କାହା ମୁହଁ ଉପରେ ପରିସ୍ରା କରିବା ଅପରାଧ ନୁହେଁ ବୋଲି କହିଲେ ବ୍ରାହ୍ମଣ ସମାଜ ନେତା
ଭୋପାଳ : ଅସୁବିଧାରେ ପଡିଥିଲେ ସମାଜରେ କେହି କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଓଲଟା ଘଟଣା ଘଟିଛି। ନିଜ ସମାଜର ଗୋଟିଏ ଲୋକ ଆଦିବାସୀ ଯୁବକ ଉପରେ ଅମାନବୀୟ ଭାବେ ପରିସ୍ରା କରି ଜେଲ୍ ଯିବା ପରେ ତା ସହିତ ସ୍ଥାନୀୟ ବ୍ରାହ୍ମଣ ସମାଜ ଛିଡା ହୋଇଛି। ବେଆଇନ ଭାବେ ନିର୍ମାଣ ହୋଇଥିବା ତା ଘରକୁ ପ୍ରଶାସନ ଭାଙ୍ଗିଦେବା ପରେ ସେହି ଘରକୁ ତୋଳିବା ପାଇଁ ସମାଜ ପକ୍ଷରୁ ଅର୍ଥ ଆଦାୟ କରାଯାଇଛି। ଏକଥା ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ହୋଇଛି। ବ୍ରାହ୍ମଣ ସମାଜ ପ୍ରବେଶଙ୍କୁ ଜେଲରୁ ମୁକୁଳେଇବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି ଜଣାପଡିଛି। ସେହିପରି କାହା ମୁହଁ ଉପରେ ପରିସ୍ରା କରିବା କେଉଁ ଧାରା ଅନୁଯାୟୀ ଅପରାଧ ବୋଲି ଅଖିଳ ଭାରତ ବ୍ରାହ୍ମଣ ସମାଜର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁଳଦୀପ ଭରଦ୍ୱାଜ କହିଛନ୍ତି। ଶ୍ରୀ ଭରଦ୍ୱାଜଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ବିଜେପି ନେତା ପ୍ରବେଶ ଶୁକ୍ଲା। କିଛିଦିନ ତଳେ ଜଣ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରି ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ସେ ରହୁଥିବା ଘରର କିଛି ଅଂଶ ବେଆଇନ ଭାବେ ନିର୍ମାଣ ହୋଇଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା। ଏହା ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଦ୍ୱାରା ତାଙ୍କ ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଥିଲା। ପ୍ରବେଶଙ୍କ ଏହି ଅମାନବୀୟ କାର୍ଯ୍ୟକୁ ସାରା ଦେଶର ନିନ୍ଦା କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ପ୍ରବେଶ ଶୁକ୍ଲା ପରିସ୍ରା କରିଥିବା ବ୍ୟକ୍ତିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଡକାଇ ତାଙ୍କ ପାଦ ଧୋଇ ଦେଇଥିଲେ।