Biju legacy : ସେ କାଳ ଖଣ୍ଡରେ ଏମାନଙ୍କ ଚେର ନଥିଲା…..
ଭୁବନେଶ୍ୱର :(ବିଜୟ ସାହୁ)-ସତୁରୀ ଦଶକ ଥିଲା ବିଶ୍ଵବ୍ୟାପୀ ଛାତ୍ର ଆନ୍ଦୋଳନର ଏକ ଐତିହାସିକ କାଳଖଣ୍ଡ । ଏବଂ ଏହା ମଧ୍ୟ ଥିଲା କଂଗ୍ରେସ ଭିତରେ ବିଦ୍ରୋହର କାଳଖଣ୍ଡ ।ଏହି ପ୍ରେକ୍ଷାପଟରେ ଓଡ଼ିଶା ଛାତ୍ର ରାଜନୀତିର କିଛି ଘଟଣାକୁ ଅତୀତାବଲୋକନ କରିବି ।
ଘଟଣାଗୁଡିକ ପ୍ରାସଙ୍ଗିକତା କ୍ରମେ ଆଗ ପଛ ହେଇ ପାରେ ।
ମୁଁ ପୂର୍ବରୁ କିଛି ପୋଷ୍ଟରେ ଖ୍ରୀଷ୍ଟ କଲେଜର ଛାତ୍ର ପଦୀପ୍ତ ପଣ୍ଡା ରେଭେନ୍ସା କଲେଜ ନିକଟରେ ସହୀଦ ହେବା ଓ ବାମପନ୍ଥୀ ବିଚାରକ କବି ସଚ୍ଚି ରାଉତରାୟଙ୍କ ଚିର ପ୍ରଦୀପ୍ତ କବିତା କଥା ଲେଖିଥିଲି ।
ମୁଁ ଯେତେବେଳେ ରେଭେନ୍ସା କଲେଜକୁ ଆସିଲି ସେତେବେଳେ ପ୍ରଥମ ବଡ଼ ରାଜନୈତିକ ମେଳି ଥିଲା ନନ୍ଦିନୀ ଶତପଥୀଙ୍କ ଉପ ନିର୍ବାଚନ ଓ ବୀରେନ ମିତ୍ରଙ୍କ ମିଳିତ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା ।
ନିର୍ବାଚନ ପ୍ରଚାର ଶେଷ ସନ୍ଧ୍ୟାରେ ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ବିଜୁବାବୁ ଯୋବ୍ରା ଛକରୁ ଗୋଟିଏ ଗାଡିର ବର୍ନେଟ ଉପରେ ବସି ଗୋପବନ୍ଧୁ ବାଗ ସଭା ସ୍ଥଳକୁ ଯାଇଥିଲେ ଓ ଆମେ ସମସ୍ତ ବିରୋଧୀ ଏକ ଅଛୁ ବୋଲି ପ୍ରମାଣ ଦେଇଥିଲେ ।
ତଥାପି ନନ୍ଦିନୀ ଦେବୀ 10 ହଜାର ଭୋଟରେ ଜିତିଥିଲେ ।
ଏହି ନିର୍ବାଚନ ପ୍ରଚାର ଅବଧି ଅନେକ ବିରୋଧୀ ରାଜନୈତିକ କର୍ମୀ ନନ୍ଦିନୀ ଦେବୀଙ୍କ ଯୁବନେତାମାନଙ୍କ ଆକ୍ରମଣରେ ନାକ କାନ ମଧ୍ୟ ଫାଟିବା ସୁଯୋଗ ପାଇଥିଲେ । ସ୍ୱୟଂ ବିରେନ ମିତ୍ରଙ୍କ ବଡ଼ ପୁଅ ପ୍ରେମ ମିତ୍ର ମଧ୍ୟ କାନକୁ ମାଡ଼ ପରେ କାଲ ହେଇ ଯାଇଥିଲେ ଓ ଭବିଷ୍ୟତରେ ପାଇଲଟ ହେବା ସୁଯୋଗ ହରେଇ ଥିଲେ ।
ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା ଥିଲା ବର୍ତ୍ତମାନର ତିର୍ତ୍ତୋଲ ବିଜେଡି ବିଧାୟକ ରମାକାନ୍ତ ସିନା
