Biju Pattnaik In odisha Politics ବିଜୁ କଂଗ୍ରେସ ବିରୋଧୀ ନୁହଁ, ଇନ୍ଦିରାଙ୍କ ଏକଛତ୍ରବାଦ ବିରୋଧୀ

ଭୁବନେଶ୍ୱର : (ବିଜୟ ସାହୁ ):ରାଜ୍ୟସଭା ନିର୍ବାଚନକୁ ନେଇ ଯେମିତି ବର୍ତ୍ତମାନ ଓରିଜିନାଲ ବିଜୁ ପରିବାର ଓ ନବୀନ-ବିଜୁ ଲିଗାସୀ
ମଧ୍ୟରେ ଦ୍ବନ୍ଦ୍ୱ ଲାଗିଛି ସେମିତି ବିଜୁବାବୁଙ୍କ ସମୟରେ ରାଜ୍ୟସଭା ନିର୍ବାଚନକୁ ନେଇ କେନ୍ଦ୍ର କଂଗ୍ରେସ ଓ ରାଜ୍ୟ କଂଗ୍ରେସ ମଧ୍ୟରେ ତୁଙ୍ଗ ନେତାମାନଙ୍କ ଲଢେଇ ଚାଲିଥିଲା ।
ସେତେବେଳେ ବିଜୁବାବୁଙ୍କ ଏହି ରାଜନୈତିକ ପରିବାର ( ଦିଲ୍ଲୀପ ରାୟଙ୍କ ଭାଷାରେ ) ଜନ୍ମ ହେବାକୁ ଅନେକ ବର୍ଷ ବାକି ଥିଲା ।
ମୁଁ ବିଜୁ ବାବୁଙ୍କୁ ପ୍ରଥମେ ଖୁଵ ନିକଟରୁ ଦେଖିଲି ଯେତେବେଳେ କଟକରେ ହାଇସ୍କୁଲରେ ପଢିବା ପୂର୍ବରୁ ଆମ ଘର ପାଖ ତାଳସର ହାଇସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ର ଥିଲି ।
ବିଜୁ ବାବୁ ଆମ ହାଇସ୍କୁଲ ପଡ଼ିଆରେ ନିର୍ବାଚନ ସଭା କରୁଥିଲେ । ସେତେବେଳେ ଗଞ୍ଜାମ ଥିଲା ସୋସାଲିଷ୍ଟ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟିର ଦୁର୍ଗ । ସେଇଠି ଜାଣିଲି ବିଜୁବାବୁ ଗଞ୍ଜାମ ଲୋକ । ତଥାପି ଆମେ ପିଲାମାନେ ନିର୍ବାଚନ ବେଳେ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ପ୍ରାର୍ଥୀ ନାରାୟଣ ସାହୁଙ୍କ ଶୋଭାଯାତ୍ରାରେ ବିଜୁ ବୀରେନ ଯେଉଁଠି ମଦ ଭାଟି ସେଇଠି ସ୍ଲୋଗାନ ଦେଇଥିଲୁ ।
