ବାହାନାଗା ଦୁର୍ଘଟଣା : ଶବ ପାହାଡ଼, ବଞ୍ଚିବାର ଚିତ୍କାର ଓ ୩ଟି ଅନୋଲୋଚିତ ଦିଗ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାରେ ରେଳ ଦୁର୍ଘଟଣାକୁ ଇତି ମଧ୍ୟରେ 5 ଦିନ ବିତିଗଲାଣି। ଏହା ମଧ୍ୟରେ କାହାର ପରିବାର ଉଜୁଡିଯାଇଛି ତ କାହାରି ଖୋଜ ଖବର ମିଳୁନି। କିଏ ଜୀବନ ବଞ୍ଚାଇବାକୁ ଏବେ ବି ସଂଘର୍ଷ କରୁଛି ତ କିଏ ସାହାର ଖୋଜୁଛି। ଏସବୁ ମଧ୍ୟରେ 3ଟି ପ୍ରସଙ୍ଗ ସମ୍ବେଦନଶୀଳ ବ୍ୟକ୍ତିମାନେ ବହୁତ ସମାଲୋଚନା କରିଛନ୍ତି। ଏହି 3ଟି ପ୍ରସଙ୍ଗ ହେଉଛି- ଦୁର୍ଘଟଣା ପରଦିନ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ଭୁବନେଶ୍ୱର-ସିଙ୍ଗାପୁର ବିମାନ ଉଡାଣର ବିଜ୍ଞାପନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ ହସ ଫଟୋ।ସେହି ଦିନ ତାହାକୁ ଭିତର ପୃଷ୍ଠାରେ ଦିଆଯାଇପାରି ଥାନ୍ତା। ମାତ୍ର ଚିରାଚରିତ ଭାବେ ବିଜ୍ଞାପନ ବିଭାଗ ଆଗରେ ବାର୍ତ୍ତା ବିଭାଗ ହାରିଗଲା।

ଦ୍ୱିତୀୟତଃ ସେହି ସିଙ୍ଗାପୁର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କିଛି ଜନ ପ୍ରତିନିଧଙ୍କ ଗସ୍ତ। ସ୍ଥାନୀୟ ଗଣମାଧ୍ୟମ ଆଧାରରେ ଏହା ଜଣାପଡିଛି ଯେ, ବିଧାୟକ ପର୍ଶୁରାମ ଧଡା, କଟକ ମେୟର ସୁବାସ ସିଂ ଏବଂ ବିଏମସି ମେୟର ସୁଲୋଚନା ଦାସ ସିଙ୍ଗାପୁର ଗସ୍ତ କରିଛନ୍ତି। ପର୍ଶୁରାମ ଧଡା ସୋରର ପ୍ରତିନିଧି। ସେହିପରି ଶ୍ରୀ ସିଂ ଏବଂ ଶ୍ରୀମତା ଦାସ ଯଥାକ୍ରମେ କଟକ ଓ ଭୁବନେଶ୍ୱରର ମେୟର। ଘଟଣା ଘଟିବା ପରେ ଆହତ ମାନେ କଟକ ଏସସିବି, ରାଜଧାନୀର ଏମ୍ସ, କ୍ୟାପିଟାଲ ହସ୍ପିଟାଲ, ଆପୋଲ, ଆମ୍ରି, ସମ୍, ଅଲ୍ଟିମେଟମ ଆଦିରେ ଚିକିତ୍ସିତ ହୋଉଛନ୍ତି। ମାତ୍ର ଏହି ଦୁଇ ସହରର ପ୍ରଥମ ନାଗରିକଙ୍କ ଅନୁପସ୍ଥିତିକୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଇଛି।

ତୃତୀୟତଃ ଆହତ ଲୋକଙ୍କୁ ବଞ୍ଚାଇବା, ମୃତକଙ୍କୁ ସେମାନଙ୍କ ପରିବାରକୁ ଦେବା କାମ ଚାଲିଥିବା ସମୟରେ ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ପ୍ରଦାନ କରାଯାଇଛି। ସହାୟକ ଷ୍ଟେସନ ମାଷ୍ଟରଙ୍କନାଁ ମହମ୍ମଦ ସରିଫ ବୋଲି ଅପ ପ୍ରଚାର କରାଯାଇଛି। ଲୋକ ପାଇଲଟ୍ ବଞ୍ଚିଥିବା ବେଳେ ତାହାକୁ ମୃତକ ବୋଲି ଫେସବୁକ୍ ପୋଷ୍ଟ କରାଯାଇଛି। ସେହି ଆକାଉଣ୍ଟରେ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରାଯାଇଛି। ଆକାଉଣ୍ଟ ବ୍ୟବହାରକାରୀଙ୍କ ନାଁ ବିଜୟ ବିଜୟ ପାଢୀ(ଭୁବନେଶ୍ୱର ରହିଛି)। ଏହି ପ୍ରୋଫାଇଲ ପିକରେ ଜଣେ ମହିଳା ଏବଂ କଭର ଫଟୋରେ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରପତି ମହୋଦୟାଙ୍କ ଫଟୋ ରହିଛି। ସେ ଭାଜପା ଯୁବମୋର୍ଚ୍ଚା ସଭାପତି ଚାନ୍ଦବାଲି ବୋଲି ଉଲ୍ଲେଖ କରାଯାଇଛି। ଏହି ମିଛ ପ୍ରଚାରରେ ଲାଗିଥିବା ରାଜନୈତିକ କର୍ମୀ ସମାଜ ପାଇଁ କ୍ଷତିକାରକ ବୋଲି ଅନେକ ଟୁଇଟର ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ମତ ରଖିଛନ୍ତି।