ବଡ଼ଚଣା ରାଜନୀତି : ଅତୀତାବଲୋକନ ଓ ଅମରଙ୍କ ଉପାଖ୍ୟାନ

ଚଣ୍ଡିଖୋଲ: (ବିଜୟ ସାହୁ)- ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନବକୃଷ୍ଣ ଚୌଧୁରୀ, ଜଗନ୍ନାଥ ଦାସ, ଦୁଃଶାସନ ଜେନା, ଯଦୁମଣି ମଙ୍ଗରାଜ, ଧନଞ୍ଜୟ ଲେଙ୍କା, ମାନଗୋବିନ୍ଦ ସାମଲ , ସୀତାକାନ୍ତ ମହାପାତ୍ର , ଅମର ଶତପଥୀ, ଅମର ନାୟକ ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି । ସର୍ବାଧିକ ସମୟ ଅମର ପ୍ରସାଦ ଶତପଥୀ ବିଧାୟକ ହେଇଛନ୍ତି ଓ ଥରେ ମନ୍ତ୍ରୀ ହେଇଛନ୍ତି । ସମୁଦାୟ 30 ବର୍ଷ ।
ତାଙ୍କର କ୍ଷମତାସୀନ ଦଳ ସହ ରାଜନୀତି ସର୍ବାଧିକ ସମୟ – 25 ବର୍ଷ ।
ଅମର ବାବୁ କିଛି ଦିନ ହେଲା ମିଡିଆରେ ଯେଉଁ ବିବୃତି ଦେଉଥିଲେ ତାହା ଦେଖି ଭୁବନେଶ୍ୱର ମିଡ଼ିଆମେନ ଆଲୋଚନା କରୁଛନ୍ତି ଅମର ଶତପଥୀ ହୁଏତ ଭବିଷ୍ୟତ ରେ ବିଜେଡିକୁ ରାଜ୍ୟରେ ଦୁଇଖଣ୍ଡ କରିଦେବେ । ଆଜି ସେ ସ୍ପଷ୍ଟ କରିଦେଲେ ଯେ ସେ ବିଜେଡି ଛାଡି ସାରିଲେଣି ଓ ସ୍ୱାଧୀନ ହେଇ ଗଲେଣି । ସବୁଠାରୁ ରୋଚକ କଥା ହେଲା ସେ ଗାନ୍ଧୀ ଜୟନ୍ତୀ ଦିନ ଛତିଆ ମହାତ୍ମା ଗାନ୍ଧୀ ପିଠିରେ ଫୁଲ ଚଢେଇ ବିଜେଡି ଛାଡିଛନ୍ତି । ତାଙ୍କ ପାଖରେ ଅନେକ ବିକଳ୍ପ ରହିଛି ବୋଲି ସ୍ପଷ୍ଟ କରିଛନ୍ତି । ସେ ବଡ଼ଚଣାବାସୀଙ୍କ ମତାମତ ନେଇ ଅନ୍ୟ ଦଳକୁ ଯିବେ । ଅବଶ୍ୟ ବର୍ତ୍ତମାନ ବଡ଼ଚଣାରେ ବିଜେପି ବିଧାୟକ ରହିଛନ୍ତି । ତେଣୁ 2029 ପର୍ଯ୍ୟନ୍ତ ଏଠାରେ ଶୂନ୍ୟସ୍ଥାନ ନାହିଁ । 2029 ରେ ମଧ୍ୟ ଯୁବ ବିଧାୟକ ବିଜେପିରୁ ହିଁ ପ୍ରାର୍ଥୀ ହେବା ସମ୍ଭାବନା ବେଶି । କାରଣ ସେ ବିଧାୟକ ଭାବରେ ଟିକେଟ ପାଇବେ । ତେଣୁ 2029ରେ ଯଦି ବର୍ତ୍ତମାନର ବିଧାୟକ ହାରି ଯାଆନ୍ତି ତାହେଲେ ସେ ହୁଏତ 2034ରେବିଜେପି ପ୍ରାର୍ଥୀ ହେଇ ପାରନ୍ତି ।
ଦ୍ଵିତୀୟ ଶୂନ୍ୟସ୍ଥାନ ହେଲା କଂଗ୍ରେସ । କଂଗ୍ରେସର ମଧ୍ୟ ନିଜସ୍ଵ ପ୍ରାର୍ଥୀ ରହିଛନ୍ତି ଓ ରାଜ୍ୟ କଂଗ୍ରେସ ତାଙ୍କୁ ଦଳକୁ ନେଇ ବିଶେଷ ଫାଇଦା ପାଇବ ନାହିଁ ।
ଆଉ ଗୋଟିଏ ବିକଳ୍ପ ରହିଛି ସେ ବିଜେପିରେ ଯୋଗଦାନ କରି ରାଜ୍ୟ ସଭାକୁ ଯାଇ ପାରନ୍ତି । ଏଥିପାଇଁ ଜଣେ ରାଜ୍ୟସଭା ସଭ୍ୟଙ୍କୁ ବିଜେଡି / ବିଜେପିରୁ ଇସ୍ତଫା ବ୍ୟବସ୍ଥା କରିବାକୁ ହେବ । ଏହାର ସମ୍ବାବନା ଦୂରନ୍ତ ହେଲେ ବି ରାଜନୀତିରେ କିଛି ବି ହେଇପାରେ ।
