ଆସନ ସହ ଜିଲ୍ଲା ବଦଳିବ ଏହି ନେତାମାନଙ୍କର…. କେନ୍ଦ୍ରାପଡ଼ାରୁ ମଇଦାନକୁ ଓହ୍ଲାଇବେ ପ୍ରଶାସିକା …

ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ବ୍ୟାପକ ପରୀକ୍ଷାନିରୀକ୍ଷା କରିବାକୁ ଯାଉଛି। ଏହି କ୍ରମରେ ଦଳର କିଛି ପ୍ରମୁଖ ନେତାମାନଙ୍କ ଆସନ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଏହି ତାଲିକାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିଛନ୍ତି। ସେହିପରି ଜଣେ ଉଚ୍ଚ ଶିକ୍ଷିତା ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର ଯେ କୌଣସି ଆସନରୁ ବିଧାନସଭା ଲଢିବାର ସମ୍ଭାବନା ରହିଛି। ଉପରୋକ୍ତ ତିନି ନେତା ଏବଂ ଜଣେ ପ୍ରଶାସିକାଙ୍କ ପାଇଁ ନୂଆ ଆସନ ନେଇ ତର୍ଜମା ଲାଗିଛି। ଏହି ରିପୋର୍ଟ କେତେ ଜଣଙ୍କୁ ଅବାସ୍ତବ ମନେ ହୋଇପାରେ। ହେଲେ ଏହାକୁ ନେଇ ଆଲୋଚନା ଜୋର୍ ଧରିଛି।
ରାଜ୍ୟ ସରକାର ବିଗତ ପାଞ୍ଚ ବର୍ଷରେ ପୁରୀରେ ବ୍ୟାପକ ପ୍ରକଲ୍ପ କରୁଛନ୍ତି। ନିର୍ବାଚନ ପୂର୍ବରୁ ପୁରୀ ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ପ୍ରକଳ୍ପକୁ ରାଜ୍ୟ ସରକାର ଫୋକସ୍ କରିଛନ୍ତି। ତେଣୁ ରୂପାନ୍ତରଣର ନଗରୀ ପୁରୀରେ ବିଜେଡି ଯେମିତି ହେଲେ ଜିତିବାକୁ ଚାହିଁବ। ସେହିପରି ପୁରୀ ଲୋକସଭା ଉପରେ ମଧ୍ୟ ବିଜେଡ଼ିର ଫୋକସ୍ ରହିଛି। ଏହି କ୍ରମରେ ଗୋଟିଏ ସଂସ୍ଥାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରୀରେ ଲଢିବା ପାଇଁ ପ୍ରସ୍ତାବ ଦେଇଛି। ସେହିପରି ପ୍ରଣବ ପ୍ରକାଶ ଦାସ ନିଜ ଜିଲ୍ଲା ଛାଡି ପୁରୀ ଜିଲ୍ଲାର ନିମାପଡ଼ାରେ ପ୍ରାର୍ଥୀ ହୋଇପାରନ୍ତି। ନିକଟରେ ସମୀର ଦାଶଙ୍କୁ ଅତି ଖରାପ ଢଙ୍ଗରେ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ଏକ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ମଧ୍ୟ ବିଜେଡି ପରାଜିତ ହୋଇଛି। ସେହିପରି ଯାଜପୁରରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଲଢିବା ନେଇ ବିଚାରବିମର୍ଶ ଜାରି ରହିଛି। ସେହିପରି ଅତନୁ ପ୍ରତିନିଧିତ୍ୱ କରୁଥିବା ମହାକାଳପଡ଼ା କିମ୍ବା ପାଟକୁରାରୁ ଜଣେ ଉଚ୍ଚଶିକ୍ଷିତା ପ୍ରଶାସିକା ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ରାଜନୈତିକ ସ୍ଥିତିକୁ ଦେଖି ଏହି ସମୀକରଣ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି।