ଭାରତରେ ମୂର୍ତ୍ତି ପୂଜା : ଉତ୍ପତ୍ତି ଓ ପରିଣାମ…

ଭୁବନେଶ୍ୱର: (ଅଭିରାମ ମଲ୍ଲିକ) -ବୌଦ୍ଧ ଓ ଜୈନ ସଂପ୍ରଦାୟଗୁଡ଼ିକ ଦ୍ୱାରା ଭାରତବର୍ଷରେ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ମହାତ୍ମା ବୁଦ୍ଧ ଓ ଜୈନ ତୀର୍ଥଙ୍କରମାନଙ୍କ ଦ୍ୱାରା ମୂର୍ତ୍ତିପୂଜାର ସୂତ୍ରପାତ ହୋଇଥିଲା। ପ୍ରାରମ୍ଭରେ ଉକ୍ତ ଦୁଇ ସଂପ୍ରଦାୟ ମୂର୍ତ୍ତିପୂଜକ ନ ଥିଲେ। ମୂର୍ତ୍ତିପୂଜାର ବିକାଶ ପରେ ମଧ୍ୟ ଏହି ମତାବଲମ୍ବୀମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହି ଆସିଅଛି। ବୌଦ୍ଧ-ଜୈନ ମତର ହ୍ରାସ ସମୟରେ ଭାରତରେ ପୌରାଣିକମାନଙ୍କ ଦ୍ଵାରା ଈଶ୍ଵର-ଉପାସନା ପାଇଁ ଦେବଦେବୀଙ୍କ ମୂର୍ତ୍ତି ର କଳ୍ପନା କରାଗଲା। ଶୈବ, ଶାକ୍ତ ଓ ବୈଷ୍ଣବ ସଂପ୍ରଦାୟମାନେ ପୁରାଣ ନାମରେ ନବୀନ ଗ୍ରନ୍ଥଗୁଡିଏ ରଚନା କରି ମୂର୍ତ୍ତିପୂଜା, ଅବତାରବାଦ, ଜନ୍ମଗତ ଜାତିପ୍ରଥା, ମୃତକ ଶ୍ରାଦ୍ଧ, ପଶୁବଳି, ତୀର୍ଥସ୍ନାନାଦି ପ୍ରଥା ପ୍ରଚାର କଲେ। ଆଧୁନିକ ହିନ୍ଦୁଧର୍ମ ଏହି ପୌରାଣିକ ମତକୁ ବୁଝାଏ। ପୁରାଣ ଅଧ୍ୟୟନ କଲେ ଜଣାଯାଏ ଯେ ସେହି ସମୟର ଦୂରଦର୍ଶୀ ପଣ୍ଡିତମାନେ ମୂର୍ତ୍ତିପୂଜାର ବିରୋଧ କରୁଥିଲେ। ସେମାନେ ତାହାକୁ ବିଜ୍ଞଲୋକଙ୍କ ପାଇଁ ନିଷିଦ୍ଧ କରିଥିଲେ। ଦେବୀ ଭାଗବତରେ ଲେଖାଅଛି – ‘ ପୁରାଣ ରଚନା କରିବାରେ ଧୂର୍ତ୍ତ ଚତୁର ଲୋକମାନେ ଘୋର କଳିକାଳରେ ନିଜର ଉଦର ପୂର୍ତି ପାଇଁ ବିଷ୍ଣୁ, ଶିବ ଆଦି କଳ୍ପିତ ଦେବତା ମାନଙ୍କର ପୁଜାବିଧୂ ପ୍ରଚଳନ କଲେ।’

ଚାରିବେଦରେ ମୂର୍ତ୍ତି ଶବ୍ଦ ମିଳେ ନାହିଁ । ବେଦ ପରମାତ୍ମାଙ୍କ ପ୍ରତିମାର କଳ୍ପନାକୁ ଅସମ୍ଭବ ବୋଲି କହିଛନ୍ତି । ଯେଉଁମାନେ ମୁର୍ତ୍ତି ପୂଜାକୁ ବୈଦିକ ବିଧାନ ବୋଲି କହନ୍ତି, ସେମାନେ ହୁଏତ ଦେଦର ସମ୍ୟକ୍ ଅଧ୍ୟୟନ କରି ନାହାନ୍ତି ଅଥବା ଜାଣିଶୁଣି ସତ୍ୟର ଅପଳାପ କରୁଛନ୍ତି । ଉପନିଷଦର ଋଷିମାନେ ଈଶ୍ଵର-ଉପାସନା ବୁଝାଇବା ବେଳେ କେଉଁଠାରେ ହେଲେ ପ୍ରତିମାପୂଜା ବିଷୟ ପ୍ରଚଳନ କରିନାହାନ୍ତି। ବ୍ରହ୍ମପ୍ରାପ୍ତି ପାଇଁ ଉପନିଷଦ ମୂର୍ତ୍ତିପୂଜାକୁ ସାଧନ ଭାବରେ ଗ୍ରହଣ କରିନାହାନ୍ତି। ସ୍ମୃତିଶାସ୍ତ୍ରମାନଙ୍କରେ ସନ୍ଧ୍ୟା-ଉପାସନା, ଅଗ୍ନିହୋତ୍ର, ପ୍ରଣବ–ଗାୟତ୍ରୀ ଜପ ତଥା ଅଷ୍ଟାଙ୍ଗ ଯୋଗର ଉପଦେଶ ଦିଆଯାଇଛି। କଣାଦ, କପିଳ, ଗୌତମ, ପାତଞ୍ଜଳି, ବ୍ୟାସ, ରାମ, କୃଷ୍ଣ ଆଦି
ମହାପୁରୁଷମାନେ ଈଶ୍ଵର-ଆରାଧନା ପାଇଁ ସନ୍ଧ୍ୟାବନ୍ଦନ, ଗାୟତ୍ରୀ ଆଦି ଜପ ଅନୁଷ୍ଠାନ କରୁଥିବା ବିଷୟ ବର୍ଣିତ ହୋଇଛି। ମୂର୍ତ୍ତିପୂଜା ପ୍ରଚଳିତ ହେବା ପରେ ରାମାୟଣ ଆଦି ପ୍ରାଚୀନ ଗ୍ରନ୍ଥମାନଙ୍କରେ ସ୍ଥଳେ ସ୍ଥଳେ ମିଶ୍ରଣ କରାଯାଇ ମୂର୍ତ୍ତିପୂଜାକୁ ପ୍ରାଚୀନ ପ୍ରଥା ବୋଲି ସିଦ୍ଧ କରିବା ନିମନ୍ତେ ଚେଷ୍ଟା କରାଯାଇଛି। ଏହି ସ୍ଥଳଗୁଡିକର ରଚନାଶୈଳୀରେ ଭେଦ, ପ୍ରସଙ୍ଗ ବିରୋଧ ତଥା ଅନ୍ତର୍ବିରୋଧର ପର୍ଯ୍ୟାଲୋଚନାରୁ ସହଜରେ ଜଣାଯାଏ ଯେ ଏସବୁ ପ୍ରକ୍ଷିପ୍ତ । ବୈଦିକ ଗ୍ରନ୍ଥମାନଙ୍କରେ ମୂର୍ତ୍ତି ପୂଜା ଓ ମୂର୍ତ୍ତି ର ଆକାର ପ୍ରକାରାଦି ବିଷୟରେ କୌଣସି ବର୍ଣ୍ଣନା ନାହିଁ ।

ଅଷ୍ଟମ ଶତାବ୍ଦୀ ଓ ତାହାର ପରବର୍ତ୍ତୀ ସମୟରେ ଭାରତୀୟମାନେ ରାଜନୈତିକ କାରଣ ଅପେକ୍ଷା ଧାର୍ମିକ ଅନ୍ଧବିଶ୍ଵାସ ଯୋଗୁଁ ମୁସଲମାନଙ୍କଦ୍ୱାରା ପରାଜିତ ହୋଇଥିଲେ ।
କେତେକ ଦେଶଦ୍ରୋହୀ ହିନ୍ଦୁ ଆକ୍ରମଣକାରୀକୁ ସୂଚନା ଦେଇଥିଲେ ଯେ ନଗରର ମନ୍ଦିର ଓ ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ ଅନ୍ଧବିଶ୍ଵାସୀ ହିନ୍ଦୁ ସୈନିକମାନେ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେବେ। ତାହା ହିଁ ଘଟିଲା । ହିନ୍ଦୁ ସୈନ୍ୟମାନେ ଭାବିଲେ ଯେ ଦୈବୀ ଶକ୍ତି ସେମାନଙ୍କ ପ୍ରତି ଅପ୍ରସନ୍ନ ଥିବାରୁ ସେମାନେ ଯୁଦ୍ଧରେ ସଫଳତା ଆଶା କରିବା ଅସମ୍ଭବ। ସେତେବେଳେ ମୁର୍ତ୍ତିପୂଜକ ଭାରତୀୟମାନଙ୍କ ସୁରକ୍ଷା ପାଇଁ ମୁର୍ତ୍ତିଗୁଡ଼ିକ ସହାୟକ ହେଲେ ନାହିଁ । ମୁସଲମାନ ରାଜତ୍ଵ ସମୟରେ ଓ ତତ୍ପରେ ନାନକ, କବୀର, ଦାଦୁ, ତୁକାରାମ, ଜ୍ଞାନେଶ୍ଵର, ବିଶ୍ଵେଶ୍ଵର, ଶିବା, ରାମଦାସ ପ୍ରଭୃତି ସନ୍ଥମାନେ ଏବଂ ଆଧୁନିକ କାଳରେ ରାମମୋହନ ରାୟ, ଦୟାନନ୍ଦ ସରସ୍ଵତୀ ଆଦି ମନୀଷୀମାନେ ମୂର୍ତ୍ତିପୂଜାର ଅପକାରିତା ବିଷୟରେ ପ୍ରଚାର କରିଥିଲେ। ତଥାପି ଜଣେ ବ୍ୟବସାୟୀ ବାରମ୍ବାର କ୍ଷତି ସହି ସୁଦ୍ଧା ନିଜ ବ୍ୟବସାୟ ନ ଛାଡିବା ପରି ପ୍ରତିମାପୂଜା ଏବେ ମଧ୍ୟ ହିନ୍ଦୁଜାତି ମଧ୍ୟରେ ପ୍ରବଳ ଭାବରେ ପ୍ରଚଳିତ ଅଛି। ବିଭିନ୍ନ ମୂର୍ତ୍ତିଗୁଡିକର ପୂଜାବିଧାନକୁ ନେଇ ହିନ୍ଦୁ ସମାଜ ବିଚ୍ଛିନ୍ନ ହୋଇପଡିଛି। ମୂର୍ତ୍ତିପୂଜା ସହିତ ନିତ୍ୟ ସମ୍ପର୍କ ରଖୁଥିବା ପଣ୍ଡା-ପୂଜାରୀ, ମହନ୍ତ ଆଦି ଲୋକେ ଆତ୍ମ ବିକାଶ ମାର୍ଗରେ ଅଗ୍ରସର ହୋଇନାହାନ୍ତି । ଯେଉଁମାନେ ମୁର୍ତ୍ତି ପୂଜାରେ ବିଶ୍ଵାସ ରଖି ମହାତ୍ମା ହୋଇଛନ୍ତି, ସେମାନେ ପରମ୍ପରାଗତ ଭାବରେ ସେଥିରେ ସଂଯୁକ୍ତ ହୋଇଛନ୍ତି । ମୂର୍ତ୍ତି ମହାତ୍ମ୍ୟରୁ ନୁହେଁ, ବରଂ ଯମ-ନିୟମାଦି ଆଚରଣ କାରଣରୁ ସେମାନେ ଜୀବନକୁ ମହାନ୍ କରିଛନ୍ତି ।