ଯଦି ରାଜ୍ୟସଭାକୁ ଯାଆନ୍ତି ତାହେଲେ ବଡଚଣା ମାଟିକୁ ସେ
ଗୁଡ଼ବାୟ କରିବାକୁ ପଡିବ ।
ବଡଚଣାରେ ତାଙ୍କର ହସ୍ତକ୍ଷେପକୁ ବିଜେପି ବିଧାୟକ ଓ କର୍ମୀମାନେ ଗ୍ରହଣ କରିବେ ନାହିଁ ।
ଆଉ ଏକ ଭଲ ସମ୍ଭାବନା ହେଉଛି ସେ ବିଜେଡିରୁ ଏକ ତୃତୀୟାଂଶ ବିଧାୟକ ସାଙ୍ଗରେ ନେଇ ଗୋଟିଏ ଅଲଗା ଗୋଷ୍ଠୀ କରି ପାରନ୍ତି । କିନ୍ତୁ ଯେହେତୁ ସେ ବିଧାୟକ ନାହାଁନ୍ତି , ତେଣୁ ସେଥିରେ କୌଣସି ଲାଭ ନାହିଁ ।
କିଛି ମହଲରେ ଆଲୋଚନା ହେଉଛି ଵିଜୟ ମହାପାତ୍ରଙ୍କ ଗୋଷ୍ଠୀ ଗୋଟିଏ ନୂଆ ଦଳ ଗଠନ କରିବେ ଓ 2029ରେ ବିଜେପି ସହିତ ମେଣ୍ଟ କରି ବିଜେଡି ଜିତିଥିବା ଆସନ ଗୁଡିକରେ ପ୍ରାର୍ଥୀ ଦେବେ । କିନ୍ତୁ ବିଜେପି ଏତେ ଆସନ ଛାଡିବା ସମ୍ଭାବନା କମ । କାରଣ ସେମାନେ ଏଥର 147 ଆସନରେ ପ୍ରାର୍ଥୀ ଦେଇଥିଲେ । ତେଣୁ ସମସ୍ତ ସ୍ଥାନରେ ନୂଆ ଦଳର ପ୍ରାର୍ଥୀଙ୍କୁ କାହିଁକି ସୁଯୋଗ ଦେବେ । ଅବଶ୍ୟ କିଛି ଆସନରେ ବନ୍ଧୁତ୍ବପୂର୍ଣ ଲଢେ଼ଇ ସମ୍ଭାବନା ରହିଛି ।
କିନ୍ତୁ ଏପର୍ଯ୍ୟନ୍ତ ଵିଜୟ ମହାପାତ୍ର , ଦିଲ୍ଲୀପ ରାୟ ପ୍ରମୁଖ ନୂଆ ଦଳ ଗଠନ ବିଷୟରେ କିଛି କହି ନାହାନ୍ତି ।
ଭିତରେ ଯଦି କିଛି ଚାଲିଥିବ ଭିନ୍ନ କଥା ।
ଏହି ପୃଷ୍ଠଭୂମିରେ ମୁଁ ବଡଚଣା ରାଜନୀତିକୁ ବହୁ ଦଶନ୍ଧି ଧରି ଯାହା ନିରୀକ୍ଷଣ କରିଛି ସେଇ ଅଭିଜ୍ଞତାରୁ କିଛିଟା ଅତୀତାବଲୋକନ କରିବି ।
ପ୍ରଥମ କଥା ହେଲା ଅମର ବାବୁ ଥରଟିଏ ବି ନିଜର ହାତଗଢା ସଂଗଠନ ଆଧାରରେ ଜିତି ନାହାନ୍ତି ।
1990 ମସିହାରେ ଯେତେବେଳେ ପ୍ରଥମେ ବିଧାୟକ ହେଲେ ସେତେବେଳେ ସେ ଟିକେଟ ପାଇବା ସମ୍ଭାବନା ନ ଥିଲା । କାରଣ ବିଜେପି ରୁ ସେ ଜନତା ପାର୍ଟିକୁ ଆସିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅମର ଶତପଥୀ 1980 ମସିହାରେ ଜନତା ପାର୍ଟି ରୁ ପ୍ରଥମ ନିର୍ବାଚନ ଲଢ଼ିଥିଲେ ଓ ମାତ୍ର 3320 ଭୋଟ ପାଇଥିଲେ । କିନ୍ତୁ ସୀତାକାନ୍ତ ମହାପାତ୍ରଙ୍କ ସହ ମୁଖ୍ୟ ପ୍ରତିଦ୍ବନ୍ଦୀ ଥିଲେ ବିଜୁବାବୁଙ୍କ ସମର୍ଥିତ ଜନତା ପାର୍ଟି ଚରଣ ସିଂହ ଙ୍କ ଗୋଷ୍ଠୀର ମାନଗୋବିନ୍ଦ ସାମଲ । ସିପିଆଇ ପ୍ରାର୍ଥୀ ଦୁଃଶାସନ ଜେନା ତୃତୀୟ ସ୍ଥାନରେ ଥିଲେ । ଉଭୟ ସାମଲ ଓ ଜେନା ସେତେବେଳେ ପୂର୍ବତନ ବିଧାୟକ ।
1985ରେ କୌଣସି ଦଳରୁ ଟିକେଟ ନ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀ ହେବାକୁ ଚେଷ୍ଟା କରିଥିଲେ । ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ହେଇ ନଥିଲେ । 1985 ତାଙ୍କ ରାଜନୀତି ରେ ଏକ Turning Point ଥିଲା । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାଡି ବିଜୁବାବୁଙ୍କ ଜନତା ପାର୍ଟିକୁ ଯାଇଥିଲେ । ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ଗୋଷ୍ଠୀ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
କିନ୍ତୁ ସେତେବେଳେ ମାନଗୋବିନ୍ଦ ସାମଲ ଓ ତାଙ୍କର ପୁତ୍ରମାନେ ଦଳ ଭିତରେ ପୂରେଇ ଦେଉନଥିଲେ । ଅନ୍ୟ ଜଣେ ଯୁବନେତା ଥିଲେ ଅଜୟ ମିଶ୍ର ଓ ସେ ହେଡକ୍ୱାର୍ଟର ପଞ୍ଚାୟତ ସମେତ କିଛି ପଞ୍ଚାୟତରେ ଭଲ ସଂଗଠନ କରିଥିଲେ । ପୁଣି ବଡଚଣା ଜନତା ପାର୍ଟିର ସଭାପତି ଥିଲେ । ଆଉ ଜଣେ ବଡଚଣାର ଶିଳ୍ପପତି ଥିଲେ ଛବି ନାୟକ । ସେ ବିଜୁବାବୁଙ୍କ ଘନିଷ୍ଠ ମଧ୍ୟ ଥିଲେ ଓ ସେଇ ସମ୍ପର୍କ ଯୋଗୁଁ ଏକଦା ଭାରତର ଯୁବ ପ୍ରତିନିଧି ଭାବରେ ରୁଷିଆ, କ୍ୟୁବା ଇତ୍ୟାଦି ସମାଜବାଦୀ ଦେଶ ଭ୍ରମଣରେ ଯାଇଥିଲେ । ତେଣୁ ସେ ମଧ୍ୟ ଆଶାୟୀ ଥିଲେ ।
ଵିଜୟ ମହାପାତ୍ର ଓ ଅଶୋକ ଦାସଙ୍କ ଯୋଗୁଁ ଶେଷ ମୁହୂର୍ତ୍ତରେ ଅମର ଶତପଥୀ ଟିକେଟ ପାଇଥିଲେ । ଏକ୍ଷେତ୍ରରେ ବିଶ୍ୱନାଥ ପଣ୍ଡିତଙ୍କ( ଜନତା ପାର୍ଟି ରାଜ୍ୟ ସଭାପତି )ଙ୍କ ମଧ୍ୟ ବଡ଼ ଭୂମିକା ଥିଲା । ଅତଏବ ସେଥର ସେ ଟିକେଟ ବାଣ୍ଟି ନଥିଲେ, ଯାହା ସେ ଆଜି ମିଡ଼ିଆରେ ଦାବୀ କରିଛନ୍ତି ।
ଟିକେଟ ପାଇବା ଓ ବିଜୁବାବୁଙ୍କ ହାୱା ସତ୍ତ୍ୱେ ଅମର ବାବୁ ନିଜର ଜିତିବା ଉପରେ ସନ୍ଦିହାନ ଥିଲେ । ତେଣୁ ବିଜୁବାବୁ ତାଙ୍କ ପାଇଁ ବଡ଼ଚଣା ଦୁଇଥର ପ୍ରଚାରରେ ଆସିଥିଲେ ।
1995ରେ ବଡଚଣାରୁ ମାତ୍ର 500 ଭୋଟରେ ଜିତିଥିଲେ । 1995 ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଗୋଷ୍ଠୀ ଜନାକୀ ବାବୁଙ୍କ ସହ ମଧ୍ୟ ଭିତିରି ବୁଝାବଣା ହେବା କଥା ଜନତା ପାର୍ଟି ହାରିବା ପରେ ମିଡିଆରେ ବହୁତ ଆଲୋଚନା ହେଇଥିଲା । ସେଥର ହୁଏତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀ ଦେବା କ୍ଷେତ୍ରରେ ତାଙ୍କର ସହଯୋଗୀ ଭୂମିକା ଥାଇପାରେ । ଜନତା ପାର୍ଟି 36ଟି ଆସନରେ ଅଳ୍ପ ବ୍ୟବଧାନ ରେ ହାରିଥିଲା ।
2000 ମସିହା ବିଧାନସଭା ନିର୍ବାଚନ ବେଳେ ଵିଜୟ ମହାପାତ୍ର ନବୀନଙ୍କ ପରେ ମୁଖ୍ୟ ନେତା ଥିଲେ ଓ ସମସ୍ତଙ୍କୁ ଟିକେଟ ମଧ୍ୟ ବାଣ୍ଟୁଥିଲେ । କିନ୍ତୁ ନିଜ ଟିକେଟ ମଧ୍ୟ ସୁରକ୍ଷିତ ରଖି ପାରି ନଥିଲେ । ତେଣୁ 2000 ମସିହାରେ ପ୍ରକୃତରେ ଘାସ ତଳର ସାପ କିଏ ସେ କଥା ଯଦିଓ ବିଜୟ ମହାପାତ୍ର ସେତେବେଳେ କହିଥିଲେ, କିନ୍ତୁ ସମୟ କ୍ରମେ ବୋଧେ ଜାଣି ପାରିଥିଲେ ନବୀନଙ୍କ ନାଁ ରେ ବିଜେଡି ଦଳର ଅନ୍ୟ ପୁରୁଖା ନେତା ଏ କାର୍ଯ୍ୟଟି କରିଛନ୍ତି । କାରଣ ଵିଜୟ ମହାପାତ୍ର 1990 ମସିହାରେ ସୁପର ଚିଫ ମିନିଷ୍ଟର ଭଳି ଅଧିକାଂଶ ବିଭାଗ ସମ୍ଭାଳୁ ଥିଲେ ଓ ବିଜୁ ବାବୁ ନିଜ ଜନତା ପରିବାର ନେତାଙ୍କୁ ଦେଖି କ୍ଲାନ୍ତ ହେଇ ଯାଇଥିଲେ ।
ତେଣୁ 2000 ରେ ସେମାନେ ଵିଜୟ ମହାପାତ୍ରଙ୍କ ବିରୋଧୀ ଗୋଷ୍ଠୀ ଉପରେ ପ୍ରତିଶୋଧ ନେଲେ । ନବୀନ ବାବୁଙ୍କ ପ୍ରିୟ ସହପାଠୀ ଅନଙ୍ଗ ଉଦୟ ସିଂହ ଦେଓଙ୍କ ରାଜ୍ୟସଭା ନିର୍ବାଚନରେ ହାରିବା ଘଟଣାଟି ନବୀନ ବାବୁ ଗ୍ରହଣ କରି ପାରି ନଥିଲେ । ତେଣୁ ବିଜେଡି ଭିତରେ କିଛି “Black Sheep ” ଙ୍କୁ ଏଥିପାଇଁ ଦୋଷ ଦେଇଥିଲେ । 6 ଜଣ ବୋଧେ ସସପେଣ୍ଡ ହେଇଥିଲେ । ତେଣୁ 2000 ନିର୍ବାଚନରେ ହୁଏତ ଅମର ଶତପଥୀଙ୍କ ଟିକେଟ କାଟିବା ସମ୍ଭାବନା ଥିଲା । ଏକ୍ଷେତ୍ରରେ ଭର୍ତ୍ତୃହରୀ ମହତାବଙ୍କ ରକ୍ଷକ ଭୂମିକା ଥାଇପାରେ । କାରଣ ଅତନୁ ସବ୍ୟସାଚୀ ନାୟକ ସେତେବେଳେ ପ୍ରଜାତନ୍ତ୍ରର ସାମ୍ବାଦିକ ଥିଲେ । ତେଣୁ ବହୁତ ଗୁଡିଏ ଟିକେଟ କାଟି ରିସ୍କ ନ ନେବା ପାଇଁ ହୁଏତ ନବୀନ ବାବୁଙ୍କ ଉପଦେଷ୍ଟାମାନେ ବୁଝେଇ ଥିବେ ।
ଟିକେଟ ଧରି ଵିଜୟ ବାବୁ କେନ୍ଦ୍ରାପଡା ଚାଲିଯିବା ପରେ ସେଦିନ ସନ୍ଧ୍ୟାରେ କୌଣସି ଏକ ହୋଟେଲରେ ରାମକୃଷ୍ଣ ପଟନାୟକ ନବୀନ ବାବୁଙ୍କ ସହ ବୈଠକ କରି ଥିଲେ ବୋଲି ମିଡ଼ିଆରେ ପୂର୍ବରୁ ଆଲୋଚନା ହେଇ ସାରିଛି ।
ନିକଟରେ ଅତନୁ ସବ୍ୟସାଚୀ ନାୟକ ନିଜର ଆତ୍ମ ଜୀବନୀ ପୁସ୍ତକରେ କିଛି ହୁଏତ ସୂଚନା ଦେଇଥିବେ ।
ବିଜେଡି ଗଠନ କ୍ଷେତ୍ରରେ ଅବଶ୍ୟ ଅମର ବାବୁଙ୍କ ହାତ ଥିଲା । କିନ୍ତୁ ନବୀନ ପଟ୍ଟନାୟକ କିଛି ଦିନ ମଧ୍ୟରେ ବିଜୟ ମହାପାତ୍ର ଓଗେର ଙ୍କ ଗତିବିଧିକୁ ଲକ୍ଷ୍ୟ କରି
