Netflixରେ ମନ ଜିଣୁଛି Web Series ବ୍ଲାକ ଓ୍ୱାରେଣ୍ଟ (Black Warrant)

ଭୁବନେଶ୍ୱର : (ଜୟନ୍ତ ସେଠ) – ଯେଉଁମାନେ ଅଶୀ ଦଶକରେ ସ୍କୁଲ କିମ୍ବା କଲେଜରେ ପଢ଼ିଥିବେ, ସେମାନଙ୍କୁ ଏଇ ଲେଖାଟି ନିଶ୍ଚୟ ଅତୀତକୁ ଫେରାଇ ନେବାରେ ସାହାଯ୍ୟ କରିବ l ମୋର ମନେ ଅଛି, ଚତୁର୍ଥ ଶେଣୀରେ ପଢ଼ିଲା ବେଳେ ୧୯୮୨ ମସିହା ଡିସେମ୍ବର ୩୦ ତାରିଖ ପରଦିନ ଇଂରାଜୀ ବର୍ଷର ଶେଷ ଦିନ ପାଳନ ପାଇଁ ଯେତିକି ଉତ୍ସାହ ନଥାଏ, ତା ‘ ଠାରୁ ବେଶୀ ଉତ୍କଣ୍ଠା ଥାଏ, ସେ ସମୟର ସବୁଠୁ ଚର୍ଚ୍ଚିତ ହତ୍ୟାକାରୀ ରଙ୍ଗା ଓ ବିଲ୍ଲା କେମିତି ତା ପରଦିନ ଫାଶୀ ଖୁଣ୍ଟରେ ଝୁଲିବେ l ଆମେ ଶୋଇ ଗଲୁ ସେଦିନ ରାତି ରେ, ସେ ପର୍ଯ୍ୟନ୍ତ ରଙ୍ଗା ବିଲ୍ଲାଙ୍କର ଘୃଣ୍ୟ ଅପରାଧ ଆମ ମନକୁ ବିଚଳିତ କରୁଥାଏ l ପର ଦିନ ଥାଏ ମୋର ଜନ୍ମଦିନ l ଆଉ ସକାଳୁ ଉଠିବା ମାତ୍ରକେ ଜନ୍ମଦିନର ଶୁଭେଚ୍ଛା କଣ ଗ୍ରହଣ କରିବି, ବରଂ ସକାଳୁ ସକାଳୁ ବାପା ଖୋଲିଦେଲେ ରେଡ଼ିଓ l ଖବର ଆସିଲା ଯତୀନ ଦାସଙ୍କର ଗୁରୁ ଗମ୍ଭୀର ସ୍ୱର ରେ, ଆଜି ସକାଳ ପ୍ରାୟ ଛଅ ଟାରେ ( ସଠିକ ସମୟ ବୋଧ ହୁଏ) ଗୀତା ଚୋପ୍ରା, ସଞ୍ଜୟ ଚୋପ୍ରା ହତ୍ୟାକାଣ୍ଡର ଦୋଷୀ ରଙ୍ଗା ବିଲ୍ଲାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରା ଯାଇଛି ବହୁଟର୍ଚ୍ଚିତ ତିହାର ଜେଲ ରେ l  ମୋର ଜନ୍ମଦିନ ରଙ୍ଗା ବିଲ୍ଲାଙ୍କର ମୃତ୍ୟୁ ଦିବସ ହେଇ ରହିଗଲା l ସେତେବେଳେ ରଙ୍ଗା -ବିଲ୍ଲାଙ୍କର ଅପରାଧ ସାରା ଦେଶରେ ଚହଳ ପକେଇ ଥାଏ l ସେଇ ରଙ୍ଗା ବିଲ୍ଲାଙ୍କୁ ନେଇ ଅନେକ କାହାଣୀ, ଅନେକ ଯାତ୍ରା ନାଟକ, ସିନେମା ତିଆରି ହେଇ ସାରିଛି l ଏମିତି କି କିଛି ବର୍ଷ ତଳେ କ୍ରାଇମ ପାଟ୍ରୋଲର ଦୁଇଟି ଏପିସୋଡ଼ ବିଶିଷ୍ଟ ଟେଲିଭିଜନ ସିରିୟଲ ଵି ପ୍ରସ୍ତୁତ ହୋଇସାରିଛି l