ମୂର୍ତ୍ତୀ ଦୁଇପ୍ରକା ପ୍ରଥମତଃ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଆଦି ପ୍ରତୀକ ଓ କାଳ୍ପନିକ ମୂର୍ତ୍ତି। ଦ୍ବିତୀୟତଃ ରାମ, କୃଷ୍ଣ, ହନୁମାନ ପ୍ରଭୃତି ମହାପୁରୁଷମାନଙ୍କ ମୂର୍ତ୍ତି। ମୂର୍ତ୍ତି ସ୍ଥାପନ କରି ସେଥରୁ ପ୍ରେରଣା ଲାଭ କରିବା ଉଚିତ। ପରନ୍ତୁ ସେଗୁଡିକୁ ପରମାତ୍ମା ବୋଲି ପ୍ରାର୍ଥନା ଉପାସନା କରିବା ଅବୈଦିକ ଓ ଅସଙ୍ଗତ । ଏଭଳି ପ୍ରାର୍ଥନା ପଦ୍ଧତି ଆମ ପ୍ରାଚୀନ ଶାସ୍ତ୍ରରେ ଉପଲବ୍‌ଧ ନୁହେଁ। ସବୁଠାରୁ ଦୁର୍ଭାଗ୍ୟର ବିଷୟ ଏହି ଯେ ନିରୀହ ପଶୁପକ୍ଷୀ ଏପରିକି ମନୁଷ୍ୟମାନଙ୍କୁ ଦେବଦେବୀ ପୀଠରେ ଈଶ୍ୱରପୂଜା ନାମରେ ବଳି ଦିଆଯାଏ । ପୂଜା ସମୟରେ ନିରାକାରବୋଧକ ମନ୍ତ୍ରପାଠ କରି ମୂର୍ତ୍ତି ର ସ୍ନାନ, ଭୋଜନାଦି କରାଯାଏ। ଦେବଦେବୀମାନଙ୍କ ଜନ୍ମ, ବିବାହ, ସନ୍ତାନ, ଯୁଦ୍ଧ ଆଦି ବର୍ଣନା କରି ସୁଦ୍ଧା ସେମାନଙ୍କୁ ସର୍ବବ୍ୟାପକ ଓ ନିର୍ବିକାର ବୋଲି କହିବା, ପ୍ରାଣପ୍ରତିଷ୍ଠା ଓ ବିସର୍ଜନ କରିବା, ବିଭିନ୍ନ ମୂର୍ତ୍ତି ନାମରେ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା – ଏ ସମସ୍ତ କାର୍ଯ୍ୟ ଈଶ୍ଵର ଭକ୍ତି ବିଷୟରେ ଅଶୋଭନୀୟ ବିଚାର ସୃଷ୍ଟି  ପରମ୍ପରା ରୂପରେ ଗ୍ରହଣ କରିଆସୁଅଛନ୍ତି।

ଯେଉଁ ପଦ୍ଧତି ଆମ ପ୍ରାଚୀନ ପୂର୍ବପୁରୁଷ ମାନଙ୍କ ଦ୍ୱାରା ଅନୁସୃତ ହେଉଥିଲା, ତାହାକୁ ସନାତନ ନ କହି ମଧ୍ୟକାଳୀନ ଓ ନବୀନ ପ୍ରଥା ଗୁଡିକୁ ବୈଦିକ ସନାତନ କହିବା ନିତାନ୍ତ ଅନୁଚିତ । (ପୁସ୍ତକ: ଭାରତରେ ମୂର୍ତ୍ତି ପୂଜାର ଉତ୍ପତ୍ତି ଓ ପରିଣାମ)

Leave a Reply

Your email address will not be published. Required fields are marked *