ବିଜେପି ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା, ଧର୍ମେନ୍ଦ୍ରଙ୍କୁ ନେଇ କଣ ରହିଛି ପ୍ଲାନ….ଜାଣନ୍ତୁ…
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଲାଣି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ୍ ରେ ବିଧାନସଭା ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବା ବିଜେପି ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। କଂଗ୍ରେସ କଳିରୁ ରାଜସ୍ଥାନରେ ଫାଇଦା ନେବା, ଗତଥର ଅପେକ୍ଷା ଛତିଶଗଡ଼ରେ ଭଲ ପ୍ରଦର୍ଶନ କରିବା ଏବଂ ତେଲେଙ୍ଗାନାରେ ପୌର ନିର୍ବାଚନ ଫଳାଫଳ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏବଂ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ କରିବା ନେଇ ବିଚାର କରାଯାଉଛି। ଏହାର ପ୍ରଭାବ କିଛିମାତ୍ରାରେ ଓଡ଼ିଶା ଉପରେ ମଧ୍ୟ ପଡ଼ିବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଏନେଇ ଆଲୋଚନା କରିସାରିଛନ୍ତି। ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରାୟ ଡର୍ଜନ ନେତାକୁ ଅବ୍ୟାହତି ଦିଆଯିବ। ଏମାନେ ସାଙ୍ଗଠନିକସ୍ତରରେ କାର୍ଯ୍ୟ କରିବେ। ସେହିପରି ଏମପି,ରାଜସ୍ଥାନ, ଛତିଶଗଡ, ବିହାର ଏବଂ ହିମାଚଳରୁ କେତେକ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ। କେତେକ ନେତାଙ୍କୁ ରାଜ୍ୟପାଳ ଭାବେ ମଧ୍ୟ ନୂତନ ଦାୟିତ୍ୱ ଦିଆଯାଇପାରେ। ମନ୍ତ୍ରିମଣ୍ଡଳ ଛାଡିଥିବା ନେତାମାନେ ରାଷ୍ଟ୍ରୀୟସ୍ତରରେ ସାଧାରଣ ସମ୍ପାଦକ, ଉପ ସଭାପତି ଓ ସଚିବ ପଦରେ ଅବସ୍ଥାପିତ କରାଯିବ। ଏମାନଙ୍କୁ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟବହାର କରାଯିବ। ରାଜସ୍ଥାନ ପ୍ରଭାରୀ ଭାବେ ବ୍ରଜେଶ ପାଠକ କିମ୍ବା କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦାୟିତ୍ୱ ମିଳିପାରେ। ଏନଡିଏ ମେଣ୍ଚରୁ ବହାରି ଯାଇଥିବା କିଛି ଦଳକୁ ପୁନଃ ଏନଡିଏରେ ସାମିଲ କରିବା ନେଇ ଆଲୋଚନା ହେଉଛି। ଶିରୋମଣି ଅକାଳୀ ଦଳ, ଟିଡିପି ସହ ଆଲୋଚନା ଆଗେଇ ସାରିଛି। ବିଜେଡି ଆଲୋଚନାକୁ ଆସୁ ନାହିଁ। ତେଣୁ ଅମଲାତନ୍ତ୍ରି କେନ୍ଦ୍ରିକ ରାଜନୈତିକ ପରିଚାଳନାରେ ବିଜେପି ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଟାର୍ଗେଟ କରିଛି। ଆଗାମୀ ଦିନରେ ବିଜେଡି କିପରି ବିଜେପିର ରଣନୀତିକୁ ଭେଦ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।
ଓଡ଼ିଶା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଅପସାରଣ କରି ମଧ୍ୟ ପ୍ରଦେଶ ଦାୟିତ୍ୱ ଦିଆଯିବାର ଯୋଜନା ରହିଛି। ସେହିପରି ଓଡ଼ିଶାର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ତାଙ୍କୁ ନିଆଯାଇପାରେ। ହେଲେ ସେ ମନ୍ତ୍ରିମଣ୍ଡଳରୁ ବିଦା ହେଲେ ଓଡ଼ିଶାରୁ ତାଙ୍କ ପସନ୍ଦର ଜଣଙ୍କୁ ମନ୍ତ୍ରୀ କରିବାକୁ ଶ୍ରୀ ପ୍ରଧାନ ଚାହୁଁଛନ୍ତି। ଦଳର ଗୋଟିଏ ଲବି ପ୍ରଥମଥର ଜିତିଥିବା ଜଣେ ଏମପିଙ୍କୁ ମନ୍ତ୍ରୀ କରିବାକୁ ପ୍ରସ୍ତାବ ରଖିଛନ୍ତି। ହେଲେ ଅମିତ ଶାହାଙ୍କ ଗେହ୍ଲା ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀପଦରେ ରହି ସାଙ୍ଗଠନିକ କାର୍ଯ୍ୟ କରୁଛନ୍ତି ନା ମନ୍ତ୍ରୀ ପଦ ଛାଡୁଛନ୍ତି। ତାହା ଉପରେ ସମସ୍ତଙ୍କ ନଜର ରହିବ।