2026 UGC Guide lines:
ଉଚ୍ଚଶିକ୍ଷା ସଂସ୍ଥାନ
ସମତା ପ୍ରସାର ଦିଗ ନିର୍ଦେଶିକା
ଓ ମଣିଷ କୁକୁରକୁ କାମୁଡ଼ିବା ଉଦାହରଣ
ନୂଆଦିଲ୍ଲୀ : (ବିଜୟ ସାହୁ)-ଗତ 13 ତାରିଖରେ ପ୍ରୋକ୍ତ ଆଇନକୁ ସରକାର ବିଜ୍ଞପ୍ତିରେ ପ୍ରକାଶ କରିବା ମାତ୍ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏଭଳି ବିଚଳିତ ହେଇ ପଡିଲେ ଯେ ଗତକାଲି ଏହାକୁ “ବିଗତ 75ବର୍ଷ ଭିତରେ ଜାତି ବିହୀନ ସମାଜ ଗଠନର ସୁଫଳଗୁଡିକୁ ” ସେ ଆଖିବନ୍ଦ କରି ପାରିଲେ ନାହିଁ ଏବେ ତୁରନ୍ତ ବିନା ଶୁଣାଣିରେ ଅଚଳ କରିଦେଲେ ।
ଏହି ଦିଗ ନିର୍ଦେଶିକାର ଜନ୍ମ ଓ ମୃତ୍ୟୁ ଏତେ କ୍ଷଣସ୍ଥାୟୀ ହେଇଗଲା ଯାହା ଭାରତର ନ୍ୟାୟିକ ଇତିହାସରେ କେବଳ ବିରଳ ନୁହେଁ, ଅନନ୍ୟ ନଜୀର ମଧ୍ୟ ।
ସୁପ୍ରିମକୋର୍ଟ ଅତୀତରେ କେବେ ସମ୍ବିଧାନର ଅନୁଛେଦ142 ପ୍ରୟୋଗ କରି କୌଣସି ଆଇନ/ରେଗୁଲେଶନ କୁ ଗୋଟିଏ ମୃତ ରେଗୁଲେଶନକୁ ଜୀବନ୍ତ ଘୋଷଣା କରି ନଥିଲେ ଯେମିତି ଏଥିର ମୁଖ୍ୟ ବିଚାରପତି ବେଞ୍ଚ 2026 ରେଗୁଲେଶନକୁ ଥଣ୍ଡା ବସ୍ତାରେ ରଖି 2012 ରେଗୁଲେଶନ କୁ ପୁନର୍ଜୀବନ ଦେଲେ ।
ସମ୍ବିଧାନର ଅନୁଛେଦ 142 ସୁପ୍ରିମକୋର୍ଟକୁ କ୍ଷମତା ଦେଇଛି ସୁପ୍ରିମକୋର୍ଟ ନିକଟରେ ବିଚାରାଧୀନ ଥିବା ବିଷୟରେ Complete justice ପ୍ରଦାନ ପାଇଁ ଅନ୍ତରୀମ ଅର୍ଡର ଘୋଷଣା କରିବା ।କିନ୍ତୁ ଅତୀତରେ ସୁପ୍ରିମକୋର୍ଟ ଏହାର ବିରଳ ପ୍ରୟୋଗ କରୁଛନ୍ତି ଓ ସର୍ବଦା ମତ ଦେଇଛନ୍ତି ଆଇନ ପ୍ରଣୟନ କରିବା ଦାୟିତ୍ୱ ଯେହେତୁ ବିଧ୍ୟାୟିକାର ତେଣୁ ସୁପ୍ରିମକୋର୍ଟ ଏହାକୁ ପ୍ରୟୋଗ କରିବା କ୍ଷେତ୍ରରେ ଅତ୍ୟାଗ୍ରହ ପ୍ରଦର୍ଶନ କରିବା ଉଚିତ ନୁହେଁ ।
