ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ

ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍ସିପି’ ବିଧାୟକ ଦଳ ନେତା ଅଜିତ ପାୱାର୍ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି।

ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ୧୬ ବିଦ୍ରୋହୀ ‘ଶିବସେନା’ ବିଧାୟକମାନଙ୍କୁ ବି ଅଯୋଗ୍ୟ ଘୋଷଣା କରିଦେବେ ବୋଲି ଶ୍ରୀ ରାଓ୍ୱାତ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ଶିବସେନା’, ‘ଏନ୍ସିପି’ ଓ ‘କଂଗ୍ରେସ’କୁ ‘ବିଜେପି’ ଭାଙ୍ଗୁଛି କିନ୍ତି, ଏଥିରୁ ସେମାନେ ଆଦୌ ଲାଭ ପାଇବେ ନାହିଁ। ମହାରାଷ୍ଟ୍ରରେ ଆମେ ଏକତ୍ର ହୋଇ ୨୦୨୪ ନିର୍ବାଚନରେ ଲଢିବୁ। ‘ଏନ୍ସିପି’ ନେତାମାନେ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଶୁକ୍ରବାର ସେହି ନେତାମାନେ ରାଜଭବନରେ ଶପଥ ଗ୍ରହଣ କରିବା ବଡ଼ ଦୁଃଖର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ଶିବସେନା(ଉଦ୍ଧବ)ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ ଅଜିତଙ୍କୁ କଡ଼ା ସମାଲୋଚନା କରାଯାଇଛି। ଏଥିରେ କୁହାଯାଇଛି ଯେ, ୨୪ ବର୍ଷ ପୂର୍ବେ ଦଳ ସଂସ୍ଥାପନା କରିଥିବା ଦାଦାଙ୍କୁ ଆଘାତ ଦେଇ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାର ‘ଏନ୍ସିପି’ରୁ ଅଲଗା ହୋଇଗଲେ। ଏଭଳି ରାଜନୀତିକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ରାଜ୍ୟରେ ଏଭଳି ରାଜନୈତିକ ପରମ୍ପରା ନ ଥିଲା। ତେଣୁ ମହାରାଷ୍ଟ୍ରର ଜନତା ଏହାକୁ ସମର୍ଥନ କରିବ ନାହିଁ ବୋଲି ସାମନାରେ କୁହାଯାଇଛି।