ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି , ସିବିଆଇ ତଦନ୍ତ ଆରମ୍ଭ କରେ, ଇଡି ସବୁ ତଥ୍ୟ ସଂଗ୍ରହ କରେ ହେଲେ ଯାଞ୍ଚ କରେନି।  ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।

ବିମୁଦ୍ରାକରଣ ହେଉ କି ଜିଏସଟି ହେଉ କାଶ୍ମୀର ଇସ୍ୟୁ ହେଉ ଆଖି ବନ୍ଦ କରି ମୋଦି ସରକାର ପଛରେ ଛିଡ଼ା ନବୀନବାବୁ । କୃଷି ଆଇନ ଆସିବା ବେଳେ ସମର୍ଥନ ପୁଣି ପ୍ରତ୍ୟାହାର ବେଳେ ବି ସମର୍ଥନ। ନବୀନ ପଟ୍ଟନାୟକ ମୋଦୀ ବିଜେପି ପ୍ରତି ଅଧିକ ଢଲୁଥିବା ଘଟଣା ସ୍ପଷ୍ଟ ସେଦିନ ହୋଇଥିଲା ଯେଉଁ ଦିନ ଅଶ୍ୱିନ ବୈଷ୍ଣବକୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ଆଉ ନବୀନବାବୁ ଓ ତାଙ୍କ ଦଳ ସମର୍ଥନ ଦେବା। ରାଜନୈତିକ ସମୀକ୍ଷକ କୁହନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଜାତୀୟ ରାଜନୀତିରେ କୌଣସି ମୋହ ନାହିଁ। ତେଣୁ ବିଜେପି ତାଙ୍କୁ ଏତେଟା ବିପଦ ମନେ କରେ ନାହିଁ। ନବୀନ କେନ୍ଦ୍ରର କୌଣସି ନେତାଙ୍କ ନାଁ ନେଇ ରାଜନୈତିକ ଆକ୍ଷେପ କରନ୍ତି ନାହିଁ। ଲମ୍ବା ପ୍ରଶ୍ନର କମ୍ ଉତ୍ତର ରଖନ୍ତି। ନିଜ ଇଚ୍ଛା ମୁତାବକ ଗଣମାଧ୍ୟମ ସହ ମିଶିଥାନ୍ତି। ଏନଡିଏର ସହଯୋଗୀ ଅପେକ୍ଷା ଏନଡିଏ ବାହାରେ ରହି ବିଜେପିକୁ ସହାୟତା ଯୋଗାଇ ଦେଇ ଆସିଛନ୍ତି।  କିଛିବର୍ଷ ପୂର୍ବରୁ ବିଜେପି ସାରା ଭାରତରେ କଂଗ୍ରେସ ମୁକ୍ତ ସ୍ଲୋଗାନ ଦେଇଥିଲା।  ନବୀନ ପଟ୍ଟନାୟକ ରାଜ୍ୟରେ କଂଗ୍ରେସ ଯେନତେନ ଦୁର୍ବଳ କରିବାରେ ମନୋନିବେଶ କଲେ। 2014 ପରଠାରୁ କଂଗ୍ରେସର ସ୍ଥାନ ବିଜେପି ନେଲା। ଏହା ପରୋକ୍ଷରେ କେନ୍ଦ୍ରୀୟ ନେତୃତ୍ୱକୁ ସୁହାଇଲା। ବିଜେପି ଗୋଆ ଭଳି ଛୋଟ ରାଜ୍ୟରେ ମଧ୍ୟ ଅପରେସନ୍ ଲୋଟସ କରିଦେଲା।  ଦିଲ୍ଲୀରେ ଆପ୍ ଦଳର ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଆଇନର ଫନ୍ଦିରେ ହଇରାଣ କରାଯାଉଛି।  ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମଧ୍ୟ ବିଜେପି ନିଜ ପରିଚୟ ଦେଖାଇ ସାରିଲାଣି।

କିନ୍ତୁ ଆଶ୍ଚର୍ଯ୍ୟ ଓଡ଼ିଶାରେ ଚିଟଫଣ୍ଡ ତଦନ୍ତ ବନ୍ଦ ହୋଇଗଲା। ବ୍ଲାକରୋଜ କଥା ମନରୁ ଭୁଲି ଗଲେଣି। ବିଜେଡିର ଏକାଧିକ ନେତାଙ୍କୁ ସିବିଆଇ ସମନ କରିଥିଲେ ବି ପରବର୍ତ୍ତୀ ସ୍ତରରେ ତାହା ଶିଥିଳ ପଡିଗଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ନବୀନଙ୍କୁ ବିଶ୍ୱାସକୁ ନେଇ ପ୍ରାର୍ଥୀ କରାଗଲା। ସଂସଦର ପ୍ରତିଟି ଅଧିବେଶନରେ ବିଜେଡି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଲା।ଜଣେ ବିଜେପି ରାଜ୍ୟ ଉପସଭାପତିଙ୍କ କହିବାନୁଯାୟୀ, ତୃଣମୂଳସ୍ତରରେ ନବୀନଙ୍କ ବିରୋଧରେ ନକରାତ୍ମକ  ମନୋଭାବ ନାହିଁ। ବିଜେଡି କର୍ମୀ ଏବଂ ନେତାଙ୍କ ବିରୋଧରେ ମତାନ୍ତର, ମନାନ୍ତର ଥାଇପାରେ। ତେଣୁ ଅପରେସନ୍ ଲୋଚସ କଲେ ଜନମାନସରେ ବିଜେପି ନିନ୍ଦା ପାଇପାରେ। ତେଣୁ କେନ୍ଦ୍ରୀୟ ନେତୃତ୍ୱ ଏଯାଏଁ ନବୀନଙ୍କ ପ୍ରତି ନରମ ମନୋଭାବ ରହିବ। ହେଲେ ବିଜେପି କର୍ମୀ କେନ୍ଦ୍ର ଆଭିମୁଖ୍ୟ ଦେଖି ହତୋତ୍ସାହିତ ହେଉଛନ୍ତି। ତେଣୁ ବିଜେପି ତାର ରଣନୀତି ନିଶ୍ଚୟ ବଦଳାଇବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *