ନାହିଁ ଚାକିରୀ ନାହିଁ ରୋଜଗାର, ଋଣ ମାଗିଲେ ବ୍ୟାଙ୍କ୍ ଦେଉନି, ଉଦ୍ୟୋଗୀ ମନ ଛାରଖାର

ଭୁବନେଶ୍ୱର : କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନବ ସମ୍ବଳର ଆବଶ୍ୟକତାକୁ ଦେଖି ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ଯୋଗାଇ ପାରୁନାହାନ୍ତି। ଏହା ବିପକ୍ଷରେ ଉଦ୍ୟୋଗ ପ୍ରୋତ୍ସାହନ ପାଇଁ ଆସୁଥିବା ଋଣ ପ୍ରଦାନ ବ୍ୟବସ୍ଥା ମଧ୍ୟ କରୁନାହାନ୍ତି। କୌଣସି ଉଦ୍ୟୋଗୀ ତଥା କ୍ଷୁଦ୍ର ବ୍ୟବସାୟୀ ଋଣ ପାଇଁ ବ୍ୟାଙ୍କ୍ ଗୁଡ଼ିକର ଦ୍ୱାରସ୍ଥ ହେଉଛନ୍ତି। ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଲୋକଙ୍କ ଋଣ ଆବେଦନପତ୍ର ମଧ୍ୟରୁ ଅଧିକାଂଶକୁ ନାକଚ କରିଦେଉଛନ୍ତି । ଏହି ନାକଚ ସଂଖ୍ୟାର ପରିସଂଖ୍ୟନ ନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗଙ୍କ ଉଦବେଗ ପ୍ରକାଶ କରିଛି।

ନିୟମିତ ବ୍ୟବଧାନରେ ରାଜ୍ୟ ସରକାର ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଅଧିକରୁ ଅଧିକ ଋଣ ଦେବା ସକାଶେ ନିର୍ଦ୍ଦେଶ ଦେଇ ଆସୁଛନ୍ତି। ମାତ୍ର ଉଦ୍ୟୋଗୀମାନଙ୍କର ଏହି ଆବେଦନପତ୍ରଗୁଡିକୁ ଠିକ୍ ଭାବେ ଅନୁଧ୍ୟାନ ନ କରି ନାକଚ କରି ଦିଆଯାଉଛି। ରାଜ୍ୟ ସ୍ତରୀୟ ବ୍ୟାଙ୍କ୍ ସମୂହ ସମନ୍ୱୟ ସମିତି ବୈଠକରେ ଏହି ପ୍ରସଙ୍ଗ ନେଇ ଉଦବେଗ ପ୍ରକାଶ ପାଇଛି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ , କୌଣସି ଆବେଦନପତ୍ର ଆସିଲେ ତାହାକୁ ନ୍ୟାୟୋଚିତ ଭାବରେ ବିଚାର କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ଉଚିତ୍ । କାରଣ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଋଣ ପ୍ରଦାନର ପରିମାଣ ଅପେକ୍ଷାକୃତ କମ୍ ରହିଛି । ସେଭଳି ପରିସ୍ଥିତିରେ ଅଧିକ ଋଣ ଦେବା ପରିବର୍ତ୍ତେ ଆବେଦନପତ୍ରଗୁଡିକୁ ମନମୁଖୀ ଭାବରେ ବିଚାର କରି ସେଥିରୁ ଅଧିକାଂଶ ନାକଚ କରିଦିଆଯିବା ଆଦୌ ଗ୍ରହଣୀୟ ନୁହେଁ । ରାଜ୍ୟ ସରକାର ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ଅଧିକରୁ ଅଧିକ ଋଣ ଦେବାପାଇଁ ବ୍ୟାଙ୍କ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।