ସ୍ପିନ ଡକ୍ଟରର୍ସ ଅପରେସନ ଟେବୁଲରେ ବୈଜୟନ୍ତ-ଵିଜୟ-ଦିଲ୍ଲୀପ

ସଙ୍ଘମ ଶରଣମ ଗଚ୍ଛାମି ଭୁବନେଶ୍ୱର: (ବିଜୟ ସାହୁ)-ଆସ୍ତେ ଆସ୍ତେ ବିଜେଡି ଆକାଶରୁ ବାଦଲ ଅପସରି ଯାଉଛି । ଡିସେମ୍ବର 26ରେ ବିଜୁ ଜନତା ଦଳର ଅଧୁନା ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରି ବୈଜୟନ୍ତ ପଣ୍ଡା ଦଳର ସଭାପତି ହେବା ପ୍ରାୟ ସୁନିଶ୍ଚିତ ହେଇ ଗଲାଣି ବୋଲି ମିଡ଼ିଆରେ ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚା ।
26 ଡିସେମ୍ବରଟି ବିଜୁ ଜନତା ପାର୍ଟି ପାଇଁ ସ୍ମୃତି ଦିବସ । ଏହି ଦିବସରେ ବିଜୁ ପରିବାରର ଦାୟାଦମାନେ ବିଜୁବାବୁଙ୍କ ଲିଗାସୀକୁ ଆଗେଇ ନେବା ପାଇଁ ବିଜେଡି ଗଠନ କରିଥିଲେ । ସେଇ ଲିଗାସୀକୁ “ଜଣେ ଓଡ଼ିଆ ସ୍ୱାର୍ଥ ବିରୋଧୀ ନବୀନ ପଟ୍ଟନାୟକ ” ବିଗତ 26 ବର୍ଷ ଧରି ଅପହରଣ କରିନେଇଥିଲେ ଅଭିଯୋଗ ପତ୍ର ଉପସ୍ଥାପନ କରି 26 ଡିସେମ୍ବରରେ ବିଜୁବାବୁଙ୍କ ପ୍ରକୃତ ଓଡ଼ିଆ ଦାୟାଦମାନେ ନିଜ ହାତକୁ ବିଜେଡିକୁ ଆଣୁଛନ୍ତି ବୋଲି ମିଡ଼ିଆରେ ଚର୍ଚ୍ଚା ଚାଲିଛି ।
ଏହାର ରୂପରେଖ ଓ ପ୍ରକ୍ରିୟା ସମ୍ପର୍କରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ବିପିନ ଦାସ, ବଡ଼ ଖବରର ଅର୍ଧେନ୍ଦୁ, ବରିଷ୍ଠ ସାମ୍ବାଦିକ ନବୀନ ଦାସ ଓଗେର ସାମ୍ବାଦିକ ଘରାନା ସ୍ପଷ୍ଟ କରି ଦେଇଛନ୍ତି ।
ମହାରାଷ୍ଟ୍ର ପ୍ରକ୍ରିୟାରେ ଏହା ହେବାକୁ ଯାଉଛି । ଉଦ୍ଧବ ଥାକରେଙ୍କ ସରକାରଙ୍କୁ ଯେଉଁଭଳି ଏକନାଥ ସିନ୍ଧେ ଭାଙ୍ଗି ଶିବସେନା ଦଖଲ କରିଥିଲେ ଓଡ଼ିଶାରେ ଅନୁରୂପ ପଦ୍ଧତିର ନକ୍ସସା ପ୍ରସ୍ତୁତ ସରିଛି ,କେବଳ ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଛି ।
ଏହି ଦୁଇ ରାଜ୍ୟର ଫଳାଫଳ ବିଶେଷ କିଛି ନୂତନତ୍ୱ ଆଣିବ ସେଭଳି ଆଶା କରିବା ବୋକାମିର ପରିଚୟ ।କାରଣ ଅମ୍ବାନୀ-ଆଦାନୀ ଗୁଜରାଟ କର୍ପୋରେଟ ଘରାନା ପାଇଁ ଏହା ଇଜ୍ଜତର ସବାଲ ।
ଏହି ଘରାନା ପାଇଁ ରତନ ଟାଟାଙ୍କ ମୃତ୍ୟୁ ମଧ୍ୟ ଅତିରିକ୍ତ ସୁଯୋଗ ସୃଷ୍ଟି କରିଛି ।
ଏକନାଥ ସିନ୍ଧେ ଯେତେବେଳେ ଶିବସେନାକୁ ଦଖଲ କରିଥିଲେ ସେତେବେଳେ ତାଙ୍କର ମୁଖ୍ୟ ବକ୍ତବ୍ୟ ଥିଲା ଦଳର ପ୍ରତିଷ୍ଠିତା ବାଲ ଥାକରେଙ୍କ ଆଦର୍ଶ ପଥରୁ ଅନଭିଜ୍ଞ ଉଦ୍ଧବ ଓହରି ଯାଇଛନ୍ତି । ତେଣୁ ବାଲ ଥାକରେଙ୍କ ଲିଗାସୀକୁ ଫେରେଇ ଆଣିବା ପାଇଁ ସେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେମିତି ଏନ ସି ପି ପ୍ରତିଷ୍ଠିତା ଶରଦ ପାୱାରଙ୍କୁ ଏନସିପିରୁ ହଟେଇଲା ବେଳେ ପୁତୁରା ଅଜିତ ପାୱାର ମଧ୍ୟ ଅନୁରୂପ ମତ ପ୍ରଦାନ କରିଥିଲେ ।
ଇତିମଧ୍ୟରେ ଆଇନଗତ ପ୍ରକ୍ରିୟା ଦାୟିତ୍ୱ ବିଜେଡିର ପ୍ରତିଷ୍ଠିତା ସଦସ୍ୟ ଓ 6 ଥର ବିଧାୟକ ଅମର ପ୍ରସାଦ ଶତପଥୀ ଗ୍ରହଣ କରିଛନ୍ତି । ପ୍ରତିଦିନ ତାଙ୍କର ସାକ୍ଷାତକାର ନେବାକୁ ଓଟିଭି, କନକ ଟିଭିର ସାମ୍ବାଦିକ ଭିଡ଼ ଜମେଇବାରେ ଲାଗିଛନ୍ତି । ଏ ଦାୟିତ୍ୱକୁ ସଫଳ ଭାବରେ ତୁଲେଇବା କ୍ଷମତା ତାଙ୍କର ରହିଛି । ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ସହ ତାଙ୍କର ମିତ୍ରତା ଯୋଗୁଁ ସେ ସଠିକ ପରାମର୍ଶ ମଧ୍ୟ ପାଉଥିବେ । ବିଶେଷ କରି ନବୀନ ଙ୍କ ଦ୍ଵାରା ଏ ଜି ମଧ୍ୟ 2019 ନିର୍ବାଚନ ରେ ଆହତ ହେଇଥିଲେ । ତେଣୁ ବର୍ତ୍ତମାନ ପ୍ରତିଶୋଧ ନେବା ବେଳ ଉପଗତ ହେଇଛି ।
ପ୍ରୋକ୍ତ ବିଜେଡି ନେତାମାନଙ୍କ ବୟାନକୁ ଅନୁସରଣ କରି ବିଜେଡି ଗୋଟିଏ ଗୋଷ୍ଠୀ ମଧ୍ୟ ପ୍ରଚାର ଆରମ୍ଭ କରିଦେଇଛନ୍ତି ଯେ ନବୀନଟା କୌଣସି ଯୋଗ୍ୟତା ନ ଥାଇ 26 ବର୍ଷ ଓଡ଼ିଆଙ୍କୁ ଭୂତେଇ ଚାଲିଥିଲା । ଗତ ନିର୍ବାଚନରେ ଧରା ପଡିଗଲା । ଅବଶ୍ୟ ଏମାନେ ଗତକାଲି ପର୍ଯ୍ୟନ୍ତ ନବୀନ ବନ୍ଦନା କରି କରି ତଣ୍ଟି ପଡି ଯାଉଥିଲା ।
ଅବଶ୍ୟ ନବୀନଙ୍କ ବିରୁଦ୍ଧରେ ସବୁ ପ୍ରତିଷ୍ଠିତା ସଦସ୍ୟ ସମାନ ରୂପରେ ବୟାନ ଦେଉ ନାହାନ୍ତି । ବିଭିନ୍ନ ନେତାଙ୍କ ଭିନ୍ନ ଭିନ୍ନ ବୟାନ ।
କିନ୍ତୁ ସମସ୍ତେ ଗୋଟିଏ କଥାରେ ଏକମତ ଯେ ନବୀନ ବିଜୁବାବୁଙ୍କ ଆଦର୍ଶ ପଥରୁ ବିଚ୍ୟୁତି ହେଇଯାଇଛନ୍ତି । ଜଣେ ଅନଭିଜ୍ଞ ଓଡ଼ିଆ ଯୁବକ ଓ ଜଣେ ଅଣ ଓଡ଼ିଆ ଅଫିସର ଯୋଗୁଁ ବିଜେଡି ମୂଳ ଲକ୍ଷ୍ୟରୁ ହଟି ଯାଇଛି ।