ବିଜୁବାବୁ 1967 ନିର୍ବାଚନରେ ଅନେକ ସ୍ଥାନରେ ହାରିଥିଲେ ଓ କଂଗ୍ରେସ ଦଳର ପ୍ରାର୍ଥୀ ଖଲ୍ଲିକୋଟ ରାଜା ହରିହର ମର୍ଦରାଜ ମଧ୍ୟ ହାରିଥିଲେ । ସମ୍ଭବତଃ ଏହି ନିର୍ବାଚନ ଠାରୁ ବିଜୁବାବୁ-ଇନ୍ଦିରା ଗାନ୍ଧୀ ଙ୍କ ମଧ୍ୟରେ ଦ୍ବନ୍ଦ୍ୱ ବଢିଥିଲା ଓ ଓଡ଼ିଶାରେ ପ୍ରଥମ ଅଣ -କଂଗ୍ରେସ ମିଳିତ ସରକାର ଗଠନ ହେଇଥିଲା । 1966-67 ରେ ସେ ଓଡ଼ିଶା କଂଗ୍ରେସର ଜଣେ ଉଦୟମାନ ପ୍ରଭାଵଶାଳୀ ବ୍ୟକ୍ତିତ୍ୱ ଥିଲେ । ତେଣୁ ଇନ୍ଦିରା ଗାନ୍ଧୀ 1967ରେ କଂଗ୍ରେସ ନେତୃତ୍ୱକୁ ଆସିବା ପରେ ବିଜୁବାବୁଙ୍କ ସମ୍ପର୍କରେ ଟିପ୍ପଣୀ କରିଥିଲେ, ” Odisha needs a jolt .And under Patnaik it is getting one  “
କିନ୍ତୁ 1969 ରାଷ୍ଟ୍ରପତି ନିର୍ବାଚନକୁ କେନ୍ଦ୍ର କରି ବିଜୁ-ଇନ୍ଦିରାଙ୍କ ମଧ୍ୟରେ ଫାଟ ବଢ଼ିଲା ଓ ସେ ଉତ୍କଳ କଂଗ୍ରେସ ଗଠନ କଲେ । ତଥାପି 1970 ରାଜ୍ୟସଭା ନିର୍ବାଚନ ପୁନଃ ମିଶ୍ରଣ ପାଇଁ ଏକ ସୁଯୋଗ ଆଣିଥିଲା ।
ବିଜୁବାବୁ ହାରିବା ପରେ 1970ରେ ରାଜ୍ୟସଭା ମାଧ୍ୟମରେ କେନ୍ଦ୍ରକୁ ଯିବାକୁ ଚାହୁଁଥିଲେ । ଇନ୍ଦିରା ଗାନ୍ଧୀ ତାଙ୍କୁ ମନୋନୀତ କଲେ ନାହିଁ । ଏହା ଥିଲା Flash point .
କଂଗ୍ରେସର ( R) ପ୍ରାର୍ଥୀ ଭାବରେ  ବିନୟ କୁମାର ମହାନ୍ତି ଓ ବିଜୁବାବୁଙ୍କ ସମର୍ଥିତ ପ୍ରାର୍ଥୀ ଭାବରେ ନାରାୟଣ ପାତ୍ର ପ୍ରତିଦ୍ବନ୍ଦିତା କରିଥିଲେ ।ସ୍ୱତନ୍ତ୍ର ପାର୍ଟିରୁ ବିରୋଧୀ ପ୍ରାର୍ଥୀ ଭାବରେ ବୀର କିଶୋର ଦେଓ ପ୍ରତିଦ୍ବନ୍ଦିତା କରିଥିଲେ ।
ନାରାୟଣ ପାତ୍ର ସେତେବେଳେ ଗଞ୍ଜାମର ବିଜୁବାବୁଙ୍କ ସମସାମୟିକ    କଂଗ୍ରେସ ନେତା ଥିଲେ ଓ ବିନୟ କୁମାର ମହାନ୍ତି ସୁନ୍ଦରଗଡ ଜିଲ୍ଲାର  ଶ୍ରମିକ ସଂଗଠନ ପୃଷ୍ଠଭୂମିରୁ କଂଗ୍ରେସ ନେତା ଥିଲେ । କିନ୍ତୁ ଉଭୟ ପ୍ରାର୍ଥୀ ହାରିଥିଲେ ଓ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ବୀର କିଶୋର ଦେଓ ଜିତିଥିଲେ । ଏହି ନିର୍ବାଚନରେ କଂଗ୍ରେସର ଭୋଟ ବିଭାଜନ ଓ ସ୍ୱତନ୍ତ୍ର ପ୍ରାର୍ଥୀ ସପକ୍ଷରେ ମହତାବଙ୍କ ଜନକଂଗ୍ରେସ ଓ ସୋସାଲିଷ୍ଟ ପାର୍ଟି ( ପ୍ରଜା ସୋସାଲିଷ୍ଟ ଓ ସଂଯୁକ୍ତ ସୋସାଲିଷ୍ଟ ) ବିଧାୟକଙ୍କ ଭୋଟ ଯୋଗୁଁ ଦେଓ ଜିତିଥିଲେ ଓ କଂଗ୍ରେସର ଉଭୟ ପ୍ରାର୍ଥୀ ହାରିଥିଲେ । ଦେଓ ବୋଧେ ପରବର୍ତ୍ତୀ ସମୟରେ ଜନସଂଘରେ ଯୋଗ ଦେଇଥିଲେ ।
ଏହି ନିର୍ବାଚନ ପରେ ହିଁ ବିଜୁବାବୁଙ୍କୁ ବିଧିବଦ୍ଧ ଭାବରେ କଂଗ୍ରେସ 1970ରେ ବହିଷ୍କାର କରିଥିଲା ଓ ସେହି ବର୍ଷ ସେ ଏପ୍ରିଲ ମାସରେ ଉତ୍କଳ କଂଗ୍ରେସ ଗଠନ କରିଥିଲେ ।
ଏହି କାଳଖଣ୍ଡ ଥିଲା ବହୁ ଚର୍ଚ୍ଚିତ ମହତାବ-ବିଜୁ ଗୁରୁ ଶିଷ୍ୟ ଲଢେଇ କାଳଖଣ୍ଡ । କିନ୍ତୁ ବାସ୍ତବରେ ସେୟା ନୁହେଁ । ବିଜୁବାବୁ ନେହରୁଙ୍କ ଯୋଗୁଁ ରାଜନୀତିକୁ ଆସିଥିଲେ ଓ ମହତାବ  ସବୁବେଳେ ନବକୃଷ୍ଣ ଚୌଧୁରୀଙ୍କ ଠାରୁ ଆରମ୍ଭ କରି ବିଜୁବାବୁଙ୍କ ପର୍ଯ୍ୟନ୍ତ କାହାକୁ ଓଡ଼ିଶା କଂଗ୍ରେସ ନେତା ହେଇ ଆଗକୁ ଯିବାକୁ ସୁଯୋଗ ଦେଇ ନଥିଲେ । ନିଜେ ଯଦିଓ କଂଗ୍ରେସ ଛାଡି ଜନକଂଗ୍ରେସ ଗଠନ କରିଥିଲେ ତଥାପି ଆଶାଥିଲା ବିଜୁ ହଟିଗଲେ ପୁଣି ଇନ୍ଦିରାଙ୍କୁ ମନେଇ ମୂଳ କଂଗ୍ରେସକୁ ଫେରି ଯିବେ । ସମୟ ସାଥ ଦେଇ ନଥିଲା ।
ତେଣୁ ହରେକୃଷ୍ଣ ମହତାବ ବିଜୁ ବୀରେନଙ୍କ ପରେ ଆଉ ମୁଖ୍ୟମନ୍ତ୍ରୀ ହେଇ ପାରି ନଥିଲେ । ଅବଶ୍ୟ
ବିଜୁବାବୁ ବହୁ ବର୍ଷ ପରେ ଦ୍ଵିତୀୟ ଥର କ୍ଷମତାକୁ ଫେରିଥିଲେ, କିନ୍ତୁ ଏହି ପର୍ଯ୍ୟାୟରୁ ଆରମ୍ଭ ହେଉଥିବା ବିଜୁ ପରିବାର ବିଜୁବାବୁଙ୍କ ତଥାକଥିତ ରାଜନୈତିକ ସନ୍ତାନମାନେ ନିଜ ନିଜର ରାଜନୈତିକ ପରିବାର ଗଢିବା ଭିତରେ 1995 ନିର୍ବାଚନରେ କ୍ଷମତା ଚ୍ୟୁତ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *