ସାନା-ଲିସା ଆଉ ତାଙ୍କ ଭଉଣୀ..ନେଇଯିବେ ମଣିଷ ଚାକିରୀ.. ବସି ବଜେଇବ ଖଞ୍ଜଣି….
ନୂଆଦିଲ୍ଲୀ: ବୈଦ୍ୟୁତିକ ଗଣମାଧ୍ୟମରେ ସମାଜରେ ଦେଖୁଥିବା ଦର୍ଶକ ସାନା ଏବଂ ଲିସା ନାମ ସହ ବେଶ୍ ପରିଚିତ ହୋଇଯିବେଣି। ସାନା ଜାତୀୟସ୍ତରୀୟ ଜଣେ ଅଗ୍ରଣୀ ଚ୍ୟାନେଲର ଉପସ୍ଥାପିକା ଏବଂ ଲିସା ଆମ ରାଜ୍ୟ ଓଡ଼ିଶାର ସବୁଠୁ ଲୋକପ୍ରିୟ ଚ୍ୟାନେଲର ଉପସ୍ଥାପିକା। ଏମାନେ ସାଧାରଣ ଉପସ୍ଥାପିକା ନୁହଁନ୍ତି। କୃତ୍ରିମ ବୁଦ୍ଧିମତ୍ତା/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଏହି ଦୁଇ ଉପସ୍ଥାପିକାଙ୍କୁ ସୃଷ୍ଟି କରାଯାଇଛି। ଏମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯିବ, ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ। ତେଣୁ ପୂର୍ବରୁ ଏହି କାର୍ଯ୍ୟ କରୁଥିବା ମାନବସମ୍ବଳ ଆଉ ଆବଶ୍ୟକ ହେବ ନାହିଁ। ଏଆଇ ଦ୍ୱାରା ଆଗାମୀ ଦିନରେ ପ୍ରାୟ ୨୭ % ଚାକିରି ପ୍ରତି ବିପଦ ରହିଛି।
ଏକଥା ଆମେ କହୁନାହୁଁ। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅବସ୍ଥାପିତ ଏକ ସଂସ୍ଥା- ଅର୍ଥନୈତିକ ସହଯୋଗିତା ଓ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ କୁହାଯାଇଛି। ଏନେଇ ଜାତୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏମିତି ବହୁତ ଚାକିରୀ ରହିଛି, ଯାହା ଏଆଇ ଦ୍ୱାରା କରାଯାଇପାରିବ। ଆଉ କୌଣସି ମାନବ ସମ୍ବଳର ଆବଶ୍ୟକତା ଦରକାର ହେବ ନାହିଁ। ଓଇସିଡି ଅଧିନରେ ଥିବା ୩୮ଟି ଦେଶର ୨୭ % ଚାକିରି ପ୍ରତି ବିପଦ ରହିଛି ବୋଲି ଆକଳନ କରାଯାଇଛି। ଏହା ଦ୍ୱାରା ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନୁରୂପ ଭାବେ ଓଇସିଡି ପକ୍ଷରୁ ଗତବର୍ଷ କରାଯାଇଥିବା ସର୍ଭେରେ ଆଗାମୀ ଦଶନ୍ଧିରେ ପ୍ରତି ପାଞ୍ଚ ଜଣରୁ ତିନିଜଣଙ୍କ ଚାକିରୀ ବିପଦରେ ବୋଲି କୁହାଯାଇଥିଲା। ଓଇସିଡି ଅନ୍ତର୍ଗତ ୭ଟି ଦେଶର ୨୦୦୦ ସଂସ୍ଥାର ୫୩୦୦ କର୍ମଚାରୀଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ପୂର୍ବରୁ କୃତ୍ରିମ ବୁଦ୍ଧିମତ୍ତାରେ ପ୍ରଭାବରେ ପ୍ରାୟ ୩୦ କୋଟି ଚାକିରି ପ୍ରତି ବିପଦ ଦେଖାଦେବ ବୋଲି ଗୋଲ୍ଡମ୍ୟାନ୍ ସଚ୍ସ ଏକ ପୂର୍ବାନୁମାନ କରିଛନ୍ତି।