Asian Games 2023 ; ଏସୀୟ କ୍ରୀଡାରେ ପଦକ ଜିତିବାରେ କ’ଣ ରହିଛି ଭାରତର ରେକର୍ଡ ଏବଂ କେଉଁ ବିଭାଗ ଉପରେ ରହିଛି ପଦକ ଜିତିବାର ଆଶା ଜାଣନ୍ତୁ …

୧୯ତମ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୨୩ ବା ଆଜି ଠାରୁ ଚୀନର ହାଙ୍ଗଜୋ ସହରରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ, ଯାହା ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ଏଥର ଏସୀୟ କ୍ରୀଡ଼ାପାଇଁ ଭାରତ ସର୍ବବୃହତ ଦଳ ପଠାଇଛି, ଯେଉଁଥିରେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ମୋଟ ୬୫୫ ଆଥଲେଟ୍ । ଏହି କାରଣରୁ ଭାତର ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି।୧୯୫୧ରେ ଏସିଆନ୍ ଗେମ୍ସ ଆରମ୍ଭ ହେବା ପରଠାରୁ ଭାରତ ସମସ୍ତ ଏସୀୟ କ୍ରୀଡ଼ାରେ ଭାଗ ନେଇଛି। ତେବେ ପ୍ରଥମ ଏସୀୟ କ୍ରୀଡ଼ାରେ ଭାରତ ୧୫ ସ୍ୱର୍ଣ୍ଣ , ୧୬ ରୌପ୍ୟ, ୨୦ କାଂସ୍ୟ ପଦକ ସହ ମୋଟ ୫୧ ପଦକ ଜିତିବାରେ ସଫଳ ହୋଇଥିଲା । ଏସୀୟ କ୍ରୀଡ଼ା ଇତିହାସରେ ଭାରତ ଏପର୍ଯ୍ୟନ୍ତ ମୋଟ ୬୭୨ ପଦକ ଜିତିଛି। ଏଥିରେ ୧୫୫ ସ୍ୱର୍ଣ୍ଣ, ୨୦୧ ରୌପ୍ୟ ଓ ୩୧୬ କାଂସ୍ୟ ପଦକ ରହିଛି। ଏସୀୟ କ୍ରୀଡ଼ା ଇତିହାସରେ ପଦକ ଜିତିବା କ୍ଷେତ୍ରରେ ଭାରତ ଏପର୍ଯ୍ୟନ୍ତ ପଞ୍ଚମ ସଫଳ ଦେଶ ଭାବେ ବିବେଚିତ ହୋଇଛି । ଏଥର ସମସ୍ତେ ଭାରତୀୟ ଦଳଠାରୁ ଇତିହାସ ରଚିବ ବୋଲି ଆସା ରଖିଛନ୍ତି । ଏପର୍ଯ୍ୟନ୍ତ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି, ଯେଉଁଥିରେ ମୋଟ ୨୫୪ ପଦକ ଜିତିଛି।

୪୦ଟି କ୍ରୀଡ଼ାରେ ୪୮୧ଟି ପ୍ରତିଯୋଗିତା ହେବ ଆୟୋଜନ

ଏଥର ଏସୀୟ କ୍ରୀଡ଼ାରେ ୪୦ଟି କ୍ରୀଡ଼ା ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ଇଭେଣ୍ଟରେ ମୋଟ ୪୮୧ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥର ୪୫ଟି ଦେଶର ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ। ସେହିପରି ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ା ଦଳରେ ଭାରତର ଏଭଳି ୫ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛନ୍ତି।

ଏଥର ୧୦୦ରୁ ଅଧିକ ପଦକ ଜିତିବାର ଆଶା

ଗତ ଏସୀୟ କ୍ରୀଡ଼ାରେ ଭାରତ ୧୬ ସ୍ୱର୍ଣ୍ଣ, ୨୩ ରୌପ୍ୟ ଓ ୩୧ କାଂସ୍ୟ ପଦକ ସହ ମୋଟ ୭୦ ପଦକ ଜିତିଥିଲା। ୨୦୧୮ ଏସୀୟ କ୍ରୀଡ଼ାର ପଦକ ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା। ଗତଥର ତୁଳନାରେ ଏଥର ୧୦୦ ଜଣ ଅଧିକ ଆଥଲେଟ୍ ଭାରତୀୟ ଦଳକୁ ଯାଇଛନ୍ତି। ଏଭଳି ସ୍ଥିତିରେ ସମସ୍ତେ ୧୦୦ ପଦକ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି। ନୀରଜ ଚୋପ୍ରା, ନିଖତ ଜରିନ୍, ସାତ୍ବିକସାଇରାଜ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀ, ମୀରାବାଇ ଚାନୁ, ଏଚ୍ ଏସ୍ ପ୍ରଣୟ, ରିଲେ ଟିମ୍, ରୁଦ୍ରାକ୍ଷ ପାଟିଲ, ମୁରଲୀ ଶ୍ରୀଶାନ୍, ଭାରତୀୟ ହକି ଦଳ, ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ, ଭଲିବଲ୍ ଦଳ, ଟେବୁଲ୍ ଟେନିସ୍ ଦଳ ଏଥର ପଦକ ଜିତିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *