AI ଦୂରୁପଯୋଗ : ଭୟଭୀତ ମହିଳା; ଚିନ୍ତା ବଢ଼ାଇଲାଣି ଡିପ୍ଫେକ୍ ଫଟୋ, ଭିଡିଓ … Viral ଡ଼ର
ଭୁବନେଶ୍ବର(ଐଶ୍ଵର୍ଯ୍ୟା ପରିଜା): ଡିଜିଟାଲ ଯୁଗରେ ସବୁକିଛି ହାତ ପାହାନ୍ତାରେ ମିଳୁଛି । ଯାହା ସାଧାରଣ ଜୀବନକୁ ଯେତିକି ସହଜ କରିଛି ସେତିକି ବିପଦ ମଧ୍ୟ ବଢାଇଛି । ଡିଜିଟାଲ ଯୁଗରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଆଜିର ପ୍ରଯୁକ୍ତିବିଦ୍ୟା କେତେବେଳେ ସଶକ୍ତିକରଣ ତ ଆଉ କେତେବେଳେ କାହା ପାଇଁ ଶୋଷଣର ମାଧ୍ୟମ ସାଜିଛି । ସାଇବର ଧମକ, ଡିଜିଟାଲ ଷ୍ଟକିଂ, ସୋସିଆଲ ମିଡ଼ିଆ ଟ୍ରୋଲ, ବ୍ୟକ୍ତିଗତ ଡାଟାର ଦୁରୂପଯୋଗର ଶିକାର ହେଉଛନ୍ତି । ବିଶେଷ କରି ଏବେ ଡିପଫେକ(Deepfake) ପାଲଟିଛି ଚିନ୍ତାର କାରଣ । ଡିଜିଟାଲ ଯୁଗରେ ମହିଳାମାନଙ୍କ ପ୍ରତି ବିପଦ ଯୌନ ଶୋଷଣ(Sexual harrasment), ମାନବ ଚାଲାଣ(Human trafficking) ଓ ବାଲ୍ୟବିବାହ ଠାରୁ ଆରମ୍ଭ କରି ଭର୍ଚୁଆଲ ଦୁନିଆରେ ପହଞ୍ଚିଲାଣି । ପ୍ରତ୍ୟେକ ଦିନ ଝିଅ ଏବଂ ମହିଳାମାନେ ଡିଜିଟାଲ ମିଡିଆରେ ଶୋଷଣ କିମ୍ବା ଟ୍ରୋଲର ଶିକାର ହେଉଥିବା ଖବର ଏବେ ଦେଖିବାକୁ ମିଳୁଛି । ଗାଁ ଗହଳି ଠାରୁ ଆରମ୍ଭ କରି ବଡ ବଡ ସହରରେ ଏବେ ମହିଳାମାନଙ୍କୁ ଅନଲାଇନ ହିଂସାର ଭୟ ଘାରିଛି ।
*ପୂଜାଙ୍କ ସ୍ଵପ୍ନ ଭାଙ୍ଗିଦେଲା ଏଆଇ ନକଲି ଫଟୋ*
ଏମିତି ଏକ ନିଛକ କାହାଣୀ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂଜାଙ୍କର(ଛଦ୍ମ ନାମ)। ଇଂଜିନିୟରିଂରେ ସ୍ନାତକ କରିବା ପରେ ନିଜ ଗାଁରୁ ବାହାରି ମାୟାନଗରୀ ମୁମ୍ବାଇରେ ଯାଇ ରୋଜଗାର କରିବାର ସ୍ଵପ୍ନ ଦେଖିଥିବା ପୂଜାଙ୍କ ଜୀବନରେ ଡିଜିଟାଲ ଦୁନିଆ ବିଷ ଘୋଳି ଦେଇଥିଲା। ଦିନତମାମ ଖଟି, ନିଜକୁ ଜଣେ ସଫଳ ଇଂଜିନିୟର୍ ହେବାକୁ ଅହର୍ନିଶି ସଂଘର୍ଷ କରୁଥିଲେ ପ୍ରୀତି। ହେଲେ ଡିଜିଟାଲ ଟେକ୍ନୋଲୋଜି ସହ ଅଭ୍ୟସ୍ତ ଥିବା ପୂଜା ଦିନେ ସକାଳୁ ନିଜ ମୋବାଇଲ ଖୋଲୁ ଖୋଲୁ ଅନେକ ଅଜଣା ମେସେଜ ଆସିଥିବାର ଦେଖିଥିଲେ। କିଛି ଅଶ୍ଳୀଳ, କିଛି ଅସଭ୍ୟ ମେସେଜ ଆସୁଥିଲା। ସୋସିଆଲ ମିଡିଆରେ ପୂର୍ବରୁ ଦିଆଯାଇଥିବା ଗୋଟିଏ ଫଟୋରୁ ତାଙ୍କ ମୁହଁକୁ କାଟି ଅଶ୍ଳୀଳ ଫଟୋ କରି ଏଡିଟ ହୋଇଥିଲା। ଫଟୋଟି ସମ୍ପୂର୍ଣ୍ଣ ନକଲି। ତଥାପି ଏହା ହ୍ୱାଟସ୍ଆପ୍ ଓ ଇନ୍ଷ୍ଟାଗ୍ରାମ୍ରେ ଦ୍ରୁତ ଗତିରେ ଭାଇରାଲ୍ ହୋଇସାରିଥିଲା। ନିଜ ଫୋନ୍ ଲିଷ୍ଟ୍ରେ ଥିବା ସମସ୍ତ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ଘରଲୋକ, ସହକର୍ମୀଙ୍କ ନିକଟକୁ ତାଙ୍କ ନମ୍ବରରୁ ଏହି ନକଲି ଫଟୋ ଆପେ ଆପେ ଫର୍ୱାର୍ଡ ହେବାକୁ ଲାଗିଥିଲା। ସମସ୍ତେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ବୁଝିବା ଆଗରୁ ପୂଜାଙ୍କ ଜୀବନରେ ଘମାଘୋଟ ଅନ୍ଧକାର ଘୋଟି ସାରିଥିଲା।
ଏ ସମ୍ପର୍କରେ ପୂଜା କୁହନ୍ତି, ‘ମୋ ଅଫିସ୍ରେ ମୋର ନକଲି ନଗ୍ନ ଫଟୋ ଛାଇଯାଇଥିଲା। ସହକର୍ମୀମାନେ ମୋ ପଛରେ ଛିଗୁଲେଉଥିଲେ। କେମିତି ସବୁ ନଜରରେ ମୋତେ ଦେଖୁଥିଲେ। ପୁରୁଷ ସହକର୍ମୀମାନେ ଅଶ୍ଲୀଳ ଇଙ୍ଗିତ ବି କରୁଥିଲେ। ମୋର ଆଉ ଅଫିସ୍ ଯିବାକୁ ସାହସ ହେଲାନାହିଁ କି ଧର୍ଯ୍ୟ ବି ରହିଲାନାହିଁ। ଫଳରେ ମୋତେ ମୋ ଚାକିରି ସେଇଠି ଛାଡ଼ିବାକୁ ପଡ଼ିଥିଲା। ବେଳେବେଳେ ଆତ୍ମହତ୍ୟା କରିଦେବାକୁ ବି ଇଚ୍ଛା ହେଉଥିଲା। ଆଜି ଯାଏ ବି ମୋ ସାଙ୍ଗସାଥୀଙ୍କୁ ସାମ୍ନା କରିବା ଦୂରର କଥା ପରିବାର ଲୋକଙ୍କ ସାମ୍ନାକୁ ଯିବାକୁ ବି ଲଜ୍ଜ୍ୟାବୋଧ ଅନୁଭବ ହେଉଛି। ମୋତେ ଲାଗିଲା ଯେମିତି ମୋ ଜୀବନ ସେଠି ହିଁ ଶେଷ ହୋଇଯିବ। ମା’ବାପା, ଅଫିସ୍, ପଡ଼ୋଶୀଙ୍କୁ କେମିତି ବିଶ୍ଵାସ କରାଇବି ଯେ ଏଆଇ (AI) ଦ୍ୱାରା କେହି ମୋର ଏପରି ଫଟୋ ବନାଇଦେଇଛି? ସେହି ଫଟୋଟି ଏଆଇ ଟୁଲ୍ ବ୍ୟବହାର କରି ସମ୍ପାଦିତ କରାଯାଇଥିଲା। ଯାହା ଇଣ୍ଟରନେଟ୍ରେ ସହଜରେ ଉପଲବ୍ଧ। ଏହାଦ୍ଵାରା ମୁଁ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିଲି ଏବଂ ଦୀର୍ଘ ୨ ବର୍ଷ ଧରି ମୁମ୍ବାଇରୁ ନିଜ ଘରକୁ ଫେରିବାର ସାହସ ଜୁଟାଇ ପାରିନଥିଲି। କିଛି