ଏଣିକି ଓଡିଆରେ ଦେଇ ହେବ ସିଏପିଏଫ ପରୀକ୍ଷା

ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ।

ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ।
ଏହି ନିଷ୍ପତ୍ତି ସିଏପିଏଫ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଲକ୍ଷାଧିକ ପ୍ରାର୍ଥୀଙ୍କୁ ଲାଭାନ୍ୱିତ କରିବ କାରଣ ସେମାନେ ଏଣିକି ନିଜ ମାତୃଭାଷା/ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବା ସହିତ ନିଜ ଚୟନ ସମ୍ଭାବନାକୁ ବଢ଼ାଇପାରିବେ ।
ବିଭିନ୍ନ ଭାରତୀୟ ଭାଷାରେ ପରୀକ୍ଷା ଆୟୋଜନ ସୁବିଧା ଦେବା ଲାଗି ବର୍ତ୍ତମାନର ବୁଝାମଣାପତ୍ର ସହିତ ଏକ ପରିଶିଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କର୍ମଚାରୀ ଚୟନ ଆୟୋଗ ସ୍ୱାକ୍ଷର କରିବେ। କନେଷ୍ଟବଳ (ଜେନେରାଲ ଡ୍ୟୁଟୀ), କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି । ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଜାନୁଆରୀ ୦୧, ୨୦୨୪ ଠାରୁ ପରୀକ୍ଷା ଆୟୋଜନ ଆରମ୍ଭ ହେବ ।

ଏହି ନିଷ୍ପତ୍ତି ପରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାର ସ୍ଥାନୀୟ ଯୁବକମାନଙ୍କୁ ନିଜ ମାତୃଭାଷାରେ ପରୀକ୍ଷା ଦେବା ଲାଗି ଏହି ସୁଯୋଗର ଉପଯୋଗ କରିବା ଏବଂ ଦେଶ ସେବାରେ କ୍ୟାରିଅର ଗଢ଼ିବା ଲାଗି ବହୁସଂଖ୍ୟାରେ ଆଗେଇ ଆସିବାକୁ ପ୍ରୋତ୍ସାହତ କରିବା ନିମନ୍ତେ ବ୍ୟାପକ ଅଭିଯାନ ଆରମ୍ଭ କରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *