ଇନ୍ଦିରା ଗାନ୍ଧୀଙ୍କୁ କାହିଁକି ଜୟ ପ୍ରକାଶ ବୁଝେଇ ପାରିଲେନି ?
ନୂଆଦିଲ୍ଲୀ : (ବିଜୟ ସାହୁ)-ନେହରୁ ଓ ଜୟ ପ୍ରକାଶ ପରିବାର ଗୋଟିଏ ପରିବାର କହିଲେ ଭୁଲ ହେବ ନାହିଁ । ଜୟ ପ୍ରକାଶ ନେହେରୁଙ୍କୁ ବଡ଼ ଭାଇ ଭାବରେ ବିଚାର କରୁଥିଲେ , ତାଙ୍କର ପତ୍ନୀ ପ୍ରଭାବତୀ ଦେବୀ ନେହେରୁଙ୍କ ପତ୍ନୀ କମଳା ନେହରୁଙ୍କୁ ନିଜର ବଡ଼ ଭଉଣୀ ଭାବରେ ବିଚାର କରୁଥିଲେ ।
ସେଇ ଦୃଷ୍ଟିରୁ ଦେଖିଲେ ଇନ୍ଦିରା ଗାନ୍ଧୀ ହେଉଛନ୍ତି ଜୟପ୍ରକାଶଙ୍କ ଝିଆରୀ । ଜୟ ପ୍ରକାଶ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଇନ୍ଦୁ ବୋଲି ଡାକୁଥିଲେ । ଏପରି କି ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ବ୍ୟକ୍ତିଗତ ସମ୍ବୋଧନ ଓ ପତ୍ରାଳାପରେ ଇନ୍ଦୁ ଲେଖୁଥିଲେ । ତଥାପି କାହିଁକି ଶ୍ରୀମତୀ ଗାନ୍ଧୀ ଓ ଜୟ ପ୍ରକାଶଙ୍କ ମଧ୍ୟରେ ସମ୍ପର୍କର ବ୍ୟବଧାନ ଏତେ ବଢିଗଲା ଯେ କାକା କହିଲେ ଇନ୍ଦିରା ତୁମେ ଗାଦୀ ଛାଡ଼ ଓ ଇନ୍ଦିରା କହିଲେ ତୁମେ ଜେଲରେ ରୁହ । ଏପରି କି ଜୟ ପ୍ରକାଶଙ୍କ କିଡ୍ନୀ ଖରାପ ହେଇ ଯାଇଥିବା ସତ୍ତ୍ୱେ ।
ଆମେ ଜାଣୁ ନେହରୁ ଓ ଜୟ ପ୍ରକାଶ ନାରାୟଣଙ୍କ ଭିତରେ ସମ୍ପର୍କ କେବଳ ରାଜନୈତିକ ନଥିଲା, ଭାଇ ଭାଇ ସମ୍ପର୍କ ଥିଲା । ନେହରୁଙ୍କୁ ଜୟ ପ୍ରକାଶ ବଡ଼ ଭାଇ ଭାବରେ ସମ୍ମାନ ଦେଉଥିଲେ । ସେମିତି କମଳା ନେହରୁ ଓ ପ୍ରଭାବତୀ ଦେବୀଙ୍କ ଭିତରେ ଦୁଇ ଭଉଣୀ ଭଳି ସମ୍ପର୍କ ଥିଲା ।
ଉଭୟେ ନିଜର ସ୍ୱାମୀଙ୍କ ସହ ବେଶି ସମୟ ବିତେଇ ପାରି ନଥିଲେ । କାରଣ ନେହରୁ ଓ ଜୟ ପ୍ରକାଶ ସ୍ୱାଧୀନତା ଆନ୍ଦୋଳନରେ ବିଶ୍ରାମ ହୀନ ଜୀବନ ବିତେଇଥିଲେ । ସେମିତି କମଳା ନେହରୁ ଓ ପ୍ରଭାବତୀ ଦେବୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଥିଲେ । କମଳା ନେହେରୁ ଓ ପ୍ରଭାବତୀ ଦେବୀ ନିଜର ଆତ୍ମୀୟତା, ନିସଂଗତା ନିଜ ଭିତରେ ଆଦାନ ପ୍ରଦାନ କରୁଥିଲେ । ଉଭୟେ ଗାନ୍ଧୀଙ୍କ ଅନୁଗତ ଥିଲେ ଓ ପ୍ରଚଣ୍ଡ ସ୍ୱାଧୀନମନା ଥିଲେ । ଉଭୟେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଜେଲ ଯାଇଥିଲେ । କିନ୍ତୁ କମଳା ନେହରୁ ମାତ୍ର 36 ବର୍ଷ ବୟସରେ ଯକ୍ଷ୍ମା ରୋଗରେ ସୁଇଜରଲାଣ୍ଡରେ ମୃତ୍ୟୁ ବରଣ କରିବା ପରେ ଇନ୍ଦିରା ବହୁତ ନିସଂଗତା ଅନୁଭବ କରୁଥିଲେ ।
କମଳା ନେହରୁ ଗାନ୍ଧୀ ଆଶ୍ରମରୁ ଚିଠିପତ୍ର ମାଧ୍ୟମରେ ପ୍ରଭାବତୀ ଦେବୀଙ୍କୁ ନିଜର ଅନେକ କଥା ଲେଖି ଜଣାଇ ଥିଲେ । ଏହି ଚିଠିଗୁଡ଼ିକ ପ୍ରଭାବତୀ ଦେବୀ ଇନ୍ଦିରାଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ହସ୍ତାନ୍ତର କରିବାକୁ ଜୟ ପ୍ରକାଶଙ୍କୁ କହିଥିଲେ । ଜୟ ପ୍ରକାଶ ସେ ଗୁଡିକୁ ଇନ୍ଦିରା ଗାନ୍ଧୀ ନିର୍ବାଚନରେ ହାରିବା ପରେ ତାଙ୍କର ସରକାରୀ ବାସ ଭବନରେ ଭେଟି ଦେଇଥିଲେ ।
ଜୟ ପ୍ରକାଶ ଓ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ଯେଉଁମାନେ ପୁସ୍ତକ ଲେଖିଛନ୍ତି, ସେମାନେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଆଦୌ ନ ଥିଲା । ଜୟ ପ୍ରକାଶ ଙ୍କ ଆଶଙ୍କା ଥିଲା ଜନତା ପାର୍ଟି ନେତାମାନେ ଯେପରି ଇନ୍ଦିରା, ସଞ୍ଜୟ ଗାନ୍ଧୀଙ୍କ ଉପରେ ପ୍ରତିଶୋଧ ନେବାକୁ କମିଶନ ପରେ କମିଶନ ବସାଉଛନ୍ତି ଓ ପବ୍ଲିକ ଟ୍ରାଏଲ କଥା ପ୍ରଚାର କରୁଛନ୍ତି ଓ ଇନ୍ଦିରା ବିରୋଧୀ ପତ୍ର ପତ୍ରିକା ଯେପରି ଉତେଜନା ସୃଷ୍ଟି କରୁଛନ୍ତି, ହୁଏତ ସେମାନଙ୍କ କର୍ମୀମାନେ ଇନ୍ଦିରା ଓ ସଞ୍ଜୟଙ୍କୁ ଘର ଖାଲି କରି ରାସ୍ତାରେ ବସେଇ ଦେବେ ଓ ଶୁଳୀରେ ଚଢ଼େଇ ଦେବେ । ଏପରି କି ସଞ୍ଚୟଙ୍କ କପଡା ଉତ୍ତାରି ନଶବନ୍ଦୀ କରିବା ଦାବୀ ଉଠିଥିଲା । ପ୍ରଭାବତୀ ଦେବୀ ଯଦିଓ ଜରୁରୀ ପରିସ୍ଥିତି ପୂର୍ବରୁ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ, ତଥାପି ନେହେରୁ ପରିବାର ଉପରେ ଅସନ୍ତୋଷ କଥା ସେ ଜାଣିଥିଲେ । ଜୟ ପ୍ରକାଶଙ୍କ ଇନ୍ଦିରାଙ୍କୁ ଭେଟିବା ସମ୍ଭବତଃ ତାଙ୍କୁ ସାଧାରଣ ଜୀବନରୁ ଦୂରେଇ ଦେବା ଉଦ୍ଦେଶ୍ୟରେ ହେଇପାରେ । ଅନେକ ଲେଖିଛନ୍ତି ଇନ୍ଦିରା ହିମାଳୟର କେଉଁ ଏକ ନିର୍ଜନ ଆବାସକୁ ଚାଲିଯିବା ଯୋଜନା ମଧ୍ୟ କରୁଥିଲେ । କିନ୍ତୁ ଇନ୍ଦିରା ଓ ଜୟ ପ୍ରକାଶ ଏ ସମ୍ପର୍କରେ ଯେହେତୁ କୌଣସି ମତ ରଖି ନାହାଁନ୍ତି, ତେଣୁ ଇତିହାସକାରଙ୍କ କଥାକୁ ବିଶ୍ୱାସ କରିବାକୁ ହେବ ଯେ ଇନ୍ଦିରା ଓ ଜୟପ୍ରକାଶ ଉଭୟ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ ।
ତଥାପି କେଉଁ କାରଣ ଯୋଗୁଁ ଏଭଳି ରାଜନୈତିକ ବିବାଦ ସୃଷ୍ଟି ହେଲା ? ଜୟ ପ୍ରକାଶଙ୍କ ମଧ୍ୟରେ କୌଣସି କ୍ଷମତା ଲାଳସା ଥିଲା କି ? ଯଦି ଥିଲା ତାହେଲେ ସ୍ୱାଧୀନତା ପରେ କାହିଁକି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ? ନେହେରୁଙ୍କ ଇଚ୍ଛା ଥିଲା ଆଧୁନିକ ଚିନ୍ତନ ଓ ପ୍ରଗତିବାଦୀ ନେତା ଭାବରେ ଜୟ ପ୍ରକାଶ ହିଁ ତାଙ୍କର ଡେପୁଟି ହୁଅନ୍ତୁ ଓ ପରେ ଦେଶର ଦାୟିତ୍ୱ ନିଅନ୍ତୁ । ଏକଥା ଅନେକ ଇତିହାସକାର ଲେଖିଛନ୍ତି । ଯଦି କ୍ଷମତା ଲାଳସା ନ ଥିଲା ତାହେଲେ କାହିଁକି ପୁଣି ଥରେ ନିଜର ଛାତ୍ର ଯୁବକ ସଂଗଠନ କରି କଂଗ୍ରେସ ବିରୁଦ୍ଧରେ ସକ୍ରିୟ ହେଲେ ? କୌଣସି ଦଳ ସହ ଯୋଡ଼ି ନ ହେଇ ସମାଜରେ କ୍ରାନ୍ତି ଆଣିବା ପାଇଁ Partyless Democracy କଥା ପ୍ରଚାର କଲେ ? ଗୁଜରାଟ ଓ ବିହାର ଛାତ୍ର ଆନ୍ଦୋଳନ ବହୁ ପୂର୍ବରୁ ଜୟ ପ୍ରକାଶ ନିଜର ସ୍ୱତନ୍ତ୍ର ଗୋଷ୍ଠୀ ସୃଷ୍ଟି କରି ସାରିଥିଲେ । ଏହା Ego ବନାମ Ego ଅଥବା Super Ego ବନାମ Super Ego ଲଢେ଼ଇ ଥିଲା କି ?
