ମନମୋହନ ଓ ଶରତଙ୍କ କମିିଟି ଉପରେ ରହିବ ନଜର


ଭୁବନେଶ୍ୱର, ୧୭/୪(ବ୍ଯୁରୋ) : ସାଧାରଣ ନିର୍ବାଚନ ୨୦୨୪କୁ ଆହୁରି ବର୍ଷେ ସମୟ ରହିଛି। ମାତ୍ର ରାଜଯର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ଯଥା ସମୟରେ ଅନୁଷ୍ଠିତ ହେବ। ହେଲେ ରାଜ୍ଯ ସରକାର ଆଗୁଆ ବିଧାନସଭା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିବା କେତେକ ମହଲରେ ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖୃ ବିଜେଡି ନିଜର ଜିଲ୍ଲା କମିଟି ଏବଂ ପ୍ରଭାରୀ ତାଲିକା ନିକଟରେ ପୁର୍ନଗଠନ କରିଛି। ଅପରପକ୍ଷରେ ମୁଖ୍ୟ ବିରୋଧି ଦଳ ବିଜେପି ମଧ୍ୟ ନିଜ ମୁଖିଆ ପରିବର୍ତ୍ତନ କରିଛି। ସମୀର ମହାନ୍ତିଙ୍କୁ ପରିବର୍ତ୍ତନ କରି ମନମୋହନ ସାମଲଙ୍କୁ ଦାୟିତ୍ୱ ପ୍ରଦାନ କରିଛି। କିଛିମାସ ପୂବର୍ରୁ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧି ଦଳନେତା ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଲା। ଗତବର୍ଷଠାରୁ ପିସିସି ସଭାପତି ମଧ୍ୟ ପରିବର୍ତ୍ତନ କରାଯାଇଛି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଉଭୟ ବିରୋଧି ଦଳର ମୁଖିଆ ପରିବର୍ତ୍ତନ ହୋଇ ଥିଲେ ବି ରାଜ୍ଯସ୍ତରୀୟ କମିଟି ଗଠନ ହୋଇନାହିଁ। ତେଣୁ ଦୁଇ ବିରୋଧି ଦଳର ରାଜନୈତିକ କମିଟି ଉପରେ ସମସ୍ତଙ୍କ ନଜର ରହିଛି।
ବିଜେପି ସଭାପତି ଦାୟିତ୍ୱ ନେବା ପରେ ପୂର୍ବାପେକ୍ଷା ଦଳୀୟ ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ବହୁ ଗୋଷ୍ଠୀରେ ବିଭକ୍ତ ରାଜଯ ବିଜେପିକୁ ଏକାଠି କରିବା ଶ୍ରୀ ସାମଲଙ୍କ ପାଇଁ ଆହ୍ୱାନ ହୋଇଛି। ମନମୋହନ ଖୁବଶୀଘ୍ର ତାଙ୍କ ଟିମ୍ ଘୋଷଣା କରିବେ। ଗତ ଦୁଇଥର ଯାକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ କମିଟିର ରୂପରେଖ ପ୍ରସ୍ତୁତ ହୋଇଥିଲା। ସାମ୍ପ୍ରତିକ ସମୟରେ ହେବାକୁ ଥିବା କମିଟିରେ ଶ୍ରୀ ପ୍ରଧାନଙ୍କର ଏତେଟା ପ୍ରଧାନ ପାଇବ ନାହିଁ ବୋଲି ଜଣାପଡିଛି। ରାଜ୍ଯ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ସହ ପ୍ରଭାରୀ ପୁରେନ୍ଦେଶ୍ୱରୀ ଏବଂ ମନମୋହନ ସାମଲଙ୍କୁ ତାଲିକା ପ୍ରସ୍ତୁତିରେ ସ୍ୱାଧିନତା ପ୍ରଦାନ କରାଯାଇଛି। ଉଭୟ ବରିଷ୍ଠ ଓ ନବାଗତଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। କେଉଁ ଜିଲ୍ଲାରୁ କିଏ ରହିବ, ତାହାର ତାଲିକା ସରିଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ସାମଲ ଭେଟିବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପୂର୍ବ ପ୍ରଭାବ ହ୍ରାସ ପାଇଥିବା ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି। ଜୟ ନାରାୟଣ ମିଶ୍ର, ପ୍ରତାପ ଷଡ଼ଙ୍ଗୀ, ଜୁଏଲ ଓରାମ ମୂଳ ବିଜେପି ନେତାଙ୍କୁ ଗୁରୁତ୍ୱ ଦେବାକୁ ମତ ରଖିଛନ୍ତି। ଅପରପକ୍ଷରେ କଂଗ୍ରେସ, ବିଜେପି ଓ ବାମ ଦଳରୁ ଆସିଥିବା ନେତାଙ୍କୁ ମଧ୍ୟ ସମାନ ପ୍ରାଧାନ୍ଯ ଦିଆଯିବା ସପକ୍ଷରେ ଧର୍ମେନ୍ଦ୍ର ମତ ରଖିଚନ୍ତି। ବିଜେଡି ଅସନ୍ତୁଷ୍ଟ ଏବଂ ମୂଳ କର୍ମୀଙ୍କ ସମନ୍ବୟ ହିଁ ବିଜୟ ଆଣିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେଣୁ କମିଟିରେ କାହାର ପ୍ରଭାବ ଦେଖିବାକୁ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ମା ମାସରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରୁ ଜଣେ ଓୟିଶା ଗସ୍ତ କରିବେ ବୋଲି ଜଣାପଡିଛି।
ସେହିପରି କଂଗ୍ରେସର ସାଙ୍ଗଠନିକ କ୍ଷେତ୍ରରେ କର୍ମକର୍ତ୍ତା ଅଦଳବଦଳ ହୋଇନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ସମୟରେ ଯେଉଁମାନେ ବିଭିନ୍ନ ଶାଖା ଓ ଅଞ୍ଚଳର ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସେହି ପଦବୀରେ ରହିବେ କିମ୍ବା ସେମାନଙ୍କ ସ୍ଥାନରେ ଆଉ କାହାକୁ ନୂତନ ନିଯୁକ୍ତି ଦିଆଯିବ ସେ ପ୍ରସଙ୍ଗ ଏଯାବତ୍‍ ସ୍ପଷ୍ଟ ହୋଇ ନାହିଁ। କଂଗ୍ରେସ ୯୬ଟି ବିଧାନସଭା ଆସନରେ ଲଢିବାକୁ ମନସ୍ଥ କରୁଛି। ଅନ୍ଯ ଆସନରେ ଦଳ ପକ୍ଷରୁ ବାମଦଳ, ଜେଏମଏମ, ଏନସିପି କିମ୍ବା ଜେଡି(ୟୁ) ଅଥବା ଜେଡିଏସ୍ ଦେବା ପାଇଁ ଯୋଜନା କରୁଛି। ସେହିପରି ଲୋକସଭାରେ ନିଜ ଭୋଟ ହାର ବୃଦ୍ଧି କରିବା ସହ ପ୍ରାଥମିକ ଭାବେ ବିଜେପିର ଆସନ ସଂଖ୍ୟା ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ହେଲେ କାଗଜକଲମରେ ଏହି ଯୋଜନା ତୃଣମୂଳରେ ପ୍ରତିଫଳିତ ହେଉନାହିଁ। ଝାରସୁଗୁ଼ଡା ନିର୍ବାଚନ ମଧ୍ୟ ଉଭୟ ବିରୋଧି ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ବିଜେପି ଓ କଂଗ୍ରେସ ନିଜ ଭୋଟ ବଜାୟ ରଖିପାରିଲେ, ଏହା କର୍ମୀଙ୍କୁ ଉତ୍ସାହିତ କରିବ। ଯଦି କୌଣସି ବିରୋଧି ଦଳର ଭୋଟ ହାର ହ୍ରାସ ପାଉଛି, ତେବେ ଏହାର ପ୍ରଭାବ କର୍ମୀଙ୍କ ଉପରେ ପଡ଼ିବ। ଏହା ସାଧାରଣ ନିର୍ବାଚନରେ ବିଜେଡିକୁ ଫାଇଦା ଦେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *