ସବୁ କଥାକୁ କଦର୍ଥ କରି ପରିବେଷଣ କରା ନ ଯାଉ

ଭୁବନେଶ୍ୱର: (ବିଶ୍ଵରାଜ ନାୟକ)- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଣବସା ଗୁରୁବାରରେ ମାଣ୍ଡିଆକୁ ମାତା ଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଭାବେ ଅର୍ପଣ କରିବାର ପ୍ରସ୍ତାବ ଦେଲେ ଓ ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଗଲା ଆଲୋଚନା, ସମାଲୋଚନା ଓ ତାତ୍ସଲ୍ୟ।
ମାଣ୍ଡିଆ ଏକ ଶସ୍ୟ। ଚାଉଳ ଭଳି ଶସ୍ୟ ମାଣବସାରେ ବ୍ୟବହୃତ ହେଉଥିବା ବେଳେ ମାଣ୍ଡିଆ ବ୍ୟବହାରରେ ତେବେ ଅସୁବିଧା ରହିଲା କେଉଁଠି ?
ଆୟୁର୍ବେଦରେ ମାଣ୍ଡିଆର ଗୁରୁତ୍ବ ଖୁବ୍ ଅଧିକ। ଆୟୁର୍ବେଦ ହିସାବରେ ମାଣ୍ଡିଆ ରୋଗ ପ୍ରତିରୋଧ କରେ ଓ ରୋଗର ଉପଶମ କରେ। ( Preventive and Curative)। ମାଣ୍ଡିଆ ଶରୀରକୁ ଥଣ୍ଡା ରଖେ, ଶକ୍ତି ପ୍ରଦାନ କରେ, ତ୍ରି ଦୋଷ ( ବାତ, ପିତ୍ତ, କଫ ) କୁ ସନ୍ତୁଳିତ କରେ ଓ ମଣିଷକୁ ଚଳଚଞ୍ଚଳ ରଖେ। ଆୟୁର୍ବେଦ ଏହାକୁ ମଧୁର ସ୍ୱାଦଯୁକ୍ତ ଖାଦ୍ୟ ଭାବେ ବର୍ଣ୍ଣନା କରେ। ଏହା ଖାଇବା ବେଳେ ମଧୁର ଓ ହଜମ ହେବା ପରେ ମଧ୍ୟ ମଧୁର।
ଆମେ ବ୍ରତ, ଉପବାସ ସମୟରେ ପିଆଜ, ରସୁଣ ଭୋଜନକୁ ବର୍ଜନ କରୁ, କାରଣ ଏମାନେ ତାମସିକ ପର୍ଯ୍ୟାୟଭୁକ୍ତ, ଶରୀରକୁ ଉଷ୍ମତା ଓ ଉତ୍ତେଜନା ପ୍ରଦାନ କରନ୍ତି। ଅନେକ ସମୟରେ ଏମାନେ ଯୌନ ଉତ୍ତେଜନା ପ୍ରଦାନକାରୀ ( aphrodisiac) ଖାଦ୍ୟ ଭାବେ ପରିଗଣିତ ହୁଅନ୍ତି। ମାଣ୍ଡିଆ ଏ ପର୍ଯ୍ୟାୟଭୁକ୍ତ ନୁହେଁ।
ଆମେ ଛତୁ ( mushroom) ବ୍ୟବହାରକୁ ବର୍ଜନ କରୁ ଉପବାସ ସମୟରେ କାରଣ ଛତୁ ପରଜୀବୀ ( parasite)। ଆମ ଶାସ୍ତ୍ର ମୁତାବକ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରୁ ନ ଥିବା ହେତୁ ଛତୁକୁ ଆମେ ତାମସିକ ଶ୍ରେଣୀରେ ଗଣନା କରୁ। ମାଣ୍ଡିଆ ଏ ପର୍ଯ୍ୟାୟରେ ନୁହେଁ।
ମୋହନ ମାଝୀଙ୍କୁ ବିରୋଧ କରୁଥିବା କିଛି ଲୋକଙ୍କର ଯୁକ୍ତି ହେଉଛି, ଆମ ପ୍ରଥା ବା ରୀତିନୀତି ପରିବର୍ତ୍ତନ କରିବୁ କାହିଁକି ? ଠିକ୍ କଥା। କିନ୍ତୁ ପ୍ରଶ୍ନ ହେଉଛି, ” ମାଣ୍ଡିଆର ବ୍ୟବହାରକୁ ଶାସ୍ତ୍ର ନିଷିଦ୍ଧ କରିଛି କି ? ଲକ୍ଷାଧିକ ଖାଦ୍ୟ ଅଛି। ଯାହାକୁ ନିଷିଦ୍ଧ କରାଯାଇ ନାହିଁ, ତାକୁ ଗ୍ରହଣ କରିବାରେ ଶାସ୍ତ୍ର ବିରୋଧ ହେବ କିପରି ?” ଏବଂ ଶାସ୍ତ୍ରର ଦ୍ୱାହି ଦେଉଥିବା ଏହି ବିଦ୍ୱାନ ମାନଙ୍କୁ ପ୍ରଶ୍ନ, ” ରିଫାଇନ୍ଡ ଚିନି(ଧକା ଚିନି)ର ବ୍ୟବହାର କେଉଁ ଶାସ୍ତ୍ରରେ ଅଛି ? ଆଳୁ ( potato ) ର ବ୍ୟବହାର କେଉଁ ଶାସ୍ତ୍ର ସମ୍ମତ ? ବନସ୍ପତି ଘିଅ, ରିଫାଇନ୍ଡ ତେଲ – ଏ ସବୁ ବ୍ୟବହାର ପରମ୍ପରାରେ ଥିଲା ?ତେବେ, ମାଣ୍ଡିଆ ବ୍ୟବହାରର ପ୍ରସ୍ତାବକୁ ଏତେ ସମାଲୋଚନା କାହିଁକି ?”
ଆସନ୍ତୁ, ଏ ଘଟଣାର ଅନ୍ୟ ଏକ ଦିଗ ଉପରେ ଆଲୋଚନା କରିବା। ” କାହିଁକି ଆଜି ଯାଏଁ ଆମେ ଏହାର ବ୍ୟବହାର କରି ନାହୁଁ ଆମ ପୂଜା ପାର୍ବଣରେ ?” ଉତ୍ତର ହେଉଛି, ” ମାଣ୍ଡିଆର ସ୍ଵାଦ। ଠାକୁରଙ୍କୁ ଅର୍ପଣ କରି ସାରିବା ପରେ ପ୍ରସାଦ ଭାବେ ସେବନ କରିବା ଲୋକ ଆମେ। ତେଣୁ, ଆମ ପାଟିକୁ ରୁଚିବ ବୋଲି ଆମେ ବସୁମତୀ ଅରୁଆ ଚାଉଳ ବାଛିଲୁ ଓ ମାଣ୍ଡିଆକୁ ବାଦ୍ ଦେଲୁ। ଆମ ରୀତିନୀତିର ସଂରଚନା କରିଥିବା ଲୋକେ ( ବ୍ରାହ୍ମଣ ବା ପୂଜକ ) ମଧ୍ୟ ଏହି କାରଣରୁ ମାଣ୍ଡିଆକୁ ଭୋଗ ତାଲିକାରୁ ବାଦ୍ ଦେଇଥିବାର ସମ୍ଭାବନା ଅଛି।” କିନ୍ତୁ, ସମସ୍ତେ ଜାଣିବା ଆବଶ୍ୟକ ଯେ ଭାରତର ବିଭିନ୍ନ ପ୍ରାନ୍ତରେ ଉପବାସ, ବ୍ରତରେ ମାଣ୍ଡିଆ ବ୍ୟବହାରର ପ୍ରଥା ରହିଛି।
ଏବଂ ଅନ୍ୟ ଏକ କାରଣ ହେଉଛି, ” ମାଣ୍ଡିଆକୁ ଆଜି ଯାଏଁ ଗରିବ ଲୋକଙ୍କ ଖାଦ୍ୟ ଭାବେ ଗଣନା କରାଯାଉଥିଲା। ତେଣୁ ସମାଜର ଉଚ୍ଚ ବର୍ଗର ବ୍ୟକ୍ତିବିଶେଷ ଏହାକୁ ଅଣଦେଖା କରିବା ସ୍ବଭାବିକ।”
ମୋହନ ମାଝିଙ୍କ ପ୍ରସ୍ତାବ ବରଂ ସ୍ବାଗତଯୋଗ୍ୟ। ପରିବେଶ, ସ୍ବାସ୍ଥ୍ୟ ଓ ଅର୍ଥନୀତି ପାଇଁ ଉପାଦେୟ ହୋଇଥିବା କାରଣରୁ ଏହି ‘ ଶ୍ରୀ ଅନ୍ନ” ( ‘ଶ୍ରୀ’ ଶବ୍ଦଟି ମାତା ଲକ୍ଷ୍ମୀଙ୍କ ପାଇଁ ବ୍ୟବହାର ହୁଏ ) ମାଣ୍ଡିଆର ବ୍ୟବହାରକୁ ଲୋକପ୍ରିୟ କରାଯାଇ ପାରିଲେ ଆମ ରାଜ୍ୟ, ଦେଶ ପାଇଁ ଏହା ଶୁଭଙ୍କର ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ଏକ ବର୍ଗହୀନ ( Classless society ) ସମାଜ, ଗରିବ ଲୋକଙ୍କ ଆର୍ଥିକ ସଶକ୍ତିକରଣ, ପରିବେଶ ସୁରକ୍ଷା ଓ ଧାରଣୀୟ ବିକାଶ ( Sustainable Development) ଦିଗରେ ଏକ ପ୍ରୟାସ ଭାବେ ଗ୍ରହଣ କରିବା ଯୁକ୍ତିଯୁକ୍ତ ଓ ଶ୍ରେୟସ୍କର ହେବ।