ଅସ୍ତିତ୍ୱବାଦ ( Existentialism ) ଏକ ଦାର୍ଶନିକ ଆନ୍ଦୋଳନ ଭାବରେ ଉନବିଂଶ ଓ ବିଂଶ ଶତାବ୍ଦୀରେ ଆରମ୍ଭ ହେଇଥିଲା । ଏହା ବ୍ୟକ୍ତିର ଅସ୍ତିତ୍ୱ, ବ୍ୟକ୍ତି ସ୍ୱାଧୀନତା ଓ ବ୍ୟକ୍ତିର ପସନ୍ଦ ଏବଂ ବ୍ୟକ୍ତିର ଦାୟିତ୍ୱ ବୋଧ ଉପରେ ଆଧାରିତ ଥିଲା । ଏହି ଦର୍ଶନ ଅସ୍ତିତ୍ୱବାଦର ଜନକ Soren Kierkegaad , Friedrich Nietzsche ଙ୍କ ଠାରୁ ଆରମ୍ଭ ହେଇଥିଲା ଓ ବିଂଶ ଶତାବ୍ଦୀରେ ବିଶେଷକରି ଦ୍ଵିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳରେ ଫରାସୀ ଦାର୍ଶନିକ Jean-Paul Sartre, Albert Camus ଙ୍କ ଦ୍ଵାରା ବ୍ୟାପକତା ହାସଲ କରିଥିଲା ।
ଦ୍ଵିତୀୟ ବିଶ୍ଵ ଯୁଦ୍ଧର ବୀଭତ୍ସତା ସେମାନଙ୍କ ଦର୍ଶନକୁ ପ୍ରଭାବିତ କରିଥିଲା ।
ଅସ୍ତିତ୍ୱବାଦୀମାନେ ସ୍ୱାଧୀନତା, ଦାୟିତ୍ୱବୋଧ ,ଯନ୍ତ୍ରଣା , ଅଯୌକ୍ତିକତା ଓ ଅନ୍ତର୍ନିହିତ ଉଦେଶ୍ୟହୀନ ପୃଥିବୀରେ ଏହାର ଅର୍ଥ ସନ୍ଧାନ କରିଥିଲେ ।
ସାର୍ତ୍ତେ ତାଙ୍କର ପୁସ୍ତକ Being and Nothingness ରେ ବ୍ୟକ୍ତିର ସ୍ୱାଧୀନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏବଂ ବ୍ୟକ୍ତି ନିଜର ପସନ୍ଦ ଓ କ୍ରିୟା ଦ୍ୱାରା ଏହାର ମର୍ମ ଉପଲବ୍ଧି ଉପରେ ପ୍ରାଧାନ୍ୟ ଦେଇଥିଲେ । ଆଲବର୍ଟ କାମୁ ତାଙ୍କର ପୁସ୍ତକ The Stranger ଓ The Myth Of Sisypusରେ ବିଦ୍ରୋହ, ଅଯୌକ୍ତିତା ଓ ମଣିଷ ଅବସ୍ଥାର ବିଶେଷ ଦିଗଗୁଡିକୁ ଅନ୍ୱେଷଣ କରିଥିଲେ । ଅସ୍ତିତ୍ୱବାଦ ଦର୍ଶନ ରାଜନୀତି, ଦର୍ଶନ, ସାହିତ୍ୟ , ମନୋବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲା ଓ ଆଜି ବି ପ୍ରଭାବ ପକାଉଛି ।
ଅସ୍ତିତ୍ୱବାଦ ଦର୍ଶନର ମୂଳ କଥା ହେଲା ମଣିଷର ସ୍ୱାଧୀନତା ଯେହେତୁ ଜନ୍ମଗତ ଅଧିକାର ,ତେଣୁ ମଣିଷ Ego ଠାରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ କରି ପାରିବ ନାହିଁ । ଅବଶ୍ୟ ସାଧାରଣ ମଣିଷର Ego ଓ ରାଷ୍ଟ୍ର ନାୟକଙ୍କ Ego ମଧ୍ୟରେ ପାର୍ଥକ୍ୟ ରହିଛି । ସାଧାରଣ ମଣିଷର Ego ଭିତରେ କେବଳ ନିଜର ସ୍ୱାଧୀନତା ଓ ଅଧିକାର ପ୍ରଶ୍ନ ଜଡିତ ଥାଏ, କିନ୍ତୁ ରାଷ୍ଟ୍ର ନାୟକଙ୍କ କ୍ଷେତ୍ରରେ ସ୍ୱାଧୀନତା ଓ ଉତ୍ତର ଦାୟିତ୍ୱ ଜଡ଼ିତ ରହିଥାଏ । ତେଣୁ ଏହାକୁ Super Ego ଭାବରେ ଚର୍ଚ୍ଚା କରା ଯାଇଛି । ଏହି Egoରୁ ମୁକ୍ତ ହେବା ପାଇଁ ଗାନ୍ଧିଜୀ ମଧ୍ୟ ଅହିଂସା ଓ ସତ୍ୟ ମାଧ୍ୟମରେ ସାଧନା କରିଛନ୍ତି । ତାଙ୍କର ବିଶ୍ୱାସ ଥିଲା କୌଣସି ସ୍ୱାର୍ଥ ଆଶା ନକରି ଅନ୍ୟର ସେବା କରିବା ହେଉଛି Ego ( ଅହଙ୍କାର) କୁ ଅତିକ୍ରମଣର ଏକ ଶକ୍ତିଶାଳୀ ମାଧ୍ୟମ ।ତେଣୁ ସେ କୌଣସି ବ୍ୟକ୍ତିଗତ ଆକାଂକ୍ଷା ଓ ସମ୍ମାନ ଆଶା ନ କରି ସାମାଜିକ କ୍ରିୟା ଯଥା ଅସ୍ପୃଶ୍ୟମାନଙ୍କ ପାଇଁ କାର୍ଯ୍ୟ କରିବା, ନିଶା ନିବାରଣ କରିବା, ନିଜ କାମ ନିଜ ହାତରେ କରିବା ଓ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସମ୍ପୃକ୍ତ କରିବା ପନ୍ଥା ଗ୍ରହଣ କରିଥିଲେ । ଅହିଂସା ଓ ସତ୍ୟାନ୍ୱେଷଣକୁ ଏହାର ମାଧ୍ୟମ କରିଥିଲେ । ଏଥିପାଇଁ ସେ ଆଧ୍ୟାତ୍ମିକ ମାର୍ଗ ଗ୍ରହଣ କରିଥିଲେ ଏବଂ ଗୀତାର ନିଷ୍କାମ କର୍ମ ଉପରେ ପ୍ରାଧାନ୍ୟ ଦେଇଥିଲେ । ସେ ହିନ୍ଦୁ, ଜୈନ ଓ ଖ୍ରୀଷ୍ଟୀୟଙ୍କ ଆଧ୍ୟାତ୍ମିକ
ପରମ୍ପରାକୁ ଗ୍ରହଣ କରିଥିଲେ । କିନ୍ତୁ କେଉଁଠି କହି ନଥିଲେ ସମ୍ପୂର୍ଣ୍ଣ ଭାବରେ ଅହଙ୍କାର ମୁକ୍ତ ସମ୍ଭବ । ସେ କେବଳ ବ୍ୟକ୍ତିଗତ ଆକାଂକ୍ଷାକୁ ସମର୍ପଣ କରି ଅହଙ୍କାରକୁ Maximum Reduce କରିବାକୁ କହିଥିଲେ । ଅର୍ଥାତ ପରୋକ୍ଷରେ ସ୍ୱୀକାର କରିଥିଲେ, Ego ମଣିଷର ସହଜାତ ପ୍ରବୃତ୍ତି । ଏହା ତାଙ୍କର Super Ego ଭାବରେ ବିଚାର କରାଯିବ ।
ଜୟ ପ୍ରକାଶ ନାରାୟଣ ଓ ଇନ୍ଦିରା ଗାନ୍ଧୀ ଉଭୟେ ଗାନ୍ଧୀଙ୍କ ଆଦର୍ଶରେ ପ୍ରଭାବିତ ହେଇଥିଲେ ଯଦିଓ ଭିନ୍ନ ଭିନ୍ନ ସାମାଜିକ ଓ ପାରିବାରିକ ପୃଷ୍ଠଭୂମିରୁ ଆସିଥିଲେ । ଜୟ ପ୍ରକାଶ ନାରାୟଣଙ୍କ ସଂଗ୍ରାମ ଗାନ୍ଧୀଙ୍କ ଅହିଂସା ଓ ନିଷ୍କାମ ଏବଂ ସାର୍ତ୍ତେ ପ୍ରଭୃତିଙ୍କ ଅସ୍ତିତ୍ୱବାଦର ବ୍ୟକ୍ତି ସ୍ୱାଧୀନତା , ଅଧିକାର ଓ ଉତ୍ତରଦାୟିତ୍ୱବୋଧ ମଧ୍ୟରେ ପରିକ୍ରମଣ କରିଥିଲା । ସ୍ୱାଧୀନତା ପରେ ଯଦିଓ ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ଓ ଗାନ୍ଧୀ , ବିନୋବାଙ୍କ ପନ୍ଥା ଗ୍ରହଣ କରିଥିଲେ , କିନ୍ତୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ 1966 ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ କଂଗ୍ରେସର Syndicate ଗୋଷ୍ଠୀଙ୍କ ପ୍ରଭାବରୁ ମୁକ୍ତ କରେଇବା ପାଇଁ ଜଣେ ଅଭିଭାବକ ଭାବରେ ଉଦ୍ୟମ କରିଥିଲେ । ଏଇଠି ହିଁ ଇନ୍ଦିରାଙ୍କ Ego ସହିତ ସମ୍ମୁଖୀନ ହେବାକୁ ପଡିଥିଲା ।
ଶ୍ରୀମତୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ଆସ୍ତେ ଆସ୍ତେ କ୍ଷମତାକୁ Consolidate କରିବାକୁ ଯାଇ ନିଜକୁ ଜଣେ ପ୍ରଭୂତ୍ୱବାଦୀ ନେତା ଭାବରେ ପ୍ରତିଷ୍ଠା କରିବାକୁ ଉଦ୍ୟମ କଲେ । ବ୍ୟାଙ୍କ ଜାତୀୟ କରଣ, ବଙ୍ଗଳା ଦେଶ ମୁକ୍ତି ସଂଗ୍ରାମ ପରେ ତାଙ୍କର ଜୟ ଜୟକାର ଓ ନେହରୁଙ୍କ Legacy ଇତ୍ୟାଦି Decisive Actionକୁ ତାଙ୍କର ବଚସ୍କର ଗୋଷ୍ଠୀ ଓ ମିଡ଼ିଆ ଅପରାଜେୟ ଶାସକର ଭାବମୂର୍ତି ସୃଷ୍ଟି କରିଦେଲେ । ସେ ସ୍ୱାଧୀନତା ସଂଗ୍ରାମ ବେଳେ ଓ ସ୍ୱାଧୀନତା ସଂଗ୍ରାମ ପରେ ନେହେରୁ ଓ ଶାସ୍ତ୍ରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଚଳିତ ଥିବା ଦଳୀୟ ଗଣତନ୍ତ୍ର ଏବଂ ଶାସନ କ୍ଷେତ୍ରରେ ବିଚାର ବିମର୍ଶକୁ ବ୍ୟକ୍ତି କୈନ୍ଦ୍ରିକ କରିଦେଲେ । ପରିଣାମତଃ ଶାସନରେ ଭ୍ରଷ୍ଟାଚାର ଅଭିଯୋଗ ଆସିଲା । ଜୟ ପ୍ରକାଶ ନାରାୟଣ ପ୍ରଥମ ଅବସ୍ଥାରେ ଏହି ଭ୍ରଷ୍ଟାଚାରକୁ ଇନ୍ଦିରା ଗାନ୍ଧୀଙ୍କ ଭ୍ରଷ୍ଟାଚାର ଭାବରେ ନେଇ ନଥିଲେ । ଏହା ଢାଞ୍ଚାଗତ ଭ୍ରଷ୍ଟାଚାର , ତେଣୁ ବ୍ୟବସ୍ଥାର ସଂସ୍କାର , ନିର୍ବାଚନ ସଂସ୍କାର , PartyLess Democracy ଇତ୍ୟାଦି ଉପରେ ଗୁରୁତ୍ୱ ଦେଇଥିଲେ । ଭାବିଥିଲେ ଇନ୍ଦିରା ତାଙ୍କର ପରାମର୍ଶ ଗ୍ରହଣ କରିବେ । କିନ୍ତୁ ଇନ୍ଦିରା ଗାନ୍ଧୀ ଭାବିଲେ ଜନମତ ଦ୍ଵାରା ନିର୍ବାଚିତ ସରକାର ଉପରେ ଏହା ହେଉଛି ଅତିକ୍ରମଣ ଓ ଏହାର ଚକ୍ରାନ୍ତ ମୂଳରେ ଦେଶର ବିଭାଜନକାରୀ, ପ୍ରତିକ୍ରିୟାଶୀଳ ଶକ୍ତି, ସାମ୍ପ୍ରଦାୟିକ ଶକ୍ତି ଓ ପୂର୍ବତନ ରାଜାମହେରାଜଙ୍କ ଦଳ ଏବଂ ସେମାନଙ୍କ ପ୍ରଚାର ସଂସ୍ଥା ସମ୍ପୃକ୍ତ ରହିଛନ୍ତି ଓ ଜୟ ପ୍ରକାଶ ନାରାୟଣ ଏହାର ନେତୃତ୍ୱ ନେଉଛନ୍ତି ।
ଇନ୍ଦିରା ଗାନ୍ଧୀଙ୍କ Ego ଜୟ ପ୍ରକାଶ ଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ତେଣୁ 1968 ମସିହା ବେଳକୁ ଜୟ ପ୍ରକାଶଙ୍କୁ କହିଥିଲେ ସର୍ବଦା ଜଣେ ବ୍ୟକ୍ତି ବା ପାର୍ଟି ଗଣତାନ୍ତ୍ରିକ ଢାଞ୍ଚାକୁ ଗଠନ ମୂଳକ କାର୍ଯ୍ୟରେ ବ୍ୟବହାର କରି ନ ଥାନ୍ତି । ବେଳେ ବେଳେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଆଳରେ ଗଣତନ୍ତ୍ରକୁ ଧ୍ୱଂସ କରିଥାନ୍ତି । ଏହା ଯେ ଜୟ ପ୍ରକାଶ ନାରାୟଣ, ସୋସାଲିଷ୍ଟ ନେତା ଓ ଜନସଂଘ ନେତାମାନଙ୍କ ଉଦେଶ୍ୟରେ ଅଭିପ୍ରେତ ଥିଲା ତାହା ଜୟ ପ୍ରକାଶ ଠିକ ବୁଝି ଥିଲେ ।
ଜୟ ପ୍ରକାଶଙ୍କ Super Ego ବହୁତ ଶକ୍ତିଶାଳୀ ଥିଲା । ଏହା ଗାନ୍ଧିବାଦୀ ଓ ସୋସଲିଷ୍ଟ ମୂଲ୍ୟବୋଧ ଉପରେ ଆଧାରିତ ଥିଲା । ତେଣୁ ଭ୍ରଷ୍ଟାଚାର ଓ ଅଧିନାୟକତ୍ୱବାଦକୁ ବିରୋଧ କରିବା ପାଇଁ ସେ ଗାନ୍ଧିଜୀଙ୍କ ନୈତିକବଳକୁ ପ୍ରୟୋଗ କରିଥିଲେ । ଇନ୍ଦିରାଙ୍କ Ego-Ideal ଯଦିଓ ନେହେରୁଙ୍କ ପ୍ରତିଭା, ବିଶ୍ଵ ଖ୍ୟାତି ଓ ସାମଗ୍ରିକ ପରିବର୍ତ୍ତନ , ଧର୍ମ ନିରପେକ୍ଷତା ପୃଷ୍ଠଭୂମିରେ ରୂପରେଖ ନେଇଥିଲା, ତଥାପି ତାଙ୍କର ପ୍ରତିଭା ପରିବର୍ତେ ଆନୁଗତ୍ୟକୁ ପ୍ରାଧାନ୍ୟ ଯୋଗୁଁ ପରିବାର ସଦସ୍ୟଙ୍କ ଦ୍ଵାରା ମଧ୍ୟ ସମାଲୋଚିତ ହେଇଥିଲେ । ତାଙ୍କର ଭଉଣୀ ନୟନତାରା ସେହେଗାଲ ( ଵିଜୟ ଲକ୍ଷ୍ମୀ ପଣ୍ଡିତ ଙ୍କ ଝିଅ ) ମଧ୍ୟ ତାଙ୍କୁ ପଦବୀ ଛାଡିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତାଙ୍କର Ego ଓ Aspiration କୁ ନେଇ ଏହି ବ୍ୟକ୍ତତ୍ୱ ଗଢି ଉଠିଥିଲା । ଜୟ ପ୍ରକାଶ ନାରାୟଣ ଏହାକୁ ବରଦାସ୍ତ କରି ନଥିଲେ । କିନ୍ତୁ ଇନ୍ଦିରା ଓ ଜୟ ପ୍ରକାଶଙ୍କ ଆଦର୍ଶ ପୁଞ୍ଜିବାଦ ବିରୁଦ୍ଧରେ ଆଦୌ ନ ଥିଲା । ଉଭୟେ ସମାଜବାଦୀ ଢାଞ୍ଚାରେ ରାଷ୍ଟ୍ର ଗଠନ ଚାହୁଁଥିଲେ । କହିବାକୁ ଗଲେ ଗାନ୍ଧୀ ଜୀଙ୍କ Trusteship ହିଁ ଉଭୟଙ୍କୁ ପ୍ରଭାବିତ କରିଥିଲା । ଜୟ ପ୍ରକାଶ ଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି କେବଳ ଏକ Aspirational ତତ୍ତ୍ୱ । ଏହାର ପ୍ରମାଣ 1977 ନିର୍ବାଚନ ବେଳେ ପ୍ରାର୍ଥୀ ଚୟନ ଓ ମନ୍ତ୍ରୀ ମଣ୍ଡଳ ଗଠନ ରେ ପ୍ରମାଣିତ ହେଇଥିଲା ।
ଦ୍ୱିତୀୟ ଅଧ୍ୟାୟ : “Do you know . This woman is vicious . I don’t think I will be getting out of jail alive under the rule of this lady ” -JP
( Quoted from Emergency and India’s Second Revolution -MG Deva sahayam )
ପୂର୍ଵ ଅଧ୍ୟାୟରେ ଆଲୋଚନା କରିଥିଲି ଶ୍ରୀମତୀ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜୟ ପ୍ରକାଶ ନିଜର ଝିଅ ଭାବରେ ଦେଖୁଥିଲେ ।
ଜୟ ପ୍ରକାଶ ନାରାୟଣ ଯେତେବେଳେ ଆମେରିକାରୁ ଫେରିଲେ ସେତେବେଳେ ସେ ଜଣେ ଅନୁସନ୍ଧିତ୍ସୁ ତରୁଣ । ମାର୍କ୍ସିୟ ଦର୍ଶନ ବିଶେଷ କରି କାର୍ଲ ମାର୍କ୍ସଙ୍କ Des Capital , ଲେନିନ ଓ ଟ୍ରଟସ୍କିଙ୍କ ସମାଜବାଦ ସମ୍ପର୍କରେ ଅନୁଶୀଳନ କରି ଫେରିଥିଲେ । ସେ ଜଣେ ମୌଳିକ ଚିନ୍ତନକାର ରୂପରେ ସମାଜର ସେବା ପାଇଁ ନିଜକୁ ସମର୍ପିତ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରି ନେଇଥିଲେ । ସେ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ଓ କ୍ଷୁଧା, ଦାରିଦ୍ର୍ୟ ଓ ଅଜ୍ଞନତାରୁ ମୁକ୍ତି ହିଁ ପ୍ରକୃତ ସ୍ୱାଧୀନତା ବୋଲି ବିଚାର କରୁଥିଲେ । ଯଦିଓ ସେ Communist School Of Thoughtର ଜଣେ ଛାତ୍ର ଭାବରେ ନିଜକୁ ବିଚାର କରୁଥିଲେ , କିନ୍ତୁ ନେହେରୁଙ୍କ ନିମନ୍ତ୍ରଣ କ୍ରମେ ସେ କଂଗ୍ରେସର CSP ଗୋଷ୍ଠୀରେ ଯୋଗ ଦେଇଥିଲେ ଏବଂ ସ୍ଵାଧୀନତା ସଂଗ୍ରାମରେ ରାମ ମନୋହର ଲୋହିୟା, ଅଶୋକ ମେହେଟା ,ଅଚ୍ୟୁତ ପଟ୍ଟବର୍ଦ୍ଧନ ,ଆଚାର୍ଯ୍ୟ ନରେନ୍ଦ୍ର ଦେବ ପ୍ରମୁଖ ଗୋଟିଏ ଗୋଷ୍ଠୀ ଭାବରେ କାର୍ଯ୍ୟ କରିଥିଲେ । ଅବଶ୍ୟ ପିଲାଦିନୁ ହିଁ ଗାନ୍ଧୀଙ୍କ ସ୍ବଦେଶୀ ଆନ୍ଦୋଳନ ତାଙ୍କ ଉପରେ ପ୍ରଭାବ ପକେଇ ଥିଲା ।
ତାଙ୍କ ପୂର୍ବରୁ ଦେଶ ଭିତରେ ମାର୍କ୍ସବାଦ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହେଇ ଯାଇଥିଲା ।
ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ମାନେବେନ୍ଦ୍ର ରାୟ ,ଯତୀନ ମୁଖାର୍ଜୀ ( ବାଘା ଯତୀନ ), ଅରବିନ୍ଦ ଘୋଷ ,ରାସବିହାରୀ ବୋଷ, ବାରିନ ଘୋଷ ପ୍ରମୁଖଙ୍କ ଜାତୀୟ ସ୍ତରରେ ସଶସ୍ତ୍ର ବିପ୍ଳବ ମାଧ୍ୟମରେ ବ୍ରିଟିଶକୁ ହଟେଇବା ପାଇଁ ଚାହୁଁଥିଲେ ଓ ପରେ କମ୍ୟୁନିଷ୍ଟ ଆଦର୍ଶ ଆଡକୁ ପ୍ରଭାବିତ ହେଇଥିଲେ । ଏପରି କି କମ୍ରେଡ଼ ଲେନିନ, ଟ୍ରଟସ୍କି, ଷ୍ଟାଲିନଙ୍କ ସହ ଭେଟ ହେଇ ସାରିଥିଲା । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ପ୍ରତିଷ୍ଠାତା ହେଇଥିଲେ । ରାୟ ହିଁ ପ୍ରଥମେ ସ୍ୱାଧୀନତା ଆନ୍ଦୋଳନ ବେଳେ ଭାରତର ସମ୍ବିଧାନ ପ୍ରଣୟନ ପାଇଁ ସମ୍ବିଧାନ ସଭା ଗଠନ ଆବଶ୍ୟକତା ଉପରେ ପ୍ରସ୍ତାବ ଆଣିଥିଲେ ।
ଜୟ ପ୍ରକାଶ ନାରାୟଣ CSP ଗୋଷ୍ଠୀରେ ରହି ଅହିଂସା ମାଧ୍ୟମରେ ସମାଜବାଦ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ ।
ଏମ ଏନ ରାୟ ଦ୍ୱିତୀୟ ବିଶ୍ଵ ଯୁଦ୍ଧ ପରେ କମ୍ୟୁନିଷ୍ଟ ଆଦର୍ଶର ମୂଳ ସିଦ୍ଧାନ୍ତ ଶ୍ରେଣୀ ସଂଗ୍ରାମକୁ ତ୍ୟାଗ କରି Radical Humanism ଉପରେ ଗୁରୁତ୍ୱ ଦେଇଥିଲେ ଓ ଜଣେ ରାଷ୍ଟ୍ରବାଦୀ ବିପ୍ଲବୀ ପରିବର୍ତ୍ତେ ଆନ୍ତର୍ଜାତିକତାବାଦୀ ଭାବରେ Radical Humanism ତତ୍ତ୍ୱକୁ
ବିଶ୍ଵ ସ୍ତରରେ ପ୍ରଚାର କରିଥିଲେ । ତାଙ୍କର ବ୍ୟକ୍ତି ସ୍ୱାଧୀନତାର ଧାରଣା ସାର୍ତ୍ତେଙ୍କ ବ୍ୟକ୍ତି ସ୍ୱାଧୀନତା ଧାରଣା ସହ ସାମଞ୍ଜସ୍ୟପୂର୍ଣ ଥିଲା । ଅର୍ଥାତ ଅସ୍ତିତ୍ବବାଦର ଧାରଣା “ମଣିଷ ସହଜାତ ଭାବରେ ମୁକ୍ତ”କୁ ହିଁ ସେ
ଗୁରୁତ୍ୱ ଦେଇଥିଲେ । କାର୍ଲ ମାର୍କ୍ସ କିନ୍ତୁ ବହୁ ପୂର୍ବରୁ ଏହି ଧାରଣାକୁ ଖଣ୍ଡନ କରି ସାରିଥିଲେ । ଶ୍ରେଣୀ ବିଭାଜିତ ସମାଜରେ ମଣିଷର ସହଜାତ ସ୍ୱାଧୀନତା ଶୃଙ୍ଖଳ ଭିତରେ ଆବଦ୍ଧ ଓ ଯେଉଁ ପର୍ଯ୍ୟନ୍ତ ଶ୍ରେଣୀର ବିଲୁପ୍ତି ନ ଘଟିଛି ସେ ପର୍ଯ୍ୟନ୍ତ ମଣିଷ ଏହି ଶୃଙ୍ଖଳରୁ ମୁକ୍ତ ହେବା ସମ୍ଭବ ନୁହେଁ ।
ସେଇ ଦୃଷ୍ଟିରୁ ମାନବେନ୍ଦ୍ର ରାୟ ମଧ୍ୟ ଅସ୍ତିତ୍ବବାଦର ଶିକାର ହେଇଥିଲେ ।
ଜୟ ପ୍ରକାଶ ନାରାୟଣ କମ୍ୟୁନିଷ୍ଟ ଆଦର୍ଶର ଶ୍ରେଣୀ ସଂଘର୍ଷ ପରିବର୍ତ୍ତେ ଗାନ୍ଧୀଙ୍କ ଶ୍ରେଣୀ ସମନ୍ୱୟ ସମାଜବାଦ ଉପରେ ଗୁରୁତ୍ୱ ଦେଇଥିଲେ । ସେଇ ଦୃଷ୍ଟିରୁ ତାଙ୍କର ସ୍ଵାଧୀନତାର ଧାରଣା ମଧ୍ୟ ଅସ୍ତିତ୍ବବାଦର ଅନ୍ୟ ଏକ ପରିପ୍ରକାଶ ।
ଏହି ଧାରଣ ଅହଂ ବା Ego ସୃଷ୍ଟି କରିବାକୁ ବାଧ୍ୟ । ଯାହା ପୂର୍ଵ ଅଧ୍ୟାୟ ରେ କିଛି ଆଲୋଚନା କରିଥିଲି ।
ଇନ୍ଦିରା ଗାନ୍ଧୀଙ୍କ ପୃଷ୍ଠଭୂମିକୁ ବିଚାର କଲେ ସେ 10 ବର୍ଷ ବୟସରେ ସ୍ୱାଧୀନତା କାଳରେ ବାନର ସେନାରେ ଯୋଗଦେଇ ରାଜନୀତି ସଂସ୍ପର୍ଶରେ ଆସିଥିଲେ । ନେହେରୁ ପରିବାରରେ ଜନ୍ମ ହେଇଥିବା କାରଣରୁ ବାଲ୍ୟାବସ୍ଥାରୁ ସ୍ୱାଧୀନତା ସଂଗ୍ରାମ ଓ ରାଜନୈତିକ ପରିବେଶ ଭିତରେ ବଢି ଥିଲେ । ନେହେରୁଙ୍କ ମହାତ୍ମା ଗାନ୍ଧୀଙ୍କ ସହ ଘନିଷ୍ଠତା ଓ ପ୍ରମୁଖ ଜାତୀୟ ନେତା ଭାବରେ ନେହେରୁଙ୍କ ପ୍ରାଧାନ୍ୟ ତାଙ୍କୁ ପ୍ରାଥମିକ ଅବସ୍ଥାରେ କ୍ଷମତା, ଆଦର୍ଶ ଓ ଜନଜୀବନ ସହିତ ସଂଯୋଗ କରିଥିଲା । ଆନନ୍ଦ ଭବନ ରାଜନୈତିକ କ୍ରିୟାକଳାପର କେନ୍ଦ୍ରସ୍ଥଳୀ ଥିଲା । ତେଣୁ ଭାରତର ସମସ୍ତ ପ୍ରବୀଣ ଜାତୀୟ ନେତା, ବୁଦ୍ଧିଜୀବୀମାନଙ୍କ ନିରନ୍ତର ଦେଶନିର୍ମାଣ ଚର୍ଚ୍ଚା ପରିଧି ଭିତରେ ସେ ଥିଲେ ।
ନେହରୁଙ୍କ ଭାବମୂର୍ତି ଓ ଆଦର୍ଶବାଦ ମଧ୍ୟ ପ୍ରଭାବ ପକାଇ ଥିଲା । ଜେଲରେ ଥିବା ବେଳେ ନେହେରୁଙ୍କ ଚିଠି ( The Glipmses of World History ) ତାଙ୍କୁ ପିଲାଦିନୁ ବିଶ୍ୱ ଇତିହାସ, ରାଜନୈତିକ ଘଟଣା ବଳୀ, ବିଭିନ୍ନ ସଂଗ୍ରାମ ସହିତ ପରିଚିତ କରାଇ ଥିଲା । ପ୍ରଧାନମନ୍ତ୍ରୀ କାଳରେ ସେ ନେହେରୁ ସହ ବିଦେଶ ଭ୍ରମଣ କରିବା ଫଳରେ ବିଶ୍ୱର ତୁଙ୍ଗ ରାଜନେତା , ଦାର୍ଶନିକ , ବୈଜ୍ଞାନିକଙ୍କ ସହ ଭେଟିବା ସୁଯୋଗ ପାଇଥିଲେ ।
ଶ୍ରୀମତୀ ଗାନ୍ଧୀ 1966 ରେ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ସେ ଅନୁଭବ କଲେ କଂଗ୍ରେସ ପାର୍ଟିର ବରିଷ୍ଠ ନେତାମାନଙ୍କ ତାଙ୍କର କ୍ଷମତା ସମ୍ପର୍କରେ ସଂଶୟ ରହିଛି । ସେମାନେ ଭାବୁଥିଲେ
” Indira is gilded light weight ” ! କେବଳ ନେହରୁଙ୍କ ଲିଗାସୀ ପ୍ରାର୍ଥୀ , ତେଣୁ ସୁନା ଭଳି ଚକ ଚକ କରୁଛି । ଏହି ଧାରଣା ମଧ୍ୟରେ ବରିଷ୍ଠ ନେତାଙ୍କ ପିତୃସତ୍ତା ଭାବନା ମଧ୍ୟ ଲୁକ୍କାୟିତ ଥିଲା ।
ଇନ୍ଦିରା ଗାନ୍ଧୀ ନେହେରୁଙ୍କ ଏହି ଲିଗାସୀ ଛାୟାରୁ ମୁକ୍ତ ହେଇ ଜୀବନ ଠାରୁ ବଡ ବ୍ୟକ୍ତିତ୍ୱର ପ୍ରତିଛବି ସୃଷ୍ଟି କରିବା ପାଇଁ ଅଧିକରୁ ଅଧିକ ନିଜକୁ ଜାହିର କଲେ ଓ ସଂଗଠନ ଏବଂ ସରକାରକୁ ନିଜ ହାତମୁଠାରେ ରଖିବା ପଦକ୍ଷେପ ଗ୍ରହଣ କଲେ ।ଏହା ତାଙ୍କର ବରିଷ୍ଠ ନେତାଙ୍କ ବିରୁଦ୍ଧରେ ଅହଂ ସଂଘର୍ଷର ପରିଚୟ ଥିଲା । 1971 ବଙ୍ଗଳା ଦେଶ ଯୁଦ୍ଧ, ବ୍ୟାଙ୍କ ଜାତୀୟ କାରଣ ଯୋଗୁଁ ତାଙ୍କର ବଳିଷ୍ଠ ଭାବମୂର୍ତି ମଧ୍ୟ ଏହି ଅହଂକାରକୁ ବୃଦ୍ଧି କରିଥିଲା ।ଯଦିଓ ନେହରୁଙ୍କ ଆର୍ଥିକ , ବୈଜ୍ଞାନିକ ସୋଚ, ଧର୍ମ ନିରପେକ୍ଷତା , ସମାଜିକ କ୍ଷେତ୍ରରେ ଲିଗାସୀକୁ ସମ୍ପୂର୍ଣ୍ଣ ବର୍ଜନ କରି ନଥିଲେ, କିନ୍ତୁ ଦଳ ଭିତରେ ଗଣତାନ୍ତ୍ରିକ ପରିବେଶ,ଗଣତାନ୍ତ୍ରିକ ମୂଲ୍ୟବୋଧ , ଗଣତାନ୍ତ୍ରିକ ଅଧିକାର, ନାଗରିକ ଅଧିକାର କ୍ଷେତ୍ରରେ ସମ୍ପୂର୍ଣ୍ଣ Dictetor ର ଆଚରଣ ପ୍ରଦର୍ଶନ କରିଥିଲେ । 1971 ନିର୍ବାଚନରେ ନେହେରୁଙ୍କ ଠାରୁ ଅଧିକ ଆସନରେ ଜିତିବା ପରେ ତାଙ୍କର Ego ଆକାଶ ଚୁମ୍ବୀ ହେଇ ଯାଇଥିଲା ଓ ତାଙ୍କର ବଚସ୍କରମାନେ ଶ୍ରୀମତୀ ଗାନ୍ଧୀଙ୍କୁ ବୁଝେଇ ଦେଇଥିଲେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ବିରୋଧୀଙ୍କ ଦିଲ୍ଲୀ ସିଂହାସନ ହାସଲ କରିବା ଅସମ୍ଭବ । ବିଦେଶୀ ମିଡିଆ ମଧ୍ୟ ଅନୁରୂପ ଆକଳନ କରିଥିଲା ।
କିନ୍ତୁ ଶ୍ରୀମତୀ ଗାନ୍ଧୀ ବିଶ୍ୱାସ କରି ନ ଥିଲେ କେହି ଜଣେ ବ୍ୟକ୍ତି ତାଙ୍କର ଅହଂ କୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଓ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି ।
