ଟିକେଟ୍ ବିକିବେ ଗୌତମ ଆଦାନୀ
ନୂଆଦିଲ୍ଲୀ;ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନ୍ସମ୍ୟାନ୍କୁ କିଣିବା ଲାଗି ସହମତ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆଦାନି ପ୍ରଥମେ ଆଇଆର୍ସିଟିସି ପ୍ରତିଦ୍ବନ୍ଦ୍ବିତା କରିବେ ଓ ପରେ ତାହାକୁ ଅଧିଗ୍ରହଣ କରିବେ। ଆଇଆର୍ସିଟିସି ହେଉଛି ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ଟ୍ରେନ୍ ଟିକଟ ବୁକିଂ ଓ କ୍ୟାଟରିଂ ସଂସ୍ଥା। ତେବେ ରମେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆଇଆର୍ସିଟିସି। ଏହା ଜଣାଇଛି ଯେ ଏହା ହେଉଛି ଏକ ବିଭ୍ରାନ୍ତ କରିବା ଭଳି ମନ୍ତବ୍ୟ। ଆଇଆର୍ସିଟିସିର ଯେଉଁ ସ୍ବୀକୃତିପ୍ରାପ୍ତ ୩୨ ବି୨ସି (ବିଜନେସ୍ ଟୁ କଷ୍ଟମର) ସହଯୋଗୀ ରହିଛନ୍ତି ସେଥିରୁ ଗୋଟିଏ ହେଉଛି ଟ୍ରେନ୍ସମ୍ୟାନ୍। କଂପାନିର ଅଂଶଧନରେ ପରିବର୍ତ୍ତନ ଦ୍ବାରା କିଛି ବଦଳିଯିବନି। ସବୁ କିଛି ଆଇଆରସିଟିସି ମାଧ୍ୟମରେ ହେବ। ଏହା କେବଳ ଆଇଆରସିଟିସିର କାମ କରିବ ଏବଂ ଏହା କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ଆଇଆର୍ସିଟିସି ଟୁଇଟ୍ କରି ଜଣାଇଛି। ଦେଶର ଗୋଟିଏ ପରେ ଗୋଟିଏ ବିମାନବନ୍ଦରକୁ ପରିଚାଳନା କରୁଥିବା ଆଦାନି ଗ୍ରୁପ୍ ଆଗାମୀ ଦିନରେ ରେଳ କ୍ଷେତ୍ରରେ ମଧ୍ୟ ନିଜ ବ୍ୟବସାୟ ବିସ୍ତାର କରିବାକୁ ଯୋଜନା ରଖିଛି ବୋଲି ଆଦାନି ଡିଜିଟାଲ୍ ଲ୍ୟାବ୍ସ-ଟ୍ରେନ୍ସମ୍ୟାନ୍ ବୁଝାମଣା ଖବର ପ୍ରକାଶ ପାଇବା ପରେ କୁହାଯାଇଥିଲା। ୨୦୧୧ରେ ଟ୍ରେନ୍ସମ୍ୟାନ୍ ପ୍ରତିଷ୍ଠା ହୋଇଥିଲା। ଏହା ଟ୍ରେନ୍ ଟିକଟ ବୁକିଂ ସୁବିଧା, ଚାଲୁଥିବା ଟ୍ରେନ୍ର ସ୍ଥିତି ଓ ପିଏନ୍ଆର୍ ସ୍ଥିତି ବିଷୟରେ ସୂଚନା ପ୍ରଦାନ କରୁଛି। ଟ୍ରେନ୍ସମ୍ୟାନ୍କୁ କିଣି ଆଦାନି ରେଳ ବ୍ୟବସାୟ କ୍ଷେତ୍ରରେ ପାଦ ଦେଇଛନ୍ତି।