କିଏ କରୁଛି ମିଛ ଅପପ୍ରଚାର: ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଯୁକ୍ତି, ସରକାରୀ ଦସ୍ତାବିଜ ବାବଦରେ ମୁହଁ ତ ଖୋଲ

ଭୁବନେଶ୍ୱର: କିଏ କରୁଛି ମିଛ ଅପପ୍ରଚାର | କିଏ ଆଣୁଛି ମିଛ ଅଭିଯୋଗ | ନିଜ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡକୁ ନେଇ କୋର୍ଟରେ ଲଢେଇ ଚାଲିଥିବାବେଳେ ଏବେ ସାମ୍ନାକୁ ଆସି ନିଜ ପ୍ରତି ହୋଇଥିବା ଅନ୍ୟାୟ-ଅପପ୍ରଚାର ବାବଦରେ ସମସ୍ତଙ୍କୁ କହୁଛନ୍ତି ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଗତକାଲି ଏକ କାର୍ଯ୍ୟକ୍ରମରେ ବର୍ଷା କହିଥିଲେ ଯେ, ‘ମୁଁ ପୀଡ଼ିତା। ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା। ଏ ଜୀବନ ଅନିଶ୍ଚିତ | ଜୀବନରେ କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ ଆସିଲା, ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ୍ ଥର ତଳେ ପକେଇବାକୁ ଚେଷ୍ଟା କରିଛି, ମୁଁ କିନ୍ତୁ ପୁଣି ଥରେ ଛିଡା ହୋଇଛି। ମୋ ପରିବାର ମତେ ଆତ୍ମ ବିଶ୍ବାସ ଯୋଗାଇଛି । ଆଉ ସବୁଠୁ ବଡ ଶକ୍ତି ହେଲା ଧୈର୍ଯ୍ୟ।
ସାମାଜିକ କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ସେୟାର କଲେ ବହୁତ୍ କମେଣ୍ଟ ଆସୁଛି ଯେ ଟିକେଟ ପାଇଁ ଏସବୁ କରୁଛି, ରାଜନୀତିକୁ ଯିବା ପାଇଁ କରୁଛି, ଦେଖେଇ ହେଉଛି। ଧୀରେ ଧୀରେ ଏପରି ମନ୍ତବ୍ୟ ବଢିବା ମତେ କଷ୍ଟ ଦେଲା। ଯେଉଁମାନେ ଜୀବନରେ କେବଳ ହତାଶ ହୋଇ ଅନ୍ୟର ଗୋଡ ଟାଣନ୍ତି ସେମାନେ ସଫଳ ବୋଲି ବାପା-ମା ମତେ ବୁଝାଇଥିଲେ। ଛୋଟବେଳୁ ମୁଁ ମୋ ପାରିଶ୍ରମିକ ସାମାଜିକ କାମରେ ଲଗାଇ ଥାଏ। ତା’ମାନେ କଣ ମୁଁ ଛୋଟ ବେଳୁ ରାଜନୀତିକୁ ଯିବାକୁ ଚାହୁଁଥିଲି’? ବର୍ତ୍ତମାନ ଏସବୁର ଉତ୍ତର ଦେବାକୁ ସାମ୍ନାକୁ ଆସିଛନ୍ତି ଅନୁଭବ ମହାନ୍ତି। ଅନୁଭବ ଯଦିଓ ସିଧାସଳଖ ପ୍ରଶ୍ନ କରିଛନ୍ତି ଅନୁଭବଙ୍କ ସାଙ୍ଗ ଜାଗୃତି କିନ୍ତୁ ପରୋକ୍ଷ ଭାବରେ ପ୍ରଶ୍ନ ଉଠାଇଛନ୍ତି। ଅନୁଭବ ଲେଖିଛନ୍ତି ଯେ,’ଯଦି ମିଛ ଅପପ୍ରଚାର ହେଉଛି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର।ମୁଁ ମଧ୍ୟ ଏ ବିଷୟରେ ଏକମତ। ସେଥିପାଇଁ ଦୟା କରି ଏହି ସରକାରି ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆପଣଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ’।