ବାଲାଂଦେଶର ଛାତ୍ରଶକ୍ତିର ଅଭ୍ୟୁଦୟ, ସେବେ -ଏବେ -ଏକ ଆଲୋଚନା

ନୂଆଦିଲ୍ଲୀ :*(ବିଜୟ ସାହୁ) ବଙ୍ଗଳାଦେଶ ବେଗମ ରୋକେୟା ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ର ଆବୁ ସୈୟେଦ । ଇଂରାଜୀ ବିଭାଗର ଅନେକ ମେଧାବୃତ୍ତି ପ୍ରାପ୍ତ ଛାତ୍ର । ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ନାରୀବାଦୀ ଲେଖକ ଓ ସାମାଜିକ କର୍ମୀ ବେଗମ ରୋକେୟାଙ୍କ ନାମରେ ନାମିତ । ଏହି ସରକାରୀ ଗବେଷଣା ବିଶ୍ୱବିଦ୍ୟାଳୟ ରଙ୍ଗପୁର ବିଶ୍ୱବିଦ୍ୟାଳୟ ନାମରେ ନାମିତ ଥିଲା । ପରେ ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ହେଇଥିଲା । ଆବୁ ସୈୟେଦ ୨୦୨୪, ୧୬ଜୁଲାଇରେ ସଂରକ୍ଷଣ ସଂସ୍କାର ଆନ୍ଦୋଳନରେ ଯୋଗ ଦେବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟ କରିଥିଲେ । ପୋଷ୍ଟଟି ଥିଲା ୧୯୬୯ପାକିସ୍ତାନ ବିରୋଧୀ ଗଣ ଆନ୍ଦୋଳନରେ ସହୀଦ ହେଇଥିବା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସ୍ମୃତିରେ । ୧୯୬୯ରେ ପୂର୍ବ ପାକିସ୍ତାନର ମୁକ୍ତି ଆନ୍ଦୋଳନ ପ୍ରାକ କାଳରେ ଯେଉଁ ଆନ୍ଦୋଳନ ଆରମ୍ଭ ହେଇ ୧୯୭୧ରେ ସ୍ୱତନ୍ତ୍ର ବଙ୍ଗଳାଦେଶ ରାଷ୍ଟ୍ର ପ୍ରତିଷ୍ଠା ହେଲା , ସେଇ ଆନ୍ଦୋଳନରେ ସାମିଲ ହେବାକୁ ଯାଇଥିଲେ ରାଜଶାହି ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ପ୍ରୋକ୍ଟର ଶ୍ୟାମସୁଜ୍ଜୋହ । ୧୯୬୮ରେ ଆୟୁବ ଖାଁ ଙ୍କ ପାକିସ୍ତାନ ଆୱାମୀ ଲିଗ ନେତା ମୁଜିବୁର ରହମନ ଓ ୩୪ ଜଣଙ୍କ ବିରୁଦ୍ଧରେ ରାଷ୍ଟ୍ରଦ୍ରୋହ ଅପରାଧ ରୁଜ୍ଜୁ କରିଥିଲେ । ଏହା ଅଗରତାଲା ଷଢ଼ଯନ୍ତ୍ର ମାମଲା ଭାବରେ ପରିଚିତ । ସେତେବେଳେ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲାରେ ମୁଜିବୁର ରହମାନଙ୍କ ଆୱାମୀ ଲିଗ ଭାରତର ସାମରିକ ଅଧିକାରୀଙ୍କ ସହ ମନ୍ତ୍ରଣା କରି ପାକିସ୍ତାନ ବିରୁଦ୍ଧରେ ଷଢ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରି ଏହି ମାମଲା ରାଷ୍ଟ୍ର ବନାମ ମୁଜିବୁର ଏଣ୍ଡ ଅନ୍ୟମାନେ ଭାବରେ ରୁଜ୍ଜୁ ହେଇଥିଲା । ଗିରଫ ହେଇ ହାଜତରେ ଥିବା ସରଜେଣ୍ଟ ଜହୁରୂଲ ହକ ହତ୍ୟା ହେଇଥିଲେ । ଏହି ଘଟଣା ୧୯୬୮ ଫେବୃଆରୀ ୧୭ତାରିଖରେ ଘଟିଥିଲା । ପାକିସ୍ତାନ ନାତୋର-ରାଜସାହି ଜାତୀୟ ରାଜପଥରେ ୧୪୪ ଧାରା ଜାରୀ କଲା । ବିଶ୍ୱବିଦ୍ୟାଳୟ ଛାତ୍ରମାନେ ୧୪୪ ଭଙ୍ଗ କରି ରାଜପଥକୁ ଅବରୋଧ କଲେ । ପ୍ରଫେସର ସୁଜ୍ଜୋହ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରୁଥିବା ବେଳେ ପୋଲିସ ଆଖି ବୁଜା ଗୁଳି ଚାଳନା କଲା ।ପ୍ରଫେସର ନିଜର ଛାତିକୁ ଦେଖାଇ ଛାତ୍ର ମାନଙ୍କ ସାମ୍ନାରେ ଠିଆ ହେଇଗଲେ । ସେଠାରେ ପୋଲିସ ଗୁଳିରେ ସେ ଟଳି ପଡ଼ିଥିଲେ । ଏହି ଘଟଣା ହିଁ ସ୍ଫୁଲିଙ୍ଗ ଭଳି ବ୍ୟାପୀ ମୁକ୍ତି ଆନ୍ଦୋଳନ ଜୋର ହେଇଥିଲା ଓ ୧୯୭୧ରେ ପୂର୍ଵ ବଙ୍ଗ ସ୍ୱତନ୍ତ୍ର ରାଷ୍ଟ୍ର ହେଇଥିଲା । ସହୀଦ ପ୍ରଫେସର ସୁଜ୍ଜୋହଙ୍କୁ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ କବର ଦିଆ ଯାଇଥିଲା । ତାଙ୍କର ସ୍ମୃତି ଫଳକ ରେ ଲେଖା ଯାଇଛି ” ସ୍ଫୁଲିଙ୍ଗ ” ୨୦୨୪ ଜୁଲାଇ ୧୬ରେ ଆବୁ ସୈୟେଦ ନିଜର ସାମାଜିକ ମାଧ୍ୟମରେ ଲେଖିଥିଲେ – ସାର , ଏଇ ମୁହୂର୍ତ୍ତରେ ଆପଣ ଭୀଷଣ ପ୍ରୟୋଜନ । ଆପଣଙ୍କର ସମସାମୟିକ ଯେଉଁମାନେ ଥିଲେ ସେମାନେ ସମସ୍ତେ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଆପଣ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଅମର । ଏଇ ପ୍ରଜନ୍ମର ଯେଉଁମାନେ ଅଛନ୍ତି , ଯେତେ ଦିନ ବଞ୍ଚି ରହିଛନ୍ତି ,ସେମାନେ ମେରୁଦଣ୍ଡ ସିଧା କରି ବଞ୍ଚି ରୁହନ୍ତୁ । ନ୍ୟାୟ ଦାବୀକୁ ସମର୍ଥନ କରନ୍ତୁ, ରାସ୍ତାକୁ ଓହ୍ଲାଇ ଆସନ୍ତୁ ,ଶିକ୍ଷାର୍ଥୀ ମାନଙ୍କର ଢାଲ ଭାବରେ ଠିଆ ହୁଅନ୍ତୁ । ପ୍ରକୃତ ଶ୍ରଦ୍ଧା ଓ ସମ୍ମାନ ପାଇବେ । ଆଜନ୍ମ ବଞ୍ଚି ରହିବେ ଶ୍ୟାମସୁଜ୍ଜୋହ ହେଇ ।”