କୋହଲିଙ୍କ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ଏହି ବିଶ୍ୱକପ୍, ତାଙ୍କ ଉପରେ କାହିଁକି ରହିଛି ସମସ୍ତଙ୍କ ନଜର

ମୁମ୍ବାଇ- ଆଉ କେଇ ଘଣ୍ଟା ପରେ ସାରା ଦେଶରେ କ୍ରିକେଟ୍ ବିଶ୍ୱକପ୍ ର ବିଗୁଲ ବାଜିବାକୁ ଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରଦର୍ଶନ ହିଁ ଖେଳାଳିଙ୍କୁ ଇତିହାସରେ ଅମର କରିଦିଏ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସବୁ ଖେଳାଳିଙ୍କ ଲକ୍ଷ୍ୟ ରହିଥାଏ। ଏହି ମର୍ମରେ ଦେଖିଲେ ସୀମିତ ଓଭର କ୍ରିକେଟରେ ସାମ୍ପ୍ରତିକ ସମୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର ଅଳ୍ପ ଦୂରରେ ରହିଛନ୍ତି। ତେଣୁ ତାଙ୍କ ଉପରେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।
ଚାଲନ୍ତୁ ଜାଣିବା କେମିତି ଥିଲା କିଙ୍ଗ୍ କୋହଲିଙ୍କ କ୍ୟାରିୟର । ୧୯୯୮ ମେ ୩୦ ତାରିଖ। ସେ ସମୟରେ ବିରାଟଙ୍କ ବାପା ପ୍ରେମ କୋହଲିଙ୍କ ସହ ବିରାଟ ପଶ୍ଚିମ ଦିଲ୍ଲୀ କ୍ରିକେଟ୍ ଏକାଡେମିରେ ପ୍ରଥମ ଥର ପାଦ ଦେଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା। କିନ୍ତୁ କ୍ରିକେଟ୍ ପ୍ରତି ତାଙ୍କର ପାଗଳଙ୍କ ଭଳି ଭଲପାଇବା ରହିଥିଲା। ଏକାଡେମିରେ ପ୍ରଶିକ୍ଷକ ରାଜ କୁମାର ଶର୍ମା ତାଙ୍କୁ ଖେଳ ଶିଖାଇଥିଲେ। ବାପାଙ୍କ ପରି ତାଙ୍କ ଭାଇ ବିକାଶ ମଧ୍ୟ ବିରାଟଙ୍କୁ ସବୁକ୍ଷେତ୍ରରେ ସହଯୋଗର ହାତ ବଢାଇଥିଲେ। ଏକାଡେମିରେ ଯୋଗଦେବା ପରଠୁ ବିରାଟ କୌଣସି ଗୋଟିଏ ଦିନ ଅନୁପସ୍ଥିତ ରହିନାହାନ୍ତି। ଏଠାରେ ଅଭ୍ୟାସ କରୁଥିବା ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଅତୁଲ ୱାସନ୍ଙ୍କଠାରୁ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ୮ବର୍ଷ ପରେ ଅତୁଲ ହିଁ କୋହଲିଙ୍କୁ ରଣଜୀ ଟ୍ରଫି ପାଇଁ ଚୟନ କରିଥିଲେ ଓ ୨୦୦୬ରେ ତାମିଲନାଡୁ ବିପକ୍ଷରେ କୋହଲି ଘରୋଇ ପଡ଼ିଆରେ ରଣଜୀ ପଦାର୍ପଣ କରିଥିଲେ। ବିରାଟ କୋହଲି ଖେଳ ଉପକରଣକୁ ମଧ୍ୟ ସେଭଳି ଯତ୍ନ ନେଉଥିଲେ। ତାଙ୍କ ପ୍ୟାଡ୍ ଓ ବ୍ୟାଟରେ କେବେବି ଦାଗ ରହିବାକୁ ଦେଉନଥିଲେ। ସବୁବେଳେ ସେ ଖେଳ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଚିନ୍ତାଧାରା ନେଇ ଆସୁଥିଲେ। ଏପରିକି କେତେକ ସମୟରେ ବରିଷ୍ଠ ମାନଙ୍କ ସହିତ ସେ ଖେଳିବାକୁ ଯାଉଥିବାରୁ ତାଙ୍କ ଆଚରଣ ଉପରେ ନଜର ରଖିବାକୁ ପଡୁଥିବା ପ୍ରଶିକ୍ଷକ ଶର୍ମା କହିଛନ୍ତି। କିନ୍ତୁ ଖେଳରେ ତାଙ୍କର ସବୁବେଳେ ଏକାଗ୍ରତା ରହିଥାଏ। ୧୨ ବର୍ଷ ବୟସରେ ଏକ ୧୫ ବର୍ଷରୁ କମ୍ ମ୍ୟାଚ୍ରେ ଆମକୁ ପାଖାପାଖି ୨୨୦ ରନ୍ ପିଛା କରିବାକୁ ଥିଲା। କିନ୍ତୁ ଏତେ ବଡ଼ ଟାର୍ଗେଟ୍କୁ ପିଛା କରିବା ପାଇଁ ଆମ ପିଲାମାନେ ଭୟଭୀତ ହୋଇଯାଇଥିଲେ। ସେତେବେଳେ କୋହଲି ପାଳି ଆରମ୍ଭ କରିବାକୁ ସାହସ ଦେଖାଇଥିଲେ ଏବଂ ତାଙ୍କୁ ସୁଯୋଗ ମିଳିବାରୁ ସେ ଶତକ ମାରି ଦଳକୁ ସହଜରେ ଜିତାଇ ଦେଇଥିଲେ।
ଆଉ ଏକ ଘଟଣା ୨୦୦୬ରେ କର୍ଣ୍ଣାଟକ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ କୋହଲି ୪୦ ରନ୍ରେ ଅପରାଜିତ ଥିଲେ ଓ ଦଳ ୧୦୩/୫ରେ ସଂଘର୍ଷ କରୁଥିଲା। ଏହି ସମୟରେ ତାଙ୍କ ବାପାଙ୍କ ପରଲୋକ ଖବର ପହଞ୍ଚିଥିଲା। କିନ୍ତୁ କୋହଲି ଖେଳିବା ଜାରି ରଖିବା ସହ ଦିଲ୍ଲୀକୁ ଫଲୋଅନ୍ ହେବାରୁ ରକ୍ଷା କରିଥିଲେ। ପଡ଼ିଆରୁ ସିଧାସଳଖ ମଶାଣି ଯିବା ସହ ପରଦିନ ପୁଣି ଖେଳିବାକୁ ଆସିଥିଲେ। ଏବେ ଡାଏଟିଂ କରୁଥିବା କୋହଲିଙ୍କର ଖାଦ୍ୟ ପ୍ରତି ଅହେତୁକ ରୁଚି ରହିଥିଲା। ସେ ଫାଷ୍ଟଫୁଡ୍ ଖାଇବାକୁ ବହୁତ ଭଲପାଉଥିଲେ। ନିୟମିତ ଭାବେ ରାମ ଛୋଲେ ଭତୁରେ ଖାଇବାକୁ ରାଜୌରୀ ଗାର୍ଡେନ୍ ଯାଉଥିଲେ।