଉଥିଲା ମୁଁ ଜଣେ ଦର୍ଶକ ନୁହେଁ ବରଂ ସେଇଠି ସେଇ ଗାଁରେ ସେମାନଙ୍କ ସହ ଛିଡା ହେଇ ମୁଁ ବି ମାଟି ଢାଳୁଛି ।
ଏକ ସଫଳ, ସମର୍ଥ ସିନେମା ଅନେକ କିଛି ସନ୍ଦେଶ ବହନ କରି ଏତେ ବର୍ଷ ପରେ ଆମ ଗହଣକୁ ଆସିଛି ।
୧. କାଳଜୟୀ ଗଳ୍ପ ସବୁ ଯୁଗରେ କାଳଜୟୀ ।
୨. ଏମାନଙ୍କୁ ନେଇ ଏବେ ବି ଅନେକ କଥା କରାଯାଇ ପାରିବ ଓ ସଫଳ ବି ହେଇ ହେବ ।
୩. ରୁଚି ସମ୍ପର୍ଣ୍ଣ ଦର୍ଶକଙ୍କର ଅଭାବ ନାହିଁ ଆମ ଓଡିଶାରେ (ହାଉସ ଫୁଲ ସୋ ଏହାର ପ୍ରମାଣ)।
୪. ଚାଲୁ କାହାଣୀ, ହିନ୍ଦୀ ଇଂରାଜୀ ମିଶା ଦ୍ଵିଅର୍ଥ ବୋଧକ ଚାଲୁ ଗୀତ ଓ ଅନ୍ତରଙ୍ଗ ସିନ ବିନା ବି ସିନେମା ହିଟ ହେଇପାରେ, ଦର୍ଶକ ଦେଖନ୍ତି ଓ ବ୍ୟବସାୟ ବି ହେଇପାରେ, ଏ ସିନେମା ତାର ଉଦାହରଣ । କେବଳ ସାହସ କରି ଆଗେଇ ଆସିବାର ଆବଶ୍ୟକତା ରହିଛି ।
୫. ଦର୍ଶକ ଓଡ଼ିଆ ସିନେମା ଦେଖି ପ୍ରଯୋଜକଙ୍କୁ ଦୟା କରିବାର ମାନସିକତା ଛାଡି ଏଭଳି ସିନେମା ଦେଖି କିଛି ଶିଖିବା ଓ ମନୋରଞ୍ଜନ ପାଇବାର ଇଚ୍ଛା ନେଇ ହଲ୍ କୁ ଗଲେ ସିନେମା ବହୁତ ଭଲ ଲାଗିବ ନିଶ୍ଚୟ ।
ଅଳ୍ପ ଯେଉଁ କେତୋଟି କଥା ଖାପଛଡ଼ା ଲାଗିଲା ସେସବୁକୁ ଅନୁଭବି ନିର୍ଦେଶକ ଓ କଳାକାରମାନେ ଲକ୍ଷ କରିସାରିବେଣୀ, ତେଣୁ ସେ ବିଷୟରେ ଆଉ କିଛି ଆଲୋଚନା କରିବା ଆବଶ୍ୟକ ମନେ କରୁନାହିଁ । ସବୁଠୁ ବଡ଼ କଥା ହେଲା ସିଙ୍ଘାଣି ଓ ଅନନ୍ତାଙ୍କର ବଳିଷ୍ଠ ଚରିତ୍ର ଓ ଅଭିନୟ ମାଧ୍ୟମରେ ସେମାନେ ଦର୍ଶକମାନଙ୍କୁ ଯେଭଳି ଭାବରେ ଆରମ୍ଭରୁ ଶେଷ ଯାଏଁ ବାନ୍ଧି ରଖିଛନ୍ତି ଅନ୍ୟ ସମସ୍ତ ବିସଙ୍ଗତି ତା ଆଗରେ ନଗଣ୍ୟ ଲାଗୁଛି । ସିନେମାଟି ଏବେ ପର୍ଯ୍ୟନ୍ତ ମୋହ ଭଳି ଛାଇ ରଖିଛି ମୋ ମନ ହୃଦୟକୁ ।
ସିନେମା ହଲ୍ ରେ ବାରମ୍ବାର ଗୁଞ୍ଜରଣ ସୃଷ୍ଟି କରୁଥିବା “ବୋଉଲୋ… ଓ ଲୋ…, ବୋଉଲୋ… ଭୋକ… , କଣ ହଉଚି… ହଁ ହଉଚି… ହଁ ହଉ… ମୋତେ କେବେ ଚୋରେଇ ନେବୁରେ…” ଅନେକ ଦିନ ଯାଏଁ ରାସ୍ତା ଘାଟରେ ଶୁଣିବାକୁ ମିଳିବ ।