ଶହେ, ଦୁଇଶହ, ପାଞ୍ଚଶହ ହୋଇ ଫେରିଆସିଲା ୪୦ ପ୍ରତିଶତ ୨୦୦୦ ଟଙ୍କିଆ
ମୁମ୍ବାଇ: ଲୋକମାନେ ବ୍ୟାଙ୍କରେ ଯେତିକି ପରିମାଣର ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରିଥିଲେ ତାହାର ୪୦ ପ୍ରତିଶତ ଅନ୍ୟ ନୋଟ୍ ରୂପରେ ଲୋକମାନଙ୍କ ପାଖକୁ ଫେରିଆସିଛି। ଖାତାରେ ୨୦୦୦ ଟଙ୍କିଆ ଜମା କରିବା ପରେ ଲୋକମାନେ ତାହାକୁ ୫୦୦, ୨୦୦ ଓ ୧୦୦ ଟଙ୍କିଆ ରୂପରେ ଉଠାଇଛନ୍ତି। ସେଥିପାଇଁ ବଜାରରେ ନଗଦ ରାଶି ପରିମାଣ ବୃଦ୍ଧି ପାଇଛି।କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଗତ ଜୁନ୍ ୭ ସୁଦ୍ଧା ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କାର ନୋଟ୍ ବ୍ୟାଙ୍କକୁ ଫେରିଆସିଛି। ନୋଟ୍ ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟ ୫୦ ପ୍ରତିଶତ ଶେଷ ହୋଇଛି। ଫେରିଥିବା ନୋଟ୍ରୁ ୮୫ ପ୍ରତିଶତ ଜମା ହୋଇଛି। ଗଭର୍ଣ୍ଣର ଦାସଙ୍କ ତଥ୍ୟ ଅନୁସାରେ ଲୋକମାନଙ୍କ ପାଖରେ ଥିବା ନଗଦ ରାଶି ଦେଢ଼ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବା କଥା। ମାତ୍ର ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସପ୍ତାହିକ ରିପୋର୍ଟରୁ ଜଣାପଡ଼ିଛି ଯେ ଲୋକଙ୍କ ପାଖରେ ଥିବା ନୋଟ୍ ପରିମାଣ ୮୮, ୨୪୨ କୋଟି ଟଙ୍କା ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ପ୍ରାୟ ୬୦-୬୨ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍କୁ ବଦଳାଇ ଲୋକମାନେ ଅନ୍ୟ ନୋଟ୍ ଆଣିଛନ୍ତି। ୨୦୦୦ ଟଙ୍କିଆ ନୋଟ୍ ବଦଳ ବଢ଼ିଥିବାରୁ ବ୍ୟାଙ୍କଗୁଡ଼ିକ ପାଖରେ ନଗଦ ରାଶି ପରିମାଣ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବଢ଼ିଛି।