ଆଇଏଏସଙ୍କ ଉପରେ ନିର୍ଭରଶୀଳ ହେଇଗଲେ । ଏଠାରେ ଉଲ୍ଲେଖ କରା ଯାଇପାରେ ଯେ ବିଜୁବାବୁଙ୍କ ଆକସ୍ମିକ ମୃତ୍ୟୁକୁ ବିଜୁବାବୁଙ୍କ ନିଜ ପରିବାର ସହଜରେ ଗ୍ରହଣ କରି ପାରି ନଥିଲେ । ତେଣୁ ତାଙ୍କର ମୃତ ଶରୀରକୁ ମେଡ଼ିକାଲରୁ ଦିଲ୍ଲୀପ ରାୟଙ୍କ ଘରକୁ ନ ଆଣି ବଡ଼ ଭାଇ, ମା, ଭଉଣୀ ନିଜ ପାଖକୁ ନେବାକୁ ପ୍ରସ୍ତୁତ ହେଇଥିଲେ । ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମ କ୍ରମେ ହିଁ ସ୍ୱତନ୍ତ୍ର ବିମାନ ଯୋଗେ ବିଜୁ ବାବୁ ଓଡ଼ିଶା ଆସିଥିଲେ । ଏକଥା ଶ୍ରୀକାନ୍ତ ଜେନା ବିଭିନ୍ନ ଆଲୋଚନାରେ ସ୍ପଷ୍ଟ କରିଛନ୍ତି । ଦିଲ୍ଲୀପ ରାୟ ମଧ୍ୟ ପୂର୍ବରୁ ଏଭଳି ସୂଚନା ଦେଇଛନ୍ତି ।
କିନ୍ତୁ ସେତେବେଳେ ଓଡ଼ିଶା ଜନତା ପାର୍ଟିରେ ଶ୍ରୀକାନ୍ତ ଜେନାଙ୍କୁ ଚକ୍ରାନ୍ତ ଜେନା ବୋଲି ମିଡିଆ ପ୍ରଚାର କରି ସାରିଥିଲା ଓ ବିଜୁବାବୁ ପ୍ରଧାନମନ୍ତ୍ରୀ ହେବାକୁ ଶ୍ରୀକାନ୍ତ ଜେନା ବିରୋଧ କରିଥିଲେ ବୋଲି ଆଲୋଚନା ହେଇ ଥିଲା । ଶ୍ରୀକାନ୍ତ ଜେନା ସେ ବିଷୟରେ ନିକଟରେ ମିଡିଆ ଆଲୋଚନା କରିଛନ୍ତି ।
1990 ମସିହାରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଜାନକୀ ପଟନାୟକ ଓ ଅନ୍ୟ କଂଗ୍ରେସ ମନ୍ତ୍ରୀଙ୍କ ବିରୁଦ୍ଧରେ ଯେମିତି ଭିଜିଲାନ୍ସ କେଶ କରିଥିଲେ , ସେମିତି ଜାନକୀ ବାବୁ 1995ରେ ବିଜୁବାବୁ ଉପରେ ଦଳୀୟ ପାଣ୍ଠି ନେଇ ଭିଜିଲାନ୍ସ କେଶ କରିଥିଲେ ।
ଏହି ମୋକଦ୍ଦମା ବିଜୁବାବୁଙ୍କ ରାସ୍ତା ବନ୍ଦ କରିଥିଲା । କାରଣ ସେତେବେଳେ ଜନତା ପାର୍ଟି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲା ଯେ ଯେଉଁମାନଙ୍କ ବିରୁଦ୍ଧରେ ଆର୍ଥିକ ଅପରାଧ ମାମଲା ହେଇଥିବ ସେମାନେ ମନ୍ତ୍ରୀ ହେଇ ପାରିବେ ନାହିଁ ।
ପୁଣି ବିଜୁବାବୁ ହିଁ ଜ୍ୟୋତିବସୁ , ତାପରେ ବିଶ୍ୱନାଥ ପ୍ରତାପ ସିଂ ଓ ଶେଷରେ ଦେଵ ଗୌଡାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ଓ ଜନତା ପାର୍ଟିର ସଂସଦୀୟ ଦଳ ତାହାକୁ ସମର୍ଥନ କରିଥିଲା । ଏ ବିଷୟ ଦେଵ ଗୌଡା ତାଙ୍କର ଆତ୍ମଜୀବନୀରେ ଲେଖିଛନ୍ତି । ଏହି ଘଟଣା ହେଉଛି 1996 ର ଘଟଣା ।