ବିଜୁବାବୁଙ୍କ ଆଦର୍ଶ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ବିରୁଦ୍ଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଲେ,କିନ୍ତୁ ସେଦିନ ଭୋଟ ଗଣତି ବେଳେ ସୋସାଲିଷ୍ଟ ପାର୍ଟି ଛାଡି ତିର୍ତ୍ତୋଲରୁ କଂଗ୍ରେସ ବିଧାୟକ ହେଇଥିବା ନିଶାମଣି ଖୁଣ୍ଟିଆ କଟକ କିଲଟରୀ ହତାରୁ ନନ୍ଦିନୀ ଦେବୀଙ୍କ ପ୍ରତି ରାଉଣ୍ଡ ଭୋଟ କେତେ ହେଲା ପ୍ରଥମେ ଘୋଷଣା କରି ଦେଉଥିଲେ ଓ ଆମେମାନେ ମାଡ଼ ଭୟରେ ବୀରେନ ମିତ୍ରଙ୍କ ଵିଜୟ ଦେଖିବାକୁ ଯାଇଥିବା ଉତ୍ସାହୀ ଛାତ୍ରମାନେ ଆସ୍ତେ ଆସ୍ତେ ଖସି ଆସିଥିଲୁ ।
ଏହି ନିର୍ବାଚନରେ ଆଉ ଗୋଟିଏ ବିରଳ ମେଣ୍ଟ ଆମେ ଦେଖିଥିଲୁ ।
ହରେକୃଷ୍ଣ ମହାତାବ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓ ବିଜୁବାବୁ ଓ ବୀରେନ ମିତ୍ରଙ୍କୁ ପୂର୍ଣ ଅବଧି ମୁଖ୍ୟମନ୍ତ୍ରୀ ହେବାରେ ଆଦୌ ସୁଯୋଗ ନଦେବା ପାଇଁ ସର୍ବଦା କଳା କୌଶଳ ପ୍ରୟୋଗ କରିଥିବା ବେଳେ ପୁଣି ବୀରେନ ମିତ୍ରଙ୍କୁ ବିଧାୟକଟିଏ କରିବା ପାଇଁ ଉପ ନିର୍ବାଚନରେ ଗୋଟିଏ ମଞ୍ଚରେ ଏକ ହେଇଥିଲେ ।
ମୋ ଛାତ୍ର ଜୀବନରେ ଆଉ ଗୋଟିଏ ଘଟଣା ଘଟି ଥିଲା ଜେପି ଆନ୍ଦୋଳନ ପୂର୍ବରୁ । ନନ୍ଦିନୀ ଦେବୀ ଉତ୍କଳ ବିଶ୍ୱବିଦ୍ୟାଳୟ ସିନେଟ ସିଣ୍ଡିକେଟ କୁ ଭାଙ୍ଗି ବିଶ୍ୱ ବିଦ୍ୟାଳୟର ପରିଚାଳନା ଦାୟିତ୍ବ ଜଣେ ପ୍ରଶାସକ ଜ୍ଞାନ ଚାନ୍ଦ ଙ୍କ ହାତରେ ଦେଇଥିଲେ ।
ରେଭେନ୍ସା ଜର୍ଣ୍ଣାଲ ହଲ ବା ଓଡ଼ିଶାର ପ୍ରଥମ ବିଧାନସଭା ହଲରେ ଲୋହିୟାବାଦୀ ଛାତ୍ର ନେତା ଓ ମୋର ବଡ଼ ଭାଇ ଚିତ୍ତ ମହାନ୍ତିଙ୍କ ଉଦ୍ୟମ ଓ ଡିଏସଓ ଛାତ୍ର ସଂଗଠକଙ୍କ ସହଯୋଗରେ ତୁରନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହେଇଥିଲା ।
ପୁଣି 1974 ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନର ମାତ୍ର ମାସେ ଦୁଇ ମାସ ପୂର୍ବରୁ ଉତ୍କଳ ବିଶ୍ଵ ବିଦ୍ୟାଳୟ ସ୍ତରୀୟ ଛାତ୍ର ବିକ୍ଷୋଭ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଇଥିଲା ଓ ଆମମାନଙ୍କୁ ବହେ ପୋଲିସ ଛେଚିବା ପରେ ଗିରଫ କରି ଖଣ୍ଡଗିରି ପାଖ ଗୋଟିଏ ପୋଲିସ ବ୍ୟାରେକରେ ଛାଡି ଦେଇଥିଲେ । ପାଣି ଖାଦ୍ୟ ନଦେଇ କହିଲେ ବଣ୍ଡ ଲେଖି ବେଲରେ ଯୁଆଡେ ଯାଉଛ ଯାଅ ନହେଲେ ଜେଲକୁ ଚାଲ । କିଛି ପିଲା ବ୍ୟାରେକରୁ ଦୌଡ଼ି ପଳେଇ ଆସିଲେ ଓ ଆମେ ପ୍ରାୟ 50 ପାଖାପାଖି ଛାତ୍ର, ଛାତ୍ରନେତା ବେଲ ବନାମ ଜେଲ ମଧ୍ୟରେ ଜେଲକୁ ବାଛି ଝାରପଡା ଜେଲରେ ପ୍ରାୟ 15/20 ଦିନ ମଶା ଡାଆଁସରେ ରାତିସାରା ଖଞ୍ଜଣି ବଜେଇ ଥିଲୁ ।
ପଛକୁ ଫେରି ଦେଖିଲେ ଏହା ପଛରେ କିଛିଟା ମହତାବଙ୍କ ପ୍ଲାନ ଥିଲା । ଆମେ ଅଧିକ ଦିନ ଜେଲରେ ରହିଲେ ପ୍ରଚାର ହେବ ଓ କଂଗ୍ରେସ ଆସନ୍ନ ନିର୍ବାଚନରେ ମାଟି ଚାଟିବ ବୋଲି ରାଜନୈତିକ ନେତାମାନେ ବୋଧେ ଭାବିଥିଲେ ।ଏହି ସମୟରେ ସମାଜର ଗାଡି ପୋଡା ହେଇଥିଲା, କାରଣ ସେତେବେଳେ ସମାଜ କଂଗ୍ରେସ ପାଇଁ ବେଶି ପ୍ରଚାର କରୁଥିଲା ।
ତଥାପି ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ କଂଗ୍ରେସ ଜିତିଥିଲା ଓ ସରକାର ଗଠନ କରିଥିଲେ । ଏହି ନିର୍ବାଚନରେ କଂଗ୍ରେସର କିଛି ଆସନରେ ସିପିଆଇ ସହ ସମଝୋତା ହେଇଥିଲା ।
ଏହି ପୋଷ୍ଟଟି ଏଠାରେ ଶେଷ କରିବା ପୂର୍ବରୁ ଗୋଟିଏ କଥା ଉଲ୍ଲେଖ କରିବାକୁ ଚାହେଁ ଯେ ଏହି କାଳଖଣ୍ଡ ପର୍ଯ୍ୟନ୍ତ ବର୍ତ୍ତମାନ
ଓରିଜିନାଲ ବିଜୁ ପରିବାର ଦାବୀ କରୁଥିବା କୌଣସି ନେତାଙ୍କ ନାଁ ମୁଁ ଶୁଣି ନଥିଲି । ଯେଉଁମାନଙ୍କ ନାଁ ଶୁଣି ଥିଲି ସେମାନଙ୍କ ମଧ୍ୟରେ ଅଧିକାଂଶ ସୋସାଲିଷ୍ଟ ପାର୍ଟି, ଡିଏସଓ, ଏସ ଏଫ ଆଇ, ଏ ଆଇଏସଏସ ସଂଗଠକ । ନାଁ ଉଲ୍ଲେଖ କରୁନାହିଁ । କାରଣ ପକ୍ଷପାତିତା ହେଇପାରେ ।
