ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ଗୃହ ମନ୍ତ୍ରୀ ଅମିତ୍ ଶାହା …
ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ହୋଇଛି । ଯାହା ପୃଥିବୀ ଚାରି ପଟେ ବୁଲି ଭବିଷ୍ୟତର ପାଣିପାଗ ତଥ୍ୟ ପ୍ରଦାନ କରିବ । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ପାଇପାରିବ । କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D3 ର ତୃତୀୟ ତଥା ଅନ୍ତିମ ବିକାଶମୂଳକ ଉଡାଣ ମାଧ୍ୟମରେ ଏହା ଉତକ୍ଷେପଣ କରାଯାଇଛି । ତେବେ ଏହା ପାଇଁ ଗୃହ ମନ୍ତ୍ରୀ ଅମିତ୍ ଶାହା ଇସ୍ରୋକୁ କୃତଜ୍ଞତା ଜଣାଇବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କୁ ଯାଇ ସେ ଲେଖିଛନ୍ତି, “SSLV-D3 ର ଶୁଭାରମ୍ଭ ପାଇଁ ISRO କୁ ଅଭିନନ୍ଦନ। ଏହା ପରିବେଶ ମନିଟରିଂ ଏବଂ ବିପର୍ଯ୍ୟୟ ପରିଚାଳନାକୁ ସହଜ କରି ପୃଥିବୀର ସ୍ଥାୟୀତ୍ୱ ବୃଦ୍ଧି କରିବ”।