ବେଶ ଏହି ମେଧାବୀ ଛାତ୍ର ପୋଲିସ ଗୁଳିରେ ଟଳି ପଡ଼ିଥିଲେ । ଏକ ପ୍ରତୀକ ହେଇଗଲେ ।


DAILY STAR ସମ୍ପାଦକ 18 ଜୁଲାଇ ରେ ଲେଖିଥିଲେ – Why was Abu Sayed of Begum Rokeya University shot down by police ? He was standing alone , totally unarmed ,with arms streching out ,holding no arms but a stick .Nor he was engaged in any violent activities . …. Yet police shot him in cold blood . ବୈଷମ୍ୟ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ ଆଉ ଜଣେ ଛାତ୍ରୀ । ସେ ଘୋଷଣା କରିଥିଲେ ” ଆଜି ଯଦି ସହୀଦ ହେଇଯାଏ ତାର ନୀଥର ଶରୀର କୁ ରାଜପଥରେ ଛାଡି ଯିବେ ।ଛାତ୍ରଛାତ୍ରୀ ମାନେ ଯେତେବେଳେ ବିଜୟୀ ଶୋଭାଯାତ୍ରା କରି ଫେରିବେ ସେତେବେଳେ ମୋତେ ମଧ୍ୟ ବିଜୟିନୀ ଘୋଷଣା କରି କବର ଦେବେ । ଜଣେ ପରାଜିତାର ଶବ ତାର ବାପ-ମା ଗ୍ରହଣ କରିବେ ନାହିଁ ।” ଚଟଗ୍ରାମ ଓମାର ଗନୀ ଏମ ଇ ଏସ କଲେଜର ଛାତ୍ର ଫର୍ମଲ ଅହମ୍ମଦ ଶାନ୍ତ ,ଚଟଗ୍ରାମ କଲେଜର ଛାତ୍ର ଓୟାସିମ ଆକରମ , ବଙ୍ଗଳାଦେଶ ପ୍ରଫେସନାଲ ବିଶ୍ୱ ବିଦ୍ୟାଳୟ ର ମୀର ମୁସ୍କ , ମାଦାରୀପୁର ସରକାରୀ କଲେଜର ଦୀପ୍ତ ଦେ, ଶିହଲଟର ଶାହାଜାଲାଲ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ଛାତ୍ର ରୁଦ୍ର ସେନ, ମାନାରାତ ଇଣ୍ଟର ନେସନାଲ ବିଶ୍ୱବିଦ୍ୟାଳୟ ଛାତ୍ର ସକିଲ ପରଭେଜଙ୍କ ସମେତ ଅନେକ ଛାତ୍ର ବୈଷମ୍ୟ ବିରୋଧୀ ଆନ୍ଦୋଳନରେ ସେଦିନ ସହିଦ ହେଲେ । ୧୯୫୨ ମସିହାର ଐତିହାସିକ ଭାଷା ଆନ୍ଦୋଳନରେ ସହୀଦ ରଫିକ-ସଲାମ-ଜବବାରଙ୍କ ଭଳି ଏମାନେ ମଧ୍ୟ ବଙ୍ଗଳାଦେଶ ଓ ପୃଥ୍ୱୀର ସଂଗ୍ରାମ ଇତିହାସରେ ଗୋଟିଏ ଗୋଟିଏ ପ୍ରେରଣା ର ସ୍ଫୁଲିଙ୍ଗ ହେଇ ରହିଯିବେ । ଛାତ୍ର ମାନଙ୍କ ସହ ଏହି ଆନ୍ଦୋଳନରେ ସମାନ ଭାବରେ ହଜାର ହଜାର ଛାତ୍ରୀ ସାମିଲ ହେଇଛନ୍ତି। ପୋଲିସ ଓ କଲେଜ କର୍ତ୍ତୃପକ୍ଷ ଯେତେବେଳେ କଲେଜ ଫାଟକ ବନ୍ଦ କରିଛନ୍ତି, ସେତେବେଳେ ମଧ୍ୟ ଛାତ୍ରୀମାନେ ପାଚେରୀ ଡେଇଁ ଆନ୍ଦୋଳନ ରେ ସାମିଲ ହେଉଛନ୍ତି । ବଙ୍ଗଳାଦେଶର ପ୍ରତିକ୍ରିୟାଶୀଳ ଶକ୍ତି ସେମାନଙ୍କୁ ହିଜାବ ଓ ବୁର୍ଖାର ଆବରଣ ମଧ୍ୟରେ ରଖିବାକୁ ଚାହିଁଥିଲେ ।କିନ୍ତୁ ସେମାନେ ପଛଘୁଞ୍ଚା ଦେଲେ ନାହିଁ । ଛାତ୍ରୀ ହଜାର ହଜାର ସଂଖ୍ୟାରେ ମଧ୍ୟ ରାତ୍ରିରେ ଶୋଭାଯାତ୍ରା କରି ସ୍ଲୋଗାନ ର ନେତୃତ୍ୱ ନେଉଥିଲେ । ଆପୋଷ ନା ସଂଗ୍ରାମ ? ସଂଗ୍ରାମ ସଂଗ୍ରାମ । ଦଲାଲି ନା ରାଜପଥ ?ରାଜପଥ ରାଜପଥ !
ଅଭିଭାବକମାନେ ମଧ୍ୟ ବୀରତ୍ୱ ପ୍ରଦର୍ଶନ କରିବାରେ ପଛେଇ ନାହାନ୍ତି । କିଏ ପଛରେ ଠିଆ ହେଇ କିଏ ସମ୍ମୁଖରେ ଠିଆ ହେଇ ଆନ୍ଦୋଳନକୁ ପ୍ରେରଣା ଦେଇଛନ୍ତି ।ଅନେକ ରୋଷେଇ କରି ଖାଦ୍ୟ ଯୋଗାଇ ଛନ୍ତି, ପାଣି ଯୋଗାଇ ଛନ୍ତି । ଜଣେ ଛାତ୍ରୀ ଲେଖିଛନ୍ତି – ” ଆମ୍ମୁକୁ ଧମକ ଦେଇ ଆବ୍ବୁ କହିଲେ, ରାସ୍ତାକୁ ଯେଉଁମାନେ ଓହ୍ଲେଇଛନ୍ତି ସେମାନେ କାହାରି ନା କାହାରି ସନ୍ତାନ, କଲିଜାର ଟୁକୁରା । ସମସ୍ତେ ଯଦି ଘରେ ବସି ଯିବେ ଛାତ୍ରଶକ୍ତି ତିଷ୍ଠିବ କିପରି ?
ଏହା ପରେ ମୋତେ ନିଦରୁ ଉଠେଇ କହିଲେ, ଏଗାରଟା ବାଜି ଗଲାଣି, ଏଥର ବାହାରି ଯା । ଘରକୁ ଫେରିବା ପରେ କପାଳରୁ ପତାକାଟି ଖୋଲିବାକୁ ଯାଉଛି ଆବ୍ବୁ କହିଲେ, ତୋ ଆମ୍ମୁ ଆଗରେ ଯାଇ ଖୋଲ ! ଏହି ଆନ୍ଦୋଳନ ପଛରେ ସବୁସ୍ତରର ଜନତା ଠିଆ ହେଇଛନ୍ତି । ବିଶେଷକରି ଶ୍ରମଜୀବୀ ମଣିଷ । ରିକ୍ସା ଚାଳକ ରିକ୍ସା ଧରି ଶୋଭାଯାତ୍ରା କରିଛନ୍ତି । ଆହତମାନଙ୍କୁ ବିନା ପାରିଶ୍ରମିକ ଡାକ୍ତର ଖାନାରେ ପହଞ୍ଚାଇଛନ୍ତି । ଫଳ ଦୋକାନୀ ଛାତ୍ରଛାତ୍ରୀଙ୍କ ହାତରେ ଫଳ ଧରେଇଛନ୍ତି, ଛୋଟ ଦୋକାନୀ ପାଣି ବୋତଲ ଦେଇଛନ୍ତି । ଛୋଟ ଛୋଟ ପିଲାମାନେ ପାଣି ବୋତଲ, ଜାର ଭର୍ତ୍ତି କରି ଆଣିଛନ୍ତି ନିଜର ଭାଇ ଭଉଣୀଙ୍କ ପାଇଁ । ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା , ଜାତୀୟ ସ୍ତରର ଶିଳ୍ପୀ ଗୋଷ୍ଠୀ ଆନ୍ଦୋଳନକୁ ସଂହତି ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲେଇ ଛନ୍ତି ।
ଏହି ଆନ୍ଦୋଳନର ସଠିକ ମୃତ୍ୟୁ ପରିସଂଖ୍ୟାନ ନାହିଁ । କେହି କହୁଛନ୍ତି ୨୧୦ ଜଣ, କେହି କହୁଛନ୍ତି ୩୦୦ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ମୃତ୍ୟୁ ସଂଖ୍ୟା ବହୁତ ବେଶି । ଆହତଙ୍କ ସଂଖ୍ୟା ୨୦ ହଜାର ପରେ । ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନର ପ୍ରଥମ ଦିନ ମୃତ୍ୟୁ ସଂଖ୍ୟା 100 । ପୋଲିସ ଗୁଳିରେ୪ ଜଣ ସାମ୍ବାଦିକ ମୃତ୍ୟୁ ବରଣ କରିଛନ୍ତି । ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଶହ ଶହ ସଂଖ୍ୟାରେ ମିଥ୍ୟା ମୋକଦ୍ଦମା ରୁଜ୍ଜୁ ହେଇଛି । ହଜାର ହଜାର ମଣିଷ ଗିରଫ ହେଇଛନ୍ତି ।
ଆନ୍ଦୋଳନରୁ ଜନ୍ମ ନେଇଛି ଅନେକ ସଂଗ୍ରାମୀ ସଙ୍ଗୀତ , କବିତା । ଏହି ସଙ୍ଗୀତ , କବିତା ଭବିଷ୍ୟତର ସଂଗ୍ରାମ କୁ ପ୍ରେରଣା ଦେବ, ମଣିଷ ମନରେ ସ୍ଫୁରଣ ସୃଷ୍ଟି କରିବ । ଏଭଳି ଏକ ସଙ୍ଗୀତ ହେଉଛି – “ଆୟ ତାରୁଣ୍ୟ ଆୟ /ଆୟ ଅଗ୍ନିଗିରିର ଲାଭାର ମତୋ ଉଜ୍ଜୀବିତ ହଇ/ ଦୁଃଖ ଶୋକେର ମାଝେ ଚିର ଉଜ୍ଜୀବିତ ରଇ /ଦୁକୁଲ ଭାଙ୍ଗା ଝଡ଼ର ମତୋ ନୃତ୍ୟ ତୁଲେ ପାୟ/ ଆୟ ତାରୁଣ୍ୟ ଆୟ ।” ଆୱାମୀ ଲିଗ ର ସଂସଦୀୟ ବିରୋଧୀ ଦଳ ବି ଏନ ପି ଓ ସେମାନଙ୍କର ଛାତ୍ର ସଙ୍ଘ ବଙ୍ଗଳାଦେଶର ଏହି ଉତ୍ତାଳ ଆନ୍ଦୋଳନ କୁ ପୁଞ୍ଜି କରିବାକୁ ଉଦ୍ୟମ କରିଥିଲେ । ପ୍ରତିଦ୍ୱନ୍ଦୀ ଜାମାତ୍ ଓ ସେମାନଙ୍କର ଛାତ୍ର ଗୋଷ୍ଠୀ ଏହି ଆନ୍ଦୋଳନ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ଆନ୍ଦୋଳନର ନେତୃତ୍ୱରେ ମୂଳତଃ ବୈଷମ୍ୟ ବିରୋଧୀ ଛାତ୍ର ସମନ୍ୱୟ କମିଟି ହାତରେ ହିଁ ରହିଛି । ହାସନା ସରକାର ପ୍ରଥମ ଅବସ୍ଥାରେ ବୁଝେଇବାକୁ ଉଦ୍ୟମ କରିଥିଲେ ଏହି ଆନ୍ଦୋଳନ ବି ଏନ ପି – ଜାମାତ କରୁଛନ୍ତି । କିଛି କିଛି ବିଚ୍ଛିନ୍ନ ଘଟଣାକୁ ଦର୍ଶାଇ ସରକାର ଆନ୍ଦୋଳନ କାରୀ ଙ୍କୁ ସନ୍ତ୍ରାସବାଦୀ ଆଖ୍ୟା ଦେଇଛନ୍ତି । ପ୍ରତ୍ୟେକ ଦେଶର ଜନ ବିରୋଧୀ ସରକାର ଓ ଫାଶିଷ୍ଟ ମାନେ ପ୍ରଗତିବାଦୀ ଆନ୍ଦୋଳନକୁ ଏହି ଭାବରେ ଚିତ୍ରଣ କରିଥାନ୍ତି । ଯେମିତି ଦିଲ୍ଲୀ ସୀମାନ୍ତ କୃଷକ ଆନ୍ଦୋଳନ କୁ ବିଜେପି ସରକାର ବିଚ୍ଛିନ୍ନତାବାଦୀ , ଖାଲିସ୍ଥାନୀଙ୍କ ଆନ୍ଦୋଳନ ବୋଲି କହୁଛନ୍ତି । ବଙ୍ଗଳାଦେଶ ଛାତ୍ର ଆନ୍ଦୋଳନରେ ସହୀଦ ହେଇଥିବା ତାଲିକାର ପରିଚୟ ଦେଖିଲେ ଜଣା ପଡୁଛି ଏଥିରେ ବି ଏନ ପି କିମ୍ବା ଜାମାତ ଛାତ୍ର ଗୋଷ୍ଠୀ ର କୌଣସି ନାଁ ନାହିଁ । ୯୦ ଭାଗ ସହୀଦ ହେଉଛନ୍ତି ବି ଏନ ପି ଓ ଜାମାତ ରାଜନୀତିର ତୀବ୍ର ବିରୋଧୀ । କିନ୍ତୁ ହାସନ ସରକାର ଏହି ଛାତ୍ରଛାତ୍ରୀଙ୍କୁ ରଜାକର ଘୋଷଣା କରି ଆନ୍ଦୋଳନ ନିଆଁରେ ଘିଅ ଢାଳି ଥିଲେ ।