*୩୩ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର * ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରକୁ ୩ ବର୍ଗରେ ପୁରସ୍କାର
ଭୁବନେଶ୍ୱର, ୧୫/୧୧- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧୪ ତାରିଖ ଦିନ ଘୋଷଣା କରାଯାଇଥିବା ୩୩ ତମ ରାଜ୍ୟ ଚଳଚିତ୍ର ପୁରସ୍କାର – ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରଟିକୁ ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି ।
ବିଶ୍ୱାସ ଚଳଚିତ୍ରର ନିର୍ଦେଶକ, ଚିତ୍ରନାଟ୍ୟ, ଗୀତିକାର ଓ ସଂଳାପକାର ଶ୍ରୀ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ଏହି ଚଳଚିତ୍ରର ଅନନ୍ୟ ଲାଳିତ୍ୟପୂର୍ଣ୍ଣ ସୁମଧୁର ଗୀତ ‘ଝଡ଼ ପରି ଆସି ପାଗଳ କରିଲ’ ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ତଥା ଶ୍ରେଷ୍ଠ ସଂଳାପ ଲେଖକ ଓ ଚଳଚିତ୍ରରେ ଆଲୋକ ଚରିତ୍ର ଚିତ୍ରଣ କରିଥିବା ଶିଶୁ କଳାକାର ମାଷ୍ଟର ନବନୀତ ମହାନ୍ତଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ଏହି ସମ୍ମାନଜନକ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୧ ପ୍ରଦାନ କରାଯିବ।
ଚଳଚ୍ଚିତ୍ର ପ୍ରେମୀ ତଥା ସୁସାହିତ୍ୟିକ ଡଃ ବିବେକାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ସୁଧନ୍ୟା କ୍ରିଏଟିଭସ୍ ବ୍ୟାନରରେ ପ୍ରଯୋଜିତ ପ୍ରଭାବଶାଳୀ ଚଳଚ୍ଚିତ୍ର ‘ବିଶ୍ୱାସ’, ଏକ ମୂଳ ବିଷୟବସ୍ତୁକୁ ନେଇ ଆଧାରିତ। ସାମାଜିକ ବ୍ୟାଧି ରୂପେ ବିବେଚନା କରାଯାଉଥିବା ଅନ୍ଧବିଶ୍ୱାସ, ଗୁଣିଗାରେଡି ଓ କଳାଯାଦୁର ବଶବର୍ତ୍ତୀ ହୋଇ ମଣିଷ କିପରି ଏହାକୁ ବିଶ୍ୱାସ କରେ ଓ ପରବର୍ତ୍ତୀ ସମୟରେ ଏହା ମନୁଷ୍ୟ ଜୀବନରେ କିପରି ପ୍ରଭାବ ପକାଏ ସେ ସମ୍ବନ୍ଧରେ ଏହି ଚଳଚ୍ଚିତ୍ରରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । ଅନ୍ଧବିଶ୍ୱାସ ଭଳି କୁତ୍ସିତ ମାନସିକତାରୁ ସମାଜକୁ ମୁକୁଳେଇବାର ସାମାଜିକ ବାର୍ତ୍ତା ବହନ କରୁଥିବା ସହ ସାମାଜିକ ଜୀବନ ସହ ଓତପ୍ରୋତ ଭାବେ ଜଡିତ ଧର୍ମ, ପରମ୍ପରା, ସଂସ୍କୃତିର ନିଛକ ପ୍ରତିଛବିକୁ ଏହି ଚଳଚ୍ଚିତ୍ର ଜରିଆରେ ଯେପରି ଭାବାପୂର୍ଣ୍ଣ ଶୈଳୀରେ ପ୍ରସ୍ତୁତ କରାଯାଇଥିଲା, ତାହା ଓଡ଼ିଆ ସିନେ ଜଗତରେ ଏକ ଆଲୋଡନ ସୃଷ୍ଟି କରିଥିଲା ଏବଂ ଦର୍ଶକଙ୍କ ମନକୁ ଛୁଇଁବାରେ ବେଶ ସକ୍ଷମ ହୋଇପାରିଥିଲା ।
ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମୟୁରଭଞ୍ଜ ଏବଂ ଶ୍ରୀକ୍ଷେତ୍ର ପୁରୀ ଜିଲ୍ଲା ତଥା ମନ୍ଦିରମାଳିନୀ ମହାନଗରୀ ଭୁବନେଶ୍ୱରର ଅନେକ ସ୍ଥାନରେ ସୁଟିଂ ହୋଇଥିବା ଏହି ବିଶ୍ୱାସ ଚଳଚ୍ଚିତ୍ରର ସଂଳାପଗୁଡିକ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥିବାବେଳେ ଲୋକଭାଷାର ବ୍ୟବହାର ଦର୍ଶକମାନଙ୍କ ପାଇଁ ଥିଲା ଆମୋଦଦାୟକ l