ଆଜି, କିନ୍ତୁ ସେଇ ରଙ୍ଗା ବିଲ୍ଲା ସ୍ମୃତିପଟରେ ସତେଜ ହେଇ ଗଲେ l ତିହାର ଜେଲର ତତ୍କାଳିନ ସହକାରୀ ଜେଲର ସୁନୀଲ ଗୁପ୍ତା ଏବଂ ସୁନେତ୍ରା ଚୌଧୁରୀଙ୍କର ବହି ବ୍ଲାକ ୱାରେଣ୍ଟ ଉପରେ ଆଧାରିତ ୱେବ ସିରିଜ ଦେଖିବା ପରେ ଯେତିକି ମନୋରଞ୍ଜନ ମିଳିଲା ତା ‘ ଠାରୁ ଅଧିକ ଚମତ୍କାର ତଥ୍ୟ ଵି ମିଳିଲା l ତିହାର ଜେଲ, ଦେଶର ସବୁଠୁ ସୁରକ୍ଷିତ ଏବଂ ବିପଜ୍ଜନକ ଜେଲ l ଏହାକୁ ନେଇ ଅନେକ କଥା, ଅନୁଭୂତି ଅଛି l ସହକାରୀ ଜେଲର ଭାବେ ଯେତେବେଳେ ସୁନୀଲ ଗୁପ୍ତା ରେଳବାଇ ଚାକିରୀ ଛାଡ଼ି ଜେଲର ଭାବେ ଯୋଗ ଦେବା ପାଇଁ ଆସିଲେ, ତାଙ୍କୁ କୌଣସି ପ୍ରକାର ଚାକିରୀ ରେ ଯୋଗ ନଦେବା ପାଇଁ ଉଦ୍ୟମ ହେଇ ଥିଲା l ଆଉ ପ୍ରଥମ ସାକ୍ଷାତରେ ତାଙ୍କୁ ଚାକିରୀ ଦେବାରେ ମୁଖ୍ୟ ଭୂମିକା କିଏ ଗ୍ରହଣ କରିଥିଲେ ଜାଣନ୍ତି? ଆନ୍ତର୍ଜାତିକ କୁଖ୍ୟାତ ଲେଡି କିଲର ଚାର୍ଲସ ଶୋଭରାଜ l କାରଣ ସୁନୀଲଙ୍କ ସରଳ ପଣ ଏବଂ ବ୍ୟକ୍ତିତ୍ୱ କୁଆଡ଼େ ତାକୁ ଆକର୍ଷିତ କରିଥିଲା l ଅତି ବିଶିଷ୍ଟ ସିନେମାକାର ଅନୁରାଗ କଶ୍ୟପ, ତିଗମାଂଶୁ ଧୂଲିଆଙ୍କ ଗୋଷ୍ଠୀର ସଦସ୍ୟ ବିକ୍ରମାଦିତ୍ୟ ମୋଟୱାନି ବ୍ଲାକ ୱାରେଣ୍ଟ ମାଧ୍ୟମ ରେ OTT କଣ୍ଟେଣ୍ଟ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି l ସୁନୀଲ ଗୁପ୍ତାଙ୍କର ଆତ୍ମ ଜୀବନୀ ଉପରେ ଆଧାରିତ ୱେବ ସିରିଜ ବ୍ଲାକ ୱାରେଣ୍ଟ ରିଲିଜ ହେବା ପରେ ଆମାଜନରୁ ବହି ବିକ୍ରି ଆଶାତୀତ ଭାବେ ବଢ଼ି ଯାଇଛି l

ସିରିଜ ଦେଖିବା ପରେ ହିଁ  ଜାଣିଲି ଯେ ଫାଶୀ ପରେ ମଧ୍ୟ ରଙ୍ଗାର ହୃତସ୍ପନ୍ଦନ ଏବଂ ନାଡି ଚାଲୁଥିଲା l ଆଉ ସେତେବେଳେ ସୁନୀଲ ଗୁପ୍ତାଙ୍କ  ଆଖି ସାମ୍ନାରେ ଫାଶୀ ବେକରେ ଥିବା ବେଳେ ହିଁ ରଙ୍ଗା ର ଗୋଡ଼ ଆଡୁ ଭିଡି ଭିଡି ତା’କୁ ମାରି ଦିଆ ଯାଇଥିଲା l ୱେବ ସିରିଜ ଅନୁଯାୟୀ ଆଉ ଗୋଟେ ଚମତ୍କାର ତଥ୍ୟ ହେଉଛି, ଜେଲ କର୍ତୃପକ୍ଷଙ୍କ ନିଷିଦ୍ଧାଦେଶ ସତ୍ୱେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସାମ୍ବାଦିକା ପ୍ରତିଭା ସେନ ରଙ୍ଗା ବିଲ୍ଲାଙ୍କର ସାକ୍ଷାତକାର ନେଇଥିଲେ l ଯାହାକି ଭାରତର ଆପରାଧିକ ଏବଂ ମିଡ଼ିଆ ଇତିହାସରେ ଏକ ବିରଳ ଘଟଣା l କିନ୍ତୁ ବାସ୍ତବରେ ପ୍ରତିଭା ସେନ ନଥିଲେ ବରଂ ହିନ୍ଦୁସ୍ତାନ ଟାଇମ୍ସର ପ୍ରଭା ଦତ୍ତ ( ସେଲିବ୍ରିଟି ସାମ୍ବାଦିକା ବର୍ଖା ଦତ୍ତଙ୍କ ମାଆ ) ହିଁ  ରଙ୍ଗା ବିଲ୍ଲାଙ୍କୁ ସାକ୍ଷାତ କରିଥିଲେ,ତାଙ୍କ ସହ ଥିଲେ ଆଉ ଚାରି ଜଣ ସାମ୍ବାଦିକ l ଆଉ ତାଙ୍କ ଭିତରେ ଜଣେ ଥିଲେ ନ୍ୟାସନଲ ହେରା୍ଲଡ଼ ର ଓଡ଼ିଆ ସାମ୍ବାଦିକ ପ୍ରକାଶ ପାତ୍ର l ସିଏ ଏବେ ଵି ସକ୍ରିୟ ଅଛନ୍ତି, ଆଉ ତାଙ୍କ  ଘର କେନ୍ଦ୍ରାପଡ଼ା ଅଂଚଳରେ l ତେବେ ସୁନୀଲ ଗୁପ୍ତା ଓ ସୁନେତ୍ରା ଚୌଧୁରୀ ତାଙ୍କ ବହିରେ ଏସବୁ ଲେଖିଛନ୍ତି କି ନାହିଁ ଜାଣେନି, କିନ୍ତୁ ୱେବ ସିରିଜ ରେ କିଛି ଅଲଗା ଦେଖା ଯାଇଛି l ଏହାର କାରଣ କଣ ଜାଣେନା l ପ୍ରକାଶ ବାବୁଙ୍କ ସେଇ ଲେଖାଟି ହୁଏତ ତାଙ୍କ ପାଖରେ ଥିବ l

ୱେବ ସିରିଜ ର ଗୋଟେ ଇଣ୍ଟେରଷ୍ଟିଙ୍ଗ ଚରିତ୍ର ଚାର୍ଲସ ଶୋଭରାଜ l ଯିଏ କି ତିହାର ଜେଲ ରେ ଏ କ୍ଳାସ ବନ୍ଦୀ ଭାବରେ ଥିଲା l ତାର ଏତେ ପ୍ରଭାବ ଥିଲା ଯେ ଜେଲ କର୍ତ୍ତୃପକ୍ଷଙ୍କୁ ସିଧା ସଳଖ ନିୟନ୍ତ୍ରଣ କରୁଥିଲା l  ମୁ  ଠାଏ ପଢ଼ିଥିଲି, ଜନ୍ମଦିନ  ପାଳନ କରିବା ପାଇଁ ଚାର୍ଲସ ଲଡ୍ଡୁ ରେ ନିଦ ଔଷଧ ମିଶାଇ ସମସ୍ତଙ୍କୁ ଖୁଆଇ ଥିଲା l ଆଉ ସମସ୍ତେ ବେହୋସ ହେଇଜିବା ପରେ ଚମ୍ପଟ ମାରିଥିଲା l କି ଫିଲ୍ମି ଘଟଣା!  ତେବେ ୱେବ ସିରିଜର ଶେଷ ଏପିସୋଡ଼ ର ଶେଷ ଦୃଶ୍ୟ ରେ ଏଇ ଘଟଣା ଦେଖା ଯାଇଛି, ବିନା କୌଣସି ନ୍ୟାରେସନରେ l ସାଧାରଣ ଦର୍ଶକ ଜାଣି ପାରିବେକି ନାହିଁ ଜାଣିନି, କିନ୍ତୁ ମୁଁ ଠିକ ଧରିଲି lଏମିତି ଅନେକ ବିସ୍ମୃତ ଘଟଣା ଯାହାକି ସୁନୀଲ ଗୁପ୍ତା ଓ ସୁନେତ୍ରା ଚୌଧୁରୀଙ୍କ ବହିରେ ଅଛି, ତାହା ୱେବ ସିରିଜ ରେ ଦେଖିବାକୁ ମିଳିବ, ତେବେ ସବୁ ଦୃଷ୍ଟିରୁ କେବଳ ମନୋରଞ୍ଜନ ପାଇଁ ନୁହେଁ ଜଣେ ଜେଲରଙ୍କ ବ୍ୟକ୍ତିଗତ ଅନୁଭୁତିର ଦର୍ପଣରେ ଦେଶର ସବୁଠୁ ସୁରକ୍ଷିତ ଜେଲର ଉଚ୍ଚା ପାଚିରି ଭିତରର ଦୁନିଆକୁ ଅତି ଚମତ୍କାର ଭାବେ ଦେଖାଇ ଦିଆ ଯାଇଛି l

ମତେ ଆଉ ଗୋଟେ କଥା ଚମତ୍କୃତ କଲା, ତାହା ହେଉଛି ସୁନୀଲ ଗୁପ୍ତାଙ୍କ ଭୂମିକା ରେ ଅଭିନୟ କରିଥିବା ଜ଼ାହାନ କପୁରଙ୍କ ଅତି ସୁନ୍ଦର ଏବଂ ନିଖୁଣ ଅଭିନୟ l ସିରିଜ ଦେଖିବା ପରେ ଜାଣିଲି ଏଇ ପ୍ରଚଣ୍ଡ ପ୍ରତିଭାଦୀପ୍ତ ଅଭିନେତା ଜଣକ ସୁପ୍ରଶିଦ୍ଧ କପୁର ଖାନଦାନର ବଂଶଧର l ମାନେ ପୃଥ୍ଵୀରାଜ କପୁରଙ୍କ ଅଣନାତି, ଶଶୀ କପୁରଙ୍କ ନାତି ଆଉ କୁନାଲ କପୁରଙ୍କ ସୁଯୋଗ୍ୟ ସନ୍ତାନ l ତାଙ୍କ ସରଳ ଅଥଚ ଦୃଢ଼ ବ୍ୟକ୍ତିତ୍ୱ ସୁନୀଲ ଗୁପ୍ତା ଚରିତ୍ରକୁ ଜୀବନ୍ତ କରି ତୋଳିଛି l ଥରେ ଦେଖନ୍ତୁ ଏଇ ୱେବ ସିରିଜ, ବିଶେଷ କରି ଯଦି ଆପଣ ଅଶୀ ଦଶକ ରେ ସ୍କୁଲ କିମ୍ବା କଲେଜ ରେ ପଢ଼ିଥିବେ ତାହେଲେ, ସବୁ ଘଟଣାକୁ ନିଶ୍ଚୟ ମନେ ପକାଇ ପାରିବ। ମୁଁ ତ ଆଜି ବ୍ଲାକ ୱାରେଣ୍ଟ ବହିର ଗୋଟେ କପି ଅର୍ଡର କରିଛି, ଆପଣ ଵି କରନ୍ତୁ l  ଏହି ପୋଷ୍ଟ ରେ ରିଲ ଓ ରିଅଲ ସୁନୀଲ ଗୁପ୍ତାଙ୍କ ଫଟୋ ସହିତ ବ୍ଲାକ ୱାରେଣ୍ଟ ବହିର ଫଟୋ ଦେଲି, ଆପଣ ମାନଙ୍କ ଗୋଚରାର୍ଥେ। (ସାମାନ୍ୟ ସମ୍ପାଦିତ ଅଂଶ)

Leave a Reply

Your email address will not be published. Required fields are marked *