ତେଣୁ ଅତୀତର ରେକର୍ଡ ଦେଖିଲେ ସୁପ୍ରିମକୋର୍ଟ ଯେଉଁ କେତେ ଥର ଏହି ଅନୁଛେଦକୁ ବ୍ୟବହାର କରିଛନ୍ତି ,ସେତେବେଳେ ପକ୍ଷମାନଙ୍କ ଉପସ୍ଥିତରେ କିଛି ଶୁଣାଣି କରିବା ପରେ ହିଁ ବ୍ୟବହାର କରିଛନ୍ତି, କେବେ ବି Ex parte ଅର୍ଡର କରି ନାହାଁନ୍ତି । କାରଣ ସବୁବେଳେ ପ୍ରାକୃତିକ ନ୍ୟାୟ( natural justice )ଉପରେ ଗୁରୁତ୍ୱ ଦେଇଥାନ୍ତି ।
ଉଦାହରଣ ସ୍ଵରୂପ 2016-2017ର ରାଜପଥରେ ମଦ ବିକ୍ରୀ ଅଥବା ପରିବେଶ ସଂକ୍ରାନ୍ତୀୟ ଅର୍ଡର ବେଳେ ଏହି ଅନୁଛେଦକୁ ଜନସ୍ୱାର୍ଥ ରେ ବ୍ୟବହାର କରା ଯାଇଥିଲା । କିନ୍ତୁ ପକ୍ଷମାନଙ୍କୁ ଶୁଣିବା ପରେ ହିଁ ଅର୍ଡର ହେଇଥିଲା ।
ସେହିପରି ତାମିଲନାଡୁ ରାଜ୍ୟପାଳ ଵିଲ ମୋକଦ୍ଦମା 2025 ରେ ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି କରି ଅନୁଛେଦ 142ର ପ୍ରୟୋଗ କରିଥିଲେ । ଏଥିପାଇଁ ସମସ୍ତ ପକ୍ଷ ଯେମିତି ରାଷ୍ଟ୍ରପତିଙ୍କୁ ଶୁଣି ନଥିବାରୁ ବ୍ୟାପକ ସମାଲୋଚିତ ହେଇଥିଲେ ।
ପ୍ରେମ ଚନ୍ଦ ଗର୍ଗ ମୋକଦ୍ଦମା ଭଳି ପୁରୁଣା ମୋକଦ୍ଦମାରେ ମୌଳିକ ଅଧିକାର ଓ ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ଦ୍ବନ୍ଦ୍ୱ ଉଲ୍ଲେଖ କରି ଅନୁଛେଦ 142ପ୍ରୟୋଗ ଉପରେ ନିଜକୁ ସୀମିତ କରିଥିଲେ ।
ବର୍ତ୍ତମାନ ୟୁଜିସିର 2026 ଦିଗନିର୍ଦେଶିକାକୁ ବିରୋଧ କରି ଜନସ୍ୱାର୍ଥ ମାମଲାରେ ଅନୁଛେଦ 142 କୁ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲ୍ୟ ବାକଚି ବ୍ୟବହାର କରି ଯେଉଁ ଅନ୍ତରୀମ ଅର୍ଡର ଦେଲେ ଓ ୟୁଜିସି ଦିଗନିର୍ଦେଶିକାକୁ ଅଚଳ କଲେ ତାହା ଉପରେ କୌଣସି ଶୁଣାଣି ହେଇ ନଥିଲା । କେବଳ ଆବେଦନକାରୀ ଓକିଲଙ୍କ ପକ୍ଷ ଶୁଣି ଓ ସରକାରୀ ପକ୍ଷରୁ ସଲିସିଟର ଜେନେରାଲଙ୍କ ମତ ପ୍ରଦାନ ପର୍ଯ୍ୟନ୍ତ ସୁଯୋଗ ନ ଦେଇ ଏଭଳି ଅର୍ଡର ଦେବା କେତେ ଦୂର ଯୁକ୍ତି ସଂଗତ ଓ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଧାରଣ କରିଥିବା ମାପଦଣ୍ଡକୁ କେତେଦୂର ପାଳନ କରିଛନ୍ତି ?
