କିଛିଦିନରେ ଓଡ଼ିଶାରେ ଏହି ଖେଳ କରିବାକୁ ଯାଉଛି ବିଜେପି…. ଲୋକସଭା ଆସନରେ ଆହୁରି ହାଇ ପ୍ରୋଫାଇଲ ପ୍ରାର୍ଥୀ….. ବିଜେଡି ବିଦ୍ରୋହୀଙ୍କ ଉପରେ ନଜର
ଭୁବନେଶ୍ୱର,୨୯/୪(ବ୍ୟୁରୋ): କର୍ନାଟକ ନିର୍ବାଚନ ସରିଯାଇଛି। ଫଳାଫଳ ଯାହା ହେଉ ନା କାହିଁକି ଆଗାମୀ ଦିନରେ ଓଡ଼ିଶାରେ ସକ୍ରିୟ ହେବ ବିଜେପି। ମେ ମାସ ଶେଷ ଆଡକୁ ଉପକୂଳ ଓଡ଼ିଶାରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ରଖାଯିବ। ରାଜ୍ୟର ସାଙ୍ଗଠନିକ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯିବ। ନୂତନ ଭାବେ ପ୍ରଭାରୀ ନିଯୁକ୍ତ ହୋଇଥିବା ସୁନୀଲ ବଂଶଲଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟରେ ବିଜେପିର ରାଜ୍ୟରେ ଅଭିବୃଦ୍ଧି ଉର୍ଦ୍ଧ୍ୱମୁଖୀ ରହିଥିବା ଉଲ୍ଲେଖ କରାଯାଇଛି।
ଜନମତ, ବୁଦ୍ଧିଜୀବୀ ଏବଂ ରାଜନୈତିକ ସମୀକ୍ଷକଙ୍କ ଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ବିଜେପି ତିନୋଟି ଦିଗକୁ ବିଶେଷ ପ୍ରାଧାନ୍ୟ ଦେଉଛି। ସର୍ବ ପ୍ରଥମେ ଲୋକସଭା ପରେ ବିଧାନସଭା ଏବଂ ତୃତୀୟରେ ଜୁଲାଇ ପୂର୍ବରୁ ସଙ୍ଗଠନର ନବକଳେବର ହେବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଲୋକସଭା ରିପୋର୍ଟ ଅନୁଯାୟୀ, କେନ୍ଦୁଝର, ଭଦ୍ରକ, କଟକ ଏବଂ ପୁରୀରେ ଦଳ ଭୋଟ ପ୍ରତିଶତ ଆଶାତୀତ ବୃଦ୍ଧି ପାଇବ। ମୟୂରଭଞ୍ଜରୁ ଗିରୀଶ ମୁର୍ମୁ, ବାଲେଶ୍ୱରରୁ ଅଶ୍ୱିନୀ ବୈଷ୍ଣବ, କଟକରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରାଯାଇପାରେ। ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁର ଲୋକସଭା ଆସନ ରହିଥିବା ବେଳେ ଦ୍ୱିତୀୟରେ ଢେଙ୍କାନାଳ ରହିଛି। ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବା ସହ ବଲାଙ୍ଗୀର ଲୋକସଭାରୁ କେ.ଭି ସିଂଦେଓଙ୍କୁ ଛିଡା କରିବାକୁ ପ୍ରାଥମିକ ଯୋଜନା ରହିଛି। ଯଦି କଲିକେଶ ସିଂ ଦେଓ ବିଜେଡି ଛାଡନ୍ତି, ତେବେ ତାଙ୍କୁ ମଧ୍ୟ ବିଜେପି ଟିକେଟରୁ ବଲାଙ୍ଗୀର ଲଢିବା ପାଇଁ ସୁଯୋଗ ପ୍ରଦାନ କରାଯିବ। ଭଦ୍ରକରୁ ରାଜୁ ଦାସଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ମଧ୍ୟ ସ୍ଥାନୀୟ କର୍ମୀମାନେ ଦାବି କରିଛନ୍ତି।
ହେଲେ ବରଗଡ, କଳାହାଣ୍ଡିରେ ପୂର୍ବ ପ୍ରାର୍ଥୀକୁ ପୁନର୍ବାର ଟିକେଟ ଦେବା ପାଇଁ ବିଜେପି ଚାହୁଁନାହିଁ। ବସନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ନୀତିଶେ ଗଙ୍ଗଦେବ, ବିଶେଶ୍ୱର ଟୁଡୁ, ପ୍ରତାପ ଷଡଙ୍ଗୀ ବିଧାନସଭା ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। ଦ୍ୱିତୀୟରେ ବିଧାନସଭା କ୍ଷେତ୍ର ଗୁଡ଼ିକରେ ବର୍ତ୍ତମାନ ପରିସ୍ଥିତିରେ ବିଜେପି 38ରୁ 45ଟି ଆସନ ଜିତିବାର କ୍ଷମତା ରଖୁଛି। ତେଣୁ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇପାରିବ ବୋଲି ଏକ ଆଶା ସୃଷ୍ଟି ହୋଇଛି। ମୂଳ ବିଜେପି ପ୍ରାର୍ଥୀ ଅପେକ୍ଷା ବିଜେଡିର ନିର୍ବାଚନମଣ୍ଡଳୀରେ ଥିବା ଦୁଇ ନମ୍ବର ନେତାଙ୍କୁ ପ୍ରାର୍ଥୀ ଫାଇଦା ଦେବ ବୋଲି ସର୍ଭେରେ କୁହାଯାଇଛି।
ତୃତୀୟରେ ସାଙ୍ଗଠନିକ ଦକ୍ଷତା ଥିବା ଲୋକଙ୍କ ହିଁ ସଙ୍ଗଠନ କରିବେ। ପୂର୍ବରୁ ନିର୍ବାଚନୀ ଅଭିଜ୍ଞତା ଥିବା ଲୋକଙ୍କ ପ୍ରଭାରୀ ରହିବେ। କିଏ ପ୍ରଭାରୀ ରହିବେ, ତାହା ସୁନୀଲ ବଂଶଲ ଓ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ନିଷ୍ପତ୍ତି ନେବେ। ମେ ମାସ ଶେଷ ଆଡକୁ ବିଜେଡିର ଚତୁର୍ଥ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ମୁକାବିଲା ସହ 24ର ଅଘୋଷିତ ଲଢେଇ ଆରମ୍ଭ ହେବ ବୋଲି ଜଣାପଡିଛି। ସେହିପରି ଇଡି, ସିବିଆଇ ଏବଂ ଆୟକର ଚଢଉର କୌଣସି ନକରାତ୍ମକ ପ୍ରଭାବ ପଡିବ କି ନାହିଁ ବୋଲି ମଧ୍ୟ ବିଜେପି ଏକ ସର୍ଭେ କରିଥିଲା। ଏଥିରେ ବିଜେଡି ବିରୋଧରେ ଏକ ସରକାରୀ ହାଓ୍ୱା ଥିବାରୁ ଏହା ବିଜେପିକୁ ସହାୟକ ହେବ ବୋଲି କୁହାଯାଇଛି। ତେଣୁ ଇଡିଏବଂ ସିବିଆଇ ସକ୍ରିୟତାକୁ ଅଣଦେଖା କରିହେବ ନାହିଁ ବୋଲି ଜନୈକ ବିଜେପି ଉପସଭାପତି ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି।