ବାହାନାଗା ରେଳ ଦୁର୍ଘଟଣା , ଆରମ୍ଭ ହେଲା ସିବିଆଇ ତଦନ୍ତ
ଭୁବନେଶ୍ୱର: ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଆକସ୍ମିକ ଥିଲା ନା ଅପରାଧିକ ଷଡ଼ଯନ୍ତ୍ର ଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଭାରତର ପ୍ରିମିୟମ୍ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଏହାର ତଦନ୍ତ କରୁଛି। ଏହି କ୍ରମରେ ସୋମବାର ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀରୁ ଆସିଥିବା ୧୦ ଜଣିଆ ଟିମ୍ ମଙ୍ଗଳବାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିସାରିଛି। ସିବିଆଇର ଜଣେ ଆଇଜି ପାହ୍ୟାର ଅଧିକାରୀ ମାମଲାର ତଦନ୍ତ କରୁଛନ୍ତିା ସିବିଆଇ ଟିମ୍ ସହ ସେଣ୍ଟ୍ରାଲ ଫରେନସିକର ବି କିଛି ସଦସ୍ୟ ଏହି ତଦନ୍ତରେ ସାମିଲ ରହିଥିବା ଜଣାପଡ଼ିଛି।
ବାହାନାଗାରୁ ମିଳିଥିବା ସୂଚନାନୁଯାୟୀ, ୧୦ଜଣିଆ ଟିମ୍ ଦୁର୍ଘଟଣାସ୍ଥଳର ବିଶେଷ ଭାବେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଇ ତଦନ୍ତ କରିଛନ୍ତି। କାହିଁକି ଏତେ ବଡ଼ ଦୁର୍ଘଟଣା ଘଟିଲା, ଏହା ପଛରେ କିଏ ଦାୟୀ, ବୈଷୟିକ ତ୍ରୁଟି ହୋଇଛି ନା ମନୁଷ୍ୟକୃତ ଅବହେଳାରୁ ଏତେ ବଡ଼ ଅଘଟଣ ଘଟିଗଲା, ମୁଖ୍ୟ ଲାଇନରୁ ଲୁପ୍ ଲାଇନକୁ କାହିଁକି ଗଲା କରମଣ୍ଡଳ ଏକ୍ସପ୍ରେସ, କିଏ କଲା ଟାମ୍ପରିଂ ? ଉପରୋକ୍ତ ସମସ୍ତ ଦିଗର ତଦନ୍ତ କରାଯାଉଛି। ସ୍ଥାନୀୟ ଷ୍ଟେସନ ମାଷ୍ଟର ଏସ୍. ବି ମହାନ୍ତିଙ୍କୁ ଧରି ସିବିଆଇ ତଦନ୍ତ ଆଗକୁ ବଢ଼ାଇଛି। ସିଗନାଲ ରୁମ୍ କୁ ଯାଇ ଖୋ଼ଳତାଡ କରିବା ସହ କାଗଜପତ୍ର ଯାଞ୍ଚ କରିଛି। କିପରି ଦୁର୍ଘଟଣା ଘଟିଥିଲା ଓ ଦୁର୍ଘଟଣା ସମୟରେ କେଉଁମାନେ ଡ୍ୟୁଟିରେ ଥିଲେ ଏନେଇ ଅଧିକାରୀଙ୍କୁ ପଚରାଉଚରା କରାଯିବା ସହ ରିଲେ ରୁମ୍କୁ ଯାଇ ମଧ୍ୟ ତଦନ୍ତ କରାଯାଇଥିବା ଜଣାପଡିଛି।
ସେହିପରି ସିବିଆଇ ତଦନ୍ତ ଆରମ୍ଭ ସହ ପୂର୍ବ ତଟ ରେଲୱେ ସିପିଆର୍ଓ ଙ୍କ ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ସିପିଆରଓ କହିଛନ୍ତି ଯେ, ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସବୁ ଦିଗରୁ ହେବ। ସିବିଆଇ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି। ତଦନ୍ତରେ ରେଲୱେ ସମସ୍ତ ସହଯୋଗ କରୁଛି। ଅନୁରୂପ ଭାବେ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟ ସୋମବାର ଭିନ୍ନ ଏକ ବୟାନ ରଖିଥିଲେ। ଶ୍ରୀ ରାୟ କହିଥିଲେ ଯେ, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ । ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା। ପ୍ରି କଣ୍ଡିସନ ଠିକ୍ ଥିଲେ ହିଁ ଗ୍ରୀନ ସିଗନାଲ ହୋଇଥାଏ। ଯଦି କିଛି ତ୍ରୁଟି ଥିବ,ତେବେ କେବେ ବି ଗ୍ରୀନ୍ ସିଗନାଲ ହେବ ନାହିଁ, ରେଡ୍ ଲାଇଟ ଜଳିବ ବୋଲି କହି ରାୟ ଏକ ନିର୍ଦ୍ଦିଷ୍ଟ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।