ସମର୍ଥନ କର ନହେଲେ ଓ୍ୱାକ୍ ଆଉଟ୍ କର, ବିଜେଡିକୁ ବିଜେପିର ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ଆଗତ ହେଲେ ବିଜେଡି କଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଜଗନମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସ ଗୋଟିଏ ମାର୍ଗରେ ଯାଇପାରନ୍ତି। ଏହି ଦୁଇ ଦଳର ନଅ ଖଣ୍ଡ ଭୋଟ ବିଜେପିକୁ ହରାଇ ଦେବାର ସାମର୍ଥ୍ୟ ରଖୁଛି। ସିଧାସଳଖ ବିଲ୍ କୁ ସମର୍ଥନ କିମ୍ବା ବିରୋଧ କରିବା ପାଇଁ ଚାହୁଁନି ବିଜେଡି। ତେଣୁ ସମର୍ଥନ ଓ ବିରୋଧ ମଧ୍ୟରେ ଥିବା ରାଜନୈତିକ ଫାଙ୍କ ଖୋଜୁଛି ବିଜେଡି। ଏହି କ୍ରମରେ ବିଲ୍ ବିରୋଧରେ କିମ୍ବା ସଂଘୀୟ ବ୍ୟବସ୍ଥା ବିରୋଧରେ ବକ୍ତବ୍ୟ ପ୍ରଦାନ କରି ଗୃହତ୍ୟାଗ କରିବା ଉପଯୁକ୍ତ ବୋଲି ବିଜେଡି ମନେ କରୁଛି। ଏହା ଦ୍ୱାରା ବିଲ୍ ବିରୋଧରେ କହିଥିବାରୁ ରାଜ୍ୟସଭାରେ ରେକର୍ଡ ହେବ, ଆଉ ଗୃହତ୍ୟାଗ କରିବା ଦ୍ୱାରା ମ୍ୟାଜିକ୍ ନମ୍ବର ହ୍ରାସ ପାଇବ। ଏହା ପରୋକ୍ଷରେ ବିଜେପି ନେତୃତ୍ୱାଧିନ ଏନଡିଏକୁ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।
ଅପରପକ୍ଷରେ ବିଜେଡିକୁ ରାଜନୈତିକ ଭାବେ ବ୍ଲାକମେଲ୍ କରିବାକୁ ବିଜେପି ସଂସଦରେ 5-ଟି ଚାର୍ଟର ଏବଂ ଏହାକୁ ପରିଚାଳନା କରୁଥିବା ଅଫିସରଙ୍କୁ ଘେରିବାକୁ ଚେଷ୍ଟା କରିଛି। ଏହି ପ୍ରସଙ୍ଗ ସଂସଦରେ ଉଠାଇ ଜାତୀୟ ଗଣମାଧ୍ୟମର ଦୃଷ୍ଟିଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ଏହି ସଂସଦ ଅଧିବେଶନରେ ବିଜେଡିର କଣ ଆଭିମୁଖ୍ୟ ହେଉଛି, ତାହା ଉପରେ ସାରା ଦେଶର ରାଜନୈତିକ ସମୀକ୍ଷକଙ୍କ ନଜର ରହିବ।