ଏହି ସବୁ ଘଟଣା ନବୀନ ପଟ୍ଟନାୟକ ନିଶ୍ଚୟ ନିଜର ଦିଲ୍ଲୀ ଲବି ରୁ ଶୁଣିଥିବେ ଓ ଭୁଲି ନଥିବେ । ତେଣୁ ତାଙ୍କର ବିଜୁବାବୁଙ୍କ ବେଳେ ଦଳୀୟ ନେତାଙ୍କ ଉପରେ
ନିର୍ଭରଶୀଳତାକୁ ପରିବର୍ତ୍ତନ କରିଦେଲେ ଯେତେବେଳେ ପ୍ୟାରିବାବୁଙ୍କ ମଧ୍ୟରାତ୍ରିର ବିଫଳ ସିଂହାସନ ବିଦ୍ରୋହ ଧରା ପଡିଥିଲା ।
ସେଇ ରାତ୍ରିର ଘଟଣାରେ କେଉଁ ନେତାମାନେ ନବୀନ ନିବାସ ଯାଇଥିଲେ ଓ ପରିସ୍ଥିତିକୁ ସମ୍ଭାଳି ଥିଲେ ତାହା ମଧ୍ୟ ନବୀନ ବାବୁଙ୍କ ଗୋଇନ୍ଦା ବିଭାଗ ଖବର ଦେଇଥିବ ।
ଯଦିଓ ଅମର ବାବୁ 2004 ରେ ବିଜେଡି ଟିକେଟ କଟିବା ପରେ 2009ରେ ପୁଣି ଏନ ସି ପି ମାଧ୍ୟମରେ ଟିକେଟ ପାଇଥିଲେ ତାହା ଥିଲା ନବୀନ ପଟ୍ଟନାୟକଙ୍କ ରାଜନୈତିକ ବାଧ୍ୟବାଧକତା । କାରଣ ବିଜେପି – ବିଜେଡି ମେଣ୍ଟ ଭାଙ୍ଗିବା ପରେ ଏକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି ହେଇଥିଲା । ସରକାର ରହିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା । ଏନ ସି ପି ନେତା ଶରଦ ପାୱାରଙ୍କ ହସ୍ତକ୍ଷେପ ଯୋଗୁଁ କଂଗ୍ରେସ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରି ନ ଥିଲେ । ବିଜେପି-କଂଗ୍ରେସ ସରକାର ଗଠନ ସମ୍ଭାବନା ମଧ୍ୟ ଥିଲା । କିନ୍ତୁ ଫୁଲବାଣୀ ସମ୍ପ୍ରଦାୟିକ ଦଙ୍ଗା ଓ ଗ୍ରାହମ ଷ୍ଟେନସ ଓ ଦୁଇ ନାବାଳକ ପୁତ୍ରକୁ ଦାରାସିଂ ଦ୍ୱାରା ପୋଡି ମାରିବା ଘଟଣା ଯୋଗୁଁ କଂଗ୍ରେସ ଏଭଳି ରିସ୍କ ନେଇ ନଥିଲା ।
2004 ରୁ 2009 ପର୍ଯ୍ୟନ୍ତ ଅମର ବାବୁ ବଡଚଣା ରାଜନୀତିରେ ଅଲୋଡ଼ା ହେଇ ଯାଇଥିଲେ । ଗୌତମ ରାୟ ହାରିବା ସତ୍ତ୍ୱେ ବଡ଼ଚଣା ବିଜେଡିର ମଙ୍ଗୁଆଳ ଥିଲେ ।ଅମର ବାବୁଙ୍କ ସମସ୍ତ ଲେଫ୍ଟନାଣ୍ଟମାନେ ଗୌତମ ରାୟଙ୍କ ଆଡେ ଚାଲି ଯାଇଥିଲେ ।
ଏହି ସମୟରେ ଅମର ବାବୁ ଓଡ଼ିଶା ଗଣପରିଷଦ, ଏନ ସି ପି ସହ ଥିଲେ ବି ବଡଚଣାରେ କେତେକ ଶୁଭେଚ୍ଛୁ ଙ୍କୁ ଛାଡିଲେ ଆଉ କେହି ତାଙ୍କ ସହ ନ ଥିଲେ । ତେଣୁ ଏନ ସି ପି ରୁ 2009ରେ ଜିତିବା ସତ୍ତ୍ୱେ ପଞ୍ଚାୟତ ରାଜନୀତିରେ ବିଜେଡି ହିଁ ମୂଳଶକ୍ତି ଥିଲା ।
2014 ନିର୍ବାଚନ ବେଳକୁ ସେ ବିଜେଡିକୁ ଆସି ଗଲେଣି । କିନ୍ତୁ ଯେଉଁଭଳି ଭାବରେ ଵିଜୟ ମହାପାତ୍ରଙ୍କୁ ଏନ ସି ପି ରୁ ହଟେଇ ଉତ୍କଳ ପରିଡ଼ା ରାଜ୍ୟ ସଭାପତି ହେଲେ ଓ 2014 ରେ ମଧ୍ୟ ବିଜୟ ମହାପାତ୍ର ହାରିଲେ ତାହା ନିଶ୍ଚିତ ଭାବରେ ଵିଜୟ ମହାପାତ୍ରଙ୍କୁ ଆଘାତ ଦେଇଥିବ ଓ ଅମର ଶତପଥୀଙ୍କ ପ୍ରତି ତାଙ୍କର ଧାରଣା ବଦଳି ଯାଇଥିବ । ଯଦିଓ ଵିଜୟ ମହାପାତ୍ର କେବେ ତାଙ୍କର ମନର ଭାବନା ସିଧାସଳଖ କହି ନାହାନ୍ତି ।
