ମଧ୍ୟଯୁଗୀୟ ମନୁବାଦୀ ବିଚାରରେ ମହିଳା ଓ ଦଳିତଙ୍କୁ ଅସୁରକ୍ଷିତ ଅବସ୍ଥାରେ ରଖିଥିବା ବିଜେପି ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛି – ରାଷ୍ଟ୍ରୀୟ ଯୁବା ସଙ୍ଗଠନ

ଭୁବନେଶ୍ବର : ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ପ୍ରତି ହିଂସା ଓ ଗଣଦୁଷ୍କର୍ମ ବଢିଚାଲିଥିବା ବେଳେ ସଂଖ୍ୟାଲଘୁ ଆଦିବାସୀ ଓ ଦଳିତମାନଙ୍କ ଉପରେ ମଧ୍ୟଯୁଗୀୟ ବର୍ବରତା ବଢିଚାଲିଛି। ଗଞ୍ଜାମ ଜିଲ୍ଲାର ମୋଟ ୧୪ଟି ବିଧାନସଭା କ୍ଷେତ୍ରର ୧୩ ଟି ଆସନରେ ଏବଂ ୨ଟି ଲୋକସଭା ଆସନରୁ ଦୁଇଟି ଯାକ ଆସନରେ ବିଜେପି ଜିତିଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପଳପୁର ବେଳାଭୂମିର ପର୍ଯ୍ୟଟକ ଚୌକିରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଦଶଜଣ ଅପରାଧୀ ଆକ୍ରମଣ କରି ପୁରୁଷ ବନ୍ଧୁଙ୍କୁ ବାନ୍ଧି ପକାଇ ତାଙ୍କ ସାମ୍ନାରେ ତାଙ୍କ ବାନ୍ଧବୀ ଯୁବତୀ ଜଣଙ୍କୁ ଜଣ ଜଣ କରି ୧୦ ଜଣ ଗଣଦୁଷ୍କର୍ମ କରିବା ଘଟଣା ଘଟିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ହରିଚନ୍ଦନପୁର ଠାରେ ଯୁବତୀ ଜଣଙ୍କୁ ରାସ୍ତାରେ ଉଠାଇନେଇ ଗଣଦୁଷ୍କର୍ମ ସହ ହତ୍ୟା କରି ସଜନା ଗଛରେ ମୃତ୍ୟୁ ଦେହକୁ ଝୁଲାଇଦେବା ଘଟଣା ବିଜେପି ସରକାର ଅମଳରେ ନାରୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ବିଶ୍ୱ ଦରବାରରେ ଭାରତକୁ ବିଶେଷ କରି ଓଡ଼ିଶା ସମେତ ୬ଟି ରାଜ୍ୟକୁ ମହିଳା ପର୍ଯ୍ୟଟକ ଆସିବା ଉପରେ ବିଭିନ୍ନ ଦେଶ କଟକଣା କରିବା ଘଟଣାରେ ଭାରତର ବସୁଦୈଵ କୁଟୁମ୍ବକମ୍ ଛବିକୁ ମଳିନ କରାଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକର ସିଙ୍ଗିପୁର ଗ୍ରାମର ଦୁଇ ଜଣ ଦଳିତ ବ୍ୟକ୍ତି ହାଟରୁ ଗାଈ ଖରିଦ କରି ତାଙ୍କ ଝିଅକୁ ଦାନ କରିବା ପାଇଁ ଏକ ଚାରିଚକିଆ ଗାଡ଼ିରେ ଆଣୁଥିବା ବେଳେ ତଥାକଥିତ ଗୋରକ୍ଷକ ଗୁଣ୍ଡାମାନେ ଏହି ଦୁଇଜଣ ଦଳିତ ବ୍ୟକ୍ତିଙ୍କୁ ଗାଈ ନେଉଥିବା ବାବଦରେ ଚାଳିଶ ହଜାର ଟଙ୍କା ଦାବୀ କରିବା ଓ ଟଙ୍କା ଦେବାର ଅକ୍ଷମତା ପ୍ରକାଶ କରିବାରୁ ଉଭୟଙ୍କୁ ବାନ୍ଧି ପକାଇ ଲଣ୍ଡା କରିବା ଓ ତାଙ୍କ ବେକରେ ଦୌଡ଼ି ଲଗାଇ ଗାଈ ଭଳି ଚାରି ପାଦରେ ଚଲାଇ ମୁହଁରେ ଘାସ ପୁରାଇ ବଳପୂର୍ବକ ଖୁଆଇବା ଓ ରାସ୍ତାକଡ଼ ମଇଳା ନାଳପାଣି ମୁହଁ ଲଗାଇ ପିଇବା ପାଇଁ ବାଧ୍ୟ କରାଇବା ଘଟଣା ସମଗ୍ର ରାଜ୍ୟର ମାନବୀୟତାକୁ ଦୋହଲାଇ ଦେଇଛି। ସମ୍ପୃକ୍ତ ଅପରାଧୀମାନେ ତଥାକଥିତ ଗୋରକ୍ଷକ ଓ ଏମାନଙ୍କ ମାଷ୍ଟର ମାଇଣ୍ଡ ଅତୀତରେ ହତ୍ୟାକାଣ୍ଡରେ ଜଡିତ ହୋଇ ଜେଲ ଯିବା, ଶୈଶବ ଅପରାଧ ଆଳରେ ଜେଲରୁ ମୁକୁଳି ଥିଲେ ବି ସାମ୍ପ୍ରଦାୟିକ ରାଜନୈତିକ ପୃଷ୍ଠପୋଷକତାରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରିଚାଲିଛି। କେବଳ ସେତିକି ନୁହେଁ ମାଲକାନଗିରି ସହର ଉପକଣ୍ଠ ଏକ ଗ୍ରାମର ୯ଟି ସଂଖ୍ୟାଲଘୁ ପରିବାରର ୩୦ ଜଣ ସଦସ୍ୟଙ୍କୁ ବିଜେପି ଓ ବଜରଙ୍ଗ ଦଳର କର୍ମୀମାନେ ବର୍ବରୋଚିତ ଆକ୍ରମଣ କରି ତାଙ୍କ ଘର ଧ୍ବଂସ କରିବା ସହ ଗାଁରୁ ବାହାର କରିଦେବା ଓ ଏହି ହିଂସ୍ର ଆକ୍ରମଣରେ ୮ ଜଣ ଗୁରୁତର ଆଘାତପ୍ରାପ୍ତ ବ୍ୟକ୍ତି ଡ଼ାକ୍ତରଖାନାରେ ଚିକିତ୍ସାଧୀନ ହୋଇଥିଲେ ସୁଦ୍ଧା ଶାସକ ଦଳର ଏହି ଅପରାଧୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ ମଧ୍ୟରାତ୍ରରେ ଜଣେ ଏକାକିନୀ ନାରୀ ଯେଉଁଦିନ ନିର୍ଭୟରେ ରାଜରାସ୍ତାରେ ଯାତାୟାତ କରିପାରିବ ସେତେବେଳେ ଦେଶ ସ୍ଵାଧୀନ ହେଲା ବୋଲି ପ୍ରତ୍ୟୟ ହେବ। ଗତ ୨୦୧୪ ମସିହାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଇତ୍ୟାଦିରେ ନାରୀମାନଙ୍କ ପ୍ରତି ହିଂସା, ସଂଖ୍ୟାଲଘୁ ଆଦିବାସୀ ଓ ଦଳିତଙ୍କ ଉପରେ ଭିଡ଼ ଆକ୍ରମଣ ଘଟଣା ଗଣମାଧ୍ୟମରୁ ଜାଣିବାକୁ ମିଳୁଥିଲା। କିନ୍ତୁ ଓଡ଼ିଶାରେ ବିଜେପିର ଗତ ୧ ବର୍ଷର ଶାସନ କାଳ ମଧ୍ୟରେ ଏହି ଘଟଣା ଅରଣ୍ୟାଗ୍ନୀ ଭଳି ବ୍ୟାପୁଥିବା ବେଳେ ସରକାର ନିରବଦ୍ରଷ୍ଟା ଥିବା ହେତୁ କ୍ଷମତାରେ ରହିବାର ସମସ୍ତ ନୈତିକତା ହରାଇ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ ବୋଲି ଆଜି ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ ଓ କୋର କମିଟି ସଦସ୍ୟ ଅଲିଭା ଦାଶ ଉପସ୍ଥିତ ଥିଲେ।