ବିହାର ରାଜନୀତିରେ ‘X’ ଫ୍ୟାକ୍ଟର ହେବେ କି ପ୍ରଶାନ୍ତ କିଶୋର ?
ପାଟନା :(ଅବିନାଶ ମହାପାତ୍ର)- ଆସନ୍ତା ମାସରେ ବିହାରର ବିଧାନସଭା ନିର୍ବାଚନ। ସେହି କ୍ରମରେ ସବୁଦିନ ବିହାର ରାଜନୀତି ଉପରେ କିଛି ଲେଖିବା କ୍ରମରେ ଆଜି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଯାତ୍ରା ଓ ବିହାରରେ ଏବେ ସେ କାହିଁକି ଅଧିକ ଚର୍ଚ୍ଚାରେ ଏହାକୁ ନେଇ ବିଶ୍ଳେଷଣ। ବହୁତ ଲୋକ କହୁଛନ୍ତି ଜାତି ଭିତ୍ତିକ ଭୋଟଦାନ ମଧ୍ୟରେ ପ୍ରଶାନ୍ତଙ୍କ ବିକାଶ, ବେରୋଜଗାର ଓ ପଳାୟନ ଆଦୌ ପ୍ରସଙ୍ଗ ହେବନାହିଁ। ମୁସଲିମ, ଯାଦବ, ଠାକୁର ଓ ବ୍ରାହ୍ମଣଙ୍କୁ ନେଇ କାଳେ ବିହାରର ୭୦ ବର୍ଷର ରାଜନୀତି। କିନ୍ତୁ ମୁଁ ଏଥର ଏଥିରେ ସଂପୂର୍ଣ୍ଣ ସହମତ ନୁହେଁ। ଯେଉଁମାନେ ବି କହୁଛନ୍ତି ‘ଦୋ ହଜାର ପଚିଶ, ଫିର ସେ ନୀତିଶ’ ମୋତେ ଲାଗୁନି ଆଉ ନୀତିଶଙ୍କ ଯାଦୁ କାମ କରିବ। ଯଦି ଏନଡିଏ ଜିତିଲା ତେବେ ବିଜେପିରୁ ମୁଖ୍ୟମନ୍ତ୍ରୀ ହେବା ଥୟ। ଛାଡନ୍ତୁ ସେ କଥା, ଏବେ ପ୍ରଶାନ୍ତ କିଶୋରଙ୍କ ପାଖକୁ ଆସିବା। ଘରେ ଘରେ ୨୦୧୪ରେ ଜଣେ ଲୋକ ଚର୍ଚ୍ଚାକୁ ଆସିଲେ ମୋଦିଙ୍କର ନୂଆ ନୂଆ ପ୍ରଚାର ତରିକା ପାଇଁ.. ସେ ଥିଲେ ପିକେ ପା ପ୍ରଶାନ୍ତ କିଶୋର।
() ବିହାରର ରାଜନୀତି, ଯାହା ଜାତିଭିତ୍ତିକ ସମୀକରଣ, ଗଠବନ୍ଧନର ଅସ୍ଥିରତା ଓ ଶକ୍ତିଶାଳୀ ନେତାମାନଙ୍କ ପ୍ରତିଶ୍ରୁତିରେ ବିଭାଜିତ, ସେଥିରେ ପ୍ରଶାନ୍ତ କିଶୋର (ପିକେ) ଏକ ଅପ୍ରତ୍ୟାଶିତ ଓ ଶକ୍ତିଶାଳୀ ଶକ୍ତି ଭାବେ ଯେ ଉଭା ହେବେ କେହି ସେତେବେଳେ ହୁଏତ ଭାବି ନଥିବେ। ନରେନ୍ଦ୍ର ମୋଦୀଙ୍କ ୨୦୧୪ର ଚାଇ ପେ ଚର୍ଚ୍ଚା ଓ ନୀତୀଶ କୁମାରଙ୍କ ୨୦୧୫ର “ବିହାର ମେଂ ବହାର ହୈ” ଶ୍ଳୋଗାନ ପିକେଙ୍କର ହିଁ ଥିଲା। ପରିଚୟ ହେଲା, ରଣନୀତିକାର, ପିକେ। ମେ ୨୦୨୨ରେ ଜନ ସୁରାଜ୍ ଅଭିଯାନ ଆରମ୍ଭ ହୁଏ। ଯାହା ୨୦୨୪ ଅକ୍ଟୋବରରେ ଅର୍ଥାତ୍ ବର୍ଷେ ତଳେ ରାଜନୈତିକ ଦଳ ଭାବେ ସ୍ବୀକୃତି ପାଇଲା। ଏବେ ଜନ ସୁରଜ୍ କେବଳ ଏକ ନୂଆ ପାର୍ଟି ନୁହେଁ, ବରଂ NDA (BJP-JD(U)) ଓ ମହାଗଠବନ୍ଧନ (RJD-Congress-Left) ମଧ୍ୟରେ ଦ୍ୱିମୁଖୀ ରାଜନୀତିକୁ ଭାଙ୍ଗିବାର ଏକ ସାହସୀ ପ୍ରୟାସ। ପିକେଙ୍କୁ କାହିଁକି ଏକ୍ସ୍ ଫ୍ୟାକ୍ଟର୍ କୁହାଯାଉଛି ? ତାଙ୍କ ଜନ ସୁରାଜ୍ ଗଠନରୁ ପ୍ରାର୍ଥୀ ଘୋଷଣା ପର୍ଯ୍ୟନ୍ତ ଯାତ୍ରା, ତାଙ୍କ ଜନସମ୍ପର୍କ ଓ ବିହାରର ପରିବର୍ତ୍ତନ ପାଇଁ ଦୂରଦୃଷ୍ଟି ଏହାର ଉତ୍ତର ବୋଲି ଧରାହେବ । ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଯାତ୍ରା ବିହାରର ରୋହତାସ ଜିଲ୍ଲାରୁ ଆରମ୍ଭ। ସଂଯୁକ୍ତ ରାଷ୍ଟ୍ରରେ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କାମ କରିବା ପରେ, ସେ ଭାରତୀୟ ନିର୍ବାଚନରେ ରଣନୀତିକାର ଭାବେ ଉଭା ହେଲେ। ତାଙ୍କ I-PAC ମାଧ୍ୟମରେ ମୋଦୀଙ୍କ ୨୦୧୪ ବିଜୟ, ନୀତୀଶଙ୍କ ୨୦୧୫ ବିଜୟ ଓ ପଞ୍ଜାବରେ AAPର ଉତ୍ଥାନରେ ସେ ମୁଖ୍ୟ ଭୂମିକା ଗ୍ରହଣ କଲେ। କିନ୍ତୁ ୨୦୨୦ର କୋଭିଡ ସଙ୍କଟ ତାଙ୍କୁ ବଦଳାଇ ଦେଲା। ବିହାରର ୨ କୋଟି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖି ସେ ରାଜନୈତିକ ରଣନୀତି ଛାଡ଼ି ଜନ ସୁରଜ୍ ଅଭିଯାନ ଆରମ୍ଭ କଲେ। ୨୦୨୨ ଅକ୍ଟୋବର ୨ରେ, ଗାନ୍ଧୀଙ୍କ ଚମ୍ପାରଣ ଆଶ୍ରମରୁ ଏହାର ବିଧିବଦ୍ଧ ଆରମ୍ଭ ହେଲା। ୫,୫୦୦ ଗାଁ ଦେଇ ୫,୦୦୦ କିଲୋମିଟରର ବିହାର ବଦଲାଓ ଯାତ୍ରାରେ ସେ ଜନତାଙ୍କ ସମସ୍ୟା—ବେକାରୀ (୭.୬% ବିହାର ବନାମ ୩.୨% ଜାତୀୟ), ଅଭିବାସନ, ଶିକ୍ଷାର ଅଭାବ (୨୦% ସ୍କୁଲ RTE ମାନଦଣ୍ଡ ପୂରଣ କରେ), ଓ ଦୁର୍ନୀତି (୩୦% ସରକାରୀ ପାଣ୍ଠି ଅପହରଣ)—ସମାଧାନ ପାଇଁ ଏକ “ଶାସନ ରୋଡମ୍ୟାପ୍” ତିଆରି କଲେ।
୨୦୨୪ ଅକ୍ଟୋବର ୨ରେ ଜନ ସୁରଜ୍ ପାର୍ଟି ଆନୁଷ୍ଠାନିକ ଭାବେ ଗଠନ ହେଲା। ୧ କୋଟି ସଦସ୍ୟ ଦାବି ସହିତ ଏହା ଗାନ୍ଧୀୟ ସାମାଜିକ ଉଦାରବାଦୀ ନୀତିକୁ ଅନୁସରଣ କରୁଛି। ପାର୍ଟିର ନେତା ମନୋଜ ଭାରତୀ ହେଲେ। ଜଣେ ପୂର୍ବତନ IFS ଓ ଦଳିତ ସଂପ୍ରଦାୟର ବ୍ୟକ୍ତି। ଉଦୟ ସିଂହ (ପୂର୍ବତନ ସାଂସଦ) ନିର୍ବାଚିତ ହେଲେ। ଏହାର ଘୋଷଣାପତ୍ର ରହିଲା ଦଶ ବର୍ଷରେ ବିହାରକୁ ଭାରତର ଶୀର୍ଷ ୧୦ ରାଜ୍ୟ କରିବା। ବାର୍ଷିକ ୧୦ ଲକ୍ଷ ନିଯୁକ୍ତି, ଝିଅଙ୍କ ପାଇଁ ମାଗଣା ଉଚ୍ଚଶିକ୍ଷା ଓ ଅଯୋଗ୍ୟ ବିଧାୟକଙ୍କୁ ପ୍ରତ୍ୟାହାରର ଅଧିକାର ଘୋଷଣା କରିଛି ଦଳ । ୯୦% ପ୍ରାର୍ଥୀ ନୂଆ ଓ ବଂଶବାଦୀ ନୁହଁନ୍ତି, ଯାହା ବିହାରର ୨୮% ଭୋଟରଙ୍କୁ (ଯେଉଁମାନେ NDA ଓ INDIAକୁ ଅସ୍ୱୀକାର କରନ୍ତି) ସେମାନଙ୍କୁ ଆକୃଷ୍ଟ କରୁଛି ବୋଲି ପ୍ରଶାନ୍ତଙ୍କ ଦାବି ।
ସର୍ଭେ କଣ କହୁଛନ୍ତି । India Today-Axis ଅକ୍ଟୋବର ୨୦୨୫ରେ ସର୍ଭେ କରିଛନ୍ତି ଏବଂ ବିହାରରେ ଜନ ସୁରାଜକୁ ୮ରୁ ୧୨% ଭୋଟ୍ ଦେଇଛି। ଯାହା RJDର MY ବେସ୍ ଓ JD(U)ର EBC ସମର୍ଥନକୁ ଭାଙ୍ଗି ପାରେ। ରଣନୀତିର ମାଷ୍ଟରଷ୍ଟ୍ରୋକ ହିସାବରେ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବା ପିକେଙ୍କ ଏକ୍ସ ଫ୍ୟାକ୍ଟର୍ ମାନସିକତାକୁ ପ୍ରମାଣ କରୁଛି। NDA (୧୨ ଅକ୍ଟୋବର: JD(U)-BJP ୧୦୧, LJP ୨୯) ଓ ମହାଗଠବନ୍ଧନ (RJD ୧୩୦-୧୪୦, Congress ୫୫-୬୦, Left ୩୦-୩୫) ସିଟ୍ ବଣ୍ଟନରେ ଝଗଡ଼ା କରୁଥିବା ବେଳେ, ଜନ ସୁରାଜ୍ ଦ୍ରୁତ ଓ ରଣନୈତିକ ପଦକ୍ଷେପ ନେଇଛି । ୯ ଅକ୍ଟୋବର ୨୦୨୫ରେ ଦଳ ତାର ପ୍ରଥମ ତାଲିକା ପ୍ରକାଶ କରିଥିବା ବେଳେ, ଆଜି ଆଉ ୬୫ ତାଲିକା ପ୍ରକାଶ କରିଛି। ଏହିପରି ମୋଟ୍ ୧୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ଏ ପ୍ରାର୍ଥୀମାନେ ବିହାରର ବିବିଧତାକୁ ପ୍ରତିଫଳିତ କରୁଛନ୍ତି । କୁମହ୍ରାରେ ଗଣିତଜ୍ଞ KC ସିଂହ, ମୁଜାଫରପୁରରେ ଡାକ୍ତର ଅମିତ କୁମାର ଦାସ, ମାଂଝୀରେ ପୂର୍ବତନ ଆଡ଼ଭୋକେଟ୍ ଜେନେରାଲ Y.V. ଗିରି, ଓ ଭୋରେୟରେ ଟ୍ରାନ୍ସଜେନ୍ଡର ପ୍ରୀତି କିନ୍ନାର ଏକ ଅନ୍ତର୍ଭୁକ୍ତିମୂଳକ ଚିତ୍ର ଆଙ୍କିଛନ୍ତି। ୧୩ ଅକ୍ଟୋବରରେ ଦ୍ୱିତୀୟ ତାଲିକାରେ ୬୫ ପ୍ରାର୍ଥୀ ଦେବା ପରେ ୩୧% EBC, ୨୧% OBC, ୨୧% ମୁସଲମାନ ଅଛନ୍ତି। ଏହା ବିହାରର ୩୬% EBC ଜନସଂଖ୍ୟା ଲକ୍ଷ୍ୟ କରୁଛି।
ରାଘୋପୁରରେ ପିକେ ନିଜେ ତେଜଶ୍ୱୀ ଯାଦବଙ୍କୁ ଚ୍ୟାଲେଞ୍ଜ କରିବେ କି ନାହିଁ, ତାହା ଏକ ରହସ୍ୟ ଘେରରେ ରହିଛି । କିନ୍ତୁ ଏହି ଦ୍ରୁତ ଘୋଷଣା NDA ଓ RJDର ବିଳମ୍ବକୁ ଛାଡ଼ି ଜନମତ ଗଠନ କରିବାରେ ସହାୟକ ହେବ କି ନାହିଁ ତାହା ସମୟ କହିବ । ପିକେଙ୍କ ଶକ୍ତି କେବଳ ପ୍ରାର୍ଥୀ ତାଲିକା ନୁହେଁ, ବରଂ ତାଙ୍କ ବିଷୟବସ୍ତୁ ଓ ଜନସମ୍ପର୍କ। ତାଙ୍କ ପଦଯାତ୍ରା ତାଙ୍କୁ ଜନତାଙ୍କ ମଧ୍ୟରେ ପହଞ୍ଚାଇଛି। କୃଷକଙ୍କ ସହ ରୋଟି ଭାଙ୍ଗିବାର ଭିଡିଓ Xରେ ୫୦ ଲକ୍ଷ ଭିୟୁ ହୋଇଥିଲା। ସେ ନୀତୀଶଙ୍କୁ “ପଲଟୁ ରାମ” ଓ ତେଜଶ୍ୱୀଙ୍କୁ “ବେକାରଙ୍କ ରାଜକୁମାର” କହି ହାସ୍ୟାସ୍ପଦ କଟାକ୍ଷ କରିଥିଲେ। ଏହା ବିହାରର ୪୦% ଯୁବକ (୨୫ ବର୍ଷରୁ କମ୍)ଙ୍କ ମଧ୍ୟରେ ସମର୍ଥନ ପାଇଛି। ତାଙ୍କ “ଜନ ଭାଗିଦାରୀ” ନୀତି—ଯେଉଁଥିରେ ଭୋଟର ପ୍ରାର୍ଥୀ ବାଛିବେ—ଏକ ନୂଆ ପରୀକ୍ଷା। ବିହାରର ଜାତିଭିତ୍ତିକ ରାଜନୀତି (ୟାଦବ-RJD, କୁର୍ମୀ-JD(U), ଦଲିତ-RJD, ଉଚ୍ଚଜାତି-BJP)କୁ ସେ ଅସ୍ୱୀକାର କରି ସମାବେଶୀ ଶାସନ ପାଇଁ ଆହ୍ୱାନ ଦେଇଛନ୍ତି।
ପାଟନାରେ ତାଙ୍କ ରାଲିରେ ୨ ଲକ୍ଷ ଲୋକ ଆସିବା ଓ କ୍ରାଉଡ ଫଣ୍ଡିଂର ନାରା ତାଙ୍କୁ ଅଧିକ ଲୋକପ୍ରିୟା କରାଇଛି। ଦାନ ତାଙ୍କ ଯୁଦ୍ଧପାଣ୍ଠି ବଢ଼ାଇଛି। ଆହ୍ୱାନ ଓ ସମ୍ଭାବନା ଅବଶ୍ୟ ଅଧିକ ରହିଛି କିନ୍ତୁ ନୂଆ ଦଳ ହିସାବରେ ଅନେକ ଚର୍ଚ୍ଚା ସେ ସାଉଣ୍ଟିଲେଣି। ଜନ ସୁରାଜର କୌଣସି ସଙ୍ଗଠନ ନାହିଁ, ପ୍ରାର୍ଥୀ ନୂଆ, ଓ RJD ତାଙ୍କୁ BJPର ପ୍ରକ୍ସି କହୁଛି। ରାଘୋପୁରରେ ଏକ MCC ଉଲ୍ଲଂଘନ FIR (୧୨ ଅକ୍ଟୋବର) ତାଙ୍କ ଉପରେ ଚାପ ସୃଷ୍ଟି କରୁଛି। ୫୦ ସିଟ୍ ଜିତିଲେ ପିକେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଥୟ। ୨୦ ସିଟ୍ ତାଙ୍କୁ କିଙ୍ଗମେକର କରିପାରିବ। ବିହାରର ଯୁବକ, EBC ଓ ଅସନ୍ତୁଷ୍ଟ ଭୋଟରଙ୍କୁ ଏକତ୍ରିତ କରି ସେ ଇତିହାସ ସୃଷ୍ଟି କରିପାରିବାର ଏକ ଅବସର ସୃଷ୍ଟି କରିଛନ୍ତି ।
AAP ଦିଲ୍ଲୀରେ ଯାହା କଲା, ପିକେ ବିହାରରେ ସେଇଆ କରିପାରିବାର ଏକ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି। ଜନ ସୁରାଜର ଉଦୟ ଏକ ନୂଆ ଅଧ୍ୟାୟର ସୂଚନା ବିହାର ରାଜନୀତିରେ। ଅଙ୍କ ହିସାବରେ ଦେଖିଲେ ୨୪୩ରୁ ୫୦ ଆସନ ଯଦି ପି.କେ ଜିତନ୍ତି ତେବେ ଖେଳ ନିଶ୍ଚୟ ଓଲଟ ପାଲଟ ହେବ। ଗତଥର ଜେଡିୟୁ ଜେତିକି ବିଧାନସଭା ଆସନ ଜିତିଥିଲା ଏଥର ସେତିକି ରଖିପାରିଲେ ପିକେଙ୍କ ପାଇଁ ବାଜୀ ଜିତିବା ସହଜ ହୋଇପାରେ।
(ଲେଖାଟି ସ୍ତମ୍ଭକାରଙ୍କ ମୁଖପୁସ୍ତକରୁ ସଂଗୃହୀତ )
