ବିଜେପି ବିରୋଧରେ ଭୋଟ ଦେବନି ବିଜେଡି…ହେଲେ ଲୋକସଭାରେ କରିବେ କ’ଣ !!!

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ସ୍ପଷ୍ଟୀକରଣ ରଖୁ ନାହାନ୍ତି। ସଂସଦରେ କୌଣସି ଟିପ୍ପଣୀ ମଧ୍ୟ ଦେଉ ନାହାନ୍ତି। ତେଣୁ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଘେରିବା ପାଇଁ ବିରୋଧିଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏହାକୁ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧିନ ଏନଡିଏର ବିଜୟ ସୁନିଶ୍ଚିତ ଥିଲେ ବି ମଣିପୁର ଉପରେ ବିତର୍କ ହେବ। ଏହି ବିତର୍କ ସାରା ଦେଶ ଶୁଣିବ। କାହାର କଣ ପକ୍ଷ ତାହା ଚିରଦିନ ପାଇଁ ରେକର୍ଡ ହୋଇ ରହିବ। ମାତ୍ର ଏହି ପ୍ରସଙ୍ଗରେ ବିଜେଡି କେଉଁ ରଣନୀତି ଗ୍ରହଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବିଜେଡି୨୦୦୯ରୁ ସମଦୂରତ୍ୱ ନୀତି ଅବଲମ୍ବନ କରିଛି। ମାତ୍ର ପରୋକ୍ଷରେ ବିଜେପିକୁ ସମର୍ଥନ ଯୋଗାଇ ଦେଇଛି। କିଛାମାସ ପୂର୍ବରୁ ପଡୋଶୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୀତିଶ କୁମାର ଓଡ଼ିଶା ଆସିଥିଲେ। ବିରୋଧି ମେଣ୍ଟରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ନବୀନ ତାହାକୁ ଗ୍ରହଣ କରି ନ ଥିଲେ। ଅନୁରୂପ ଭାବେ ଗତ ୧୮ ତାରିଖରେ ଏନଡିଏର ସହଯୋଗୀ ବୈଠକରେ ମଧ୍ୟ ବିଜେଡି ଯଆଇ ନ ଥିଲା। ବିଭିନ୍ନ ପ୍ରସଙ୍ଗରେ ବିଜେଡି ଅନୁପସ୍ଥିତ ରହି ବିଜେପିକୁ ପୂର୍ବରୁ ସହଯୋଗ କରି ଆସିଛି। ମାତ୍ର ମଣିପୁର ପ୍ରସଙ୍ଗରେ ପୂର୍ବପରି ଅନୁପସ୍ଥିତ ରହିଲେ କି ବାର୍ତ୍ତା ଯିବ, ସେନେଇ ଚିନ୍ତିତ ରହିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେଡ଼ି କଦାପି ସରକାରଙ୍କ ବିରୋଧରେ ଭୋଟ ଦେବ ନାହିଁ। ଏହା ସ୍ଥିରୀକୃତ ହୋଇ ସାରିଛି। ମାତ୍ର ବିପକ୍ଷରେ ମଧ୍ୟ ଭୋଟ ଦେବ ନାହିଁ। ତେଣୁ ଆଲୋଚନାରେ ଅଂଶଗ୍ରହଣ କରି ମହିଳା ସଂରକ୍ଷଣ, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା, ରେଳବାଇ ଅନୁଦାନ, ଜାତୀୟ ରାଜପଥ ଓ ରେଳପଥ ପରି ଦାବି ଉପସ୍ଥାପନ କରିବ। ମଣିପୁର ଘଟଣାକୁ ନେଇ ଅଧିକ ଆକ୍ରମଣ ହୋଇ ମୋଦି-ଶାହାକୁ ବିଜେଡି ଅପସେଟ୍ କରିବାକୁ ଚାହୁଁ ନ ଥିବା ଜଣାପଡିଛି। ଲୋକସଭାରେ ପିନାକୀ ମିଶ୍ର ହିଁ ଦଳ ମତ ରଖିବେ ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ।
