ବୌଦ୍ଧ ଧର୍ମ ଧ୍ୱଂସ ପାଇଁ ବ୍ରାହ୍ମଣଙ୍କ ହାତରେ ଥିଲା ରାଜପୁତ ଅସ୍ତ୍ର

ହର୍ଷବର୍ଦ୍ଧନଙ୍କ କେନ୍ଦ୍ରୀଭୂତ ସାମ୍ରାଜ୍ୟ ପତନ ପରେ ଗଢି ଉଠିଥିବା ରାଜପୁତନା ଓ ପଞ୍ଜାବର ରାଜପୁତ ରାଜାମାନଙ୍କ ଶାସନକୁ ଐତିହାସିକମାନେ କହିଛନ୍ତି ଏହି ଶାସନ ନିଃସନ୍ଦେହରେ ଏକ ବିଶୁଦ୍ଧ ରାଜପୁତ ସାମରିକ ସାମ୍ରାଜ୍ୟ ଥିଲା । ଶୋଷଣସର୍ବସ୍ୱ ରାଜପୁତ ରାଜା ଓ ସଦାସର୍ବଦା ଅସନ୍ତୁଷ୍ଟ ବ୍ରାହ୍ମଣ ପଣ୍ଡିତକୁଳଙ୍କ ଏହି ଗଠବନ୍ଧନ ଶାସନରେ ସାଧାରଣ ଜନତା ପେଷି ହେଉଥିଲେ । ରାଜପୁତ ରାଜାମାନଙ୍କ ରାଜପ୍ରାସାଦ ଓ ଦୁର୍ଗ ଏବଂ ପଣ୍ଡିତକୁଳଙ୍କ ପାଇଁ ମନ୍ଦିର ନିର୍ମାଣ ବ୍ୟୟ ଭରଣା ନିମନ୍ତେ ପ୍ରଜାଙ୍କ ରକ୍ତ ଶୋଷା ଯାଉଥିଲା । ଅଳ୍ପ ସମୟ ମଧ୍ୟରେ ପୂରା ଦେଶରେ ବିଶାଳ ମନ୍ଦିର ନିର୍ମାଣ ପାଇଁ ହଜାର ହଜାର କ୍ରୀତଦାସ ଓ କଇଦୀଙ୍କ ଶ୍ରମ ବ୍ୟବହାର ହେଇଥିଲା । ମନ୍ଦିରର ଗୁପ୍ତ କୋଠରୀଗୁଡ଼ିକରେ ଅକଳ୍ପନୀୟ ଧନରତ୍ନ ମହଜୁଦ ହେଲା । ମନ୍ଦିରଗୁଡିକରେ ଶହ ଶହ ନର୍ତ୍ତକୀଙ୍କ ନୃତ୍ୟ,ସଙ୍ଗୀତ ଆରମ୍ଭ ହେଲା ।ରାଜାମାନେ ଯାବତୀୟ ରାଜକୀୟ ଶୈଳୀ ଓ ଆଡମ୍ବରରେ ଆସି ମନ୍ଦିରଗୁଡ଼ିକରେ ଏହାକୁ ଉପଭୋଗ କଲେ । ପ୍ରଜାକୁଳ ପାଇଁ ବିଶେଷ ଚିନ୍ତା ନଥିଲା । ପ୍ରଜା ନିଜ ରାସ୍ତାରେ ଜୀବିକା ଅର୍ଜନ ସଂଗ୍ରାମ କରୁଥାନ୍ତି,ଅଧିକାଂଶ ରାଜା ସୁରା , ସାକୀ , ନର୍ତ୍ତକୀ ଗହଣ ରେ ମସଗୁଲ ହେଇ ରହୁଥାନ୍ତି । କେବଳ ଜୈନ ଓ ବ୍ରାହ୍ମଣପଣ୍ଡିତମାନେ ସାତ୍ୱିକ ଭୋଜନ ଦୁଗ୍ଧ, ଦହି, ଲବଣି ,ବିଶୁଦ୍ଧ ଘୃତ ପ୍ରିୟ ଥିଲେ । ଯେତେବେଳେ ମୁସଲିମାନେ ବଡ଼ ବଡ଼ ନଗରୀ ଆକ୍ରମଣ କଲେ ଓ ଗୁପ୍ତ ମନ୍ଦିର ସମ୍ପତ୍ତି ଲୁଣ୍ଠନରେ ଲାଗିଲେ ସେତେବେଳେ ରାଜପୁତ ରାଜାମାନେସମ୍ପତ୍ତି ଓ ରମଣୀ ଆୟତ କରିବା ପାଇଁ ନିଜ ନିଜ ମଧ୍ୟରେ ସଂଘର୍ଷ ଆରମ୍ଭ କରିଦେଲେ । ଆକ୍ରମଣକାରୀ ମାନେ ଶହ ଶହ ମାଇଲ ଅନାୟାସରେ ଜନପଦ ଗୁଡିକୁ ଅତିକ୍ରମ କରି ରାଜାମାନଙ୍କ ପ୍ରାସାଦ ଓ ବଡ଼ ବଡ଼ ମନ୍ଦିର ମୁଖଶାଳା ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ରାଜାମାନଙ୍କ ପାଖରେ କୌଣସି ଖବର ପହଞ୍ଚି ପାରୁ ନଥିଲା । ଦେଶ ସାରା ଯେମିତି କୌଣସି ଶାସନ ନାହିଁ । ପ୍ରଜାମାନେ ପୂର୍ବରୁ ନୀପିଡ଼ିତ, ତେଣୁ ସେମାନେ ମଧ୍ୟ ଏହି ଆକ୍ରମଣ କୁ ସ୍ୱାଗତ କରୁଥିଲେ । ଜାଗିରଦାରମାନେ ମଧ୍ୟ ସେମାନଙ୍କ ପକ୍ଷରେ ସାମିଲ ହେଇ ଯାଉଥିଲେ ।ଏକ ପ୍ରଚଳିତ ଧାରଣା ରହିଛି ମୁସଲିମ କାଳଖଣ୍ଡ ହେଉଛି ଏକ ବିଦେଶୀ ଶାସନ କାଳଖଣ୍ଡ । ଏହାକୁ ଅଧିକ ପ୍ରଚାର କରୁଛନ୍ତି ସେଇମାନେ ଯେଉଁମାନେ ମୁସଲିମ ଶାସନ କାଳରେ ସର୍ବାଧିକ ସୁଯୋଗ ସୁବିଧା ଓ ପ୍ରତିଷ୍ଠା ହାସଲ କରିଛନ୍ତି । ଏହି ପ୍ରଚାର ମୂଳତଃ ବ୍ରାହ୍ମଣବାଦୀ ଐତିହାସିକ ଓ ବିଦ୍ୱାନମାନେ ପ୍ରଚାର କରିଛନ୍ତି ଯେ ଆକ୍ରମଣ ଯୋଗୁଁ ଭାରତୀୟ ବ୍ରାହ୍ମଣମାନେ ଅଧିକ ଅତ୍ୟାଚାରର ଶିକାର ହେଇଛନ୍ତି ।ଏହାକୁ ମୂଳତଃ ସାବରକରବାଦୀ ଗୋଷ୍ଠୀ ଅଧିକ ପ୍ରଚାର କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ସେଇ ଧାରା ଚାଲୁ ରଖିଛନ୍ତି ।କିନ୍ତୁ ଏହି ବୟାନ ପଛରେ କୌଣସି ଦୃଢ଼ ପ୍ରମାଣ ନାହିଁ । ବରଂ ଏହାର ବିପରୀତ ପ୍ରମାଣ ରହିଛି ।
ସର୍ବାଧିକ ଫାଇଦା ରାଜପୁତ ଶାସନ ବେଳେ ଓ ମୁସଲିମ ଶାସନ କାଳରେ ବ୍ରାହ୍ମଣ ଓ ବିଦ୍ୱାନ ବର୍ଗ ହାସଲ କରିଛନ୍ତି । ଏକଥା ଉଲ୍ଲେଖଯୋଗ୍ୟ ଯେ ମୁସଲିମ କାଳରେ ତିନି ସ୍ତରୀୟ ଶାସନ ବ୍ୟବସ୍ଥା ଥିଲା । ପ୍ରଥମ ଶାସନ ଗ୍ରାମ୍ୟ ଓ ତାଲୁକ ସ୍ତରରେ, ଦ୍ୱିତୀୟଟି ଆଞ୍ଚଳିକ ସ୍ତରରେ ଓ ଶେଷଟି ଶୀର୍ଷ ସ୍ତରରେ ଥିଲା । ସ୍ଥାନୀୟ ସ୍ତରର ଶାସନ ହିଁ ପ୍ରକୃତ ଶାସନ । ଶୀର୍ଷରେ କିଏ ଶାସନ କରୁଛି ଲୋକଙ୍କ ପାଇଁ ବିଶେଷ ଫରକ ପଡୁ ନଥିଲା , ସେଭଳି ବଡ଼ ଘଟଣା ନ ଘଟିବା ପର୍ଯ୍ୟନ୍ତ । ସ୍ଥାନୀୟ ସ୍ତରର ଶାସନ ବ୍ରାହ୍ମଣ ଓ ପଣ୍ଡିତ ହାତରେ ଥିଲା । ଏବଂ ଏହି ଶାସନର ନିୟମ ଜାତି ପ୍ରଥା ଭିତ୍ତିକ ଥିଲା । ସ୍ୱାମୀ ଧର୍ମ ତୀର୍ଥ ଲେଖିଛନ୍ତି ,” ବୌଦ୍ଧଧର୍ମର ବିଲୁପ୍ତି ପରେ ରାଜନୈତିକ କ୍ଷମତା ମୁସଲିମ ମାନଙ୍କୁ ଆସିବା ପରେ ବ୍ରାହ୍ମଣ ମାନଙ୍କ ହିଁ ପ୍ରକୃତ ବିଜୟ ହେଲା । ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଜାତୀୟ ଉଦାସୀନତା ଓ ରାଜନୈତିକ ଅରାଜକତା ପରେ ବ୍ରାହ୍ମଣମାନଙ୍କ ଏକ ଉଲ୍ଲେଖନୀୟ ଓ ସୁସଂହତ ଧର୍ମୀୟ ପ୍ରଭୂତ୍ୱ ହିନ୍ଦୁ ସମାଜ ଉପରେ ସୃଷ୍ଟି ହେଲା । ସେମାନେ ହିନ୍ଦୁ ସମାଜର ଅପ୍ରତିଦ୍ବନ୍ଦୀ ନୀତି ନିର୍ଦ୍ଧାରକ ଓ ଆଇନଦାତା ଓ ବିଚାରକ ହେଇଗଲେ ।” ଏସ ଭି କେଲକର ହିନ୍ଦୁ ଧର୍ମ ରଚନା ରେ ଲେଖିଛନ୍ତି, “ମୁସଲିମ ଶାସକଙ୍କ ଦ୍ୱାରା ହିନ୍ଦୁରାଜାମାନେ ପଦଚ୍ୟୁତ ହେବା ପରେ ହିନ୍ଦୁ ରାଜା ଓ ସାମନ୍ତମାନେ ସେମାନଙ୍କ ଅନେକ ପ୍ରତିଷ୍ଠା ଓ ସମ୍ମାନ ହରେଇଲେ , କିନ୍ତୁ ଏହାର ନେତୃତ୍ୱ ମୁସଲିମ ଶାସକଙ୍କୁ ହସ୍ତାନ୍ତର ହେବା ପରିବର୍ତେ ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ କବ୍ଜା ହେଇଗଲା । ସେତେବେଳେ କୌଣସି ଶକ୍ତିଶାଳୀ ଭାରତୀୟ ରାଜା ନଥିଲେ ଯେଉଁମାନେ ସିଦ୍ଧାନ୍ତ ନେବେ ଲୋକଙ୍କ ଧର୍ମ କଣ ହେବ ଓ କେଉଁ ନୀତି ନିୟମରେ ଲୋକଙ୍କ ସମାଜିକ ଜୀବନ ପରିଚାଳିତ ହେବ । ମୁସଲିମ ଶାସକମାନେ ନିଜକୁ ପ୍ରତିଷ୍ଠିତ କରିବା ପରେ କେତେକ ବ୍ୟତିକ୍ରମକୁ ବାଦ ଦେଲେ ହିନ୍ଦୁମାନଙ୍କ ଜୀବନ ପଦ୍ଧତି ଓ ସାମାଜିକ ରୀତିନୀତି କ୍ଷେତ୍ରରେ ହସ୍ତକ୍ଷେପ କଲେ ନାହିଁ ଓ ସେମାନଙ୍କ ଦାୟିତ୍ୱ ହିନ୍ଦୁ ଧର୍ମୀୟ ନେତାଙ୍କ ଉପରେ ଛାଡିଦେଲେ । ଯଦି କେତେବେଳେ ବିବାଦ ଉପୁଜିଲା ସେତେବେଳେ ବ୍ରାହ୍ମଣ ଓ ସେମାନଙ୍କ ସ୍ବୀକୃତ ପ୍ରତିନିଧିମାନଙ୍କ ହାତରେ ସମାଧାନ ପାଇଁ ଛାଡିଦେଲେ ।
ଏହି କାଳଖଣ୍ଡରେ ଆଉ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ସମଗ୍ର ଦେଶରେ ଘଟିଲା । ସବୁ ବର୍ଣ୍ଣ ଉପରେ ଧର୍ମୀୟ ପ୍ରଭୂତ୍ୱ ବ୍ରାହ୍ମଣମାନଙ୍କ ହାତକୁ ଆସିଗଲା । ଏହା ପୂର୍ବରୁ ସେମାନେ କେବଳ ତିନି ଉଚ୍ଚ ବର୍ଗ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ସମ୍ପ୍ରଦାୟର ପୌରହିତ୍ୟି ଦାବୀ କରୁଥିଲେ , ଶୁଦ୍ରମାନଙ୍କ ଉପରେ ପ୍ରଭାବ ନଥିଲା । କାରଣ ସେମାନେ ବୌଦ୍ଧ, ଜୈନ ଧର୍ମର ସାମାଜିକ ରୀତିନୀତି ଦ୍ୱାରା ପରିଚାଳିତ ହେଉଥିଲେ । ମୁସଲିମମାନେ ପ୍ରଥମ ଥର ଅଣ ମୁସଲିମ ସମସ୍ତ ଲୋକଙ୍କୁ ହିନ୍ଦୁ ଭାବେ ନାମିତ କଲେ ।ସେମାନେ ଜାଣି ନଥିଲେ ଏକ ନିର୍ଦ୍ଦିଷ୍ଟ ଭୌଗଳିକ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ହିନ୍ଦୁ ବୋଲି ନାମିତ କରି ବସ୍ତୁତଃ ସମସ୍ତ ଅଣ ମୁସଲିମଙ୍କୁ ଗୋଟିଏ ଝଟକାରେ ଏକଜୁଟ କରିଦେଉଛନ୍ତି । ବ୍ରାହ୍ମଣମାନେ ଏହାର ସୁଯୋଗ ନେଇ ହିନ୍ଦୁ ଏକ ଧର୍ମ ଭାବେ ପ୍ରଚାର କରିଦେଲେ । ଏହି ଗୋଟିଏ ଶବ୍ଦ ଭାରତର ବିଶାଳ ଭୂଖଣ୍ଡର ଧର୍ମକୁ ହିନ୍ଦୁ , ଏହି ଅଞ୍ଚଳକୁ ହିନ୍ଦୁସ୍ଥାନ ବୋଲି ସ୍ୱୀକୃତି ଦେଇ ବ୍ରାହ୍ମଣବାଦର ଧର୍ମୀୟ ଶୋଷଣ ମଧ୍ୟକୁ ଠେଲି ଦେଲା । ଅଥଚ ଆକୁମାରୀ ହିମାଚଳ ଲୋକ ସେ ପର୍ଯ୍ୟନ୍ତ ହିନ୍ଦୁ ଧର୍ମ ବୋଲି କିଛି ଜାଣି ନଥିଲେ ଓ ସେମାନଙ୍କ ଜୀବନ ପଦ୍ଧତି ଓ ଧର୍ମୀୟ ଅନୁଶୀଳନ ବିବିଧତାପୂର୍ଣ ଥିଲା ।