ବିଜୁବାବୁଙ୍କ ରାଜନୈତିକ ଇତିହାସ କୁ ଅତୀତାବଲୋକନ କଲେ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ କଂଗ୍ରେସରୁ ଅଲଗା ହେବା ପଛରେ ସେ ଓଡ଼ିଆଙ୍କ ପାଇଁ ଖାରବେଳଙ୍କ କଳିଙ୍ଗ କଥା କହି ଆସୁଥିଲେ । ସଂଘୀୟ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଇଥିଲେ , ଧର୍ମନୀରପେକ୍ଷତା ତାଙ୍କର ଆଦର୍ଶ ବୋଲି କହୁଥିଲେ । ଏପରି କି ନେହେରୁଙ୍କୁ ମଧ୍ୟ ରୋକଠୋକ କହିଥିଲେ ଓଡ଼ିଶାର ପ୍ରାକୃତିକ ସମ୍ପଦ ଉପରେ କେବଳ ଓଡ଼ିଆଙ୍କ ହକ୍ । ପ୍ରତିରକ୍ଷା , ଅର୍ଥ, ବୈଦେଶିକ ନୀତି ପ୍ରଣୟନ କ୍ଷେତ୍ରରେ ରାଜ୍ୟମାନଙ୍କ ଅଧିକାର ନ ରହିଲେ ଦେଶ ଭାଙ୍ଗି ଯିବ । ସମ୍ବିଧାନ ପ୍ରଣୟନ ସଭାର ସଂଘୀୟ ବ୍ୟବସ୍ଥା ବିତର୍କକୁ ଉଲ୍ଲେଖ କରୁଥିଲେ ।
ଭିପି ସରକାରଙ୍କ ବେଳେ ତାଙ୍କର ଏଭଳି ସଂଘୀୟ ସ୍ୱର ଦେଶରେ ଏମିତି ଚର୍ଚ୍ଚା ଧରିଥିଲା ଯେ ବିଶ୍ବହିନ୍ଦୁ ପରିଷଦ, ବିଜେପି , ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ଏପରି କି ରାଜୀବ ଗାନ୍ଧୀ ବିଜୁବାବୁଙ୍କ ବିରୁଦ୍ଧରେ ରାଷ୍ଟ୍ରଦ୍ରୋହ ଅପରାଧ ମୋକଦ୍ଦମା ରୁଜ୍ଜୁ କରିବାକୁ ଦାବୀ କରିଥିଲେ । କିଛି ଏତଲା ମଧ୍ୟ ହେଇଥିଲା ।
ଏହି ବିବାଦ ବେଳେ ଆଞ୍ଚଳିକ ଦଳ ମାନେ ବିଜୁବାବୁଙ୍କ ମତକୁ ସମର୍ଥନ କରିଥିଲେ ।
ବିଜୁ ବାବୁ ଏପରି ମଧ୍ୟ କହିଥିଲେ କେନ୍ଦ୍ର ଯଦି ଓଡ଼ିଶାର ଅଧିକାରକୁ ଅବଜ୍ଞା କରି ଚାଲେ ତାହେଲେ ସେ ନକ୍ସଲ ବି ହେଇଯିବେ ।
ତେଣୁ ବର୍ତ୍ତମାନର ବିଜେଡି ନେତାମାନେ ନବୀନ ପଟ୍ଟନାୟକଙ୍କୁ ହଟେଇ ଯେଉଁ ନୂତନ ନେତୃତ୍ୱ ପ୍ରତିଷ୍ଠା କରିବେ , ଆମେ ନିଶ୍ଚିତ ଆଶା କରିବା ଯେ ଏମାନେ ବିଜୁବାବୁଙ୍କ ଅନୁରୂପ ସ୍ୱରକୁ ଶାଣିତ କରି କେନ୍ଦ୍ର ବିରୁଦ୍ଧରେ ଜେହାଦ ଘୋଷଣା କରିବେ । ଅର୍ଥାତ We Demand Azadi ସ୍ୱର ଉଠେଇବେ । ଅନ୍ୟଥା ବିଜୁବାବୁଙ୍କ ଲିଗାସୀ ବିଫଳ ହେବାକୁ ବାଧ୍ୟ ।
କିନ୍ତୁ ଯାହା ଜଣା ପଡୁଛି ବିଜୁ ଲିଗାସୀ କେବଳ ଏକ ବାହାନା । ସମସ୍ତେ ନିଜ ନିଜର ଭବିଷ୍ୟତ ସୁରକ୍ଷା ଯୋଜନାରେ ବେଶି ଧ୍ୟାନ ଦେଉଛନ୍ତି । ଅନ୍ୟଥା ବିଜୁବାବୁଙ୍କ ମାନସ ସନ୍ତାନମାନେ କେନ୍ଦ୍ର ସହିତ ଲଢ଼ି ଭାରତରତ୍ନଟିଏ ଆଣି ପାରିନ ଥାନ୍ତେ , ଯେଉଁ ବିଜୁବାବୁଙ୍କୁ ବିଦ୍ରୋହୀ ଗୋଷ୍ଠିର ମୁଖପାତ୍ର ଅମର ଶତପଥୀ ସମ୍ବାଦକୁ ସାକ୍ଷାତକାର ଦେଇ କହିଛନ୍ତି – “ବିଜୁବାବୁ ବିଶ୍ୱବନ୍ଦିତ ନେତା ” ।
ନବୀନ ବାବୁଙ୍କୁ ସିନା ପାଣ୍ଡିଆନ ଓ ବବି ପାଣିରେ ଓଷଧ ମିଶେଇ କିମିଆ କରି ରଖିଥିଲେ , ଭାରତରତ୍ନ ନ ଦେବା ପାଇଁ ମୋଦୀଙ୍କ ସହ ଚକ୍ରାନ୍ତ କରିଥିଲେ, ହେଲେ ବିଜୁବାବୁଙ୍କ ପ୍ରକୃତ ମାନସପୁତ୍ରମାନେ କେବେ ଏଥିପାଇଁ ଅଡ଼ି ବସିଥିଲେ କି ?
ତଥାପି ସମୟ ଯାଇନି । ନବୀନଙ୍କୁ ହଟେଇବା ପରେ ଅନ୍ତତଃ ଏଇ ଗୋଟିଏ କାର୍ଯ୍ୟ କରି ଓଡ଼ିଶାଙ୍କ ଟେକ ରକ୍ଷା କରନ୍ତୁ ।
ନବୀନ ଅସ୍ତମିତ ସୂର୍ଯ୍ୟ । ରାଜ୍ୟରେ ଯେତେବେଳେ ବିଜେପି କ୍ଷମତାକୁ ଆସିଯାଇଛି, ପୁଣି ନବୀନ ପଟ୍ଟନାୟକ କ୍ଷମତାକୁ ଫେରିବା ଆଶା କ୍ଷୀଣ । ସେ ମଧ୍ୟ ପୁନଃ କ୍ଷମତାକୁ ଫେରିବା ଆଦୌ ପ୍ରୟୋଜନ ନାହିଁ । କିନ୍ତୁ ଯେଉଁମାନେ ତାଙ୍କୁ ବିଦାୟ କରି କ୍ଷମତାକୁ ଆସିବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଲେଣି ସେମାନଙ୍କ ଦାୟିତ୍ୱ ହେଉଛି ଏହାକୁ ହାସଲ କରିବା ।
ଯଦି ନ କରନ୍ତି, ତାହେଲେ ଭବିଷ୍ୟତ ପିଢ଼ି କହିବ ଏମାନେ ହେଉଛନ୍ତି ଆଲିବର୍ଦୀ ଖାଁଙ୍କ ଭଳି ଜଣେ ଜଣେ ବିଭୀଷଣ ଯେଉଁମାନେ ଓଡ଼ିଶାକୁ ଦୀର୍ଘ ଦିନ ପାଇଁ ବିଜେପିର ଚାରଣ ଭୂଇଁ କରିବା ନିମନ୍ତେ ରେଡ କାର୍ପେଟ , ଟେଣ୍ଟ ବାନ୍ଧୁଛନ୍ତି ।
ଆମେ ଡିସେମ୍ବର 26 ପର୍ଯ୍ୟନ୍ତ ନିଶ୍ଚୟ ଅପେକ୍ଷା କରିବା ଉଚିତ । ପଦ୍ମ କେଶର ଭିତରେ ଶଙ୍ଖର କିପରି ବିଲୟ ଘଟୁଛି ତାହା ଉପଭୋଗ କରିବା ଅବସରକୁ ହାତ ଛଡା କରିବା ନାହିଁ । 2025 ନୂଆ ବର୍ଷଟି ନବୀନ ହଟାଅ କର୍ଣ୍ଣଧାରଙ୍କ ପାଇଁ ଶୁଭଙ୍କର ହେଉ, ବିଜେଡିକୁ ତୁରନ୍ତ SCRAP କରି ପାଇକାରୀ ମୂଲ୍ୟରେ ନିଲାମ କରନ୍ତୁ ।।