ବର୍ତ୍ତମାନ ପ୍ରଶ୍ନ ଉଠୁଛି 2012 ରେଗୁଲେଶନକୁ ପୁଣି ଜୀବନ୍ୟାସ ଦେବା ଦ୍ୱାରା ମାନ୍ୟବର ସୁପ୍ରିମକୋର୍ଟ କେଉଁ ମହତ କାର୍ଯ୍ୟଟି କଲେ ?
ଏଠାରେ ଉଲ୍ଲେଖଯୋଗ୍ୟ ଯେ 2012 UGC (Pramotion of Equity in Higher Educational Institutions ) ପ୍ରତ୍ୟାହାର କରି 2026 ର ନୂଆ ରେଗୁଲେଶନ ଆଣିବାର ମୁଖ୍ୟ ଉଦେଶ୍ୟ ଥିଲା ଉଚ୍ଚତର ଶିକ୍ଷା ସଂସ୍ଥାନରେ ଜାତିଗତ ଭେଦଭାବକୁ ମୁକାବିଲା କରିବା ପାଇଁ କାର୍ଯ୍ୟକାରୀ ଢାଞ୍ଚା ଗଠନ କରିବା ।
କାରଣ 2012ର ରେଗୁଲେଶନ ମୂଳତଃ ଉପଦେଶାତ୍ମକ ନିର୍ଦେଶାବଳୀ ଥିଲା । ଏହାକୁ କ୍ରିୟାନ୍ଵୟନ କରିବା ପାଇଁ ଦୃଢ଼ ମଜବୁତ ବ୍ୟବସ୍ଥା ନଥିଲା । ଏହା ମଧ୍ୟ ମ୍ୟାଣ୍ଡେଟାରୀ ନଥିଲା ଓ ଏହାକୁ କାର୍ଯ୍ୟକାରୀ ନ କଲେ ଦଣ୍ଡ ବ୍ୟବସ୍ଥା ନଥିଲା । ଫଳରେ ଉଚ୍ଚ ଶିକ୍ଷା ସଂସ୍ଥାନରେ କ୍ରମାଗତ ଜାତିଗତ ଭେଦଭାବ ଘଟଣା ବୃଦ୍ଧି ପାଉଥିଲା । ଏହି କାରଣରୁ ସବୁ ସ୍ତରରେ ଉଦ୍ବେଗ ପ୍ରକାଶ ପାଉଥିଲା । ବିଶେଷ କରି ରୋହିତ ବେମୁଲା ଓ ପାୟଲ ତାଦ୍ବୀଙ୍କ ଆତ୍ମହତ୍ୟା ଘଟଣା ପରେ ପ୍ରତିକାର ବ୍ୟବସ୍ଥା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହେଲା ।
ସୁପ୍ରିମକୋର୍ଟ ୟୁଜିସିର ପୁରୁଣା ରେଗୁଲେଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ଓ ଆହୁରି ଦୃଢ଼ ଓ ସମୟପଯୋଗୀ ନିୟମ ଓ ମଜବୁତ ଢାଞ୍ଚା ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ
2026 ରେଗୁଲେଶନ ପ୍ରଣୟନର ପୃଷ୍ଠଭୂମି ଥିଲା ରୋହିତ ବେମୁଲାଙ୍କ ମା ରାଧିକା ବେମୁଲା ଓ ପାୟଲଙ୍କ ମା ଆବେଦା ସଲିମ ତାଦ୍ବୀଙ୍କ 2019 ଅଗଷ୍ଟରେ ସୁପ୍ରିମକୋର୍ଟରେ ଆବେଦନ ।ଉଭୟେ ମିଳିତ ଭାବରେ ଏକ ଯୁଗ୍ମ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ସେମାନଙ୍କ ମୁଖ୍ୟ ପ୍ରାର୍ଥନା ଥିଲା ସମଗ୍ର ଦେଶରେ ଉଚ୍ଚ ଶିକ୍ଷା ସଂସ୍ଥାନରେ କ୍ରମାଗତ ଓ ବ୍ୟାପକ ଜାତିଗତ ଭେଦଭାବ ବୃଦ୍ଧି ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ।
ଏକଥା ଆମେ ଜାଣୁ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ରୋହିତ 2016 ଜାନୁଆରୀ ରେ ଓ ମୁମ୍ବାଇ ଟୋପିୱାଲା ନେସନାଲ ମେଡ଼ିକାଲ କଲେଜର ଆଦିବାସୀ ଡାକ୍ତରୀ ଛାତ୍ରୀ ପାୟଲ 2019 ମଇ ମାସରେ କ୍ୟାମ୍ପସରେ ଜାତିଗତ ଭେଦଭାବର ସମ୍ମୁଖୀନ ହେଇ ଆତ୍ମହତ୍ୟା କରିଥିଲେ ।
ଏହି ମୋକଦ୍ଦମାକୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟ ସିଂ , ଆଡଭୋକେଟ (ରେକର୍ଡ) ସୁନୀଲ ଫର୍ଣ୍ଣାଡିଜ ଓ ଦିଶା ୱାଡେକର ଲଢୁଥିଲେ । ଏହି ମୋକଦ୍ଦମା ଯୋଗୁଁ ସୁପ୍ରିମକୋର୍ଟ ବେଞ୍ଚ କେନ୍ଦ୍ର ସରକାର ଓ ୟୁଜିସିକୁ ନୋଟିସ ଜାରୀ କରି ବିଚାର ଆରମ୍ଭ କରିଥିଲେ । ଏହି ମୋକଦ୍ଦମା ଦେଶବ୍ୟାପୀ ବ୍ୟାପକ ନଜରକୁ ଆସିଥିଲା ଓ ସୁପ୍ରିମକୋର୍ଟ ବେଞ୍ଚଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୟୁଜିସି ମାଧ୍ୟମରେ 2012 ରେଗୁଲେଶନ ଉପରେ ତର୍ଜମା କରି 2026 ର ରେଗୁଲେଶନ ଆଣିଥିଲେ ।
ଏହି ରେଗୁଲେଶନରେ ମଧ୍ୟ ଅନେକ ତ୍ରୁଟି ରହିଥିଲା । ଯଦିଓ 2012 ରେଗୁଲେଶନ ଠାରୁ ଏଥିରେ ଅନେକ ବ୍ୟବସ୍ଥା ଯୋଡ଼ା ଯାଇଥିଲା ତଥାପି ବର୍ତ୍ତମାନ ଦେଶର ଉଚ୍ଚଶିକ୍ଷା ସଂସ୍ଥାନରେ ଶିର୍ଷ ପଦବୀ ଯଥା ପ୍ରିନ୍ସିପାଲ, ଭାଇସ ଚାନ୍ସେଲର , ଡାଇରେକ୍ଟର ଇତ୍ୟାଦିରେ 90 ରୁ 98 ପର୍ଯ୍ୟନ୍ତ ଉଚ୍ଚବର୍ଣ୍ଣ ବ୍ୟକ୍ତି ଅଧିଷ୍ଠିତ ହେଇଛନ୍ତି । ଏପରି କି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମଧ୍ୟ ଅନୁରୂପ ସ୍ଥିତି । ତେଣୁ ହଜାର ହଜାର ବର୍ଷ ଧରି ସାମାଜିକ, ଜାତିଗତ , ସାଂସ୍କୃତିକ ନିର୍ଯ୍ୟାତନାର ଶିକାର ହେଉଥିବା ବଞ୍ଚିତ ବର୍ଗ ଏହି ରେଗୁଲେଶନର କ୍ଷମତା ପରିସରକୁ ୟୁଜିସି ବାହାରେ ଥିବା ଶିକ୍ଷା ସଂସ୍ଥାନ, ବୈଷୟିକ ,ପ୍ରଫେସନାଲ ଶିକ୍ଷା ସଂସ୍ଥାନ ସମେତ ଘରୋଇ ସଂସ୍ଥାରେ ଲାଗୁ କରିବା ପାଇଁ କଠୋର ଆଇନ ଚାହୁଁ ଥିଲେ । ପରୀକ୍ଷା, ନିଯୁକ୍ତି,ପଦପଦବୀ ଚୟନ କ୍ଷେତ୍ରରେ ସେମାନେ ଆଇନ ସ୍ୱୀକୃତ ଭାଗିଦାରୀ ଚାହୁଁଥିଲେ । ତେଣୁ ଅସନ୍ତୋଷ ଯଦି କାହାର ରହିବା କଥା ତାହା ହେଲା ଉଲ୍ଲଖିତ ବର୍ଗର ଛାତ୍ରଛାତ୍ରୀ/ ଅଭିଭାବକଙ୍କର ରହିବା କଥା । କିନ୍ତୁ ହଠାତ ସଂଗଠିତ ଭାବରେ ଯେଭଳି ରେଗୁଲେଶନକୁ ପୁରାପୁରି ପ୍ରତ୍ୟାହାର କରିବା ଦାବୀରେ କିଛି ହିନ୍ଦୀ ଭାଷୀ ପ୍ରଦେଶରେ ଆନ୍ଦୋଳନ ଆରମ୍ଭ ହେଲା ଓ ଏହି ଆନ୍ଦୋଳନ କୁ ବିଜେପି ଓ ସଙ୍ଘ ପରିବାର ନେତାମାନେ ପ୍ରୋତ୍ସାହିତ କଲେ ଓ ମୁଖ୍ୟ ସ୍ରୋତ ମିଡ଼ିଆ ଏହାକୁ ପ୍ରଚାର କଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ରେଗୁଲେଶନ ଆସିଥିଲା ଓ ପ୍ରାୟୋଜିତ ଆନ୍ଦୋଳନର ଉଦେଶ୍ୟ ନ ବୁଝି ସୁପ୍ରିମକୋର୍ଟ ରେଗୁଲେଶନ କୁ ଅଚଳ କରିଦେଲେ । ଅତୀତରେ ଏସ ସି/ଏସ ଟି ଛାତ୍ରଙ୍କ ଆନ୍ଦୋଳନ ବେଳେ ପୋଲିସ ନିର୍ମମ ଗୁଳି ଚାଳନା କରି ଅନେକଙ୍କୁ ହତ୍ୟା କରିଥିଲା । କିନ୍ତୁ ସବର୍ଣ୍ଣ ଛାତ୍ରଙ୍କ ଆନ୍ଦୋଳନ ବେଳେ ପୋଲିସ ଓ ସରକାରୀ ଦଳର ନେତାମାନେ କାହିଁକି ନିଷ୍କ୍ରିୟ ରହିଲେ ଅଥବା ପ୍ରୋତ୍ସାହନ ଦେଲେ ?
ଏପରି କି ପ୍ରଧାନମନ୍ତ୍ରୀଙ୍କ ଜାତି ନେଇ ଯେଭଳି ପ୍ରକାଶ୍ୟ ଭାଷଣ, ବିଜ୍ଞାପନ ହେଲା ତାହା କୌଣସି ମୁସଲିମ ସଂଗଠନ, ଆଦିବାସୀ, ଦଳିତ, ଓବିସି ସଂଗଠନ କରିଥିଲେ ସରକାର ନୀରବ ରହି ଥାନ୍ତେ କି ?