ଦିନର ସଂଘର୍ଷ ପରେ ମୁମ୍ବାଇ ସାଇବର ଥାନାରେ ଏତଲା ଦେଇଥିଲି। ସୋସିଆଲ ମିଡିଆ ଆକାଉଣ୍ଟ, ନମ୍ବର ସବୁ କିଛି ମତେ ବଦଳାଇବାକୁ ପଡ଼ିଥିଲା। କିଛି ଦିନ ହେବ ଏବେ ମୁଁ ଘରେ ଅଛି। ନିଜ ମାନସିକ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛି’ ବୋଲି କୋହଭରା କଣ୍ଠରେ ପୂଜା କୁହନ୍ତି । ପୂଜାଙ୍କ ପରି ଓଡ଼ିଶାରେ ଡିଜିଟାଲ ହିଂସାର ସମ୍ମୁଖୀନ ହୋଇଥିବା ଅନେକ ମହିଳା ଆଜି ସମାଜର ଭୟ, ସଚେତନତାର ଅଭାବରୁ ଜୀବନ ହାରିବାକୁ ପଛାଉ ନାହାନ୍ତି ।
*ପୁରୁଣା ହିଂସାର ଏକ ନୂଆ ରୂପ*
ମହିଳାଙ୍କ ବିରୋଧରେ ଡିଜିଟାଲ ହିଂସା ନୂଆ କଥା ନୁହେଁ। କିନ୍ତୁ ଏଆଇ (AI) ଏହାକୁ ଅଧିକ ସହଜ ଓ ଭୟାବହ କରିଦେଇଛି। ପୂର୍ବରୁ ଫଟୋ ମର୍ଫିଂ ବା ଏଡିଟିଂ କରିବା ପାଇଁ ବିଶେଷ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ହେଉଥିଲା । ବର୍ତ୍ତମାନ ଏଆଇ ଆପ୍ ମାଧ୍ୟମରେ କିଛି ମିନିଟ୍ ମଧ୍ୟରେ ବାସ୍ତବ ଲାଗୁଥିବା ନକଲି ଫଟୋ ଏଡିଟ ହୋଇଯାଉଛି । ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ଅପରାଧକୁ ସହଜ କରିଦେଇଛି । ବାସ୍ତବରେ ମହିଳାମାନଙ୍କ ବିରୁଦ୍ଧରେ ସାଇବର ଅପରାଧ ବର୍ତ୍ତମାନ ଏକ ନୂତନ ଧାରା ପାଲଟିଛି। ନକଲି ଆଇଡି ତିଆରି କରିବା, ମହିଳାଙ୍କ ଫଟୋ ବ୍ୟବହାର କରିବା; ସାଇବର ଧମକ, ଅନଲାଇନ୍ ଷ୍ଟକିଂ ଭଳି ଘଟଣାଗୁଡ଼ିକ ଆଜିକାଲି ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।
*ଅନଲାଇନ ହିଂସାରେ ଓଡ଼ିଶା ଆଗରେ*
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଅନଲାଇନ ହିଂସା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ । ନିକଟରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଓଡ଼ିଶାରେ ୭୬୧ଟି ସାଇବର ଅପରାଧ ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ ମହିଳାମାନଙ୍କୁ ଟାର୍ଗେଟ କରାଯାଇଥିଲା । ୨୦୨୨ ମସିହାର ସେହିବର୍ଷ ୫୪୨ଟି ଅନଲାଇନ ହିଂସା ମାମଲା ରୁଜୁ ହୋଇଥିଲା । ଅନ୍ୟ ସବୁ ହିଂସାରେ ଅଭିଯୁକ୍ତ ବିଷୟରେ ପୀଡିତା ଜଣକ ଜାଣିପାରୁଥିବା ବେଳେ ଅନଲାଇନ ନିର୍ଯାତନାରେ ଅଭିଯୁକ୍ତକୁ ଜାଣିବା ସହଜ ହୋଇନଥାଏ । ୨୦୨୪ ମସିହାରେ ଓଡ଼ିଶାରେ ମହିଳା ବିରୋଧୀ ସମୁଦାୟ ୩୦,୯୪୩ଟି ଅପରାଧ ମାମଲା ରୁଜୁ ହୋଇଥିଲା । (ଡିଜିଟାଲ ଓ ଅଣଡିଜିଟାଲ ସମେତ)।
ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପ୍ ଫେକ୍ ଇମେଜ୍ ଏବଂ ଭିଡିଓଠାରୁ ଆରମ୍ଭ କରି ଭଏସ୍-କ୍ଲୋନିଂ ସ୍କାମ୍, ମହିଳାଙ୍କ ମାନ ସମ୍ମାନ ହାନି, ବ୍ଲାକ୍ମେଲ୍ କରିବା ଆଦି ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି। ଏହାର ପ୍ରଭାବ ବିଶେଷ ଭାବରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ଗୁରୁତର ହୋଇଥାଏ । ଡିଜିଟାଲ୍ ସଚେତନତା ଅଭାବ ଏବଂ ସାଇବର ଆଇନଗତ ସହାୟତା ସୀମିତ ଥିବାରୁ ପୀଡିତମାନଙ୍କୁ କମ୍ ସୁରକ୍ଷା ପ୍ରଦାନ କରାଯାଇପାରୁଛି । ସାଇବର ଅପରାଧ ସେଲ୍ ନିକଟରେ ଅଭିଯୋଗ ବୃଦ୍ଧି ପାଉଥିଲେ ମଧ୍ୟ, ଏଆଇ-ଚାଳିତ ଅପବ୍ୟବହାରର ସମାଧାନ ପାଇଁ ବିଦ୍ୟମାନ ଆଇନ ଏବଂ ସାଂଗଠନିକ କ୍ଷମତା ପର୍ଯ୍ୟାପ୍ତ ନାହିଁ । ଏହାସହିତ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ହେଲ୍ପଲାଇନ ନମ୍ବର ୧୯୩୦ରେ ମଧ୍ୟ ହଜାର ହଜାର ଅଭିଯୋଗ ହେଉଛି । ଡିପ୍ଫେକ୍ ଓ ଏଆଇ ଅପବ୍ୟବହାର ବିଷୟରେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ରାଜ୍ୟରେ ବର୍ତ୍ତମାନ ୧୪ଟି ସାଇବର ପୋଲିସ ଷ୍ଟେସନ ଥିବା ବେଳେ ଆହୁରି ୨୦ଟି ପୋଲିସ ଷ୍ଟେସନ ଖୋଲି ମହିଳାଙ୍କ ବିରୋଧରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟସରକାର ନିକଟରେ ପଦକ୍ଷେପ ନେଇଛନ୍ତି । ଏହାସହିତ ଗ୍ରାମାଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ୧୬ଟି ରଥର ଆୟୋଜନ କରାଯାଇଛି ।