ବୈଷମ୍ୟ ବିରୋଧୀ ଆନ୍ଦୋଳନ ଯେତେବେଳେ ଛାତ୍ରମାନେ ଆରମ୍ଭ କଲେ ସେତେବେଳେ ଶେଖ ହାସିନା ସରକାର ଭାବି ନ ଥିଲେ ଏହା ଗାଦୀ ଛାଡ଼ ଆହ୍ୱାନ ରେ ପରିବର୍ତ୍ତନ ହେଇଯିବ । ବିଗତ ୧୫ ବର୍ଷ ମଧ୍ୟରେ ଯେତେ ଆନ୍ଦୋଳନ ହେଇଛି ତାହାକୁ ବିଦେଶୀ ଶକ୍ତି ଉସକାଉଛନ୍ତି ବୋଲି ପ୍ରଚାର କରିବାରେ ସଫଳ ହେଇଛନ୍ତି । ବିଶେଷକରି ବଙ୍ଗଳାଦେଶର ବିକାଶ କ୍ଷେତ୍ରରେ ବିଭିନ୍ନ ସୂଚକାଙ୍କ ତଥ୍ୟ ଉପସ୍ଥାପନ କରି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରି ପାରୁଥିଲେ । ମୁଖ୍ୟ ବିରୋଧୀ ଦଳର ଉପସ୍ଥିତି ଜନତା ଉପଲବ୍ଧି କରୁ ନଥିଲେ । କାରଣ ଜନତାଙ୍କ ଦାବୀ ପ୍ରତି ସେମାନେ ଉଦାସୀନ ଥିଲେ । ବଙ୍ଗଳା ଦେଶର ମିଡ଼ିଆ ଯାହା ଲେଖୁଥିଲେ ହାସିନା ସରକାରଙ୍କ ଜାତୀୟ ସମ୍ବାଦ ସଂସ୍ଥା, ଟିଭି, ଖବର କାଗଜ ପ୍ରକାଶ କରୁ ନଥିଲେ । ବିଗତ ୧୦ବର୍ଷ ମଧ୍ୟରେ ହାସିନା ଭାରତ ସରକାରଙ୍କ ଅକୁଣ୍ଠ ସମର୍ଥନ ପାଉଥିବା କାରଣରୁ ଭାରତୀୟ ମିଡ଼ିଆ ମଧ୍ୟ ବଙ୍ଗଳା ଦେଶର କେବଳ ଆର୍ଥିକ ରଙ୍ଗୀନ ଚିତ୍ର ପରିବେଷଣ କରୁଥିଲେ । ଶେଖ ହାସିନାଙ୍କ ବିରୋଧୀ ମୁକ୍ତ ଏକଛତ୍ରବାଦୀ ଗୋଟିଏ ପାର୍ଟି ଶାସନ କୁ ନଜର ଅନ୍ଦାଜ କରି ଆସିଛନ୍ତି । ଏହାର ସୁଯୋଗ ନେଇ ହାସିନା ସରକାର ପ୍ରତ୍ୟେକ ଆନ୍ଦୋଳନକୁ ଲାଠି, ଗୁଳିରେ ଜବାଵ ଦେଉଥିଲେ । ଏପରି କି ହେଲିକେପ୍ଟରରୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ନିର୍ମମ ଗୁଳି ମାଡ଼ ହେଇଛି । କିନ୍ତୁ ସମସ୍ତ ତଥ୍ୟକୁ ହାସିନା ସରକାର ଚାପି ଦେଇଛନ୍ତି ।

ବାମପନ୍ଥୀ ଦଳମାନଙ୍କର ଆପୋଷକାରୀ ଭୂମିକା :

ବଙ୍ଗଳାଦେଶ ପଚାଶ ଦଶକରୁ ବାମପନ୍ଥୀ, ସ୍ଵାଧୀନତା ପ୍ରେମୀ , ପ୍ରଗତିବାଦୀ ସଂଗଠନ ମାନଙ୍କର ଦୁର୍ଗ ହେଇ ଆସିଥିଲା ।
୧୯୭୧ ଯୁଦ୍ଧରେ ଯେତେବେଳେ ଏକ ନୂତନ ରାଷ୍ଟ୍ର ଭାବରେ ବଙ୍ଗଳାଦେଶ ଆତ୍ମ ପ୍ରକାଶ କଲା ସେତେବେଳେ ସରକାରୀ ତଥ୍ୟ ଅନୁଯାୟୀ ପଶ୍ଚିମ ପାକିସ୍ତାନ ସେନା ଦ୍ୱାରା ୩୦ ଲକ୍ଷ ଜନତା ହତ୍ୟା ହେଇଥିଲେ ଓ ଲକ୍ଷାଧିକ ମହିଳା ଗଣଧର୍ଷଣ , ହତ୍ୟାର ଶିକାର ହେଇଥିଲେ ।। ବିଶ୍ୱ ଇତିହାସରେ ସ୍ବଳ୍ପ ଅବଧି ମଧ୍ୟରେ ଏଭଳି ବୀଭତ୍ସ କାଣ୍ଡ ବିରଳ ଏକ ନଜୀର । ପୂର୍ଵ ପାକିସ୍ତାନର ଗଣ ବିଦ୍ରୋହକୁ ଦମନ କରିବା ପାଇଁ ଏହି ବୀଭତ୍ସ କାଣ୍ଡ ହେଇଥିଲା ।
ବଙ୍ଗଳା ଦେଶ ଓ ଭାରତର ଶାସକ ଶ୍ରେଣୀ ଓ ସେମାନଙ୍କ ବୁଦ୍ଧିଜୀବୀ ମହଲରେ ନ୍ୟାରେଟିଭ ଅନୁଯାୟୀ ଭାରତର ସେନା ପୂର୍ଵ ପାକିସ୍ତାନ ଆକ୍ରମଣ କରି ଡିସେମ୍ବରରେ 13 ଦିନ ଯୁଦ୍ଧ ପରେ ପାକିସ୍ତାନ ସେନା ଆତ୍ମ ସମର୍ପଣ କରିଥିଲା ଓ ୯୩ ହଜାର ପାକିସ୍ତାନ ସେନାଙ୍କୁ ଯୁଦ୍ଧ ବନ୍ଦୀ କରିଥିଲେ । ଅନ୍ୟ ପକ୍ଷରେ ପାକିସ୍ତାନ ରାଷ୍ଟ୍ରର ନ୍ୟାରେଟିଭ ହେଉଛି ଭାରତ ହେଉଛି ପୂର୍ଵ ପାକିସ୍ତାନ ରେ ବିଦ୍ରୋହର ସୂତ୍ରଧର ଓ ଏହାକୁ ଦୁଇ ଖଣ୍ଡ ପାଇଁ ଦାୟୀ ।
କିନ୍ତୁ ଉଭୟ ପ୍ରକାର ନ୍ୟାରେଟିଭ ହେଉଛି ଇତିହାସର ବିକୃତ ପରିବେଷଣ । ଶାସକ ଶ୍ରେଣୀର ବିଦ୍ୱାନମାନେ ଇତିହାସକୁ ସଙ୍କୁଚିତ କରିଛନ୍ତି ଓ ପ୍ରତ୍ୟେକ ଯୁଦ୍ଧ ଭଳି ଏହି ଯୁଦ୍ଧରେ ମଧ୍ୟ ସତ୍ୟ ହିଁ ଶିକାର ହେଇଛି । ଏକଥା ଅନସ୍ବୀକାର୍ଯ୍ୟ ଯେ ଭାରତ ବିଭାଜନ ପରେ ପାକିସ୍ତାନ ଗୋଟିଏ ରାଷ୍ଟ୍ର ଭାବରେ ଜନ୍ମ ନେଲା । ଏହି ରାଷ୍ଟ୍ର ଗଠନ କୁ ଭିତ୍ତିକରି ପାକିସ୍ଥାନୀ ଜାତୀୟତା ଗଢି ଉଠିଲା । ଏହା କେବଳ ପଶ୍ଚିମ ପାକିସ୍ତାନ ରେ ଗଢି ଉଠିଲା ତାହା ନୁହେଁ, ପୂର୍ଵ ପାକିସ୍ତାନ ରେ ମଧ୍ୟ ପାକିସ୍ତାନୀ ଜାତୀୟତା ଗଢି ଉଠିଲା । ଯଦିଓ ଭୌଗଳିକ ଦିଗରୁ ପଶ୍ଚିମ ପାକିସ୍ତାନ ସହ ପୂର୍ଵ ପାକିସ୍ତାନର ସ୍ଥଳ ଭାଗ ସଂଲଗ୍ଲତା ନଥିଲା ଓ ଭାଷା ଓ ସଂସ୍କୃତି ମଧ୍ୟରେ ପାର୍ଥକ୍ୟତା ଥିଲା ତଥାପି ପାକିସ୍ତାନ ଗୋଟିଏ ଦେଶ ଭାବରେ ସାଧାରଣ ଜନତା ଭିତରେ ଜାତୀୟ ଉନ୍ମେଷ ସୃଷ୍ଟି ହେଉଥିଲା । ତେଣୁ ପୂର୍ଵ ପାକିସ୍ତାନ ରେ ପ୍ରଥମରୁ ୫୦ ଦଶକ ରୁ ଯେଉଁ ଆନ୍ଦୋଳନ ହେଉଥିଲା ତାହା ସରକାର ପାଖରୁ ନିଜ ନିଜର ଅଧିକାର ହାସଲ କରିବା ପାଇଁ । ସେତେବେଳେ ସ୍ୱାଧୀନ ବଙ୍ଗଳାଦେଶ ଦାବୀ ଉଠି ନଥିଲା । ଏହି ଆନ୍ଦୋଳନ ଥିଲା ବୁର୍ଜୁଆ ଗଣତାନ୍ତ୍ରିକ ଆନ୍ଦୋଳନର ପର୍ଯ୍ୟାୟ । ପଶ୍ଚିମ ପାକିସ୍ତାନ ତୁଳନାରେ ପୂର୍ଵ ପାକିସ୍ତାନରେ ଜନସଂଖ୍ୟା ଅଧିକ ଥିଲା । ଜନସାଧାରଣ ବଙ୍ଗଳା ଭାଷା, ବଙ୍ଗଳା ସଂସ୍କୃତି , ଭୂ ସଂସ୍କାର , ସରକାରୀ ଚାକିରୀ , ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ ଭାଗିତା ଦାବିରେ ଏହି ଆନ୍ଦୋଳନ କରୁଥିଲେ । କିନ୍ତୁ ଯେତେବେଳେ ପାକିସ୍ତାନ ସେନା ମୁଖ୍ୟ ୟାହିୟା ଖାଁ ରାଷ୍ଟ୍ରପତି ହେଲେ ସେତେବେଳେ ପୂର୍ଵ ବଙ୍ଗର ରାଜସ୍ବରୁ ମାତ୍ର ଏକ ଚତୁର୍ଥାଂଶ ପୂର୍ଵ ପାକିସ୍ତାନରେ ଖର୍ଚ୍ଚ କଲେ । ପୁଣି ଜଳବାୟୁ ଦିଗରୁ ପୂର୍ଵ ପାକିସ୍ତାନ ସବୁବେଳେ ବନ୍ୟା ଓ ବାତ୍ୟା ଦ୍ଵାରା ପୀଡ଼ିତ ହେଉଥିଲା । ତେଣୁ କୃଷି ଅର୍ଥନୀତି ବାଧାପ୍ରାପ୍ତ ହେଉଥିଲା । ଏହାର ପ୍ରତିରୋଧ ପାଇଁ ଭିତ୍ତିଭୂମିରେ ଅଧିକ ବ୍ୟୟ ପ୍ରୟୋଜନ ଥିଲା ।
ୟାହିୟା ଖାଁ ଓ ପ୍ରଧାନମନ୍ତ୍ରୀ ଆୟୁବ ଖାଁ ସାମରିକ ପ୍ରଶାସନ ପୂର୍ଵ ବଙ୍ଗର ରାଜସ୍ୱକୁ ପଶ୍ଚିମ ପାକିସ୍ତାନର ସମ୍ପଦ ବୃଦ୍ଧି ପାଇଁ ବ୍ୟୟ କରୁଥିଲେ । ଯେମିତି ଔପନିବେଶିକ ରାଷ୍ଟ୍ରମାନେ ନିଜର ଉପନିବେଶର ସମ୍ପଦକୁ ଲୁଟ କରି ନିଜ ଦେଶର ବିକାଶ ଓ ଅଗ୍ରଗତି ପାଇଁ କରିଥାନ୍ତି । ସେଇ ଭଳି ପାକିସ୍ତାନ ଗୋଟିଏ ଦେଶ ହେବା ସତ୍ତ୍ୱେ ପଶ୍ଚିମ ପାକିସ୍ତାନ ର ଶାସକ ବର୍ଗ ପୂର୍ବ ପାକିସ୍ତାନକୁ ନିଜର ଏକ ଉପ ନିବେଶ ବୋଲି ଭାବିଲେ ଓ ଜନସାଧାରଣଙ୍କୁ ଅଧସ୍ତନ କରିବା ଚେଷ୍ଟା କଲେ । କିନ୍ତୁ ପ୍ରାଥମିକ ଅବସ୍ଥାରେ ପୂର୍ଵ ପାକିସ୍ତାନୀ ଜନତାଙ୍କ ମନରେ ଔପନିବେଶିକ ଶୋଷଣ ଉପଲବ୍ଧି ଆସି ନଥିଲା । ତେଣୁ ଏକକ ପାକିସ୍ତାନ ଜାତୀୟ ମାନସିକତା ଗୋଟିଏ ଦିନରେ ଉଭେଇ ଯାଇ ନଥିଲା । ବରଂ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେମାନେ ନିଜକୁ ପାକିସ୍ଥାନୀ ବୋଲି ଭାବୁ ଥିଲେ ।
ଏହି ଅବଧି ରେ ଭାଷା, ସଂସ୍କୃତି ,ଅର୍ଥନୈତିକ ବିକାଶ ଇତ୍ୟାଦି ଦାବୀ ଗୁଡିକ ଉଠୁଥିଲା । କିନ୍ତୁ ପାକିସ୍ତାନ ର ଶାସକ ବର୍ଗ ଏହି ଦାବୀ ଭିତରେ ପ୍ରଚ୍ଛନ୍ନ ହେଇ ଥିବା ଅର୍ଥ ବୁଝି ପାରି ନଥିଲେ, କିମ୍ବା ଏହା କେଉଁ ଐତିହାସିକ ଗନ୍ତବ୍ୟ ପଥରେ ଯିବ ଜାଣି ପାରୁ ନଥିଲେ । ତେଣୁ ଜନସାଧାରଣଙ୍କ ଅସନ୍ତୋଷ ଓ ପ୍ରତିବାଦ ଆନ୍ଦୋଳନକୁ ପାଶବିକ ସାମରିକ ଶକ୍ତି ଦ୍ୱାରା ଦବେଇ ଦେଉଥିଲେ । ଅନ୍ୟ ପକ୍ଷରେ ଧର୍ମୀୟ ଉଗ୍ରତା ସୃଷ୍ଟି କରି କୃତ୍ରିମ ଉପାୟରେ ପାକିସ୍ତାନ ଗୋଟିଏ ଅବିଭକ୍ତ ଦେଶ ଭାବରେ ରଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଭୁଲି ଯାଇଥିଲେ ଗୋଟିଏ ଜାତି ( Nation ) କେବଳ ଧର୍ମ ଭିତ୍ତିରେ ବିକଶିତ ହେଇ ପାରିବ ନାହିଁ ।

Nation is a product a historical process .