ରାହୁଲ ଗାନ୍ଧୀଙ୍କ କର୍ଣ୍ଣାଟକ ଭାଷଣ, ଅରବିନ୍ଦ କେଜରୀବାଲଙ୍କ ଅନପଢ଼ ପ୍ରଧାନମନ୍ତ୍ରୀ ସଂକ୍ରାନ୍ତୀୟ ସାର୍ଟିଫିକେଟ ଇସ୍ୟୁ ଘଟଣା ଆମେ ଜାଣିଛେ ।
ତେଣୁ ଏହି ଆନ୍ଦୋଳନ ଅଭିସନ୍ଧିମୂଳକ ଥିଲା ଭବିଷ୍ୟତରେ
ବୃହତ୍ତର ଅଭିସନ୍ଧିକୁ କାର୍ଯ୍ୟକାରୀ କରିବା ପାଇଁ ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଯେଉଁ ଯୁକ୍ତି ରଖିଛନ୍ତି ତାହା ଆଦୌ ତଥ୍ୟ ଭିତ୍ତିକ ନୁହେଁ । Man bites dog କାହାଣୀ ଭଳି ତଥ୍ୟ ଉପରେ ଏହି ରହିତାଦେଶ ପ୍ରଦାନ କରା ଯାଇଛି ।
ପ୍ରକୃତି ଜଗତର ଚିତ୍ର ହେଉଛି କୁକୁର ହିଁ ମଣିଷକୁ କାମୁଡ଼ି ଥାଏ ନିଜର ଆତ୍ମରକ୍ଷା ପାଇଁ । କିନ୍ତୁ ମଣିଷ କେବେ କୁକୁରକୁ କାମୁଡ଼େ ନାହିଁ । ଯଦି କେଉଁଠି ଗୋଟେ ଅଧେ ଘଟଣା ଘଟୁଛି ତାହା ମଣିଷର ପ୍ରକୃତି ନୁହେଁ । ମାନସିକ ବିକାରଗ୍ରସ୍ତ ମଣିଷ କ୍ଵଚିତ ଏଭଳି କରିଥାଏ ।
ସେମିତି ଉଚ୍ଚବର୍ଣ୍ଣ ଛାତ୍ରଛାତ୍ରୀ କ୍ୟାମ୍ପସରେ ଯେଉଁ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତାର କାରଣ ଜାତିଗତ /ଧର୍ମଗତ ବିଦ୍ଵେଷ ଯୋଗୁଁ ନୁହେଁ । ତେଣୁ ରେଗୁଲେଶନରେ ଓବିସି ଯୋଡ଼ି ଦେଲେ ଏହାର ଅପବ୍ୟବହାର ହେବ ବୋଲି ଆଶଙ୍କା କରି ଯେଉଁମାନଙ୍କ ସୁରକ୍ଷା ପାଇଁ ରେଗୁଲେଶନ ଆସିଥିଲା ତାହା ସମ୍ପୂର୍ଣ୍ଣ ଅକାମୀ କରିବା ଦ୍ୱାରା ସୁପ୍ରିମକୋର୍ଟ କେଉଁ ମହତ ବାର୍ତ୍ତା ଦେଲେ ?
ଏଭଳି କୌଣସି ଆଇନ ନାହିଁ ଯାହା ଅପବ୍ୟବହାର ହେବା ସମ୍ଭାବନା ନାହିଁ। ଏହାର ଅର୍ଥ କଣ ଆଇନ ରହିବ ନାହିଁ । ଅପବ୍ୟବହାରକୁ ରୋକିବା ଦାୟିତ୍ୱ ବିଭିନ୍ନ ସ୍ତରରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କର । ସେମାନେ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଉଚ୍ଚବର୍ଗର । ସେମାନେ କାହିଁକି ନିଜର ଦାୟିତ୍ୱ ପାଳନ କରିବେ ନାହିଁ ?
ଅପବ୍ୟବହାର ଆଳରେ ଯୌତୁକ ନିରୋଧ ଆଇନ, ଏସ ଟି /ଏସିସି ଆଇନକୁ ହଟେଇଵା ଦାବୀ ମଧ୍ୟ ହେଇଛି । କିନ୍ତୁ ଏହି ଦାବୀ କେଉଁମାନେ ଉଠାଉଛନ୍ତି ? ସେମାନେ ଉଚ୍ଚଜାତିର ନୁହେଁ କି ? ସୁପ୍ରିମକୋର୍ଟ ସେମାନଙ୍କ ଚାପରେ ଆଇନଗୁଡିକୁ ସଂଶୋଧନ କରୁଛନ୍ତି । ୟୁଜିସି ରେଗୁଲେଶନ ନାକଚ ସୁପ୍ରିମକୋର୍ଟର ସେହିଭଳି ଏକ ପଶ୍ଚାତଗାମୀ ପଦକ୍ଷେପ ।