“ମହିଳାମାନେ ଭୟ ନୁହେଁ, ଅଧିକାର ସହ ଡିଜିଟାଲ୍ ମିଡିଆ ବ୍ୟବହାର କରିବା ଆବଶ୍ୟକ”- (ପ୍ରୀତିଛନ୍ଦା ଧଳ, ସାମାଜିକକର୍ମୀ) :
ଡିଜିଟାଲ୍ ମିଡିଆ ଆଜି ସଶକ୍ତିକରଣର ଏକ ବଡ଼ ମାଧ୍ୟମ ହୋଇଥିବା ସତ୍ତ୍ୱେ, ଏହା ମହିଳାଙ୍କ ପାଇଁ ଏକ ନୂତନ ପ୍ରକାରର ହିଂସାର କ୍ଷେତ୍ର ମଧ୍ୟ ପାଲଟି ଯାଇଛି । ଜଣେ ମହିଳା ଅଧିକାର କର୍ମୀ ଭାବେ ମୋର ଅନୁଭବ କହୁଛି ଯେ ଅନଲାଇନ୍ ଟ୍ରୋଲିଂ, ଅପମାନଜନକ ମନ୍ତବ୍ୟ, AI ଦ୍ଵାରା ଅଶ୍ଳୀଳ ଫଟୋ ଓ ଧମକ ଏପ୍ରକାର ସବୁ ଅପରାଧ ଆଜିର ସମୟରେ ମହିଳାଙ୍କ ମାନସିକ ସୁରକ୍ଷାକୁ ଭାଙ୍ଗିଦେଉଛି କହିଲେ କିଛି ଭୁଲ୍ ହେଵ ନାହିଁ। ଡିଜିଟାଲ୍ ମିଡିଆରେ ସ୍ୱର ଉଠାଇଲେ, ମହିଳାଙ୍କୁ ତାଙ୍କର ପୋଷାକ, ଚରିତ୍ର ଓ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ରମଣ କରାଯାଉଛି। ଏହି ପ୍ରକାର ହିଂସା ଦୃଶ୍ୟମାନ ନ ହେଲେ ମଧ୍ୟ ଏହାର ପ୍ରଭାବ ଗଭୀର । ଅନେକ ମହିଳା ଭୟରେ ନିଜ ମତ ପ୍ରକାଶ କରିବାକୁ ଛାଡ଼ିଦେଉଛନ୍ତି। ସମାଜରେ ଲିଙ୍ଗଭେଦ ଯେପରି ଅଛି, ସେହି ମାନସିକତା ଡିଜିଟାଲ୍ ଜଗତକୁ ମଧ୍ୟ ପ୍ରବେଶ କରିଛି। ଏଥିପାଇଁ କେବଳ ଆଇନ୍ ଯଥେଷ୍ଟ ନୁହେଁ; ଡିଜିଟାଲ୍ ସାକ୍ଷରତା, ସଂବେଦନଶୀଳତା ଓ ଦାୟିତ୍ୱବୋଧ ଆବଶ୍ୟକ। ପରିବାର, ଶିକ୍ଷା ପ୍ରତିଷ୍ଠାନ ଓ ମିଡିଆ ପ୍ଲାଟଫର୍ମ ସମସ୍ତଙ୍କୁ ଏଥିରେ ଭୂମିକା ନେବାକୁ ପଡ଼ିବ। ସଚେତନତା ମଧ୍ୟ ଆମ ଭିତରେ ଅଲୋଡ଼ା ହେଇପଡୁଛି । ଯଦି ଏଇପରି କିଛି ହେଉଛି ତାହେଲେ ଆମେ ଦୃଢ଼ ପ୍ରତିବାଦ କରିପାରିବା। ଆଇନ୍ ଅନୁଯାୟୀ ଆମେ ରୋକି ମଧ୍ୟ ପାରିବା ଏଇ କିଛି ଦିନ ତଳେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମାନ, ସମ୍ମାନ ହାନି କରୁଥିବା ଅନେକ ଭିଡିଓ ସବୁ ଡିଲିଟ କରାଯାଇଛି। ଆମକୁ ସଚେତନ ହେବା ନିହାତି ଦରକାର୍। ମହିଳାମାନେ ଭୟ ନୁହେଁ, ଅଧିକାର ସହ ଡିଜିଟାଲ୍ ମିଡିଆ ବ୍ୟବହାର କରିପାରିବେ । ଏହା ହେଉଛି ଏକ ସମାନ ଓ ସୁରକ୍ଷିତ ଡିଜିଟାଲ୍ ସମାଜ ଗଢ଼ିବାର ପ୍ରଥମ ପଦକ୍ଷେପ ହେବ।
