ବିଶ୍ୱ ବଜାରରେ ଆରମ୍ଭ ହୋଇଗଲା କି ଏ.ଆଇ ଯୁଦ୍ଧ ଆରମ୍ଭ -AI War begins

ଭୁବନେଶ୍ୱର: (ମାନସ ମଲ୍ଲିକ) – ଯାହା ଆଶଙ୍କା କରା ଯାଉଥିଲା ଠିକ୍ ସେୟା ହେଲା । ଆମ ଦେଶର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଫିସଗୁଡ଼ିକରେ Chatgpt ଆଉ DeepSeek ସମେତ ଅନ୍ୟ କେତେକ generative AIର ବ୍ୟବହାରକୁ ନିଷେଧ କରାଯାଇଛି । ଆଗକୁ ଅନ୍ୟ ସରକାରୀ ମନ୍ତ୍ରଣାଳୟରେ ହୁଏତ ନିଷେଧ କରାଯାଇପାରେ । ରୋଚକ କଥା ହେଲା ଏବେ Chatgpt ର ପ୍ରତିଷ୍ଠାତା ସାମ୍ ଅଲଟମ୍ୟାନ ଭାରତ ଗସ୍ତରେ ଆସିଛନ୍ତି ଆଉ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ସେହି ସାମ୍ ଅଲଟମ୍ୟାନ ଯିଏ ପୂର୍ବରୁ ଭାରତ ଆସି ଆମର ଏଆଇ ମଡ଼େଲ ତିଆରି କରିବାର କ୍ଷମତାକୁ ନେଇ ଉପହାସ କରିଥିଲେ। ସତକଥା ହେଲା ଚାଇନିଜ୍ ଏଆଇ ମଡ଼େଲ DeepSeek ଏବେ ଅନେକ ଦେଶର ନିଦ ହଜେଇ ଦେଇଛି । ଇଟାଲୀ, ଅଷ୍ଟ୍ରେଲିଆ, ଆର୍ୟାଲାଣ୍ଡ, ଫ୍ରାନ୍ସ, ବେଲଜିୟମ, ନେଦରଲାଣ୍ଡ ଭଳି ଦେଶରେ ଏହାକୁ ସରକାରୀ ବ୍ୟବହାରରେ ନିଷେଧ କରାଯାଇଛି । ଆମେରିକାର ପେଣ୍ଟାଗନ, ନାସା, ଏଫବିଆଇ ସମେତ ସେଠାକାର କେତେକ ରାଜ୍ୟରେ ସରକାରୀ କାର୍ଯ୍ୟଳୟରେ ମଧ୍ୟ ଏହାର ବ୍ୟବହାରକୁ ନେଇ ନିଷେଧାଜ୍ଞା ଜାରି ହୋଇଛି । କେହି ଚାଇନିଜ୍ ଉତ୍ପାଦ ଉପରେ ଭରସା କରି ପାରୁନାହାଁନ୍ତି । କାରଣ ହେଲା ସରକାରୀ ତଥ୍ୟ ଚୋରୀର ଭୟ । ତେବେ ଭାରତ ହେଉ ବା ଅନ୍ୟ ଦେଶ, ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ କିଛି ନିଷେଧାଜ୍ଞା ନାହିଁ । DeepSeek AI ସବୁଠୁ କମ୍ ଖର୍ଚ୍ଚରେ ତୁଳନାତ୍ମକ ଭାବରେ ଅଧିକ ବୁଦ୍ଧିମାନ ମଡ଼େଲ ଭାବରେ ଖୁବ୍ କମ୍ ଦିନ ଭିତରେ ଲୋକପ୍ରିୟ ହୋଇପାରିଛି । ଭାରତ ପାଖରେ ଯଥେଷ୍ଟ କ୍ଷମତା ଅଛି କମ୍ ଅର୍ଥରେ ଆହୁରି ବେଶି ବୁଦ୍ଧିମାନ AI model ବିକଶିତ କରିପାରିବ । ଯୋଉ ସାମ୍ ଅଲଟମ୍ୟାନ ଭାରତକୁ ହେୟ ଜ୍ଞାନ କରୁଥିଲେ ସେ ଏବେ ପ୍ରଶଂସା କଲେଣି କାରଣ ତାଙ୍କ ନିଜର OpenAI କମ୍ପାନୀରେ ଥିବା ମୁଖ୍ୟ ଏଆଇ ବିଶେଷଜ୍ଞମାନେ ହେଉଛନ୍ତି ଭାରତୀୟ । ଆମ ସରକାର ଆଗକୁ ଏଆଇ ଗବେଷଣାରେ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି । କୌଣସି ଶକ୍ତିଶାଳୀ ମଡ଼େଲର ଏଆଇ କମ୍ପ୍ୟୁଟିଂ, ଟ୍ରେନିଂ ଇତ୍ୟାଦି ପାଇଁ ଯେଉଁ ଚିପ୍ସ ଆବଶ୍ୟକ ହୁଏ ତାହା ମୁଖ୍ୟତଃ ଆମେରିକାର NVIDIA କମ୍ପାନୀ ଉତ୍ପାଦନ କରିଥାଏ । ଭାରତ ଯଦି ଏ କ୍ଷେତ୍ରରେ ଆମେରିକା ସହ ପ୍ରତିଦ୍ବନ୍ଦିତା କରେ ଆମେରିକାର ସେହି କମ୍ପାନୀ ସହଯୋଗ କରିବତ ? ଏ ବାବଦରେ ଟ୍ରମ୍ପ କ’ଣ ଭରସାଯୋଗ୍ୟ ହେଇପାରିବେ ?

Leave a Reply

Your email address will not be published. Required fields are marked *