ଏହି ପ୍ରକ୍ରିୟାର ପୂର୍ଣ୍ଣତା ବିନା ଗୋଟିଏ ଆଧୁନିକ ଜାତି ସୃଷ୍ଟି ହେଇ ପାରେନା ଓ କିଛି ଦିନ ପରେ ବିଖଣ୍ଡିତ ହେଇଯାଏ । ଏହି ବିଖଣ୍ଡନ ସେତେବେଳେ ଆରମ୍ଭ ହେଇଯାଏ ଯେତେବେଳେ ଗୋଟିଏ ପ୍ରକାର ଜାତୀୟ ଭାବନା ଶକ୍ତିଶାଳୀ ହୋଇ ପାରେ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ପାକିସ୍ତାନ ଓ ପୂର୍ଵ ପାକିସ୍ତାନର ଜାତୀୟତା ଅଲଗା ଅଲଗା ଭାବରେ କ୍ରମଶଃ ମୁଣ୍ଡ ଟେକିଥିଲା । ଏକ୍ଷେତ୍ରରେ ଭୌଗଳିକ ଦୂରତ୍ୱ ଓ ପାକିସ୍ତାନ ସାମରିକ ପ୍ରଶାସନର ଦମନ ନୀତି ତ୍ବରାନ୍ବିତ କରିଥିଲା । ଯଦିଓ ବଙ୍ଗଳା ଦେଶର ଜାତୀୟତା ଭାବନା ପାକିସ୍ତାନ ଜାତୀୟତା ଭାବନାର ଏକ ଶାଖା ( Of Shoot ) ।
ଆମେ ଯଦି ପାକିସ୍ତାନର ସବୁ ପ୍ରଦେଶ ଗୁଡିକୁ ବିଚାର କରୁ ତାହେଲେ ପାକିସ୍ତାନ ଜାତୀୟତା ବୋଧ ସବୁ ପ୍ରଦେଶରେ ସମାନ ଭାବରେ ବିକଶିତ କରି ନାହିଁ । ପଞ୍ଜାବୀ ମୁସଲିମ ଜାତୀୟତା ଅନ୍ୟମାନଙ୍କ ଉପରେ ପ୍ରାଧାନ୍ୟ ଜାହିର କରିବା କାରଣରୁ ତୀବ୍ର ଅସନ୍ତୋଷ ରହିଛି । ତଥାପି ଭୌଗଳିକ ସଂଲଗ୍ନତା ଯୋଗୁଁ ସେମାନେ ଗୋଟିଏ ଜାତି ଭାବରେ ରହିଛନ୍ତି । କିନ୍ତୁ ପୂର୍ଵ ପାକିସ୍ତାନର ଭୌଗଳିକ ଦୂରତ୍ୱ ଓ ସାଂସ୍କୃତିକ , ଭାଷାଗତ ଅସ୍ମିତା ବଙ୍ଗଳା ଦେଶ ଗଢି ଉଠିବା ପ୍ରକ୍ରିୟା ଆଡକୁ ଆସ୍ତେ ଆସ୍ତେ ଗତି କରିଛି । ଏହି ପ୍ରକ୍ରିୟାକୁ ନେତୃତ୍ୱ ଦେବାରେ ଆୱାମୀ ଲିଗ ଓ ଏହାର ସର୍ବମାନ୍ୟ ନେତା ମୁଜିବୁର ରହମାନ ଆସି ପାରିଛନ୍ତି । କିନ୍ତୁ ବଙ୍ଗଳା ଦେଶରେ ମାର୍କ୍ସବାଦୀ ଚିନ୍ତନ ଦ୍ଵାରା ସର୍ବଦା ପ୍ରଭାବିତ ହେଇଥିବା ଜନ ସାଧାରଣଙ୍କ ନିକଟରେ କୌଣସି ସଠିକ କମ୍ୟୁନିଷ୍ଟ ପାର୍ଟି ଗଢି ଉଠି ନଥିଲା । ଏକଦା ଆୱାମୀ ଲିଗ ପାର୍ଟିର ନେତାମାନେ ମଧ୍ୟ କମ୍ୟୁନିଷ୍ଟ ଦର୍ଶନ ଦ୍ଵାରା ପ୍ରଭାବିତ ହେଇଥିଲେ ।
ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରା ଯାଇପାରେ । ରାଓଲପିଣ୍ଡି ହେଉଛି ପାକିସ୍ତାନର ସେନା ଛାଉଣୀ ସହର ( Garrison Town )। ଏହି ସହରତଳି ଅଞ୍ଚଳରେ ପୋଲିଟେକନିକ କଲେଜର ଛାତ୍ର ଆନ୍ଦୋଳନରେ ପୋଲିସ ଗୁଳି ମାରି ଜଣେ ଛାତ୍ରଙ୍କୁ ହତ୍ୟା କରିଥିଲା । ଏହି ହତ୍ୟା କାଣ୍ଡ ପରେ ସମାଜବାଦୀ ଭାବନା ସହ ବିପ୍ଲବୀ ସଂଘର୍ଷ ଆରମ୍ଭ ହେଇଗଲା । ଏହି ବିପ୍ଲବୀ ଆନ୍ଦୋଳନ ମଧ୍ୟରୁ ସୃଷ୍ଟି ହେଇଥିଲେ ମୌଲାନା ଅବଦୁଲ ହମିଦ ଖାଁ ଭାସାନି । ସେ ଜଣେ ମାଓ- ସେ- ତୁଙ୍ଗ ଙ୍କ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ ନେତା ଓ ଜାତୀୟ ଆୱାମୀ ପାର୍ଟିର ନେତା । ଏହି ଘଟଣା ପାକିସ୍ତାନର ଉଭୟ ଭୂଖଣ୍ଡ ରେ ଗଣ ଉଦ୍ବେଳନ ର ରୂପ ନେଲା । ସମାଜବାଦୀ ଚିନ୍ତନ ଓ ବିପ୍ଲବୀ ରାଜନୀତିର ଜୁଆର ସୃଷ୍ଟି ହେଲା । ଏହି ଆନ୍ଦୋଳନରେ ଆୱାମୀ ଲିଗର ଜଣେ ମୁଖ୍ୟ ଜାତୀୟ ନେତା ଆନ୍ଦୋଳନକୁ ସଶସ୍ତ୍ର ବିପ୍ଳବ ଦିଗରେ ପରିଚାଳିତ କରିବାକୁ ମତ ରଖିଲେ । ସେତେବେଳେ ସେ ଥିଲେ ମାଓ -ସେ-ତୁଙ୍ଗ ଜଣେ ଅନୁଗାମୀ ନେତା । କିନ୍ତୁ ମୁଜିବୁର ରହମନ ଥିଲେ ଆୱାମୀ ଲିଗ ପାର୍ଟିର ମଧ୍ୟମ ପନ୍ଥୀ ନେତା । ତାଙ୍କ ନେତୃତ୍ୱ ବିରୁଦ୍ଧରେ ଆୱାମୀ ଲିଗ ଭିତରେ କେତେକ ନେତା ଅସନ୍ତୋଷ ସୃଷ୍ଟି କଲେ । ସେମାନଙ୍କ ଅଭିଯୋଗ ଥିଲା ସେ ହେଉଛନ୍ତି ବିଦେଶୀ ଶକ୍ତିମାନଙ୍କର ଏଜେଣ୍ଟ । କାରଣ ସେତେବେଳେ ତାଙ୍କର ୟାହିୟା ଖାଁ ଓ ଚୀନ ସହିତ ଭଲ ସଂପର୍କ ଥିଲା ।
ପାକିସ୍ତାନ ମାର୍କ୍ସିଷ୍ଟ ଅର୍ଗାନାଇଜେସନ – The Struggle ର ନେତା ଓ ଏହାର ଖବର କାଗଜ ସମ୍ପାଦକ 2013ରେ Bangaladesh – The Past Haunts The Future ଶୀର୍ଷକରେ ଲେଖିଥିଲେ – ମାଓ- ସେ -ତୁଙ୍ଗ ହମିଦ ଖାଁ ଭାସାନୀଙ୍କୁ ନିର୍ଦ୍ଦେଶ ଦେଲେ ନେତୃତ୍ବରୁ ଓହରି ଯିବା ପାଇଁ ।ମାଓ ସେତୁଙ୍ଗ ପାକିସ୍ଥାନୀ ସାମରିକ ଶାସକ ଆୟୁବ ଖାଁ ଙ୍କ ଘନିଷ୍ଠ ମିତ୍ର ଥିଲେ । ଭାସାନୀ ଏକ ସମାଜବାଦୀ ବିପ୍ଳବ ପାଇଁ ଆହ୍ୱାନ ଦେଉଥିଲେ , ଶ୍ରେଣୀ ସଂଘର୍ଷର ବିରାଟ ବିପର୍ଯ୍ୟୟ ହେଲା । ” ଏଠାରେ ଉଲ୍ଲେଖ କରା ଯାଇପାରେ ଯେ ମାଓ-ସେତୁଙ୍ଗ ଙ୍କ ନାଁ ରେ ଭାରତରେ ମଧ୍ୟ ଅବିଭକ୍ତ ସିପିଆଇ ଏମ ରୁ ବାହାରି ନକ୍ସଲ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତେଲେଙ୍ଗାନାରେ ମଧ୍ୟ ବିପ୍ଳବ ଆରମ୍ଭ ହେଇଥିଲା । ମାଓ ସେତୁଙ୍ଗ ଙ୍କ ଦର୍ଶନ ସହ ନକ୍ସଲବାଦୀ ଦର୍ଶନର କୌଣସି ସମ୍ପର୍କ ନ ଥିଲା । ଗୋଟିଏ ଦେଶରେ ଗୋଟିଏ ଗୋଟିଏ ରାଜ୍ୟରେ ଗରିଲା କୌଶଳ ମାଧ୍ୟମରେ ରାଷ୍ଟ୍ର କ୍ଷମତା ଦଖଲ କରିବା ତତ୍ୱକୁ ଏମାନେ ଭାରତରେ ମଧ୍ୟ ଠିଆ କରିଥିଲେ ଓ ଶେଷରେ ବହୁତ ନିର୍ଯ୍ୟାତନା ଭୋଗି ଥିଲେ । ମାର୍କ୍ସବାଦ କଦାପି ଗୋଟିଏ ଦେଶର ବିପ୍ଲବୀ କର୍ମକାଣ୍ଡକୁ ଅନ୍ୟ ଗୋଟିଏ ଦେଶରେ ଅବିକଳ ନକଲ କରିବାକୁ ଶିକ୍ଷା ଦେଇ ନାହିଁ । ଗୋଟିଏ ଦେଶର ବିପ୍ଳବ ସେଇ ଦେଶର ଜନ ସାଧାରଣ କରିବେ । ଏହା କୌଣସି ସ୍ୱତଃସ୍ଫୁର୍ତ୍ତ ବିଦ୍ରୋହ ଦ୍ଵାରା ହୁଏ ନାହିଁ । ତେଣୁ ମାଓ ସେତୁଙ୍ଗ ଏଭଳି ଭୁଲ ପଦକ୍ଷେପ ରୁ ଓହରାଇ ବଙ୍ଗଳାଦେଶର ମୁକ୍ତି ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ କରିଥିଲେ । ଆମେରିକା ଓ ପଶ୍ଚିମ ଦୁନିଆ ପାକିସ୍ତାନ ପଛରେ ରହି ମୁକ୍ତି ଆନ୍ଦୋଳନ କୁ ଧ୍ୱଂସ କରିବା ପାଇଁ ଯେଉଁ ଚକ୍ରାନ୍ତ କରୁଥିଲେ ତାହା ପଣ୍ଡ ହେଇଥିଲା ।
ଯେତେବେଳେ ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଭାରତ ଓ ବଙ୍ଗଳା ଦେଶ ଯୁଗ୍ମ କମାଣ୍ଡ ଘୋଷଣା କରି ମାତ୍ର ୧୩ ଦିନ ମଧ୍ୟରେ ବଙ୍ଗଳା ଦେଶର ମୁକ୍ତି ଆନ୍ଦୋଳନକୁ ସଫଳ କରାଇ ଥିଲେ । ପରବର୍ତ୍ତୀ ସମୟରେ ଲକ୍ଷ୍ୟ କରା ଯାଇଛି ବଙ୍ଗଳା ଦେଶର ବାମପନ୍ଥୀ ଗୋଷ୍ଠୀ ୧୯୭୨ରୁ ୧୯୭୫ ପର୍ଯ୍ୟନ୍ତ ସରକାର ରେ ସାମିଲ ହେଇ ଯାଇଛନ୍ତି । ଯେଉଁମାନେ ସାମିଲ ହେଇ ନାହାନ୍ତି ସେମାନେ କ୍ରମାଗତ ନିପୀଡନର ଶିକାର ହେଇଛନ୍ତି । ହଜାର ହଜାର ବାମପନ୍ଥୀ କର୍ମୀ ହତ୍ୟା ହେଇଛନ୍ତି । ସେମାନଙ୍କର ସଂଗଠନ ର ମୁଖ୍ୟ ସ୍ଥଳ ଟ୍ରେଡ଼ ୟୁନିୟନ ଓ ଛାତ୍ର ସଂଗଠନ ହିଂସାକାଣ୍ଡର ଶିକାର ହେଇଛନ୍ତି । ଏହି ଧାରା ସାମରିକ ଶାସନ ବେଳେ ବଳବତ୍ତର ରହିଛି । ସୋଭିଏତ ୟୁନିୟନର ପତନ ପରେ ବାମପନ୍ଥୀ ଆଦର୍ଶ ବିଶ୍ଵ ସ୍ତରରେ ବିପର୍ଯ୍ୟୟ ର ସମ୍ମୁଖୀନ ହେଇଛି । କୌଣସି ପ୍ରକାର ବାହ୍ୟ ସମର୍ଥନ ର ଅଭାବ ଓ ଦେଶ ଭିତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ବାମପନ୍ଥୀ ମାନଙ୍କର ସମ୍ମିଳିତ ଉଦ୍ୟମ ଅଭାବରୁ ଅଧିକାଂଶ ନେତା ଶାସକ ଦଳଗୁଡିକରେ ବିଲୀନ ହେଇ ଯାଇଛନ୍ତି । ପରବର୍ତ୍ତୀ ସମୟରେ ପୂର୍ବତନ ବାମପନ୍ଥୀ ନେତାମାନେ ଆୱାମୀ ଲିଗ, ବିଏନପି ଅଥବା ଜାତୀୟ ପାର୍ଟିର କର୍ମକର୍ତ୍ତା ହେଇଛନ୍ତି । ବର୍ତ୍ତମାନ ପୂର୍ବତନ ବାମପନ୍ଥୀଙ୍କ ସଂଖ୍ୟା କାର୍ଯ୍ୟରତ ବାମପନ୍ଥୀ ଙ୍କ ଠାରୁ ଯଥେଷ୍ଟ ଅଧିକ । ବଙ୍ଗଳା ଦେଶର ଅର୍ଥନୀତିଜ୍ଞ ଓ ଲେଖକ – ପଲିଟିକାଲ ଆକ୍ଟିଭିଷ୍ଟ ଅନୁ ମହମ୍ମଦ Daily Star ରେ ଡିସେମ୍ବର ୧୫, ୨୦୨୩ରେ ଗୋଟିଏ ଲେଖରେ ଦର୍ଶାଇଛନ୍ତି “ବଙ୍ଗଳା ଦେଶର ଶାସକମାନେ ଶେଖ ମୁଜିବୁର ରହମନଙ୍କ ଠାରୁ ଆରମ୍ଭ କରି ଜିଆଉର ରହମନ , ଏଚ ଏମ ଏରଶାଦ, ଖାଲିଦା ଜିଆ, ଶେଖ ହାସିନାଙ୍କ ପର୍ଯ୍ୟନ୍ତ କୌଣସି ନା କୌଣସି ବାମପନ୍ଥୀ ଦଳର ନିଃ ସର୍ତ୍ତ ସମର୍ଥନ ପାଇଛନ୍ତି । ସେ ବାମପନ୍ଥୀ ଦଳମାନଙ୍କର ଆଲୋଚନା କରି କହିଛନ୍ତି ସେମାନଙ୍କର ପ୍ରତୀକାତ୍ମକ ପତାକା, ପୋଷ୍ଟର ଉପରେ ଗୁରୁତ୍ୱ ନ ଦେଇ ସେମାନେ କୋଉ ଏଜେଣ୍ଡା ଉପରେ କାର୍ଯ୍ୟ କରୁଛନ୍ତି ତାହା ବିଚାର୍ଯ୍ୟର ବିଷୟ । ସେମାନେ ସମସ୍ତ ପ୍ରକାର ବୈଷମ୍ୟ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି କି ? ସେମାନେ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି କି ? ସେମାନେ ପ୍ରକୃତି ଓ ପ୍ଲାନେଟର ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି କି ? ସେମାନଙ୍କ ଜନଗଣଙ୍କୁ ସଂଗଠିତ କରି ନୂତନ ଭିଜନ ଓ ମୁକ୍ତି ପାଇଁ କାର୍ଯ୍ୟ କରୁଛନ୍ତି କି ? ସେମାନେ ବର୍ଗ ପ୍ରଶ୍ନ ଓ ଲିଙ୍ଗ ସମାନତା ଏବଂ ଜାତିଗତ ( Ethnicity )ପ୍ରଶ୍ନ ଉପରେ ଗୁରୁତ୍ୱ ସହକାରେ କାର୍ଯ୍ୟ କରୁଛନ୍ତି କି ? ଏହାର ଉତ୍ତର ହେବ ଆଦୌ ନୁହେଁ ।” ସେ ଲେଖିଛନ୍ତି, କେତେକ ବାମପନ୍ଥୀ ଦଳ ହାସିନା ସରକାରଙ୍କ ଜନ ବିରୋଧୀ, ସ୍ଵେରାଚାରୀ ଶାସନ, ବିକାଶ ଆଢୁଆଳରେ ଧ୍ୱଂସ ଓ ମୁନାଫା ସହ ସାମିଲ ହେଇ ଯାଇଛନ୍ତି । ଯେଉଁମାନେ ପୁଞ୍ଜିପତିଙ୍କ ଏଜେଣ୍ଡାକୁ ସମର୍ଥନ କରୁଛନ୍ତି, ସେମାନଙ୍କ ପତାକା ଯାହା ହେଉନା କାହିଁକି ସେମାନେ ଆଦୌ ବାମପନ୍ଥୀ ପଦବାଚ୍ୟ ନୁହେଁ । ଜନଗଣଙ୍କ ନିକଟରେ ଏକ ବିକଳ୍ପ ଭିଜନ ଉପସ୍ଥାପନ ନ କରି ବିଭିନ୍ନ ସମୟରେ ଦକ୍ଷିଣପନ୍ଥୀ ଶକ୍ତି ମାନଙ୍କ ସହ ସାମିଲ ହେଉ ଥିବାରୁ ଓ ଅନ୍ୟ ପକ୍ଷରେ ନବ୍ୟ ଉଦାରବାଦର ତୀବ୍ର ଜୁଆର ଜନଶକ୍ତି ସୃଷ୍ଟି କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ହେଉଛି । ବାମପନ୍ଥୀ ମାନଙ୍କ ର ଐତିହାସିକ ବିଫଳତାକୁ ସ୍ୱୀକାର କରିବା ଓ ଆତ୍ମ ସମୀକ୍ଷା ନ କରିବା ବର୍ତ୍ତମାନର ବଙ୍ଗଳା ଦେଶର ବାମପନ୍ଥୀ ଆଦର୍ଶ କ୍ଷେତ୍ରରେ ମୁଖ୍ୟ ବାମପନ୍ଥୀ ଦଳ ମାନଙ୍କର ଦୁର୍ବଳତା ହେଇଛି ,ଏହା ସତ୍ତ୍ୱେ ବାମପନ୍ଥୀ ଏଜେଣ୍ଡା ବଙ୍ଗଳାଦେଶର ନିପିଡୀତ ଜନତାଙ୍କ ହୃଦୟକୁ ସ୍ପର୍ଶ କରୁଛି । ଏଭଳି ପଟ୍ଟଭୂମିରେ ବଙ୍ଗଳା ଦେଶର ଛାତ୍ର ଓ ଯୁବ ଯେଉଁ ପ୍ରାଣ ବଳିଦାନ ଦେଇ ଏକ ଫାଶିଷ୍ଟ ଶକ୍ତିକୁ କ୍ଷମତା ଚ୍ୟୁତ କରିଛନ୍ତି ତାହା ବିଶ୍ୱ ଇତିହାସ ର ଏକ ବିରଳ ଘଟଣା । କିନ୍ତୁ ଏହାର ଚୂଡାନ୍ତ ଵିଜୟ ସେତେବେଳେ ସମ୍ଭବ ଯେତେବେଳେ ପ୍ରଗତିଶୀଳ ଆର୍ଥିକ, ସମାଜିକ , ସମାବେଶୀ ଓ ଧର୍ମ ନିରପେକ୍ଷ ଏଜେଣ୍ଡା ଭିତ୍ତିରେ ଏକ ବିକଳ୍ପ ରାଜନୈତିକ ଶକ୍ତି ସୃଷ୍ଟି ହେଇ ପାରିବ । ବର୍ତ୍ତମାନର ଅସ୍ଥାୟୀ କାମଚଳା ସରକାର ଉପରେ ବିଶ୍ଵ ବାସୀ ଙ୍କ ତୀକ୍ଷ୍ଣ ଦୃଷ୍ଟି ରହିଛି । ଦକ୍ଷିଣ ଏସିଆ ଦେଶ ସମେତ ଆମ ଦେଶର ନିପିଡୀତ ଜନତା ମଧ୍ୟ ଅନେକ କିଛି ଆଶା କରୁଛନ୍ତି । ଅନ୍ୟ ପକ୍ଷରେ ବଙ୍ଗଳା ଦେଶର ପ୍ରତିଷ୍ଠିତ ରାଜନୈତିକ ଦଳ ବି ଏନ ପି, ଜାମାତ ଜାତୀୟ ଦଳ ଓ ଆୱାମୀ ଲିଗ ର ନିନ୍ଦିତ ନେତା ଭିନ୍ନ ରୂପରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି । ଆନ୍ଦୋଳନ କାରୀ ଏହି ପ୍ରତିବନ୍ଧକକୁ ଦୂର କରିବା ପାଇଁ ନିରନ୍ତର ସଜାଗ ରହିବା ଜରୁରୀ ।

(ଲେଖାଟି ଗଣଦାବୀ, ମାର୍କ୍ସିୟ ଚିନ୍ତା ନାୟକ କମ୍ରେଡ଼ ଶିବ ଦାସ ଘୋଷଙ୍କ ଲେଖା- On Bangladesh Liberation Movement , Marxist’s Archieve, Daily Star , Pakistan Marxist Organization – The Struggle, The Wire ଇତ୍ୟାଦି ରେ ପ୍ରକାଶିତ ଲେଖା ଉପରେ ଆଧାରିତ ।।)

Leave a Reply

Your email address will not be published. Required fields are marked *