ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

ଭୁବନେଶ୍ୱର, ୧୩/୮ : – ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସମ୍ପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବରେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l

ପ୍ରକାଶକ ବିଜୟ ମହାପାତ୍ରଙ୍କ ବି. କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି l ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି l କାର୍ଯ୍ୟକ୍ରମରେ ଅତିଥି ଦର୍ଶକ ଭାବେ ବରିଷ୍ଠ ରାଜନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତରାୟ, ବିଶିଷ୍ଟ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି ଦୁନିଆର ପ୍ରଖ୍ୟାତ ବ୍ୟକ୍ତିବିଶେଷମାନେ ଯୋଗ ଦେଇ ଉପଭୋଗ କରିଥିଲେ l ଚିରାଚରିତ କାର୍ଯ୍ୟକ୍ରମ ଶୈଳୀରୁ ବାହାରି ଡ଼ ଅରୁଣ ସାହୁଙ୍କ ପରିକଳ୍ପନାରେ ସାହିତ୍ୟ ଓ ସଙ୍ଗୀତର ଅପୂର୍ବ ସମନ୍ଵୟରେ ଏପରି କାର୍ଯ୍ୟକ୍ରମ ଓଡ଼ିଶାରେ ନିଆରା ବୋଲି ମତ ପ୍ରକାଶ ପାଇବା ସହ କାର୍ଯ୍ୟସୂଚୀ ଅନୁଯାୟୀ ସମାନ୍ ସନ୍ଧ୍ୟା ୬.୧୮ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୭.୩୩ରେ ଶେଷ ହେବାକୁ ଉପସ୍ଥିତ ଦର୍ଶକ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ l ଫେରିଲା ସମୟରେ ସମସ୍ତେ ଗୁଣୁଗୁଣାଉ ଥିଲେ ବେହାଲ୍ ବର୍ଷା, ମତୁଆଲା ମନ….

Leave a Reply

Your email address will not be published. Required fields are marked *