2019 ନିର୍ବାଚନରେ ଅମର ବାବୁ ବିଜେପି ପ୍ରାର୍ଥୀ ଠାରୁ ହାରୁ ହାରୁ ଜିତିଥିଲେ । 2019 ନିର୍ବାଚନ ପୂର୍ଵ ସୂଚନା ଦେଇ ସାରିଥିଲା ଯେ ଅମର ନାୟକ ଭବିଷ୍ୟତରେ ନିଶ୍ଚିତ ଜିତିବେ । ଏହାକୁ ଯଦି ଅମର ବାବୁ ଅନୁଶୀଳନ କରିଥାନ୍ତେ ତାହେଲେ ଏଥର ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥାନ୍ତେ ।
ପ୍ରୋକ୍ତ ନିର୍ବାଚନଗୁଡିକୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ଯେ ଅମର ବାବୁ 6 ଥର ଜିତିଲେ ମଧ୍ୟ ପ୍ରତ୍ୟେକ ଥର ଜିତିବା ପରେ ତାଙ୍କର ଲେଫ୍ଟନାଣ୍ଟମାନେ ବିରୋଧୀ ହେଇ ଚାଲିଥିଲେ । ସୁଦୂର 1990 ରେ ସେହି ପ୍ରକ୍ରିୟା ଆରମ୍ଭ ହେଇଥିଲା । ବିଜୁବାବୁଙ୍କ ବେଳେ କଟକ ମଦ ମୃତ୍ୟୁଘଟଣା ଓ ଜଷ୍ଟିସ ବେହେରା କମିଶନ ରିପୋର୍ଟରେ ଵିଜୟ ମହାପାତ୍ର, ଦେବୀ ରାୟ ପ୍ରମୁଖଙ୍କ ସହ ତାଙ୍କ ନାଁ ଯୋଡ଼ି ହେଇଥିଲା । ବଡଚଣାରେ ପୋଷ୍ଟର ମଧ୍ୟ ଲାଗିଥିଲା । 1995 ନିର୍ବାଚନ ବେଳେ ଏହି ପ୍ରଚାର ହେଇଥିଲା ।
ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳୀରୁ ବହିଷ୍କାର ଘଟଣା ସହ ବିହନ ଦୁର୍ନୀତିକୁ ଯଦିଓ ଭିଜିଲାନ୍ସ କମିଶନ ମିଥ୍ୟା କହି ଥିଲା, କିନ୍ତୁ ଅମର ଶତପଥୀଙ୍କ କିଛି ନିକଟ ଲେଫ୍ଟନାଣ୍ଟ ତାଙ୍କ ବିରୁଦ୍ଧରେ ବେଶି ପ୍ରଚାର କରିଥିଲେ । ଏହି ଗୋଷ୍ଠୀ ବଡଚଣା ବିଜୁ ପରିବାର ସହିତ ବହୁ ବର୍ଷ ଧରି ଥିଲେ ।
1999 ମହାବାତ୍ୟା ପରେ ବଡଚଣା ଇନ୍ଦିରା ଆବାସ ଦୁର୍ନୀତି ଶୀର୍ଷକରେ ସମ୍ବାଦ ଖବର କାଗଜ ସମ୍ପାଦକୀୟ ପ୍ରଥମ ପୃଷ୍ଠାରେ ଲେଖିଥିଲା । ଏହାକୁ ରାଜ୍ୟ ସରକାର ମଧ୍ୟ ତଦନ୍ତ କରୁଥିଲେ । ଯଦିଓ ବ୍ୟକ୍ତିଗତ ଭାବରେ ସେ ଏଥିରେ ସମ୍ପୃକ୍ତ ନ ଥିଲେ , କିନ୍ତୁ ସେ ରୋକି ନ ଥିଲେ । ନେତା ଭାବରେ ସେ ନିଶ୍ଚିତ ଦାୟୀ ରହିବେ ଯେମିତି ସବୁ କଥା ପାଇଁ ସେ ନବୀନ ପଟ୍ଟନାୟକ ଙ୍କୁ ଦାୟୀ କରୁଛନ୍ତି ।
ଅମର ବାବୁ ମିଡିଆ ଆଲୋଚନା ରେ କହିଛନ୍ତି ସେ ପାଣ୍ଡିଆନ ବା ବବି ଦାସଙ୍କୁ ନେତା କରି ନ ଥିଲେ ବା ସ୍ୱୀକାର କରୁ ନ ଥିଲେ ।
