ସୂର୍ଯ୍ୟଙ୍କ ଦିଗପହଣ୍ଡି ଉପରେ ଚନ୍ଦ୍ରଶେଖରଙ୍କ ଆଖି

ବ୍ରହ୍ମପୁର: ଦୀର୍ଘ ତିନି ଦଶନ୍ଧି ଧରି ଗଞ୍ଜାମ ଜିଲା ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିପାରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ଏବେ ଶଯ୍ୟାଶାୟୀ। ପ୍ରଥମେ ମୋହନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଦିଗପହଣ୍ଡି ବିଧାନସଭା ଆସନରୁ ମୋଟ ଛଅ ଥର ବିଧାୟକ ହୋଇଥିବା ‘ଆନ୍ନା’ଙ୍କ କିଏ ହେବ ଉତ୍ତରାଧିକାରୀ, ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିଗପହଣ୍ଡିରେ ବିଜେଡ଼ିର ନେତୃତ୍ବ ହାତେଇବା ପାଇଁ ସୂର୍ଯ୍ୟଙ୍କ ପୁତ୍ର ବିପ୍ଲବ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଏକଦା ସୂର୍ଯ୍ୟଙ୍କ ଘନିଷ୍ଠ ଅନୁଗତ ରହିଥିବା ବିପିନ ପ୍ରଧାନଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ଏମାନଙ୍କ ଲଢ଼େଇରୁ ଫାଇଦା ନେବା ପାଇଁ ଚାହିଁ ରହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ। ଥରେ କଂଗ୍ରେସ ଏବଂ ଥରେ ବିଜେଡ଼ିରୁ ସାଂସଦ ହୋଇଥିଲେ ମଧ୍ୟ ଦିଲ୍ଲୀ ରାଜନୀତିରୁ ଚନ୍ଦ୍ର ଶେଖରଙ୍କ ମୋହ ଭଙ୍ଗ ହୋଇଯାଇଥିବା ତାଙ୍କ ନିକଟ ମହଲରୁ ପ୍ରକାଶ। ଏଣୁ ଆଉ ସାଂସଦ ନୁହଁ, ବରଂ ବିଧାୟକ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଇଚ୍ଛା କଲେଣି ଚନ୍ଦ୍ର ଶେଖର। ସେ ନିଜେ ତୃତୀୟ ମହଲା ଆଗରେ ଏନେଇ ପ୍ରସ୍ତାବ ରଖିଥିବା କୁହାଯାଉଛି। ଦଳ ମଧ୍ୟ ଚନ୍ଦ୍ର ଶେଖରଙ୍କ ଦୀର୍ଘ ରାଜନୈତିକ ଜୀବନର ଫାଇଦା ନେଇ ମନ୍ତ୍ରୀ କରିବା ପ୍ରସ୍ତାବ ଉପରେ ବିଚାର କରିବ । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଯେଉଁ ୭ଟି ବିଧାନସଭା ଆସନ ରହିଛି, ସେଥିରୁ ଦିଗପହଣ୍ଡିକୁ ସୁରକ୍ଷିତ ଆସନ ଭାବେ ଚନ୍ଦ୍ର ଶେଖର ବାଛିଥିବା ନିକଟ ମହଲରୁ ସୂଚନା ମିଳିଛି।ଗତ କିଛି ମାସ ହେଲା ଅନେକ ଘାତ ପ୍ରତିଘାତ ଦେଇ ଗତି କରୁଛି ଗଞ୍ଜାମ ଜିଲା ବିଜେଡ଼ି ସଂଗଠନ। ଗୋପାଳପୁର ବିଧାୟକ ତଥା ଏକଦା ଗଞ୍ଜାମ ବିଜେଡ଼ିକୁ ନିଜ ଇସାରାରେ ଚଲାଇଥିବା ପ୍ରଦୀପ କୁମାର ପାଣିଗ୍ରାହୀ ଦଳରୁ ବିତାଡ଼ିତ ହେବା ପରେ ତାଙ୍କ ସ୍ଥାନ ନେବାକୁ ଦଳ ପାଖରେ ଯୋଗ୍ୟ ନେତା ନଥିବା ଭୋଟରଙ୍କ ମଧ୍ୟରେ ଆଲୋଚନା ହେଉଛି। ଏଭଳି ସ୍ଥଳେ ମନ୍ତ୍ରୀ ହୋଇ ଜିଲାରେ ନିଜର ଗୁରୁତ୍ବ ବଢ଼ାଇବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦ୍ର ଶେଖର। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ଗୋପାଳପୁର କଥା ବୁଝାବୁଝି କରୁଥିଲେ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାୟୀ ଥିଲେ ଚନ୍ଦ୍ର ଶେଖର। କିନ୍ତୁ ଗୋପବନ୍ଧୁଙ୍କୁ ହଟାଇ ଏବେ ଗୋପାଳପୁରରେ ଧସେଇ ପଶିଲେଣି ପୂର୍ବତନ ବ୍ରହ୍ମପୁର ସାଂସଦ ତଥା ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତାଙ୍କୁ ତୃତୀୟ ମହଲରୁ ଗୋପାଳପୁର ପାଇଁ ଗ୍ରୀନ ସିଗନାଲ୍‌ ମିଳିଥିବା ଆଲୋଚନା ହେଉଛି l ଫଳରେ ଗୋପାଳପୁର ବଦଳରେ ଦିଗପହଣ୍ଡିକୁ ଚନ୍ଦ୍ର ଶେଖର ବାଛିଥିବା କୁହାଯାଉଛି। ସୂର୍ଯ୍ୟଙ୍କ ଗଡ଼ ଦିଗପହଣ୍ଡିରେ ବିଜେଡ଼ି ଏବେ ଦୁଇ ଫାଳ ହୋଇପଡ଼ିଛି। ବିପିନ ଏବଂ ବିପ୍ଳବ ଝଗଡ଼ାରୁ କଂଗ୍ରେସ ଫାଇଦା ନେଉଛି। ଗତ ପୌର ନିର୍ବାଚନରେ ଦିଗପହଣ୍ଡି ଏନଏସିରେ ଅଧ୍ୟକ୍ଷ ପଦ ହାତେଇଥିଲେ କଂଗ୍ରେସର ପ୍ରଫୁଲ ପଣ୍ଡା। ଆସନ୍ତା ନିର୍ବାଚନରେ ଶ୍ରୀ ପଣ୍ଡାଙ୍କୁ କଂଗ୍ରେସ ବିଧାୟକ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ଯଦି ବିପ୍ଳବ କିମ୍ବା ବିପିନଙ୍କ ଭିତରୁ ଜଣଙ୍କୁ ବିଜେଡ଼ି ଟିକେଟ୍‌ ଦିଏ, ତେବେ ଅନ୍ୟ ଜଣେ ବିଦ୍ରୋହ କରିବା ଆଶଙ୍କା ରହୁଛି। ଫଳରେ ଶାସକ ଦଳର ଏହି ସୁରକ୍ଷିତ ଆସନଟି ହାତଛଡ଼ା ହୋଇପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। କାରଣ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଯୋଗୁ ବିଜେଡ଼ିକୁ ବିଶେଷ କ୍ଷତି ହୋଇଥିଲା। ଏସବୁ ଦୃଷ୍ଟିରୁ ଚନ୍ଦ୍ର ଶେଖରଙ୍କୁ ଦଳ ଟିକେଟ ଦେଇ ଗୋଷ୍ଠୀ କନ୍ଦଳର ନିଆଁ ଉପରେ ପାଣି ଢ଼ାଳିବାକୁ ଉଦ୍ୟମ କରିପାରେ। ଚନ୍ଦ୍ର ଶେଖର ମଧ୍ୟ ଏଥିରେ ରାଜି ହୋଇଯାଇଥିବା ବିଜେଡ଼ି ମହଲରେ ଆଲୋଚନା ହେଉଛି। ଛାତ୍ର ଜୀବନରୁ ଆରମ୍ଭ କରି ପ୍ରାୟ ୪ ଦଶନ୍ଧୀ ଧରି ଗଞ୍ଜାମ ଜିଲାରେ ସୂର୍ଯ୍ୟ-ଚନ୍ଦ୍ର ଲଢ଼େଇ ଚର୍ଚ୍ଚାରେ ରହି ଆସିଛି। ଏବେ ସୂର୍ଯ୍ୟଙ୍କ ଗଡ଼ରେ ଉତ୍ତରାଧିକାରୀ ହେବାକୁ ଚନ୍ଦ୍ର ଶେଖର ଯାଉଥିବା ବେଳେ ରାଜନୀତିରେ ସବୁକିଛି ସମ୍ଭବ ବୋଲି ଜାଣିବା ଶୁଣିବା ମହଲାରେ କଥା ହେଉଛନ୍ତି।

Leave a Reply

Your email address will not be published. Required fields are marked *