କଂଗ୍ରେସ ଉଠାଉଥିବା ପ୍ରସଙ୍ଗ ବିଜେପିକୁ ଫାଇଦା ଦେବ….ରାଷ୍ଟ୍ରୀୟ ନେତୃତ୍ୱକୁ ରିପୋର୍ଟ ଦେଲା ନିର୍ବାଚନୀ ସର୍ଭେକ୍ଷଣ ସଂସ୍ଥା….

ଭୁବନେଶ୍ୱର : ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହେଉଥିବେ। ମାତ୍ର ଏକଥା ସତ। ରାଜ୍ୟ କଂଗ୍ରେସର ନିଷ୍କ୍ରିୟତା ଓ ରଣନୀତି ଚୟନ ରାଜ୍ୟ ବିଜେପିକୁ ଫାଇଦାରେ ରଖିବ। ଏକଥା ଆମେ କହୁନାହୁଁ। କେନ୍ଦ୍ରୀୟ ବିଜେପି ପାଇଁ କାମ କରୁଥିବା ନିର୍ବାଚନୀ ସର୍ଭେ ସଂସ୍ଥା ବରାହ ଆନାଲିଟିକ୍ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱକୁ ପ୍ରଦାନ କରାଯାଇଛି। ରାଜ୍ୟ କଂଗ୍ରେସର କୌଣସି ରାଜନୈତିକ କାର୍ଯ୍ୟକ୍ରମ ବିଜେପିକୁ ଅଡୁଆ ହେବ ନାହିଁ। ବରଂ ସବୁ ପ୍ରସଙ୍ଗ ବିଜେପିକୁ ସୁହାଇବ। କଂଗ୍ରେସ ଦୁର୍ବଳ ଥିବାରୁ ରାଜନୈତିକ ଫାଇଦା ଦୁଇ ନମ୍ବରରେ ଥିବା ବିଜେପିକୁ ମିଳିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

କିଛିଦିନ ପୂର୍ବରୁ ରାଜ୍ୟରେ ଜଣେ ଅଫିସରଙ୍କୁ ଟାର୍ଗେଟ କରି ବିଜେପିର ଜଣେ ଏମପି ଖବରଦାତା ସମ୍ମିଳନୀ କଲେ। ଏହାର ଠିକ୍ ପରେ କଂଗ୍ରେସର ଜଣେ ନେତା ଡିଓପିଟିକୁ ଚିଠି ଲେଖି ଆପତ୍ତି ଜଣାଇଲ। ଏହି ଚିଠି ଓ ପୂର୍ବ ପ୍ରେସ୍ ମିଟ..ପ୍ରସଙ୍ଗକୁ ତାଜା କରି ରଖିଲା। ଗଣମାଧ୍ୟମରେ ଏବଂ ରାଜନୈତିକ ମହଲରେ..ମାତ୍ର ପରବର୍ତ୍ତୀ ସମୟରେ ବିଜେପି ସେହି ଅଫିସରଙ୍କୁ ଜଗତସିଂହପୁର ଠାରୁ ଆରମ୍ଭ କରି ସୋନପୁରରେ ବିରୋଧ କଲା। ସାଧାରଣରେ ବିଜେପି ଏହି ପ୍ରସଙ୍ଗ ଉଠାଇଥିବା ଏହାର ରାଜନୈତିକ ଫାଇଦା ନେବ ବୋଲି ପ୍ରାୟ ୯୨ ପ୍ରତିଶତ ଲୋକ ବିଶ୍ୱାସ କରୁଥିବା ଜଣାପଡିଛି।

