ବାରବାଟୀ ପଡିଆରୁ କ୍ୟାରିୟର ଆରମ୍ଭ କରିଥିଲେ ଆକାଶ ମଘବାଲ
ଭୁବନେଶ୍ୱର : ଭାରତର ପ୍ରସିଦ୍ଧ ଅଫ୍ ସ୍ପିନର ହରଭଜନ ସିଂ ଥରେ କହିଥିଲେ ଯେ, ଟ୍ୱେଣ୍ଟିଂ ଟ୍ୱେଣ୍ଟିଂ କ୍ରିକେଟରେ ପ୍ରତିଟି ଡଟ୍ ବଲ୍ ଗୋଟିଏ ଖାଣ୍ଟି ସୁନା ଭଳି। ଏହି ଖେଳରେ ବୋଲର କେବଳ ନିଜକୁ ବ୍ୟାଟରଙ୍କ ଠାରୁ ବଞ୍ଚାଇବାର ଅଛି। ମାତ୍ର ଚେନ୍ନାଇ ଚେପକ ଭଳି ବ୍ୟାଟିଂକୁ ସୁହାଇଥିବା ପିଚରେ ମାତ୍ର 3 ଓଭର 3ଟି ବଲରେ 5 ରନ୍ ବ୍ୟୟ କରି 5 ଉଇକେଟ୍ ଦଖଲ କରିବା ନିହାତ ବଡ କଥା। ଏହି କାରନାମା କୌଣସି ଅନ୍ତର୍ଜାତୀୟ ଖେଳାଳି କରି ଦେଖାଇ ନାହାନ୍ତି। ଏହା କରି ଦେଖାଇଛନ୍ତି ଉତ୍ତରାଖଣ୍ଡ ଯୁବକ ତଥା ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଆକାଶ ମଘବାଲ। ସେ ପକାଇଥିବା 21ଟି ବଲ୍ ମଧ୍ୟରୁ 17ଟି ବଲରେ କୌଣସି ରନ୍ ଦେଇ ନ ଥିଲେ।
ଏକ ନିଶ୍ଚିତ ବିଜୟ ଦରକାର ହେଉଥିବା ମ୍ୟାଚରେ ମୁମ୍ବାଇକୁ ଏଲଏସଜି ବିପକ୍ଷରେ ଜିତାଇବାରେ ମଘବାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି 29 ବର୍ଷୀୟ ଖେଳାଳିଙ୍କ ଓଡ଼ିଶା ସହ ଗୋଟେ କନେକ୍ସନ ରହିଛି। ମଘବାଲ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟର ଓଡ଼ିଶାରୁ ହିଁ ଆରମ୍ଭ କରିଥିଲେ। କଟକର ବାରବାଟୀ ପଡ଼ିଆରୁ ମଘବାଲ ନିଜ ବୋଲିଂର ଦକ୍ଷତା ପ୍ରତିପାଦନ କରିଥିଲେ। 2019 ମସିହା ଡିସେମ୍ବର 25 ତାରିଖରେ ଓଡ଼ିଶା ବିରୋଧରେ ମଘବାଲ ନିଜର ପ୍ରଥମ ରଣଜୀ ମ୍ୟାଚ ଖେଳିଥିଲେ। ଚଳିତ ସିଜନରେ ମୁମ୍ବାଇର ଜସପ୍ରୀତ ବୁମରା, ଜୋଫ୍ରା ଆର୍ଚର ଏବଂ ରିଚାର୍ଡସନଙ୍କ ଅନୁପସ୍ଥିତରେ ମଘବାଲ ମାତ୍ର 7 ମ୍ୟାଚରୁ 13 ଉଇକେଟ୍ ଦଖଲ କରିସାରିଲେଣି। 2019ରେ ନଭେମ୍ବରରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ପ୍ରଥମ ଶ୍ରେଣୀ ଟି-ଟ୍ୱେଣ୍ଟିଂ ପଦାର୍ପଣ କରିଥିଲେ।