ଏହା ଯଦି ସତ୍ୟ ତାହେଲେ ପାଣ୍ଡିଆନ ଓ ବବି ଦାସଙ୍କୁ ବାରମ୍ବାର ବଡଚଣା ନିମନ୍ତ୍ରଣ କରିବା ଦରକାର କଣ ଥିଲା ? ଶେଷ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଯାଇ ଟିକେଟ ଆଶାୟୀ ହେବା ଦରକାର କଣ ଥିଲା ? ବଡ଼ଚଣାବାସୀ ଜାଣନ୍ତି ବବି ଦାସ ସବୁବେଳେ ତାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲେ ।
ଦୀର୍ଘ ଅଭିଜ୍ଞତା ଥାଇ ମଧ୍ୟ ଅମର ଶତପଥୀ କଣ ଜାଣୁ ନ ଥିଲେ କି ସେ ହେଉଛନ୍ତି ବଡଚଣା ରାଜନୀତିରେ ଅସ୍ତମିତ ସୂର୍ଯ୍ୟ ? ବିଗତ ପଞ୍ଚାୟତ ନିର୍ବାଚନରେ ଯେତେବେଳେ ବଡ଼ଚଣାରେ ସ୍ଲୋଗାନ ଉଠିଲା
” ଅମର ହଟାଓ” ସେତେବେଳେ ସେ ବୁଝିନେବା ଉଚିତ ଥିଲା । ବିଜେଡି , ବିଜେପି ଓ କଂଗ୍ରେସ ପକ୍ଷରୁ ଅମର ହଟାଓ ସ୍ଲୋଗାନ ଅମର ଶତପଥୀ ଓ ଅମର ନାୟକଙ୍କ ପ୍ରତି ଅଭିପ୍ରେତ ଥିଲା । ଅମର ନାୟକ ଅଳ୍ପ ଭୋଟରେ ହାରିଥିବା ହେତୁ ଟିକେଟ ପାଇଗଲେ , କିନ୍ତୁ ଅମର ଶତପଥୀ ଯେ ଟିକେଟ ପାଇବେ ନାହିଁ ଏକଥା ଜାଣି ମଧ୍ୟ ଭିନ୍ନ ପନ୍ଥାରେ ଟିକେଟ କିଣିବା ଉଦ୍ୟମ କରୁଥିଲେ ।
ତାଙ୍କ ଭଳି ଜଣେ ବରିଷ୍ଠ ରାଜନେତା ଙ୍କ ଠାରୁ ଏଭଳି ଆଶା ତାଙ୍କର ଶୁଭକାଂକ୍ଷୀମାନେ କରୁ ନଥିଲେ ।
ଟିକେଟ ପାଇଥିଲେ ମଧ୍ୟ ବହୁ ଭୋଟରେ ହାରିଥାନ୍ତେ । ଅନ୍ୟ ପକ୍ଷରେ ଟିକେଟ କାଟିବା ପରେ ଦଳୀୟ ପ୍ରାର୍ଥୀ ବିରୁଦ୍ଧରେ ଖୋଲାଖୋଲି କାର୍ଯ୍ୟ କରିବା ରାଜନୈତିକ ଅସାଧୁତାର ନିକୃଷ୍ଟ ପ୍ରମାଣ । ବିଶେଷ କରି ଜଣେ ମହିଳା ପ୍ରାର୍ଥୀଙ୍କ ଚରିତ୍ର ସଂହାର କରିବା ଓ ପାଣ୍ଡିଆନଙ୍କ ସହ ସମ୍ପର୍କ କଣ ବୋଲି ମିଡ଼ିଆରେ ପ୍ରଶ୍ନ କରିବା ସର୍ବାଦୌ ବର୍ଜନୀୟ । ଜଣେ ଯେତେବେଳେ ଅନ୍ୟକୁ ଗୋଟିଏ ଆଙ୍ଗୁଠି ଦେଖାଏ, ଚାରୋଟି ଆଙ୍ଗୁଠି ନିଜ ଆଡକୁ ଆସିଯାଏ ।
ବର୍ତ୍ତମାନ ବି ସମୟ ଅଛି । ସକ୍ରିୟ ରାଜନୀତିରୁ ଓହରି ଯାଇ ବରଂ ବିଭିନ୍ନ ସାମାଜିକ କାର୍ଯ୍ୟ, ଇତିହାସ ଲିଖନରେ ସମୟ ଦିଅନ୍ତୁ । ଯଦି ବିଜେପିକୁ ଯିବେ ଓ 2029ରେ ପୁଣି ବିଧାୟକ ହେବେ ଭାବୁଥିବେ , ତାହେଲେ ଆହୁରି ଅଧିକ ଭୁଲ କରିବେ । ତାଙ୍କୁ 2034କୁ ଅପେକ୍ଷା କରିବାକୁ ପଡ଼ିବ । ସେତେବେଳେ ତାଙ୍କର ସମସ୍ତ ସମକାଳୀନ ନେତା ଅନ୍ତରୀକ୍ଷରେ ଧ୍ରୁବ ତାରା ହେଇ ସାରିଥିବେ ।