ଆଗାମୀ ଦିନରେ କଂଗ୍ରେସ ଦରବୃଦ୍ଧି, ଆଇନଶୃଙ୍ଖଳା, ଅଫିସର ରାଜ୍ ଇତ୍ୟାଦି ପ୍ରସଙ୍ଗରେ ଏକ ରଥ ବୁଲାଇ ରାଜ୍ୟ ପରିକ୍ରମା କରିବାକୁ ଚିନ୍ତା କରୁଛି। ଏହି ସବୁ ପ୍ରସଙ୍ଗ କଂଗ୍ରେସ ଲୋକଲୋଚନକୁ ଆଣିବ ମାତ୍ର ତାହାର ରାଜନୈତିକ ଫାଇଦା ବିଜେପିକୁ ଯିବ ବୋଲି ବରାହ ଆନାଲିଟିକ୍ସର ବିଶେଷଜ୍ଞମାନେ କହିଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ସର୍ଭେକ୍ଷଣ ଅଧିକାରୀ କୁହନ୍ତି ଯେ, ପିସିସି ସଭାପତି ନଅରୁ ନବେ ଆସନ ଡାକରା ଦେଇଛନ୍ତି। ମାତ୍ର ଏହା ୧୯୯୫ରେ ସମ୍ଭବ ହୋଇଥିଲା। କାରଣ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବା ସହ ୩୦ ପ୍ରତିଶତ ଭୋଟ ଅକ୍ତିଆର କରିଥିଲା। ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳ, ବରିଷ୍ଠ ନେତା ଗିରିଧର ଗମାଙ୍ଗ ଏବଂ କାହ୍ମୁ ଲେଙ୍କାଙ୍କ ଭଳି ନେତୃତ୍ୱ ରହିଥିଲେ। ବର୍ତ୍ତମାନ ସାର୍ବଜନୀନ ନେତୃତ୍ୱର ଅଭାବ ରହିଛି। ମାତ୍ର ବିଜେପି ୩୦ ପ୍ରତିଶତରୁ ଅଧିକ ଭୋଟ ରଖିବା ସହ କେନ୍ଦ୍ରରେ ସରକାରରେ ରହିଛି। ତେଣୁ କଂଗ୍ରେସର ବିଜେଡି ବିରୋଧି ତଥାକଥିତ ଅଭିଯାନ ବିଜେପିକୁ ଫାଇଦା ଦେବ।

ନିକଟରେ କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ସାମାଜିକ ନ୍ୟାୟ ପ୍ରସଙ୍ଗରେ ଗୋଟିଏ ସଭା ହୋଇଥିଲା। ଏଥିରେ ସାଧାରଣ କର୍ମୀଙ୍କ ଉତ୍ସାହ ରହିଥିଲା। ବିଜେପି, ବିଜେଡି, ଆପ ଓ ଏସୟୁସିଆଇକୁ ଛାଡିଦେଲେ ସବୁ ଦଳ ରହିଥିଲେ। ଜାତୀୟସ୍ତରରେ ମେଣ୍ଟରେ ସାମାଜିକ ନ୍ୟାୟ, ଜାତି ଜନଗଣନା, କେନ୍ଦ୍ର-ରାଜ୍ୟର ସାମ୍ବିଧାନିକ ସମ୍ପର୍କକୁ ନେଇ ମିଳିତ ସର୍ବନିମ୍ନ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବାକୁ ଯାଉଛି। ଏମିତି କି ରାହୁଲ ଗାନ୍ଧୀ କର୍ନାଟକରେ ସଂଖ୍ୟା, ଯାହାର ଯେତେ…ଭାଗ ପାଇବ ସିଏ ସେତେ..କହି ନିର୍ବାଚନୀ ପ୍ରଚାର କରିଥିଲେ। ସଞ୍ଜୟ ଗାନ୍ଧୀ ସିଣ୍ଡ୍ରୋମ୍ ଥିବା ଅଶୀ ଦଶକ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଚାପ ପକାଇଥିଲେ। ମାତ୍ର କର୍ନାଟକୀ ବହୁଜନ ତଥା ଅହିନ୍ଦାଙ୍କ ନେତା ସିଦ୍ଧରମୟା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଛତିଶଗଡରେ ଭୂପେଶ ବାଘେଲଙ୍କୁ କାଢି ଟିଏସ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାଷ ପଡିଥିଲେ ବି ଏଆଇସିସି ଓବିସି ଚେହେରା ବାଘେଲକୁ ଅପରିବର୍ତ୍ତିତ ରଖିଲେ। ସିଂଦେଓଙ୍କୁ ଉପ ମୁଖ୍ୟମନ୍ତ୍ରୀ କଲେ। ହେଲେ 94 ପ୍ରତିଶତ ବହୁଜନ(ଆଦିବାସୀ, ଅନୁସୂଚିତ ଜାତି ଏବଂ ପଛୁଆବର୍ଗ) ଥିବା ରାଜ୍ୟରେ କଂଗ୍ରେସ କାହିଁକି ଆଭିମୁଖ୍ୟ ସ୍ପଷ୍ଟ କରୁନି, ତାହା ଜଣା ପଡୁନାହିଁ। ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଗୋଟିଏ ରାସ୍ତାରେ ଯାଉଥିବା ବେଳେ ଓଡ଼ିଶା କଂଗ୍ରେସ କାହିଁକି ଭିନ୍ନ ଦିଗରେ ଯାଉଛି, ତାହା ଏବେ ବି ଅବୁଝା। ଆଉ କଂଗ୍ରେସର ଏହି ରଣନୀତି ବିଜେପିକୁ ଆଗାମୀ ନିର୍ବାଚନରେ ସୁହାଇବ ବୋଲି ବିଶ୍ଳେଷକ ମତ ରଖିଛନ୍ତି।
